Monday, May 20, 2024
Homeଖବରକେଉଁଠି ଅଛନ୍ତି ଶ୍ରୀମୟୀ, ଲଢ଼ିବେ କି ନିର୍ବାଚନ?

କେଉଁଠି ଅଛନ୍ତି ଶ୍ରୀମୟୀ, ଲଢ଼ିବେ କି ନିର୍ବାଚନ?

ଭୁବନେଶ୍ବର: ସାଧାରଣ ନିର୍ବାଚନ ତାରିଖ ଘୋଷଣା ନହେଉଣୁ ପ୍ରାୟ ବର୍ଷେ ହେଲା ବିଜେଡି କର୍ମୀମାନେ ଭୁବନେଶ୍ବରର ଆଗାମୀ ସାଂଦଦ ଶ୍ରୀମୟୀ ମିଶ୍ର ହେବେ ବୋଲି ଆଶା ବାନ୍ଧିଥିଲେ। ନିଜେ ଶ୍ରୀମୟୀ ମିଶ୍ର ମଧ୍ୟ ରାଜଧାନୀର ଗଳିକନ୍ଦିରେ ବୁଲାବୁଲି କରୁଥିଲେ। କେବଳ ଭୁବନେଶ୍ବର ନୁହେଁ। ବରଂ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ମଧ୍ୟ ଏକପ୍ରକାରର ଅଘୋଷିତ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ। ଶାସକ ବିଜେଡିର ସମର୍ଥକ ଓ କର୍ମୀମାନେ ଦେଉଥିବା ନାରା ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହେଉଥିଲା। ସମର୍ଥକମାନେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଢାୱା ସୋମନାଥ ଦେବଙ୍କ ପୀଠରୁ ଆରମ୍ଭ ହୋଇଥିବା ‘ଘରେ ଘରେ ଶଙ୍ଖ ଜନ ସମ୍ପର୍କ ଅଭିଯାନ’ରେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ତଥା ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି କର୍ମୀମାନେ ସାଂସଦ ପ୍ରାର୍ଥୀ ଭାବେ ଅଭିହିତ କରିବା ସହ ନାରା ଦେଇଥିଲେ। ଶ୍ରୀମୟୀଙ୍କୁ ସ୍ୱାଗତ ସମୟରେ ‘ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ସ୍ୱାଗତମ୍‌’ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଏକଦା ଶ୍ରୀମୟୀ ଜନ ସଂପର୍କ ଅଭିଯାନରେ ଥିବା ବେଳେ ଫୁଲ ସହିତ ତୁଳସୀ ମାଳ ପିନ୍ଧି ବୁଲୁଥିବାର ମଧ୍ୟ ଦେଖାଯାଇଥିଲା। ଜନ ସଂପର୍କ ମାଧ୍ୟମରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରୁଥିଲେ। ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କ ବିରୋଧରେ ବର୍ଷୁଥିଲେ।

ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ଓ ପ୍ରଚାର ଆରମ୍ଭ ହୋଇଯାଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଗତ ସେପ୍ଟେମ୍ବର ମାସରୁ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଜୋରଦାର ଉଦ୍ୟମ କରିଥିବା ଶ୍ରୀମୟୀ ମିଶ୍ର ଆଶା ମଉଳି ଯାଇଛି। ଶ୍ରୀମୟୀ ମିଶ୍ରଙ୍କ ସ୍ଥାନରେ ବିଜେଡି ନିକଟରେ ଦଳରେ ଯୋଗଦେଇଥିବା ରାଜ୍ୟ ରାଜନୀତିର ଜଣାଶୁଣା କଂଗ୍ରେସ ନେତା ସୁରେଶ ରାଉତରାୟ (ସୁର)ଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ୍‌ ଦେଇଛି। ଏହା ପର ଠାରୁ ଶ୍ରୀମୟୀ ମିଶ୍ରଙ୍କୁ ଜନସାଧାରଣ ଭିତରେ ଦେଖିବାକୁ ମିଳୁନାହିଁ।

ସାମାଜିକ ଗଣମାଧ୍ୟମଠୁ ଏବେ ଦୂରରେ

ବିଜେଡି ଦ୍ବାରା ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ବର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିବା ପରେ ସେ ଅଧିକ ସକ୍ରିୟ ଥିଲେ। ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଥିଲା ବୋଲି ସମର୍ଥକମାନେ କୁହନ୍ତି। ସେଥି ପାଇଁ ଶ୍ରୀମୟୀ ମିଶ୍ର ମଧ୍ୟ ବୁଲାବୁଲି କରୁଥିଲେ। ବିଗତ ବର୍ଷେ ହେଲା ସେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିଲେ। ଶ୍ରୀମୟୀ ସାମାଜିକ ଗଣମାଧ୍ୟମରେ ମଧ୍ୟ ବେଶ୍‌ ସକ୍ରିୟ ରହୁଥିଲେ। ଏହାରି ମାଧ୍ୟମରେ ସେ ବିଜେପି ଓ କଂଗ୍ରେସକୁ ମଧ୍ୟ ଛାଡୁ ନଥିଲେ। ଫେସ୍‌ବୁକ୍‌ରେ ସେ ଶେଷ ଥର ପାଇଁ ହୋଲି ଅଭନନ୍ଦନ ବାର୍ତ୍ତା ସେୟାର କରିଥିଲେ। ଏହା ଥିଲା ଗତ ମାର୍ଚ୍ଚ ୨୫ ତାରିଖର କଥା। ୨୬ ତାରିଖରେ ହୋଲି ଥିଲା। ସେଦିନ କିଛି ଫଟୋ ସେୟାର କରି ନଥିଲେ। ତା’ ପରଦିନ ଅର୍ଥାତ ମାର୍ଚ୍ଚ ୨୭ ପୂର୍ବାହ୍ନରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ଟି ବିଧାନସଭା ଆସନ ଓ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ବିଜଡେି ଦ୍ବିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲା।

କେଉଁଠି ଅଛନ୍ତି ଶ୍ରୀମୟୀ?

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହେଲା ପରଠାରୁ ଶ୍ରୀମୟୀ ମିଶ୍ର ଆଉ ସର୍ବସାଧାରଣ ସ୍ଥଳରେ ଦେଖାଯାଉନାହାନ୍ତି। ବିଜେଡି ମୁଖପାତ୍ର ହୋଇଥିଲେ ବି ଗଣମାଧ୍ୟମର ସାମ୍ନାକୁ ଆସୁନାହାନ୍ତି। ସେହିପରି ସାମାଜିକ ଗଣମାଧ୍ୟମକୁ ବହୁତ ଭଲ ପାଉଥିବା ଶ୍ରୀମୟୀଙ୍କ ଫଟୋ ଓ ଟିପ୍ପଣୀ ମଧ୍ୟ ପୋଷ୍ଟ ହେଉନାହିଁ। ନିକଟରେ ଗଣମାଧ୍ୟମରେ ଶ୍ରୀମୟୀଙ୍କ ଅନୁପସ୍ଥିତି ନେଇ ଖବର ପ୍ରକାଶ ପାଇଥିଲା। କୁହାଯାଉଥିଲା ଯେ, ଶ୍ରୀମୟୀଙ୍କର ମୋବାଇଲ ଫୋନ୍‌ ବନ୍ଦ ରହିଛି। ସରକାରୀ କ୍ବାର୍ଟରରେ ନାହାନ୍ତି। କେଉଁଠିକୁ ଯାଇଛନ୍ତି ତାହା ମଧ୍ୟ ଜଣାପଡୁ ନାହିଁ। ଶ୍ରୀମୟୀ ଯେତେବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଟିକେଟ ପାଇଲେ ନାହିଁ, ଚର୍ଚ୍ଚା ହୋଇଥିଲା ଯେ, ତାଙ୍କୁ ଭୁବନେଶ୍ବରର କୌଣସି ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ। ତାହା ପୁଣି କେତେ ସତ୍ୟ ତାହା ସମୟ କହିବ। କାରଣ ଭୁବନେଶ୍ବରର ୩ଟି ଆସନରେ ବିଜେଡିର ପ୍ରାୟ ୧୦ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି। ଏବେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଶ୍ରମୀୟୀ ମିଶ୍ରଙ୍କୁ ବିଜେଡି ଗୋପନରେ ରଖିଥାଇ ପାରେ।

ଅପରାଜିତାଙ୍କୁ କ’ଣ କହିଥିଲେ ଶ୍ରୀମୟୀ?

ଗତବର୍ଷ ଜୁନ୍‌ ୧୭ ତାରିଖର ଘଟଣା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନାଁ ନ ନେଇ ତତ୍‌କାଳୀନ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଉପରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଶ୍ରୀମତୀ ମିଶ୍ର ଅପରାଜିତାଙ୍କ ସୁଧାସଳଖ ପ୍ରଶ୍ନର ଉତ୍ତର ନ ଦେଇ ଓଲଟା ଆକ୍ଷେପ କରି କହିଥିଲେ, ମାଡାମ ଅପରାଜିତା ଷଡଙ୍ଗୀ ବୋଧହୁଏ ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେହେତୁ ଭୁବନେଶ୍ୱର ପାର୍ଲାମେଣ୍ଟାରୀ ସେଗମେଣ୍ଟ ପାଇଁ ତାଙ୍କୁ ଅବଜରଭର ଦାୟିତ୍ୱ ଦେଇଛନ୍ତି ସେଥିପାଇଁ ସାଂସଦଙ୍କ ନିଦ ହଜି ଯାଇଛି। ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ ବି ସାଂସଦଙ୍କର ବ୍ୟୁରୋକ୍ୟାଟିକ୍‌ ସ୍ୱଭାବ ଯାଇନି। ମାଡାମ ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି। ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments