Monday, May 20, 2024
Homeକୋଭିଡ-୧୯: ବର୍ଷେ ଭିତରେ ୩,୪୨,୨୨୪ ପଜିଟିଭ୍
Array

କୋଭିଡ-୧୯: ବର୍ଷେ ଭିତରେ ୩,୪୨,୨୨୪ ପଜିଟିଭ୍

‌ଭୁବନେଶ୍ୱର: କୋଭିଡ-୧୯ ପୁଣି ଥରେ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ପ୍ରତିଦିନ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ଠିକ୍ ମାସକ ପୂର୍ବରୁ ରାଜ୍ୟରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ହୋଇଛି ୪୫୨ । କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ଆରମ୍ଭ ଦିନଠାରୁ ଏପର୍ଯ୍ୟନ୍ତ ୯୧ ଲକ୍ଷ ୩ ହଜାର ୯୪୮ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ଏଥିରୁ ୩ ଲକ୍ଷ ୪୨ ହଜାର ୨୨୪ ଜଣ ପଜିଟିଭ୍ ଜଣାପଡ଼ିଛନ୍ତି । ରାଜ୍ୟରେ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ୩ ଲକ୍ଷ ୩୭ ହଜାର ୪୩୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଜୀବନ ହରାଇଛନ୍ତି ୧୯୨୧ ଜଣ ଲୋକ ।

କରୋନା ଭାଇରସ୍ ସଂକ୍ରମଣ ଯେଭଳି ଭାବରେ କାୟା ବିସ୍ତାର କରିଚାଲିଛି ଆଗାମୀ ଦିନରେ ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଂଚିପାରେ । ବିଶେଷଜ୍ଞମାନେ ଏବେଠାରୁ ଅନୁମାନ କରୁଛନ୍ତି ଯେ, ଚଳିତ ମାସ ଶେଷ ବେଳକୁ ସଂକ୍ରମଣ ଶୀର୍ଷ ସ୍ଥଳୀରେ ପହଂଚିସାରିଥିବା । କରୋନା ସଂକ୍ରମଣ ଯଦି ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତା’ହେଲେ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ୍‌କୁ ଏଡେଇ ଦିଆଯାଇପାରିବ ନାହିଁ ।

ଚିନ୍ତା ବଢ଼ାଇଥିଲେ ଇଟାଲି ଫେରନ୍ତା

ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ଯେତେବେଳେ ପ୍ରଥମ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେତେବେଳେ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥ ହୋଇଥିଲା । ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥିଲା । ଇଟାଲୀ ଫେରନ୍ତା ରାଜଧାନୀର ଯୁବକ ୫୫ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ କିଛି ଲୋକ ଘରୁ ବାହାରକୁ ଯିବା ପୂର୍ବରୁ ଅନେକ ଥର ଚିନ୍ତା କରୁଥିଲେ । କିନ୍ତୁ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ୧୯ ଦିନ ପର୍ଯ୍ୟନ୍ତ ହସ୍‌ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ସକ୍ରିୟ ହେଉଛି କରୋନା ସଂକ୍ରମଣ

କରୋନା ଭାଇରସ ମହାମାରୀ ରାଜ୍ୟରେ ପୂର୍ବାପେକ୍ଷା ଏବେ ଅଧିକ ସକ୍ରିୟ ହୋଇଥିବାରୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠିଲେଖାଯାଇଛି । ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍‌ପିଟାଲ ଗୁଡ଼ିକରେ ଅଧିକ ଶଯ୍ୟା ଓ ଅକ୍ସଜେନ୍ ସିଲିଣ୍ଡ ମହଜୁଦ ରଖିବାକୁ ଚିଠିରେ କୁହାଯାଇଛି । ଏଥି ସହିତ କରୋନା ରୋଗୀଙ୍କ ପାଇଁ ଅଧିକ ସଂଖ୍ୟକ ଆଇସେଲେସନ ବେଡ୍ ପ୍ରସ୍ତୁତ କରାଯାଉ । ସେହିପରି ଜିଲ୍ଲା ଗୁଡ଼ିକରେ ଥିବା ଘରୋଇ ଡାକ୍ତରଖାନା ଗୁଡ଼ିକ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କୁହାଯାଇଛି ।

ଟିକାକରଣ ଜୋରଦାର୍‌, ମାନୁନି ସଂକ୍ରମଣ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଇଛି । କିନ୍ତୁ କରୋନା ଭାଇରସ ମହାମାରୀ ମଧ୍ୟ ବଢ଼ିଚାଲିଛି । ଚଳିତ ମାସ ୧ ତାରିଖ ଠାରୁ ସମଗ୍ର ଦେଶ ସହିତ ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକମାନଙ୍କୁ ଟିକା ଦିଆଯାଉଛି । ଏପ୍ରିଲ ୧ ତାରିଖରେ ୨ ଲକ୍ଷ ୫୨ ହଜାର ୮୦ ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ୨ତାରିଖରେ ଅଢ଼େଇ ଲକ୍ଷ ଲୋକ କରୋନା ଟିକା ନେଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୨୮ ଲକ୍ଷ ୬୬ ହଜାର ୨୫୫ ଜଣଙ୍କୁ ଟିକା ଦିଆଯାଇସାରିଛି । ଏବେ ସରକାର ଦୈନିକ ୨ରୁ ଅଢ଼େଇ ଲକ୍ଷ ଲୋକଙ୍କୁ ଟିକାଦେବାକୁ ଯୋଜନା କରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments