Saturday, April 27, 2024
Homeଖବରବିକଶିତ ଓଡ଼ିଶାରେ କାହିଁକି ମାଓ ତାଣ୍ଡବ?

ବିକଶିତ ଓଡ଼ିଶାରେ କାହିଁକି ମାଓ ତାଣ୍ଡବ?

ଭୁବନେଶ୍ବର: ଗତ ୨୪ ବର୍ଷ ଧରି କ୍ଷମତାରେ ଥିବା ରାଜ୍ୟ ସରକାର ବିକାଶର ଡେଙ୍ଗୁରା ବଜାଉଛନ୍ତି। ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସହିତ ଅନ୍ୟ ଭିତ୍ତିଭୂମିରେ ପରିବର୍ତ୍ତନ ଆସିଛି ବୋଲି କହୁଛନ୍ତି। ମୋ ସରକାର, ୫ଟି ଯୋଜନା ମାଧ୍ୟମରେ ରୂପାନ୍ତରଣ କଥା କହୁଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜନସାଧାରଣଙ୍କର ଦୁଃଖ ଲାଘବ କଥା କହୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟରେ ଆକର୍ଷିତ ହୋଇ ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା କଥା ସରକାର କହୁଛନ୍ତି। ଅନ୍ୟପଟରେ ଉପାନ୍ତ ଅଞ୍ଚଳର ଚିତ୍ର ଭିନ୍ନ, ଯେଉଁଥି ପାଇଁ ଲାଲବାହିନୀ ହିଂସା କରିବାକୁ ପଛାଉ ନାହାନ୍ତି। ସବୁରି ମନରେ ଗୋଟିଏ ପ୍ରଶ୍ନ ମାଓବାଦୀମାନେ ଆହୁରି କେତେ ବର୍ଷ ଯାଏଁ ଏଭଳି ତାଣ୍ଡବ ରଚୁଥିବେ?

ଦଂପତିଙ୍କୁ ଡାକିନେଲେ, ଜଙ୍ଗଲରେ ହାଣିଲେ

ଦୀର୍ଘଦିନର ନିରବତା ପରେ ଲାଲ୍ବାହିନୀ ପୁଣି ଥରେ ମାତିଛନ୍ତି। ଜଣେ ମାଓ ନେତାକୁ ନିହତ କରାଯିବା ପରେ ମାଓବାଦୀମାନେ ରକ୍ତମୁଖା ହୋଇଛନ୍ତି। ପୁଲିସ ଇନଫରମର ସନ୍ଦେହରେ ଯୁବ ଦମ୍ପତିଙ୍କୁ ହତ୍ୟା କରିଛଛନ୍ତି। କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ମାଓ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଲୁଇ ସିଂ ପଞ୍ଚାୟତ ସୁପ୍ଲା ଗ୍ରାମ ନିକଟସ୍ଥ ଲୁବୁକି ଗ୍ରାମର ପୂର୍ବତନ ୱ୍ୟାଡ୍ମେମ୍ବର ଡାହିରା କହଁର ଓ ତାଙ୍କ ସ୍ତ୍ରୀ ବତାସି କହଁରଙ୍କୁ ମାଓବାଦୀମାନେ ଗତ ୮ ତାରିଖ ରାତିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ରାତି ସମୟରେ ମାଓବାଦୀମାନେ ଉଭୟ ଦମ୍ପତିଙ୍କୁ ବାଘ ନଦୀ କୂଳବର୍ତ୍ତି ଅଞ୍ଚଳକୁ ଡାକି ନେଇଥିଲେ।  ସଲାଗୁଡା ପଞ୍ଚାୟତସ୍ଥିତ ବଦାପାଜୁ ନିକଟସ୍ଥ ଗିଡାପଦରର କାଡାଗାଟାରୁ ଦଂପତିଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଥିଲା।

ପୂର୍ବରୁ ଠିକାଦାରଙ୍କୁ ହତ୍ୟା କରିଥିଲେ ନକ୍ସଲ

କନ୍ଧମାଳରେ ମାଓ ଗତିବିଧି ନୂଆ କଥା ନୁହେଁ। ବର୍ଷର ବିଭିନ୍ନ ସମୟରେ ମାଓ ଘଟଣା ନେଇ ଖବର ଆସୁଛି। ଅତୀତରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ବେଳେ ମାଓ ଶିବିର ଠାବ କରାଯାଇପାରିଛି। କିନ୍ତୁ ମାଓ ହଟାଇବାରେ ସରକାର ଓ ପ୍ରଶାସନ ସଫଳ ହୋଇପାରୁ ନାହାନ୍ତି। ୨୦୧୯ ଏପ୍ରିଲ ମାସରେ ମଧ୍ୟ କନ୍ଧମାଳରେ ମାଓବାଦୀମାନେ ବର୍ବରକାଣ୍ଡ କରିଥିଲେ। ରାତିରେ ଘରୁ ଡାକି ନେଇ ଜଣେ ଠିକାଦାରଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଥିଲେ। ସେହି ଘଟଣା ମଧ୍ୟ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଡମାଙ୍ଗପଦର ଗାଁରେ ଘଟିଥିଲା। ଏହି ଗାଁର ଠିକାଦାର କୈଳାସ ଦିଗାଲଙ୍କୁ ପୁଲିସ ଇନଫରମର ସନ୍ଦେହରେ ପୂର୍ବରୁ ମାଓବାଦୀ ସତର୍କ କରାଇଥିଲେ। କୈଳାସ ଘରେ ପରିବାର ସହ ରାତିରେ ଶୋଇଥିଲେ। କେକେବିଏନ ମାଓ ସଂଗଠନର ୧୫ରୁ ୨୦ ଜଣ ତାଙ୍କର ଘରେ ପହଞ୍ଚି କବାଟ ବାଡେଇ ଥିଲେ। କୈଳାସ ନିଦରୁ ଉଠି କବାଟ ଖୋଲିବା ପରେ ତାଙ୍କୁ ମାଓବାଦୀ ଡାକି କିଛି ଦୂର ନେଇ ନିକଟରୁ ଗୁଳି କରି ଦେଇଥିଲେ।  

ପୂର୍ବରୁ ମଧ୍ୟ ଘଟିଛି ଅଘଟଣ

୨୦୧୮ ମେ’ ମାସର ଘଟଣା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲି ଗାଁରେ ଜଣେ ଯୁବକଙ୍କୁ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଘରୁ ଜୋର ଜବରଦସ୍ତ ଉଠାଇ ନେଇ  ଗଳାକାଟି ହତ୍ୟା କରିଥିଲେ। ଏହା ପୂର୍ବରୁ ୨୦୧୭ ଡିସେମ୍ବର ୧୮ ତାରିଖ ରାତିରେ ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ଜନ୍ଦ୍ରାଗୁଡ଼ା ଗ୍ରାମର ମୁୟା କବାସି ନାମକ ଜଣେ ବ୍ୟକ୍ତିଙ୍କୁ ତଣ୍ଟି କାଟି ହତ୍ୟା କରିଥିଲେ। ପ୍ରାୟ ୨୦ରୁ ଉର୍ଧ୍ୱ ମାଓବାଦୀ ତାଙ୍କ ଘରେ ପଶି ତାଙ୍କୁ ଯୋର ଜବରଦସ୍ତ ଘରୁ ଟାଣି ଟାଣି ନେଇଥିଲେ। ପରେ ସେମାନେ ଘର ଠାରୁ କିଛିଦୂରରେ ଥିବା ଗୁଲିଚାଗୁଡ଼ା ଠାରେ ତାଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ମୃତଦେହ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ଏହାକୁ ନେଇ ଅଞ୍ଚଳରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା।

କ’ଣ କୁହନ୍ତି ରାଜ୍ୟ ସରକାର

ଓଡ଼ିଶା ସରକାର ଗତମାସରେ କହିଥିଲେ ପୂର୍ବ ବର୍ଷଗୁଡ଼ିକର ତୁଳନାରେ ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ୨୦୨୩ରେ ମୋଟ ୧୪ଟି ନକ୍ସଲ ଗତିବିଧି ଥିଲା। ୨୦୨୨ରେ ଏହା ୨୭ ଥିବା ବେକଳେ ୨୦୨୧ରେ ୨୮, ୨୦୨୦ରେ ୪୧ ଓ ୨୦୧୯ରେ ୪୪ଟି ନକ୍ସଲ ଘଟଣା ଘଟିଥିଲା।  ୨୦୨୩ରେ ସୁରକ୍ଷାବାହିନୀର ଯବାନ ଓ ଲାଲବାହିନୀ ମଧ୍ୟରେ ୫ଥର ଗୁଳିବିନିମୟ ହୋଇଥିଲା, ଯାହାକି ୨୦୨୨ରେ ୧୩, ୨୦୨୧ରେ ୨୨ ଓ ୨୦୨୦ରେ ୨୭ ଥର ହୋଇଥିଲା। ମାଓମାନେ ଗତବର୍ଷ ୩ ଜଣସାଧାରଣଙ୍କୁ ହତ୍ୟା କରିଥିଲେ। ୨୦୨୨ରେ ଏହି ସଂଖ୍ୟା ୮ ଥିବା ବେ୨ଳେ ୨୦୨୧ରେ ୨ ଓ ୨୦୨୦ରେ ୭ଥିଲା। ମାଓବାଦୀଙ୍କ ଗୁଳିରେ ୨୦୨୩ରେ କୌଣସି ସୁରକ୍ଷା ବାହିନୀ ସହିଦ ହୋଇ ନଥିଲେ। କିନ୍ତୁ ୨୦୨୨ରେ ୩ ଜଣ ସିଆରପିଏଫ୍ ଯବାନ ଓ ୨୦୨୧ରେ ଜଣେ ଗ୍ରାମରକ୍ଷୀ ସହିଦ ହୋଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments