Monday, May 20, 2024
Homeକୋରାପୁଟର କଫି ଚାଷ ସ୍ଥାନୀୟ ଚାଷୀଙ୍କୁ ଦେଉଛି ରୋଜଗାର
Array

କୋରାପୁଟର କଫି ଚାଷ ସ୍ଥାନୀୟ ଚାଷୀଙ୍କୁ ଦେଉଛି ରୋଜଗାର

ଭୁବନେଶ୍ୱର: ବଣ-ପାହାଡ଼ ଘେରା କୋରାପୁଟ ଜିଲ୍ଲାରେ ଗତ କିଛି ବର୍ଷ ହେଲା କଫି ଉତ୍ପାଦନ ବଢ଼ିଛି। ଦେଶର ଅନ୍ୟ ରାଜ୍ୟରେ ଲୋକପ୍ରିୟତା ହାସଲ କରିବା ପରେ ଏଠାରେ ଉତ୍ପାଦିତ ହେଉଥିବା କଫି ଅନ୍ତର୍ଜାତୀୟ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ୱଦେଶୀ କଂପାନି ଟାଟା ମାଧ୍ୟମରେ କୋରାପୁଟର କଫିକୁ ବିଦେଶର ବଜାରରେ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ୭ ତାରିଖ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଟା କଂପାନୀକୁ ୨୭୮ହଜାର ୭୯୦ କିଲୋ କଫି ବିନ୍‌ ବିକ୍ରି କରାଯାଇଛି। ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକ୍‌କୁ ବିଦାୟ ଦେଇଥିଲେ।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମତାପୁଟ, କୋରାପୁଟ, ସେମିଳିଗୁଡ଼ା ଓ ପଟାଙ୍ଗୀ ବ୍ଲକରେ ପ୍ରାୟ ୩୦୦୦ ହେକ୍ଟରରେ କଫି ଚାଷ କରାଯାଉଛି। କୋରାପୁଟ କଫି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଟାଟା କଂପାନୀ ଏଠାକାର କଫିରେ ୧୦୦ ପ୍ରତିଶତ ଆରବିକା କଫିର ଗୁଣ ରହିଥିବା ଜାଣିବାକୁ ପାଇଥିଲା। ଏହା ପରେ ଏଠାରୁ କଫି କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା। ଶେଷର ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜିଲ୍ଲାର ୧୯୩ ଜଣ କଫି ଚାଷୀଙ୍କଠାରୁ ଉତ୍ପାଦିତ ହୋଇଥିବା ସବୁ କଫିକୁ କିଣି ନେଇଛି।

ଚଳିତ ବର୍ଷ ଅଧିକ ଜମିରେ ଚାଷ

କୋରାପୁଟ ଜିଲ୍ଲାପାଳରେ ଦିନକୁ ଦିନ କଫି ଚାଷର ବିକାଶ ଘଟୁଛି। ଏକ ଲାଭଦାୟକ ଫସଲ ହୋଇଥିବାରୁ ଚାଷୀମାନେ ଏଥି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ସରକାର ଏଥି ପାଇଁ ସମର୍ଥନ ଦେଉଥିବାରୁ ଉତ୍ପାଦନ ବଢ଼ିପାରିଛି। ଜିଲ୍ଲାପାଳ  କହିଛନ୍ତି ଯେ, କୋରାପୁଟର ଆଦିବାସୀ ଚାଷୀଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ଏହି କଫି। ଆର୍ଥିକ ବର୍ଷ ୨୦୨୧-୨୨ରେ ନୂଆ କରି ୮୦ ହେକ୍ଟର ଜମିରେ ଚାରା ରୋପଣ କରାଯିବ ।

କୋରାପୁଟ କଫିର ମାନ ଉନ୍ନତ

କୋରାପୁଟରୁ କଫି କିଣିବା ପୂର୍ବରୁ କଂପାନୀ ଏହାର ଗୁଣବତ୍ତା ଭଲଭାବରେ ପରୀକ୍ଷା କରିଥିଲା। ଯେତେବେଳେ ଜଣାପଡ଼ିଲା ଯେ, ଜିଲ୍ଲା ପ୍ରଶାସନ ଦ୍ୱାରା ଯେଉଁ କଫି ପରୀକ୍ଷା ପାଇଁ ପଠାଯାଇଥିଲା ତାହାର ମାନ ଆରବିକା କଫିର ଗୁଣ ସହ ସମାନ, ଏହା ପରେ କଂପାନୀ କୋରାପୁଟରୁ କଫି କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ବୋଲି ଟିଡିସିସିଓଏଲର ଏମଡି ମାନସୀ ନିମ୍ଭାଲ କହିଛନ୍ତି।  

୩୦୦୦ ଚାଷୀ ନିୟୋଜିତ

କୋରାପୁଟ ଜିଲ୍ଲାରେ କଫି ଚାଷର ବିକାଶ ହେବାର ମୂଳ କାରଣ ହେଲା ଏଠାକାର ଜଳବାୟୁ। କାରଣ କଫି ଚାଷ ପାଇଁ ଯେଉଁ ପ୍ରକାର ତାପମାତ୍ରା ଓ ଆଦ୍ରତାର ଆବଶ୍ୟକତା ରହିଛି, ତାହା କୋରାପୁଟରେ ମିଳିପାରୁଛି। କେରାପୁଟରେ କଫି ଚାଷ ଦୀର୍ଘ ଦିନରୁ ହୋଇ ଆସୁଥିବା ବେଳେ କିଛି ବର୍ଷ ହେବ ଏହାର ବିକାଶ ହୋଇଛି। ଏଠାକାର ଚାଷୀମାନେ ମଧ୍ୟ କର୍ମଠ। ଜିଲ୍ଲାରେ ଏବେ ବର୍ଷକୁ ପ୍ରାୟ ୫୫୦ ଟନ କଫି ମଞ୍ଜି ଉତ୍ପାଦନ କରାଯାଇ ପାରୁଛି। ଜିଲ୍ଲାର ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ଚାଷୀ କଫି ଚାଷରେ ନିୟୋଜିତ ଅଛନ୍ତି। ବଡ଼ ଚାଷୀମାନେ ୧୫ରୁ ୨୦ ଲକ୍ଷ ଟଙ୍କା ବାର୍ଷିକ ଆୟ କରିପାରୁଛନ୍ତି। ଜିଲ୍ଲାର ଶ୍ରମିକମାନେ କଫି ଚାଷରେ ନିୟୋଜିତ ହୋଇ ରୋଜଗାର ପାଇପାରୁଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ପରିବାର ପୋଷିବା ପାଇଁ ବାହାର ରାଜ୍ୟକୁ ଦାଦନ ଯିବାକୁ ପଡୁନାହିଁ।

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାର ସମୟ ଆସିଛି। ସମପଦର ଗାଁର ସୁଲୋଚନା ଖରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିଛନ୍ତି। ନବୀନ କହିଛନ୍ତି, ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ୱ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛନ୍ତି। ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments