Saturday, April 27, 2024
Homeଖବରକୋଟିକୋଟି ଟଙ୍କା ଠକି ଗିରଫ 

କୋଟିକୋଟି ଟଙ୍କା ଠକି ଗିରଫ 

ଭୁବନେଶ୍ବର: କୋଟିପତି ହେବାର କାହାରିକୁ ମନ ନାହିଁ। ବିଳାସମୟ ଘର, ଦାମୀ କାର, ସୁନାଗହଣା, ବ୍ୟାଙ୍କ ବ୍ୟାଲେନ୍ସ ପ୍ରତି ସମସ୍ତଙ୍କ ମନ ଥାଏ। କିନ୍ତୁ ସାଧୁତା ଅବଲମ୍ବନ କରି ଏହା ପାଇବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। କିନ୍ତୁ ଅସତ୍ ଉପାୟ ହେଉପଛେ କିଛି ଲୋକ କୋଟିପତି ହେବାକୁ ଚାହିଁଥାନ୍ତି। ସେଥି ପାଇଁ ବିସ୍ତୁତ ଯୋଜନା କରନ୍ତି ଓ ଅନ୍ୟକୁ ଟାର୍ଗେଟ କରି ଏହା ହାସଲ କରନ୍ତି। ତେବେ ଅସାଧୁ ପନ୍ଥାରେ ହାସଲ କରାଯାଇଥିବା ସଂପତ୍ତି କମ୍ ଦିନ ମଧ୍ୟରେ ଲୋକଲୋଚନକୁ ଆସିଥାଏ। ବେଆଇନ୍ ସଂପତ୍ତି ଜବତ ହେବା ସହିତ ଅଭିଯୁକ୍ତଙ୍କୁ ଜେଲ ହୋଇଯାଏ। ଏଭଳି ଉଦାହରଣ ଆମ ଚାରିପାଖରେ ରହିଛି।

୩.୭୦ କୋଟି ବାତ୍ୟା ଟଙ୍କା ହଡ଼ପ

ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ଟଙ୍କା ହଡ଼ପ କରି ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚ ଇଣ୍ଡଷ୍ଟ୍ରିଆଲ ଡଭଲପ୍ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ଆଞ୍ଜେଲ ମିଶ୍ର ଗତ ରବିବାର ଦିନ ଗିରଫ ହୋଇଛନ୍ତି। ଉଭୟଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ବ୍ୟାଙ୍କର ଜଣେ ଅଫିସର ତନ୍ମୟ ମହାରଣାଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ତିନି ଅଭିଯୁକ୍ତ ବ୍ଲକ କାର୍ଯ୍ୟାଳୟର ଫନି ଆକାଉଣ୍ଟର ୩କୋଟି ୭୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଅଭିଯୁକ୍ତମାନେ ପ୍ରଥମେ ପରିବାର ସଦସ୍ୟ ଓ ସାଙ୍ଗ ମାନଙ୍କ ନାଁରେ ବ୍ୟାଙ୍କରୁ ୩୫ଟି ମୁଦ୍ରା ଋଣ ଜରିଆରେ ଟଙ୍କା ହଡ଼ପ କରିଥିଲେ। ସେହି ଟଙ୍କାକୁ ଶୁଝିବା ପାଇଁ ଫନି ଆକାଉଣ୍ଟ ଟଙ୍କାକୁ ହଡ଼ପ କରି ବ୍ୟାଙ୍କରେ ଡିପୋଜିଟ କରିଥିଲେ।

୩ କୋଟି ୮୨ ଲକ୍ଷ ଠକି ଏଜେଣ୍ଟ ଗିରଫ

କଟକ ଅର୍ବାନ ବ୍ୟାଙ୍କର ନୂଆପାଟଣା ଓ ଖ୍ରୀଷ୍ଟ କଲେଜ ଶାଖାରେ ହୋଇଥିବା ୩ କୋଟି ୮୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଗତବର୍ଷ ସେପ୍ଟେମ୍ବର ମାସରେ ପଶ୍ଚିମବଙ୍ଗ ମେଦିନୀପୁରର କାଜି ମହଲ ଅଞ୍ଚଳରୁ ଫେରାର ଥିବା ଏଲଆଇସି ଏଜେଣ୍ଟ ସର୍ଫରାଜ୍ ଜାଭେଦକୁ ଗିରଫ କରିଥିଲା। ଜାଭେଦକୁ ମିଶାଇ  ଅର୍ବାନ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କର ୨ଜଣ କର୍ମଚାରୀ ଓ ବଣ୍ଡ୍ ଜାଲିଆତି କରିଥିବା ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଅର୍ଥ ହଡପ ଘଟଣାରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ କରାଯିବା ସହିତ ସିଇଓ ପ୍ରିୟବ୍ରତ ପଣ୍ଡା ବିଭାଗୀୟ ତଦନ୍ତ କରି ଏହି ପାଞ୍ଚ ଜଣଙ୍କ ନାଁରେ ଇଓଡବ୍ଲୁ ଏସପି, ଭୁବନେଶ୍ୱରଙ୍କ ନିକଟରେ ମାର୍ଚ୍ଚ ୧୬ରେ ଏତଲା ଦେଇଥିଲେ। ତା ସହିତ ରିଜର୍ଭ ବ୍ୟାଙ୍କ୍ ଓ ରେଜିଷ୍ଟ୍ରାର ସମବାୟ ସମିତିଙ୍କୁ ମଧ୍ୟ ଋଣ ଜାଲିଆତି ଓ ଠକେଇ ସଂପର୍କରେ ସୂଚିତ କରିଥିଲେ।  

ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକେଇ

ସେହିପରି ଗତବର୍ଷ ମେ’ ମାସରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ଏକ ରିୟଲ ଇଷ୍ଟେଟ୍ କଂପାନି ‘କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡ’ର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଗିରଫ କରିଥିଲା। ସେ ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିଲେ। ଶ୍ରୀ ମିଶ୍ରଙ୍କ ଦ୍ବାରା ଠକାମୀର ଶିକାର ହେଲା ପରେ ଭୁବନେଶ୍ବର ରସୁଲଗଡ଼ ଅଞ୍ଚଳର ସ୍ବଦେଶ ରାୟ ଚୌଧୁରୀ ନାମରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲୁ ମାମଲା ରୁଜୁ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, କଂପାନି ଅନ୍ୟ ନିବେଶକାରୀଙ୍କ ଭଳି ଶ୍ରୀ ଚୌଧୁରୀଙ୍କୁ ମଧ୍ୟ ଫ୍ଲାଟ ଦେବାକୁ କହିଥିଲେ। ଶ୍ରୀ ଚୌଧୁରୀ ୧୬ ଲକ୍ଷ ଟଙ୍କା ଦେଇ ୨୦୧୬ ମସିହାରେ ଏକ ଫ୍ଲାଟ ବୁକିଂ କରିଥିଲେ। ଶ୍ରୀ ଚୌଧୁରୀଙ୍କୁ ୩୦ ମାସ ମଧ୍ୟରେ ଫ୍ଲାଟ ହସ୍ତାନ୍ତର କରାଯିବାକୁ କଂପାନି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments