Monday, May 20, 2024
Homeଓଡ଼ିଶାରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ ସକ୍ରିୟ
Array

ଓଡ଼ିଶାରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ ସକ୍ରିୟ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ନିମ୍ନଗାମୀ ହେଉଛି। ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ସମ୍ପନ୍ନ ଶିକ୍ଷକ ନଥିବାରୁ ପିଲାମାନଙ୍କର ଶୈକ୍ଷିକ ବିକାଶ ହୋଇପାରୁ ନାହିଁ। ସେହିପରି ନୈତିକ ମୂଲ୍ୟବୋଧରେ ମଧ୍ୟ ଉନ୍ନତି ଆସୁ ନଥିବା ପରିଲକ୍ଷିତ ହେଉଛି। ବିଦ୍ୟାଳୟସ୍ତରରେ ମଜବୁତ୍ ଶିକ୍ଷା ପ୍ରାପ୍ତ କରିପାରୁ ନଥିବା ପିଲାଗୁଡ଼ିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସ୍ତରରେ ସଫଳତା ପାଇପାରୁ ନାହାନ୍ତି, ଯେଉଁଥି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଫେଲ୍ ହେଉଛନ୍ତି। ଯେଉଁ ପିଲାଗୁଡ଼ିକର ଅବସ୍ଥା ଏହି ଭଳି ହେଉଛି, ସେମାନେ ଅସାଧୁ ଉପାୟରେ ପ୍ରମାଣପତ୍ର ହାସଲ କରି ନିଜକୁ ଯୋଗ୍ୟ ବିବେଚନା କରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ିଯାଉଥିଲା ବେଳେ ଆହୁରି ଅନେକ ବଡ଼ବଡ଼ ମାଛ ଖସିଯାଉଛନ୍ତି।

ବଲାଙ୍ଗୀରରୁ ଜାଲ୍ ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ ହେଲା ପରେ କିଛି ଦିନ ହେଲା ଏହାକୁ ନେଇ ଚର୍ଚ୍ଚା ଚାଲିଛି। ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ମାନଙ୍କୁ ଏହି ମାମଲା ଗଭୀର ଆଘାତ ଦେଇଛି। ଶିକ୍ଷା ଭଳି ପବିତ୍ର ଶବ୍ଦକୁ କିଛି ଖଳ ପ୍ରକୃତିର ଲୋକେ ଟଙ୍କା ରୋଜଗାର କରିବା ପାଇଁ କଳୁଷିତ କରିଦେଉଛନ୍ତି। ଜାଲ ସାର୍ଟିଫିକେଟ୍ ମାମଲା କେବଳ ବଲାଙ୍ଗୀର ନୁହେଁ, ବରଂ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଅତୀତରେ ଦେଖାଯାଇଛି। କିନ୍ତୁ ହଠାତ୍ ହଜାର ହଜାର ଜାଲ ସାର୍ଟିଫିକେଟର ପର୍ଦ୍ଦାଫାସ ହେବା ସମସ୍ତଙ୍କୁ ବିସ୍ମିତ କରୁଛି। ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏହି କାରବାରରେ ପ୍ରାୟ ୮ଟି ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

କେମିତି ପର୍ଦ୍ଦାଫାସ ହେଲା ରାକେଟ୍

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ମାସରେ ୮୩ଟି ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର, ଡାକ ସେବକ ପଦବି ପାଇଁ ଡାକ ବିଭାଗ ବିଜ୍ଞାପନ ଦେଇଥିଲା। ଆଶାୟୀମାନେ ଚାକିରି ପାଇଁ ଆବେଦନ କରିଥିଲେ। ସାର୍ଟିଫିକେଟ ଯାଞ୍ଚ ବେଳେ ପ୍ରଥମେ ବଲାଙ୍ଗୀର ଜିଲ୍ଲାରେ ଗତ ମାର୍ଚ୍ଚ ୨୩ ତାରିଖରେ କେଲେଙ୍କାରୀ ନେଇ ତଥ୍ୟ ସାମନାକୁ ଆସିଥିଲା। ୩୮ ଜଣ ଆଶାୟୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଜାଲିଆତି ସାମନାକୁ ଆସିଥିଲା। ଟାଉନଥାନାରେ ମାମଲା ରୁଜୁ ହେଲା ପରେ ପୁଲିସ ଚଢ଼ଉ କରି କାରବାର ପଛର ମାଷ୍ଟରମାଇଣ୍ଡ ତଥା ଘରୋଇ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ରର କୋଚିଂ ସେଣ୍ଟରରେ ଚଢ଼ଉ କରିଥିଲା। ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ମନୋଜ ମିଶ୍ର ସମେତ ୧୯ ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ଫୋନ୍, ୧ ହଜାର ସାର୍ଟିଫିକେଟ୍, ରବର୍ ଷ୍ଟାମ୍ପ, ଡାଏରୀ, ସିଲ୍ ଇତ୍ୟାଦି ଜବତ କରିଛି।  

ବାହାର ରାଜ୍ୟର ସାର୍ଟିଫିକେଟ୍, ଓଡ଼ିଶାରେ ଚାକିରି

ଓଡ଼ିଶାରେ ପାଠପଢ଼ା କ୍ଷେତ୍ରରେ ପଛୁଆ ଥିବା ପ୍ରାର୍ଥୀମାନେ ବାହାର ରାଜ୍ୟରୁ ଭଲ ନମ୍ବର ଥିବା ସାର୍ଟିଫିକେଟ ଆଣୁଛନ୍ତି। ଏଥିରୁ କିଛି ପ୍ରାର୍ଥୀ ଅସାଧୁ ଅବଲମ୍ବନ କରିଥାନ୍ତି। ବଲାଙ୍ଗୀର ଘଟଣାରେ କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଜାଲିଆତି କାରବାର ପଛରେ ଆନ୍ଧ୍ର ପ୍ରଦେଶ, ସିକିମ୍, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ ଭଳି ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ୍ ରହିଛି। ପାଖାପାଖି ୪୧ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ୍ ଏଥିରେ ରହିଥିବା କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିଛି।  

ନେତାଙ୍କ ସଂପୃକ୍ତି ଅଛି କି?

ବଜେଟ୍ ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ। ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୁଲିସର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଏକ ସ୍ପର୍ଶକାତର ଘଟଣା ବୋଲି କହିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ହଜାର ହଜାର ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ମାଧ୍ୟମରେ ବିଭାଗରେ ଚାକିରି କରିଛନ୍ତି। ଏ ରାକେଟରେ ବିଜେଡି ନେତାମାନେ ସମ୍ପୃକ୍ତ ଅଛନ୍ତି। ଆଇଟି ସେଲର ଉପଦେଷ୍ଟା ଅଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments