Sunday, May 19, 2024
Homeଖବରଟିକେଟ୍‌ ଘୋଷଣା ପରେ ବିଦ୍ରୋହ ଆରମ୍ଭ

ଟିକେଟ୍‌ ଘୋଷଣା ପରେ ବିଦ୍ରୋହ ଆରମ୍ଭ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଦେଶବ୍ୟାପୀ ଭୋଟ ଗ୍ରହଣ କରାଯିବ। ଏଥି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବ‌େଳେ ଆସନ୍ତା ଏପ୍ରିଲରୁ ‌ଭୋଟ୍‌ ଗ୍ରହଣ କରାଯିବ। ୭ଟି ପର୍ଯ୍ୟାୟରେ ହେଉଥିବା ମତଦାନ ଜୁନ୍‌ ୧ ତାରିଖରେ ଶେଷ। ଏହି ନିର୍ବାଚନ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି। କାରଣ ଏହି ୪ଟି ରାଜ୍ୟରେ ଲୋକସଭା ସମେତ ବିଧାନସଭା ପାଇଁ ମଧ୍ୟ ମତଗ୍ରହଣ କରାଯିବ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଚୟନ ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ ଟିକେଟ୍‌ ପାଇପାରି ନଥିବା ଅସନ୍ତୁଷ୍ଟ ନେତାମାନେ ଦଳ ଡେଉଁଛନ୍ତି ଅଥବା ବିଦ୍ରୋହ ମଧ୍ୟ ଆରମ୍ଭ କରିଦେଇଛନ୍ତି। ପ୍ରସଙ୍ଗ କ୍ରମେ ଓଡ଼ିଶାରେ ଏହି ଚିତ୍ର ଅଧିକ ଦେଖାଯାଉଛି।

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜୁ ଜନତା ଦଳ ମଧ୍ୟ ଟିକେଟ୍‌ ଘୋଷଣା କରିଛି। ଆସନ୍ତା ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇସାରିଛି। ଏପର୍ଯ୍ୟନ୍ତ ବିଜେଡି ଓ କଂଗ୍ରେସ ଛାଡ଼ି ଅନେକ ନେତା ଓ କର୍ମୀ ବ‌ିଜେପି ଶିବିରରେ ସାମିଲ ହୋଇଛନ୍ତି। ଏଥିରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, କଟକ ସାଂସଦ ଭତ୍ତୃହରି ମହତାବ ପ୍ରମୁଖ। ଏଥି ସହିତ ବିଜେଡିର ଅନେକ ପୂର୍ବତନ ବିଧାୟକ ମଧ୍ୟ ବିଜେପି ଶିବିରରେ ସାମିଲ ହୋଇଛନ୍ତି। ବିଜେପି ଟିକେଟରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେଡିରେ ଯୋଗଦେଇଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ‌ଭୋଇ ବିଜେଡିରେ ସାମିଲ ହୋଇଛନ୍ତି। ଏତ ଗଲା ଦଳ ଡିଆଁ କଥା। ଏତଦ୍‌ ବ୍ୟତୀତ ଯେଉଁମାନେ ଦଳ ଡେଇଁ ନାହାନ୍ତି, ସେମାନେ ଏବେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରିବା ଆରମ୍ଭ କଲେଣି।

ଭୁବନେଶ୍ବରରେ ଅଘୋଷିତ ବିଦ୍ରୋହ

ଖୋଲାଖୋଲି ବିରୋଧ ନକଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗନଦେଇ ଭୁବନେଶ୍ବରର ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ବାୟୁସେନାରେ ଚାକିରି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ମନ୍ମଥ ରାଉତରାୟଙ୍କୁ ସମର୍ଥନ ଦେଇ ନଥିଲେ। ଶ୍ରୀ ରାଉତ ଯେତେବେଳେ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଲେ, ସେହି ସମୟରେ ଭୁବନେଶ୍ବର ବିଜେଡି ସଂଗଠନର ଜଣାଶୁଣା ନେତାଙ୍କୁ ଦେଖିବାକୁ ମିଳି ନଥିଲା। ଏହାର ପଛରେ ବଡ଼ କାରଣ ଥିଲା ବୋଲି ଚର୍ଚ୍ଚା ହେଉଛି। କାରଣ ଗତବର୍ଷ ସେପ୍ଟେମ୍ବର ମାସ ଠାରୁ ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ପୂର୍ବତନ ଅଧ୍ୟକ୍ଷା ତଥା ଭୁବନେଶ୍ବର ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ‌କ୍ଷେତ୍ର ଅଧୀନରେ ଅଭିଯାନ ଚଲାଇଥିଲେ। ଗଳି କନ୍ଦିରେ ଶ୍ରୀମୟୀ ମଶ୍ରଙ୍କୁ ଦେଖିବାକୁ ମିଳିଥିଲା। ଏପରିକି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଆଗାମୀ ନିର୍ବାଚନରେ ଶ୍ରୀମୟୀ ମିଶ୍ର ଭୁବନେଶ୍ବରରୁ ବିଜେଡିର ସାଂସଦ ପ୍ରାର୍ଥୀ ହେବେ ବୋଲି କହିଥିଲେ। ଅବଶ୍ୟ ପରେ ତାଙ୍କର ବୟାନ ବଦଳାଇ ଦେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ନିଷ୍ପତ୍ତି ନେବେ‌ ବୋଲିକହିଥିଲେ। ଅନ୍ୟପଟରେ ସାମାଜିକ ଗଣମାଧ୍ୟମରେ ସବୁବେଳେ ସକ୍ରିୟ ରହୁଥିବା ଶ୍ରୀମୟୀ ମିଶ୍ର ପୂରା ନିରବ ଅଛନ୍ତି।

କେନ୍ଦ୍ରାପଡ଼ାରେ କର୍ମୀ ଅମାନିଆ

କଂଗ୍ରେସ ଟିକେଟ୍‌ରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ନେଇ ଏବେ କେନ୍ଦ୍ରାପଡ଼ା ରାଜନୀତିରେ ହଟଚମଟ ଲାଗିରହିଛି। ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅ˚ଶୁମାନଙ୍କୁ ଟିକେଟ୍‌ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଏଠାରେ ବୈଜୟନ୍ତ ପଣ୍ଡାଙ୍କୁ ଟିକେଟ୍‌ ଦେଇଥିବା ବ‌େଳେ ଅଂଶୁମାନଙ୍କ ସମର୍ଥକମାନଙ୍କ ଭିତରେ ମିଳାମିଶା ହୋଇପାରୁ ନାହିଁ। କାରଣ ଅଂଶୁମାନ ସିନା ବିଜେଡିରେ ମିଶିଗଲେ, କିନ୍ତୁ ତାଙ୍କର ସମର୍ଥକମାନଙ୍କୁ ବିଜେଡି କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପଟରେ ବିଜେଡି ଓ କଂଗ୍ରେସର କର୍ମୀମାନେ ଚାହୁଁଥିଲେ ଯେ, ଅଂଶୁମାନ ବିଧାୟକ ହୁଅନ୍ତୁ। ଅଂଶୁମାନଙ୍କ ପାଇଁ ତାଙ୍କ ସମର୍ଥକମାନେ ଉଭୟ ରାଜନଗର ଓ ପଟ୍ଟାମୁଣ୍ତାଇ ବ୍ଲକ୍‌ରେ ପ୍ରଚାର କରିଆସୁଥିଲେ। କିନ୍ତୁ‌ କେ‌ନ୍ଦ୍ରାପଡ଼ା ଲୋକସଭା ଆସନଟି ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ହୋଇଥିବାରୁ ବାକି ୫ଟି ଆସନରେ ଅଂଶୁମାନ କିଭଳି ମ୍ୟାନେଜ୍‌ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବଲପୁରରେ ପୂରା ଚ୍ୟାଲେଞ୍ଜ

ଦଳୀୟ ଟିକେଟ୍‌ ନେଇ ସମ୍ବଲପୁରରେ ମଧ୍ୟ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯେତେବେଳେ ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇଥିଲେ, ଏହାର ଅଳ୍ପ ସମୟ ପରେ ଏହିଭଳି ଆଭାସ ଦେଖିବାକୁ ମିଳିଥିଲା। ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀଙ୍କୁ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକମାନେ ବବି ଦାସଙ୍କ ସାମ୍‌ନାରେ ଖୋଲାଖୋଲି ବିରୋଧ କରିଛନ୍ତି। କେବଳ ସେତିକି ନୁ‌ହେଁ, ପରାଜିତ ହେଲେ ଉତ୍ତରଦାୟୀ ନକରିବାକୁ ସତର୍କ ବି କରାଇ ଦେଇଛନ୍ତି। ବିଜେଡି କର୍ମୀ ସିଦ୍ଧାର୍ଥ ଦାସ ଏକପ୍ରକାର ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ରାସେଶ୍ବରୀଙ୍କ ବାସଭବନରେ ଉପସ୍ଥିତ ଥିବା ଶତାଧିକ କର୍ମୀ ଓ ସମର୍ଥକ ଖୋଲାଖୋଲି ରାସେଶ୍ବରୀଙ୍କୁ ସମର୍ଥନ ଓ ରୋହିତଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାସେଶ୍ବରୀଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରାର୍ଥୀ କରାଗଲେ ତୀବ୍ର ବିରୋଧ ହେବ ବୋଲି ସ୍ପଷ୍ଟ ଭାବେ କହିଥିଲେ। କେହି କେହି ‘ରାସେଶ୍ବରୀଙ୍କୁ ପ୍ରାର୍ଥୀ କରାନଗଲେ ଆମେ ଚୁପ୍‌ଚାପ ବସିଯିବୁ’ ବୋଲି କହୁଥିବା ବେଳେ ଆଉ କେହି କେହି ଲୋକସଭା ପାଇଁ ‘ଶଙ୍ଖ’ରେ ଆଉ ବିଧାନସଭା ପାଇଁ ‘ପଦ୍ମ’ରେ ଭୋଟ ଦେବାକୁ ପଛାଇବୁ ନାହିଁ ବୋଲି ବି ଶୁଣାଇ ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments