Saturday, April 27, 2024
Homeଖବରଆଗକୁ ବଢ଼ିବ ଜଳକଷ୍ଟ!

ଆଗକୁ ବଢ଼ିବ ଜଳକଷ୍ଟ!

ଭୁବନେଶ୍ବର: ମାର୍ଚ୍ଚ ମାସ ଅଧାରୁ ଜଳ ସମସ୍ୟା ଆରମ୍ଭ ହୋଇଯାଇଛି। ଗାଁରୁ ସହର ଯାଏଁ ଜଳ ପାଇଁ ହାହାକାର ଦେଖାଗଲାଣି। ଆଗକୁ ଆହୁରି ପ୍ରାୟ ୩ ମାସ ଗ୍ରୀଷ୍ମଋତୁ ରହିବ। ପୂରା ଓଡ଼ିଶା ତାତିବ। ଏହାରି ମଧ୍ୟରେ ଜଳ କଷ୍ଟ ଲୋକଙ୍କ ଦୁଃଖକୁ ଆହୁରି କେଇଗୁଣ ବଢ଼ାଇବାର ସଂକେତ ଦେଉଛି। ଓଡ଼ିଶାର ଗଂଗା କୁହାଯାଉଥିବା  ମହାନଦୀର ଜଳ ଧାର ହ୍ରାସ ପାଇଛି। ବ୍ରାହ୍ମଣୀ, ବୈତରଣୀର ଅବସ୍ଥା ମଧ୍ୟ ସମାନ। ରାଜ୍ୟର ମୁଖ୍ୟ ଜଳ ସ୍ରୋତ କୁହାଯାଉଥିବା ମହାନଦୀ ଉପରେ ପ୍ରାୟ କୋଟିଏ ଲୋକଙ୍କର ଜୀବନ ନିର୍ଭର କରିଥାଏ। କିନ୍ତୁ ଏଠାରେ ଯଦି ଜଳ ସମସ୍ୟା ହେବ, ତା’ହେଲେ ଲୋକେ ହାହାକର ହେବା ସ୍ବାଭାବିକ।

ରାଜ୍ୟର ସବୁଠାରୁ ବଡ଼ ନଦୀ ‘ମହାନଦୀ’ର ଅଧିକାଂଶ ସ୍ଥାନ ମରୁଭୂମି ଭଳି‌ ଦେଖାଯାଉଛି। ଯେଉଁଠି ଅକାତ ପାଣି ରହିବା କଥା, ସେଠାରେ କେବଳ ଶୁଖିଲା ବାଲି ଭର୍ତ୍ତି ହୋଇଛି। ବର୍ଷା ଦୁଇ-ତିନି ମାସକୁ ବାଦ୍‌ ଦେଲେ ମହାନଦୀ ଓ ଏହାର ଶାଖା ନଦୀ ଅନ୍ୟ ସମୟରେ ଶୁଖିଲା ପଡୁଛି। ବର୍ଷକ ୧୨ ମାସରୁ ପାଖାପାଖି ୯ମାସ କାଳ ନଦୀରେ ଜଳଧାର ରହୁନାହିଁ। ଚାଷ ତ ଦୂରର କଥା, ସ୍ନାନ ପାଇଁ ମଧ୍ୟ ନଦୀରେ ପାଣିର ଅଭାବ ରହୁଛି। ବିଗତ ୨୦ବର୍ଷ ତଳେ ଏଭଳି ସ୍ଥିତି ନ ଥିବା ବେଳେ ଦିନକୁଦିନ ସ୍ଥିତି ବିଗିଡିବାରେ ଲାଗିଛି। ଗତ ୧୫ ବର୍ଷ ହେବ ମହାନଦୀର ତଳମୁଣ୍ଡରେ ଥିବା କଟକ ଜିଲ୍ଲାର କିଛି ଭାଗ ସମେତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ନଦୀ ଜଳକୁ ନେଇ ଅଭାବନୀୟ ସ୍ଥିତି ଉପୁଜୁଛି।

ଭୋଟ ବର୍ଜନ ଭୁଲିଗଲେ

ଗ୍ରାମାଂଚଳରେ ଜଳର ସୁବନେ୍ଦାବସ୍ତ ନିମନ୍ତେ ସରକାର ସ୍ୱତନ୍ତ୍ର ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଗଠନ କରିଛନ୍ତି। ମାତ୍ର ବିଭାଗର ଦାୟିତ୍ୱହୀନ କାର୍ଯ୍ୟକଳାପ ପାଇଁ ଗ୍ରାମାଞ୍ଚଳରେ ପାଣି ପାଇଁ ତହଳ ବିକଳ ହେଉଥିବାର ଅଭିଯୋଗ ହୋଇଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡମୌଦା ଗ୍ରାମ ପଂଚାୟତର କଟୁପିଟ, କୁଲେଇଶିଳା ଗ୍ରା.ପର ବାଲିଖଣି ଏବଂ ବିଜାତଳା ବ୍ଲକ ମଢେଇକଚା ଗ୍ରା.ପର ବଡବିଲ। ବିଭିନ୍ନ ମୌଳିକ ସମସ୍ୟାରୁ ବଂଚିତ ଥିବାରୁ ୩ ଗ୍ରାମବାସୀ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ଏବେ ଦାଉ ସାଧୁଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ।  

୩ ବର୍ଷ ହେଲା ପ୍ରକଳ୍ପ ଅଚଳ

ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ କିଛି ଦିନ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ହେବା ପରେ ତାହା ଅଚଳ ହୋଇପଡିରହୁଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କାଳିଆପାଳ ପଞ୍ଚାୟତର ଲାଲାପଶି ଗ୍ରାମରେ କରାଯାଇଥିଲା ପାନୀୟ ଜଳ ପ୍ରଳକ୍ପ । ପ୍ରକଳ୍ପ ଅଛି ସତ କିନ୍ତୁ ପା‌ଣି ନାହିଁ। ଗ୍ରାମରେ ନଳକୂପ ବି ଅଛି ତାହା ବି ଅଚଳ । ଆଉ କୋଉଥିରୁ ମଇଳା ପାଣି ବାହାରୁଥିବାରୁ ବ୍ୟବହାର ଅନୁପଯୋଗୀ ହୋଇଛି। ପ୍ରକଳ୍ପରୁ କିଛି ଦିନ ଗ୍ରାମବାସୀ ପାଣି ପାଇବା ପରେ ବିଗତ ୩ ବର୍ଷ ହେଲା ତାହା ଅଚଳ ହୋଇପଡ଼ିରହିଛି। ଉକ୍ତପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାପାଇଁ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ମାର୍ଟସିଟିରେ ଜଳ ଚିନ୍ତା

ପାନୀୟ ଜଳ ଚିନ୍ତା କେବଳ ଗ୍ରାମାଞ୍ଚଳରେ ନୁହେଁ। ସ୍ମାର୍ଟସିଟି ‌ରାଉରଲେକାରେ ମଧ୍ୟ ସମସ୍ତଙ୍କୁ ବିଶୁଦ୍ଧ ପାଣି ମିଳିପାରୁ ନାହିଁ। ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପୂରଣ ହୋଇ ପାରୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଆଣ୍ଠେଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁ ନାହିଁ।  ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ପାଇବେ କି ନାହିଁ, କହିବା ମୁସ୍କିଲ। ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଅବହେଳା ଯୋଗୁ ପ୍ରକଳ୍ପ ଆଗେଇ ପାରୁନି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏଭଳି ଖାମଖିଆଲିଭାବ ଓ ନିଷ୍ଠାହୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments