Sunday, May 19, 2024
Home୧୪୦ କୋଟି ଭାରତୀୟଙ୍କ ମନ ଜିଣିଲେ ନୀରଜ ଚୋପ୍ରା
Array

୧୪୦ କୋଟି ଭାରତୀୟଙ୍କ ମନ ଜିଣିଲେ ନୀରଜ ଚୋପ୍ରା

ଭୁବନେଶ୍ୱର: ଦେଶର ୧୪୦ କୋଟି ଜନତାଙ୍କ ମନ ଜିଣିଛନ୍ତି ଜାଭେଲିନ୍ ଥ୍ରୋ ଖେଳାଳି ନୀରଜ ଚୋପ୍ରା । ଦୀର୍ଘ ୧୨୧ ବର୍ଷରୁ ଯେଉଁ କାମକୁ ଅପେକ୍ଷା କରାଯାଇଥିଲା ତାକୁ ପୂରଣ କରିଛନ୍ତି ଯୁବ ଆଥଲେଟ ନୀରଜ । ବିଶ୍ୱର ମହାରଥୀମାନଙ୍କୁ ପରାସ୍ତ କରି ନୀରଜ ଚୋପ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ନୀରଜଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ଭାରତ ଆଜି ଗର୍ବ କରୁଛି ଓ ଅଲିମ୍ପିକ୍ସ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ହରିୟାଣାର ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ନୀରଜ ସ୍ୱର୍ଣ୍ଣ ପଦକ ଆଣିବା ପରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।

ଟୋକିଓ ଅଲିମ୍ପକ୍ସ-୨୦୨୦ରୁ ଭାରତ ଆଶାନୁସାରେ ପଦକ ପାଇପାରିଛି । କାରଣ ଅଲିମ୍ପିକ୍ସ ଇତିହାସରେ ପୂର୍ବରୁ ଭାରତକୁ ଏତିକି ପରିମାଣରେ ପଦକ କେବେ ବି ମିଳି ପାରିନଥିଲା । ବର୍ଷ ୨୦୧୨ରେ ଇଂଲଣ୍ଡରେ ଆୟୋଜିତ କ୍ରୀଡ଼ା କୁମ୍ଭ (ଅଲିମ୍ପିକ୍ସ)ରେ ଭାରତ ୬ଟି ପଦକ (୨ଟି ରୌପ୍ୟ ଓ ୪ଟି କାଂସ୍ୟ) ହାସଲ କରିଥିଲା । କିନ୍ତୁ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତର ମେଡାଲ ସଂଖ୍ୟା ବଢ଼ାଇ ନୂଆ ଇତିହାସ ରଚିଛନ୍ତି । ବର୍ଷ ୧୯୦୦ ମସହିରୁ ଭାରତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଆସୁଛି । କିନ୍ତୁ ଚଳିତ ବର୍ଷ ଦେଶର ଖେଳାଳିମାନେ ଯେଉଁ ପ୍ରଦର୍ଶନ କରିଛନ୍ତି, ତାହା ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ ।

ଜାଭେଲିନ ଫିଙ୍ଗିଲେ ୮୭.୫୮ ମିଟର

ନୀରଜଙ୍କ ସ୍ୱର୍ଣ୍ଣ ପଦକ ସଫଳତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ଆହୁରି ଅନେକ ପ୍ରତିଷ୍ଠିତ ଲୋକ ଖୁସି ଅନୁଭବ କରିଛନ୍ତି । ଜାଭେଲିନ ଥ୍ରୋ ଫାଇନାଲରେ ୮୭.୫୮ ଦୂର ପର୍ଯ୍ୟନ୍ତ ଫିଙ୍ଗି ନୀରଜ ଯେଉଁ ଇତିହାସ ରଚିଛନ୍ତି, ହାହା ଭାରତର ଅନେକ ପିଢ଼ିର ଲୋକେ ମନେ ରଖିବେ । ନୀରଜଙ୍କୁ ଦେଶ ବାହାରୁ ମଧ୍ୟ ପ୍ରଶଂସା କରାଯାଇଛି । ଫାଇନାଲରେ ୫ମ ସ୍ଥାନରେ ରହିଥିବା ପାକିସ୍ତାନର ଆଥଲେଟ ଅରଶଦ ନଦୀମ କହିଛନ୍ତି ଯେ, ନୀରଜ ମୋର ଆଦର୍ଶ ।

ନୀରଜଙ୍କ ପାଇଁ ପୁରସ୍କାର

ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳି ନୀରଜ ଚୋପ୍ରାଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କା ପୂରସ୍କାର ଦେବେ । ପ୍ରଥମ ଶ୍ରେଣୀର ଚାକିରି ଓ ରିହାତି ଦରରେ ଏକ ଜମି ପ୍ଲଟ ଦେବେ । ବିମାନ କଂପାନୀ ଇଣ୍ଡିଗୋ ନୀରଜଙ୍କୁ ଏକ ବର୍ଷ ପାଇଁ ବିମାନ ଯାତ୍ରା ମାଗଣାରେ କରାଇବାକୁ ଘୋଷଣା କରିଛି । ମହିନ୍ଦ୍ରା ସମୂହର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କଂପାନୀ ଏସୟୁଭି ଏକ୍ସୟୁଭି୭୦୦ ଉପହାର ଦେବାକୁ ପତିଶ୍ରୁତି ଦେଇଛନ୍ତି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ନୀରଜଙ୍କୁ କୋଟିଏ ଟଙ୍କା ଦେବ । ସେହିପରି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ଦିଆଯିବ । ଏତଦ ବ୍ୟତୀତ ଆହୁରି ଏକାଧିକ ସଂସ୍ଥା ନୀରଜଙ୍କୁ ସମ୍ମାନୀତ ଓ ପୁରସ୍କୃତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ନୀରଜଙ୍କ ସଫଳତାରେ ଓଡ଼ିଶାର ଅବଦାନ

ଭାରତକୁ ୨ୟ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଦେଇଥିବା ନୀରଜ ଚୋପ୍ରାଙ୍କ ସଫଳତା ପଛରେ ଓଡ଼ିଶାର ମଧ୍ୟ ଅବଦାନ ରହିଛି । ଗତବର୍ଷ କରୋନା ଭାଇରସ ସଂକ୍ରମଣ ବଢ଼ିବା ସମୟରେ ନୀରଜ ଯେତେବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ସେହି ସମୟରେ ଓଡ଼ିଶା ସରକାର ନୀରଜଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ରହି ନୀରଜ ଅଭ୍ୟାସ କରିଥିଲେ । ସେ ଗତବର୍ଷ ଡିସେମ୍ବର ମାସ ଠାରୁ ଚଳିତ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଏକ ଟିମ୍ ସହିତ ଦୁଇ ଓଳି ଜାଭେଲିନ୍ ଥ୍ରୋ ଅଭ୍ୟାସ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments