Saturday, April 27, 2024
Homeଖବରବିବାହ ମଣ୍ଡପରୁ ଟଙ୍କା-ଗହଣା ଚୋରି

ବିବାହ ମଣ୍ଡପରୁ ଟଙ୍କା-ଗହଣା ଚୋରି

ଭୁବନେଶ୍ବର: କମ୍ ସମୟ ମଧ୍ୟରେ ଅଧିକ ଧନ ସଂଗ୍ରହ କରିବା ଅର୍ଥାତ ଧନୀ ହେବାକୁ ହେଲେ ସ୍ବଚ୍ଛ ଅର୍ଥରେ ସମ୍ଭବ ନୁହେଁ। ଅର୍ଥ ରୋଜଗାର କରି ଘର, ଗାଡ଼ି, ସୁନା-ଗହଣା ଆଦି କରିବାକୁ ହେଲେ ନିହାତି ପରିଶ୍ରମ ଓ ଧୈର୍ଯ୍ୟର ଆବଶ୍ୟକତା ଅଛି। କିନ୍ତୁ ଆଜିକାଲି ଲୋକେ କମ ପରିଶ୍ରମ କରି ଲକ୍ଷପତି ବା କୋଟିପତି ହେବାକୁ ଚାହୁଁଛନ୍ତି, ଯେଉଁଥି ପାଇଁ ଅସାଧୁ ପନ୍ଥାକୁ ଅବଲମ୍ବନ କରିବାକୁ ପଛାଉ ନାହାନ୍ତି। ଚୋରି, ଡକାୟତି, ରାହାଜନୀ, ସିନ୍ଧି କରୁଛନ୍ତି। ଅନ୍ଧାର ଭିତରେ ଚୋରି କରିବା ସାଧାରଣ କଥା। ଶହଶହ ବର୍ଷ ହେଲା ଚୋରମାନେ ପାରଂପରିକ ଚୋରି କରୁଥିଲେ। କିନ୍ତୁ କିଛି ବର୍ଷ ହେଲା ଭିଡ଼ ଭିତରୁ ଚୋରି ହେଉଛି, ଯାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ବିବାହସ୍ଥଳୀକୁ ପ୍ରବେଶ ପାଇଁ ଟୋକନ କିମ୍ବା ଅନ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ ଚୋରମାନେ ସହଜାରେ ପ୍ରବେଶ କରିପାରୁଛନ୍ତି। ଯଦିଓ ବିବାହ ମଣ୍ଡପଗୁଡ଼ିକରେ ସିସିଟିଭି ଖଞ୍ଜା ଯାଉଛି, ତଥାପି ଚୋରମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି। ତେଣୁ ଚୋରଙ୍କୁ ଠାବ କରିବା ଏବଂ ଚୋରି ହୋଇଥିବା ଉପହାର ଓ ଗହଣା ଉଦ୍ଧାର କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଦେଢ଼ ଘଣ୍ଟା ରହିଲା, ଲୁଟିଲା ଲକ୍ଷାଧିକ

ଚୋରମାନେ ଭାରି ଚତୁର ଓ ସାହସୀ। ସେଥିପାଇଁ ସେମାନେ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିପାରନ୍ତି। ଅଳ୍ପ କିଛି ଦିନ ପୂର୍ବରୁ ପୁରୀ ବଳିଆ ପଣ୍ଡା ଥାନା ଅଂଚଳର ଏକ ହୋଟେଲରେ ବିବାହ ଭୋଜି ଚାଲିଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଲୁଟେରା ଅତିଥି ଭାବେ ଆସି ଉତ୍ସବରେ ସାମିଲ ହୋଇଥିଲା। ପୁଅ-ବୋହୂଙ୍କୁ ଉପହାରରେ ଟଙ୍କା ଓ ସୁନା ଗହଣା ମିଳିଥିଲା।  ପ୍ରାୟ ଦେଢ଼ ଘଂଟାରୁ ଅଧିକ ସମୟ ଧରି ଏଠାରେ ରହି ରେକି କରିବା ସହ ଦାମୀ ଉପହାର କେଉଁଠି ରହୁଛି ସବୁ ନଜର କରିଥିଲା। ଅତିଥି ବେଶରେ ଲୁଟେରା ଆସି ଉପହାର ଆକାରରେ ମିଳିଥିବା ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଥିଲା। ସୁଆରସାହିର ପ୍ରମୋଦ ମିଶ୍ରଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କ ବିବାହ ଭୋଜିରୁ ଏପରି ଚୋରି ହୋଇଥିବା ନେଇ ଶେଷରେ ଥାନାରେ ଅଭିଯୋଗ ହୋଇଛି।

ଭୁବନେଶ୍ବରରେ ବାରମ୍ବାର ଚୋରି

ବିବାହ ମଣ୍ଡପରେ ଅତିଥି ସାଜି ଲୁଟ୍ କରିବା ଘଟଣା ପୁରୀରେ ପ୍ରଥମ ଥର ଘଟିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଏହା ନୂଆ ନୁହଁ। କଳ୍ପନା ଛକସ୍ଥିତ ହୋଟେଲ ‘କଳିଙ୍ଗ ଅଶୋକ’ରେ ଏକ ବାହାଘରରୁ ଦୁର୍ବୃତ୍ତ ଆସି ସୁନା ଗହଣା, ଟଙ୍କା ଓ ଉପହାର ନେଇଯାଇଥିବା ଅଭିଯୋଗ ହୋଇଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା, ଗିପ୍ଟ ଚୋରି ନେଇ ଝିଅର ବାପା ବଡଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ହୋଟେଲରେ କୌଣସି ସିସିଟିଭି ବା ସୁରକ୍ଷା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତବର୍ଷ ଜୁଲାଇ ୫ ତାରିଖ ରାତିରେ ବଡଗଡ଼ ଥାନା ଅଞ୍ଚଳରେ ଏକ ବିବାହ ମଣ୍ଡପରୁ ମଧ୍ୟ ଚୋର ଲକ୍ଷାଧିକ ଟଙ୍କା ଥିବା ଉପହାର ବ୍ୟାଗ୍ ନେଇ ଚମ୍ପଟ ମାରିଥିଲା।

ଚୋରି ଟଙ୍କାରେ ବୁଲେଟ୍

ଚୋର ଘର ସବୁ ବେଳେ ଅନ୍ଧାର ନଥାଏ। ୨୦୨୦ ମାର୍ଚ୍ଚ ପ୍ରଥମ ସପ୍ତାହରେ କମିସନରେଟ ପୁଲିସ ରାଜଧାନୀର ବିଭିନ୍ନ ବିବାହ ମଣ୍ଡପରୁ ଉପହାର ବ୍ୟାଗ୍ ଲୁଟି ନେଉଥିବା ଜଣେ ଧୂର୍ତ୍ତ ଲୁଟେରାକୁ ଗିରଫ କରିଥିଲା। ଖୋର୍ଧା କେରଙ୍ଗ ଦାରୁଲ୍ ଫଜଲ ସାହିର ସେକ୍ ଅବଦୁଲ୍ ଲତିଫ୍ ଓରଫ୍ ନନ୍ଦି(୩୫)କୁ ଗିରଫ କରି ତାଠାରୁ ପୁଲିସ ଦୁଇ ବ୍ୟାଗ୍ରୁ ୪ ଶହ ଏନ୍ଭଲ୍ପ ଓ ସେଥିରୁ ୩ ଲକ୍ଷ ୯୮ ହଜାର ଟଙ୍କା ଓ କିଛି ସୁନା ଅଳଙ୍କାର ଜବତ କରିଥିଲା। ଚୋରି ଟଙ୍କାରେ ନନ୍ଦି ଏକ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ କିଣିଥିଲା। ସେହି ସମୟରେ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲା ଯେ, ନନ୍ଦି ୪ଟି କଲ୍ୟାଣ ମଣ୍ଡପରୁ ଉପହାର ଚୋରି କରିଥିଲା।

ସାଙ୍ଗର ପତ୍ନୀଙ୍କ ଗହଣା ଚୋରି

ବିବାହ ମଣ୍ଡପରୁ ଚୋରି କେବଳ ଓଡ଼ିଶାରେ ହେଉ ନାହିଁ। ବରଂ ରାଜ୍ୟ ବାହାରେ ମଧ୍ୟ ଏଭଳି ଘଟଣା ଘଟୁଛି। ଗତବର୍ଷ ମେ’ ମାସରେ ଉତ୍ତରପ୍ରଦେଶର ଆଗ୍ରାର ତ୍ରିଦେବ ଫାର୍ମ ହାଉସରେ ବାଲାଜୀନଗର ବାସିନ୍ଦା ରାମଜୀଲାଲଙ୍କ ଝିଅ ଶିବାନୀଙ୍କ ବିବାହ ବିଶାଲ ଶର୍ମାଙ୍କ ସହ ହୋଇଥିଲା। ବରପକ୍ଷ କନ୍ୟାକୁ ଦେବା ୮ଲକ୍ଷ ମୂଲ୍ୟର ଅଳଙ୍କାର ଆଣିଥିଲେ। ଅଳଙ୍କାରକୁ ବ୍ୟାଗରେ ରଖି ବରର ଭାଇ ରୁମର ତାଲା ପକାଇ ଦେଇଥିଲେ। ଯେତେବେଳେ କନ୍ୟାକୁ ଅଳଙ୍କାର ଅର୍ପଣ କରାଯିବାର ସମୟ ଆସିଲା, ସେତେବେଳେ ବରପକ୍ଷ ଗହଣା ରଖାଯାଇଥିବା ଘରର କବାଟ ଖୋଲିଥିଲେ। ଭିତରକୁ ଯିବା ପରେ ସମସ୍ତଙ୍କ ହୋସ ଉଡ଼ିଯାଇଥିଲା। କାରଣ ଗହଣା ଚୋରି ହୋଇସାରିଥିଲା। ଏହା ପରେ ଘର ବାହାରେ ଲାଗିଥିବା ସିସିଟିଭି ଚେକ୍ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭିରେ ବରର ବନ୍ଧୁ ଅଳଙ୍କାରରେ ପରିପୂର୍ଣ୍ଣ ବ୍ୟାଗ ଚୋରି କରୁଥିବା ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ନିଜ ସାଙ୍ଗର ପତ୍ନୀଙ୍କ ଗହଣା ଚୋରି କରିଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments