Saturday, April 27, 2024
Homeଖବରଅବ୍‌ କି ବାର୍‌ ୪୦୦ ପାର୍‌ ପାଇଁ ଉଦ୍ୟମ

ଅବ୍‌ କି ବାର୍‌ ୪୦୦ ପାର୍‌ ପାଇଁ ଉଦ୍ୟମ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନେତାମାନେ ଅଧିକ ସକ୍ରିୟ ଦେଖାଯାଇଛି। ଏହି ଧାରାରେ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ତୁଳନାରେ ଅଧିକ। ବିଜେପି ନେତୃତ୍ବ ଏନ୍‌ଡିଏ ପୁଣି ଥରେ ସରକାର ଗଢ଼ି ରେକର୍ଡ କରିବାକୁ ଯାଉଥିବା ବେଳେ ଏଥିରେ ବ୍ରେକ୍‌ ଲଗାଇବାକୁ ଚାହୁଁଛି କଂଗ୍ରେସ। ପ୍ରଧାନମନ୍ତ୍ରୀ ଗତ ଏକ ସପ୍ତାହ ମଧ୍ୟରେ ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁକଶ୍ମୀର, ଆସାମ ଭଳି ରାଜ୍ୟକୁ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ସେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଦେଶବାସୀଙ୍କୁ ଭେଟି ଦେଇଛନ୍ତି। ଏଥିରେ ଶିଳାନ୍ୟାସ, ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ରହିଛି।

ବିଭିନ୍ନ ରାଜ୍ୟକୁ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେ‌ବେଳେ ଜନସଭାକୁ ସମ୍ବୋଧିତ କରୁଛନ୍ତି, ସେ କହୁଛନ୍ତି ଏଥର ୪୦୦ରୁ ଊର୍ଦ୍ଧ୍ବ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜିତିବେ। ଏହି ଆଧାରରେ ବିଜେପି ଓ ଏନ୍‌ଡିଏ କାମ କରୁଛି। ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକୁ ନିଜ ଅଧୀନକୁ ଆଣିବା ପାଇଁ ମଧ୍ୟ ଉଦ୍ୟମ କରୁଛି। ସେହିପରି ଜାତୀୟସ୍ତରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ବ‌ିଜେପି ସାମିଲ କରୁଛି।

ବିଜେପିରେ ବେଦାନ୍ତ ଉପାଧ୍ୟକ୍ଷ

ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ପ୍ରେମାନନ୍ଦ ନାଏକ, ଭାଦବ ହାଂସଦା, ଅରବିନ୍ଦ ଢାଲି, ମୁକୁନ୍ଦ ସୋଢ଼ିଙ୍କ ପରେ ନ୍ୟାସନାଲ ଆଲୁମିନିୟମ୍‌ କଂପାନି (ନାଲ୍‌କୋ)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ତଥା ବେଦାନ୍ତର ଉପାଧ୍ୟକ୍ଷ ଏବଂ ପରାମର୍ଶଦାତା ତପନ କୁମାର ଚାନ୍ଦ ଗତ ୬ ତାରିଖ ଦିନ ନିଜ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶ୍ରୀ ଚାନ୍ଦଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପିକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ସେବାନିବୃତ୍ତ ନୌସେନା ଅଧିକାରୀଗଣ ଯଥା ବିପିନ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା, ସେବାନିବୃତ ବାୟୁସେନା ଅଧିକାରୀ କୃତିବାସ ମିଶ୍ର, ଏନ୍‌.କେ ମିଶ୍ର ମଧ୍ୟ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଥିଲେ। ସେହିପରି ବିଜେଡି କୃଷକମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ ମଧ୍ୟ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

ପଦ୍ମ ଧରିଲେ ପୂର୍ବତନ ବିଚାରପତି

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବ‌େଳେ କଲିକତା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଅଭିଜିତ୍‌ ‌ଗଙ୍ଗୋପାଧ୍ୟାୟ ଗତ ୭ ତାରିଖ ଦିନ ପଦ୍ମ ଶିବିରରେ ଯୋଗ ‌ଦେଇଛନ୍ତି। ସନ୍ଦେସଖାଲି ଘଟଣାକୁ ନେଇ ସେ କହିଥିଲେ ଏହା ଏକ ଦୁଃଖଦ ଦୁର୍ଘଟଣା। ରାଜ୍ୟବାସୀଙ୍କୁ ଏହି ଘଟଣା ମର୍ମାହତ କରିଛି। ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ସ୍ବାଗତ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଓ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶ୍ରୀ ମଜୁମଦାର କହିଥିଲେ ଯେ, ରାଜ୍ୟ ସଭାପତି ଭାବେ କହିବାକୁ ଚାହିଁବି, ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବାରକୁ ସ୍ବାଗତ କରୁଛି। ଭବିଷ୍ୟତରେ ପଶ୍ଚିମବଙ୍ଗ ରାଜନୀତିରେ ପରିବର୍ତ୍ତନ ହେବ।

କଂଗ୍ରେସର ନେତା ବିଜେପିରେ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ମଧ୍ୟପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ସୁରେଶ ପଚୌରୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସ ସରକାରରେ ଏକାଧିକ ବିଭାଗରେ ମନ୍ତ୍ରୀଭାବେ ଅତୀତରେ ସେ ଦାୟୀତ୍ବ ତୁଲାଇଛନ୍ତି। ସେ କ୍ରମାଗତ ଭାବେ ୪ ଥର ରାଜ୍ୟ ସଭା ସାଂସଦ ମଧ୍ୟ ହୋଇଛନ୍ତି। ଭୋପାଳସ୍ଥିତ କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କୁ ବିଧିବଦ୍ଧ ଭାବେ ସ୍ବାଗତ କରିଥିଲେ। ଏହି ଅବସରରେ ବିଜେପି ସଭାପତି ଭିଡି ଶର୍ମା କହିଥିଲେ ସୁରେଶ ପଚୌରୀ ହେଉଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସର ରାଜନୀତିରେ ସନ୍ଥ। କିନ୍ତୁ ଏଭଳି ବ୍ୟକ୍ତିଙ୍କୁ କଂଗ୍ରେସରେ ଅଣଦେଖା କରାଯାଉଛି। ତେଣୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ କିଛି କାମ କରିବାର ଆବଶ୍ୟକତା ରହିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments