Monday, May 20, 2024
Homeଖବରବିଜେଡିରେ ୪ ସିନେ ତାରକା ନେତା ଅଲୋଡ଼ା

ବିଜେଡିରେ ୪ ସିନେ ତାରକା ନେତା ଅଲୋଡ଼ା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାଜନୈତିକ ଦଳଗୁଡ଼ିକରେ ଉଷ୍ଣତା ଅଧିକ ଦେଖାଯାଉଛି। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେଉଥିବାରୁ ଏଠାରେ ଗୁରୁତ୍ବ ଅଧିକ। ଶାସକ ବିଜେଡି ଦଳ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥିରେ ରୋକ୍ ଲଗାଇବାକୁ ଉଦ୍ୟମ କରୁଛି। ବିଗତ ୨୪ ବର୍ଷରେ ଦେଖାଯାଇଥିବା ଅସୁବିଧାକୁ ପ୍ରସଙ୍ଗ କରି ଦଳ ନିର୍ବାଚନ ଲଢୁଛି। ଦୀର୍ଘ ଦିନ ଧରି ରାଜ୍ୟରେ ବିଜେଡିର ଶାସନ ଜାରି ଥିବାରୁ ଦଳରେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ଢେର ଗୁଣରେ ବଢ଼ିଯାଇଛି। ବିଜେଡି ୧୪୭ଟି ଆସନରେ ଟିକେଟ୍ ଦେବାକୁ ଥିବା ବେଳେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ନେତା ଉଭା ହେଉଛନ୍ତି। ତେଣୁ ସମସ୍ତଙ୍କୁ ଦଳ ମନାଇପାରିବା ସହଜ କଥା ନୁହେଁ। ଏହାରି ମଧ୍ୟରେ ପ୍ରାୟ ୨୦ ଜଣ ବିଜେଡିର ଜଣାଶୁଣା ନେତା ବିଜେପିରେ ଯୋଗ ଦେଇସାରିଛନ୍ତି। ଏଥିରେ ସାମିଲ ଅଛନ୍ତି ଜଣେ ସାଂସଦ, ଜଣେ ପୂର୍ବତନ ସାଂସଦ, ଜଣେ ପୂର୍ବତନ ବିଧାୟକ ଓ ଜଣେ ଯୁବ ସଂଗଠକ। ଏହି ଚାରିଜଣଙ୍କୁ ଅସ୍ତ୍ର କରି ଏକଦା ବିଜେଡି ଭଲ ଭୋଟ ପାଇଥିଲା। କିନ୍ତୁ ଆଜି ସେମାନେ ଦଳରେ ଅଲୋଡ଼ା ହେବା ପରେ ବିଜେପିରେ ଯେଗା ଦେଇଛନ୍ତି।

ମାତ୍ର ୧୫ ଦିନ ଭିତରେ ବିଜେଡିରୁ ଛାଡ଼ିଛନ୍ତି ଓଡ଼ିଆ ସିନେଜଗତର ୪ ଜଣ ଜଣାଶୁଣା ବ୍ୟକ୍ତି। ସେମାନେ ହେଲେ ବ୍ରହ୍ମପୁରରୁ ୨ ଥର ସାଂସଦ ସିଦ୍ଧାନ୍ତ ମହାପାତ୍ର, ୨୦୧୯ରେ କେନ୍ଦ୍ରାପଡ଼ାରୁ ସାଂସଦ ଅନୁଭବ ମହାନ୍ତି, ୨୦୧୪ରେ କୋରାଇରୁ ବିଧାୟକ ଆକାଶ ଦାସ ନାୟକ ଓ ଦଳ ପାଇଁ ପ୍ରାୟ ୧୫ ବର୍ଷ କାମ କରିଥିବା ଅରିନ୍ଦମ ରାୟ। ଅଭିନେତାରୁ ନେତା ହୋଇଥିବା ଏହି ବ୍ୟକ୍ତିମାନେ ବିଜେଡି ସହିତ ୧୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି। କିନ୍ତୁ ଦଳ ସେମାନଙ୍କୁ ଗୁରୁତ୍ବ ଦେଇ ନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଏହି ବ୍ୟକ୍ତିମାନେ କେବଳ ନିଜେ ନିର୍ବାଚନ ଜିତି ଦଳକୁ ସମୃଦ୍ଧ କରିଛନ୍ତି, ତାହା ନୁହେଁ। ବରଂ ଷ୍ଟାର ପ୍ରଚାରକ ଭାବେ ଦଳର ଅନ୍ୟ ନେତାଙ୍କୁ ମଧ୍ୟ ନିର୍ବାଚନ ବିଜୟୀ କରାଇବାରେ ଭୂମିକା ତୁଲାଇଛନ୍ତି। ବିଜେଡିରେ ଏକେ କୁନା ତ୍ରିପାଠୀ ଓ ମୁନା ଖାନ୍ଙ୍କ ବ୍ୟତୀର ନେତାରୁ ଅଭିନେତା ପାଲଟିଥିବା ବ୍ୟକ୍ତି ଅଲୋଡ଼ା ହୋଇପଡ଼ିଛନ୍ତି।

ଅନୁଭବଙ୍କ ମନ କଥା

ଇସ୍ତଫାପତ୍ରରେ ଅନୁଭବ ମହାନ୍ତି ବର୍ଣ୍ଣନା କରିଛନ୍ତି, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚ ଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି। ରାଜନୀତି ମୁଁ କେବେ ଛାଡ଼ିବି ନାହିଁ।  ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବିନାହିଁ। ସବୁ କ୍ଷେତ୍ରରେ ମୋ ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରିବି। ଏଥିପାଇଁ ବିଜେଡି ଛାଡ଼ିବା ମୋ ପାଇଁ ଜରୁରୀ ହୋଇପଡ଼ିଲା। କେବଳ ବ୍ୟକ୍ତିଗତ ଭାବେ ନୁହେଁ, ମୋ ଜନ୍ମମାଟି ମଧ୍ୟ ଏହି ପଦକ୍ଷେପ ନେବାର ଆବଶ୍ୟକତା ପଡ଼ିଲା ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି।

କ’ଣ କହିଲେ ଆକାଶ ଦାସ ନାୟକ?

ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା। ହେଲେ ବିନା ପ୍ରତିବାଦରେ ମୁଁ ବିଜେଡି ସହିତ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି। ୫ ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। ଖରା ହେଉ ବା ବର୍ଷା ମୁଁ ଦଳ ପାଇଁ ପ୍ରଚାର କରିଛି। ଏତେ ସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ। ସେଥିପାଇଁ ମୁଁ ଦଳ ଛାଡ଼ିଦେଲି।

ନବୀନଙ୍କ ପ୍ରତି ଅସନ୍ତୋଷ ଲାଗି

ସିନେ ତାରକାଙ୍କ ମଧ୍ୟରୁ ପ୍ରଥମେ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିଲେ। ଏହା ଥିଲା ମାର୍ଚ୍ଚ ୧୫ ତାରିଖର ଘଟଣା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ପଠାଇଥିବା ଇସ୍ତଫାପତ୍ରରେ ଅସନ୍ତୋଷ ଜାହିର କରି ଲେଖିଥିଲେ- ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି। ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି। ବିଭିନ୍ନ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କଟକ, ତିର୍ତ୍ତୋଲ ଓ କୋରାପୁଟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୋ କାର୍ଯ୍ୟକୁ ଆପଣ କିମ୍ବା ଆପଣଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ଏଯାବତ ସ୍ୱୀକୃତି ଦେଇ ନାହାନ୍ତି। ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣଙ୍କୁ ଦେଖା କରିବାକୁ ମୋତେ ସୁଯୋଗ ମିଳିଲା ନାହିଁ। ତେଣୁ ଆପଣଙ୍କୁ ଭେଟିବାର ମାପଦଣ୍ଡ ମୁଁ ପୂରଣ କରିପାରୁ ନାହିଁ ବୋଲି ଅନୁଭବ କଲି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments