Monday, May 20, 2024
Homeଖବରଏପ୍ରିଲ ୧୯ରୁ ମତଦାନ: ରାଜନୀତି ସରଗରମ

ଏପ୍ରିଲ ୧୯ରୁ ମତଦାନ: ରାଜନୀତି ସରଗରମ

ଭୁବନେଶ୍ବର: ଭାରତରେ ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର ବ୍ୟବସ୍ଥାର ବଡ଼ ପର୍ବ ‘ସାଧାରଣ ନିର୍ବାଚନ-୨୦୨୪’ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ୧୯ ତାରିଖ ଠାରୁ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୫୪୩ଟି ଲୋକସଭା କ୍ଷେତ୍ରରେ ମତଗ୍ରହଣ କରାଯିବ। ଆଗାମୀ ଜୁନ୍‌ ୪ତାରିଖରେ ମତଗଣନାର ଫଳାଫଳ ପ୍ରକାଶିତ ହେବ। ଦେଶବ୍ୟାପୀ ୭ଟି ପର୍ଯ୍ୟାୟରେ ଲୋକସଭା ସମେତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ଚଳିତ ଏପ୍ରିଲ ମାସର ୧୯ ଓ ୨୬, ମେ’ ମାସର ୭, ୧୩, ୨୦ ଓ ୨୫ ଏବଂ ଜୁନ୍‌ ୧ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର ମତଦାତା ସର୍ବାଧିକ ୭ଟି ପର୍ଯ୍ୟାୟରେ ଭୋଟ୍‌ ଦେବେ। ଜମ୍ମୁ କଶ୍ମୀର ଓ ମହାରାଷ୍ଟ୍ରବାସୀ ୫ଟି ପର୍ଯ୍ୟାୟରେ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡର ଜନତା ୪ଟି ଲେଖାଏଁ ପର୍ଯ୍ୟାୟରେ ‌ମନ ପସନ୍ଦର ପ୍ରାର୍ଥୀ ବାଝିବେ।

ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ଜଣେ ଅନ୍ୟ ଉପରେ ଆରୋପ-ପ୍ରତ୍ୟାରୋପ ଲଗାଉଛନ୍ତି। ଟିକେଟ୍‌ ନମିଳିବାରୁ ଦଳ ଡେଉଛନ୍ତି ଅଥବା ବିଦ୍ରୋହ ହେଉଛି। ତେବେ ଦେଶର ରାଜନୀତି ପାଇଁ ଅଧିକ ଚର୍ଚ୍ଚାରେ ରହୁଛି ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର। ବିହାରରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ। ଏଥି ପାଇଁ ନିର୍ବାଚନ ପଡ଼ିଆରେ ୩୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୯ରେ ଜମୁଇ, ଗୟା, ନୱାଦା ଓ ଔରଙ୍ଗାବାଦରେ ମତଗ୍ରହଣ ହେବ। ସର୍ବାଧିକ ପ୍ରାର୍ଥୀ ଗୟାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଠାରେ ୧୪ ଜଣ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ହମ୍‌ ପ୍ରାର୍ଥୀ ଜୀତନ ରାମ ମାଝୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର କୁମାର ସର୍ବଜୀତଙ୍କ ମଧ୍ୟରେ ମୁକାବିଲା ହେବ। ଏହି ଦୁଇ ଜଣଙ୍କ ବ୍ୟତୀତ ୫ ଅନ୍ୟ ପ୍ରାର୍ଥୀ ଓ ୭ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି।

ଓଡ଼ିଶାରେ ମେ’ ୧୩ରୁ ଭୋଟିଂ

ଓଡ଼ିଶାରେ ୨୧ଟି ଲୋକସଭା କ୍ଷେତ୍ର ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶେଷ ୪ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଏଥି ପାଇଁ ପ୍ରଶାସନ ସହିତ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସକ୍ରିୟ ଅଛନ୍ତି। ସୁରକ୍ଷା ଓ ଅତ୍ୟାବଶ୍ୟକ ବ୍ୟବସ୍ଥା ନେଇ ପ୍ରଶାସନ ଦିନ ରାତି କାମ କରୁଥିବା ବେଳେ ପ୍ରମୁଖ ୩ ଦଳ ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ପ୍ରାର୍ଥୀ ଓ ର୍କମୀଙ୍କ ନିଦ ହଜି ଯାଇଛି। ଗାଡ଼ି, ସାଉଣ୍ଡ, କଳାକାର ଓ ପ୍ରିଣ୍ଟିପ୍ରେସ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦିନରାତି ଜଣାପଡୁନାହିଁ। ବିଜେଡିର ନର୍ବାଚନ ପ୍ରଚାର ପାଇଁ ବାହାର ରାଜ୍ୟରୁ ଆସି ଗାଡ଼ିଗୁଡ଼ିକ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛି। ନିର୍ବାଚନର ପ୍ରକ୍ରିୟା ଶେଷ ହେବାକୁ ପୂରା ଦୁଇ ମାସ ବାକି ଥିବା ବେଳେ ‌ସରକାରୀ କର୍ମଚାରୀ, ନେତା, କର୍ମୀ ଓ ମତଦାତାଙ୍କୁ ପ୍ରବଳ ଗ୍ରୀଷ୍ମପ୍ରବାହକୁ ମୁକାବିଲା କରିବାକୁ ପଡ଼ିବ।

ପ୍ରଭୁଙ୍କ ଶରଣ ନେଲେ ନେତା

ସମ୍ବଲପୁରରୁ ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇଛନ୍ତି। ସେହିପରି ଭୁବନେଶ୍ବରରୁ ବିଜେପି ଟିକେଟ୍‌ରେ ପ୍ରାର୍ଥୀ‌ ଅପରାଜିତା ଷଡ଼ଙ୍ଗୀ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ପୁରୀକୁ ଯାଇ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଛନ୍ତି। କେନ୍ଦ୍ରାପଡ଼ାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବଳଦେବଜୀଉଙ୍କ ଆର୍ଶୀବାଦ ନେଲା ପରେ ଶ୍ରୀମନ୍ଦିରକୁ ଯାଇ ଜଗାଦର୍ଶନ କରିଛନ୍ତି। ପୁରୀରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ମହାପ୍ରଭୁଙ୍କୁ ଭୁଲି ନାହାନ୍ତି। ବିଜେଡିର ଭୁବନେଶ୍ବର ପ୍ରାର୍ଥୀ ମନ୍ମଥ ରାଉତରାୟ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟ ନେତାମାନେ ମଧ୍ୟ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ପ୍ରଥମେ ମହାପ୍ରଭୁଙ୍କ ସରଣ ନେଇ ନିର୍ବାଚନ ଅଭିଯାନ ଆରମ୍ଭ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments