Thursday, May 9, 2024
Homeଅପହଞ୍ଚ ଇଲାକାରେ ବାଟବଣା ବିକାଶ
Array

ଅପହଞ୍ଚ ଇଲାକାରେ ବାଟବଣା ବିକାଶ

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୂଆମୂଳ ରାମପୁର ବ୍ଲକର ବହୁ ଗାଁରେ ସରକାରୀ ଯୋଜନା ବାଟବଣା ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କ ବିକାଶ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରୀ ନହେବା ଯୋଗୁଁ ଏବେ ମଧ୍ୟ ଅଞ୍ଚଳର ଆଦିବାସୀମାନେ ଅପହଞ୍ଚ ହୋଇ ରହିଯାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟଜଳ, ଏମାନଙ୍କ ପାଇଁ ଅପହଞ୍ଚ ଅପହଞ୍ଚ ହୋଇଛି । ଆଜି ବି ଏହି ଅଞ୍ଚଳର ଅଦିବାସୀ ମାନେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏହିଭଳି ଏକ ଗାଁ ବାର୍ସିକୋଣା ପାଇଁ ଅପହଞ୍ଚ ବିକାଶ ହୋଇଥିବା ବାରମ୍ବାର ଉପେକ୍ଷିତ ହୋଇ ଆସୁଛି । ବାର୍ସିକୋଣା ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧାରୁ ବାସନ୍ଦ ହୋଇଛନ୍ତି । ଥୂଆମୂଳ ରାମପୁରବ୍ଲକର ସିନ୍ଧିପଦର ପଞ୍ଚାୟତର ବାର୍ସିକୋଣା ଗ୍ରାମ ଏକ ରାଜସ୍ୱ ଗ୍ରାମ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ସବୁ ଦିନିଆ ରାସ୍ତା ହୋଇପାରିନାହିଁ । ଏହି ଗ୍ରାମରେ ପ୍ରାୟ୨୦୦ ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଛନ୍ତି । ଏମାନଙ୍କ ଜୀବନ ଜୀବିକା କହିଲେ ବାଉଁଶରେ ତିଆରି କୁଲା, ଟୋପା, ପରଲି, ଚାଲ ତିଆରି ବିକ୍ରି କରିଥାନ୍ତି । ସେହିଭଳି ମାଣ୍ଡିଆ, ବାଜରା, କାନ୍ଦୁଳ, କନ୍ଦମୂଳ କେନ୍ଦୁ, ଚାହାର, ମହୁଳ, ଟୋଲ ତଥା ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ରାସ୍ତା ନଥିବା ଯୋଗୁଁ କୌଣସି ଦୁର୍ଘଟଣା କିମ୍ବା ଅନ୍ୟକୌଣସି ରୋଗ ହେଲେ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିପାରନ୍ତି ନାହିଁ । ଥୂଆମୂଳ ରାମପୁର ଡାକ୍ତରଖାନାକୁ ଯିବାକୁ ହେଲେ ଜଙ୍ଗଲି ପାହାଡ ରାସ୍ତା ଦେଇ ପ୍ରାୟ ୩୫ କିଲୋମିଟର ଅତିକ୍ରମ ପଡିଥାଏ । ଫଳରେ ଗାଁର ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି । ବାର୍ସିକୋଣା ଗାଁ ଥୂଆମୂଳ ରାମପୁର ବ୍ଲକରେ ଥିଲେ ମଧ୍ୟ ଚିକିତ୍ସା ପାଇଁ ଜୁନାଗଡ ବ୍ଲକର ଚିଲଗୁଡା ଓ ଦାସିଗାଁ ଉପରେ ନିର୍ଭର କରିଥାନ୍ତି । ପରିତାପର ବିଷୟ କିଛି ଗ୍ରାମବାସୀ ଥୂଆମୂଳ ରାମପୁର ବ୍ଲକ ମଧ୍ୟ ଦେଖିନଥିବା ପ୍ରକାଶ କରିଛନ୍ତି । ଏହି ଗ୍ରାମବସୀ ବିଶେଷତଃ କ୍ୱାକ ଭରସାରେ ହିଁ ସ୍ୱାସ୍ଥ୍ୟସେବା ପାଇଥାନ୍ତି । ଭଲ ରାସ୍ତା ଟିଏ ନଥିବା ଯୋଗୁଁ ଲୋକେ ଜ୍ଜର, କିମ୍ବା ଗର୍ଭବତୀ ମାନଙ୍କୁ ଭାର ସାହାଯ୍ୟରେ ବୋହିକି ଡାକ୍ତରଖାନାକୁ ନେଇଥାନ୍ତି । ଗାଁରେ ଆଶା କର୍ମୀ ନଥିବା ଫଳରେ ମହିଳାମାନେ ଗର୍ଭବତୀ କିମ୍ବା ପ୍ରସୂତି ହେଲେ ଭଗବାନ ଭରସାରେ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଛାଡିଦିଆଯାଇଥାଏ । ସେହିଭଳି ଅଙ୍ଗନୱାଡି କର୍ମୀ ନଥିବାରୁ ଗର୍ଭବତୀ, ପ୍ରସୂତି, କିଶୋରୀବାଳିକା ଓ ଶିଶୁମାନେ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଥାନ୍ତି । ଫଳରେ ଏହିଗାଁର ଶିଶୁମାନେ ଅପପୃଷ୍ଟିର ଶିକାର ହେଉଛନ୍ତି । ସଚେତନତାର ଅଭାବ ଯୋଗୁଁ ଗ୍ରାମବାସୀ ଗୁଣିଗାରେଡିରେ ବିଶ୍ୱାସ ରଖୁଥିବା ଜଣାପଡିଛି । ଗାଁରେ ଗୋଟିଏ କୁଅକୁ ନଳକୂଅ ତିଆରି କରିଥିବାବେଲେ ତାହା ମଧ୍ୟ ଅଚଳ ହୋଇଯାଇଛି । ଫଳରେ ଝରଣା ପାଣିହିଁ ଏମାନଙ୍କ ଜୀବନ ବଞ୍ଚାଇଛି । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ନିର୍ମାଣ କରିଛନ୍ତି । ଏହି ବିଦ୍ୟାଳୟ ମଧ୍ୟ ଦୟନିୟ ଅବସ୍ଥାରେ ପଡି ରହିଛି । ସ୍କୁଲରେ ଶୌଚାଳୟ ନାହିଁ କି ନଳକୁଅ ନାହିଁ । ବର୍ଷ ବର୍ଷ ଧରି ଝରଣା ପାଣିରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ସହିତ ଏହି ପାଣିକୁ ପିଇବା, ଗାଧୋଇବା ସବୁଥିରେ ବ୍ୟବହାର କରିଥାନ୍ତି । ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବା ପାଇଁ ୩୫ କିମି ଥୂଆମୂଳ ରାମପୁର ବ୍ଲକକୁ ଯାଇଥାନ୍ତି । ଦୁର୍ଗମ ଅଞ୍ଚଳ ହୋଇଥିବା ହେତୁ କୌଣସି ସରକାରୀ ଅଧିକାରୀ କେବେ ମଧ୍ୟ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାଜନେତା ମାନେ ନିର୍ବାଚନ ସମୟରେ ଭୋଟ ମାଗିବା ପାଇଁ ଆସି ଅନେକ ପ୍ରତିଶୃତି ଦେଇଥାନ୍ତି । ନିର୍ବାଚନରେ ପରେ ଆଉ କେବେ ଦେଖା ଦିଅନ୍ତି ନାହିଁ । ଅନେକଥର ବିଧାୟକ, ସାଂସଦ ଠାରୁ ଆରମ୍ଭ କରି ବିଡିଓ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କଲେ ମଧ୍ୟ କେହି ଏମାନଙ୍କ କଥାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ବି ବିକାଶ ଦେଖିପାରୁନାହାନ୍ତ ବାର୍ସିକୋଣା ଗ୍ରାମବାସୀ । ଏହି ଆଖପାଖ ଅଞ୍ଚଳର ଗ୍ରାମବାସୀ ମାନଙ୍କୁ ନିକଟସ୍ଥ ଜୁନାଗଡ ବ୍ଲକରେ ସାମିଲ କଲେ ସରକାରଙ୍କ ମୌଳିକ ସୁବିଧା ପାଇପାରନ୍ତେ ବୋଲି ସାଧାରଣରେ ଦାବୀ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments