Thursday, May 9, 2024
Homeଖବରଗଣପର୍ବରେ ସାମିଲ ହେଲେ ମତଦାତା

ଗଣପର୍ବରେ ସାମିଲ ହେଲେ ମତଦାତା

ଭୁବନେଶ୍ବର: ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ମତଦାନ ସଂପନ୍ନ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ବିଳମ୍ବିତ ସନ୍ଧ୍ୟା ଯାଏ ଜାରି ଥିଲା। ଏହି ଦଫାରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାତାମାନେ ମତ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଆସନରେ ମତଦାନ ହେଇଛି। ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମର ୫-୫ଟି, ବିହାରର ୪ଟି, ପଶ୍ଚିମବଂଗର ୩ଟି, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶର ୨ଟି ଲେଖାଏଁ, ଛତିଶଗଡ଼, ମିଜୋରାମ, ନାଗାଲ୍ୟାଣ୍ଡ୍‌, ତ୍ରିପୁରା, ସକ୍କିମ ଏବଂ ଲକ୍ଷଦ୍ବୀପ, ଆଣ୍ଡାମାନ ଏବଂ ନିକୋବରର ଜମ୍ମୁ କାଶ୍ମୀର ଏବଂ ପୁଡୁଚେରିର ଗୋଟିଏ ଲେଖାଏ ଆସନରେ ମତଦାନ ହୋଇଛି। ଛତିଶଗଡ଼, ପଶ୍ଚିମବଙ୍ଗ ଓ ମଣିପୁରରେ ସାମାନ୍ୟ ହିଂସା ଦେଖାଯାଇଛି। 

ନିର୍ବାଚନ ଆୟୋଗଙ୍କ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ମତଦାତା ଥିଲେ। ଏଥିରେ ୮.୪‌ କୋଟି ପୁରୁଷ ଓ ୮.୨୩ କୋଟି ମହିଳା। ୩୫.୬୭ ଲକ୍ଷ ପ୍ରଥମ ଥର ମତଦାତା। ୨୦ରୁ ୨୯ ବର୍ଷ ବୟସର ମତଦାତାଙ୍କ ସଂଖ୍ୟା ୩.୫୧ କୋଟି। ମୋଟ ୧.୮୭ ଲକ୍ଷ ପୁଲିଂ ବୁଥରେ ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କର ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ଓ ଭିଭିପାଟ୍‌ରେ ସିଲ ହୋଇଯାଇଛି। ଏହି ପର୍ଯ୍ୟାୟରେ ୯ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ‌ମୁଖ୍ୟମନ୍ତ୍ରୀ ଓ ଜଣେ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ, ସର୍ବାନନ୍ଦ ସୋନଓ୍ବାଲ, ଡାକ୍ତର ସଂଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ । ସେହିପରି ତାମିଲନାଡ଼ୁର କୋଏମ୍ବାଟୁର ଆସନରୁ ଲଢୁଛନ୍ତି ତାମିଲନାଡୁ ବିଜେପି ସଭାପତି ଆନ୍ନାଦୁରାଇ । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅରୁଣାଚଳ ପ୍ରଦେଶ (୬୦ ଆସନ) ଏବଂ ସିକ୍କିମ (୩୨ ଆସନ)ର ୯୨ଟି ବିଧାନସଭା ଆସନରେ ମଧ୍ୟ ମତଦାନ ହୋଇଛି।

ଭିଆଇପି ଭୋଟର

ତାମିନଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌, ଦକ୍ଷିଣ ଭାରତୀୟ ଫିଲ୍ମଷ୍ଟାର ରଜନୀ କାନ୍ତ ‌ପୂର୍ବାହ୍ଣରେ ଚେନ୍ନାଇରେ ଭୋଟ ଦେଇଥିଲେ। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଶିବଗଙ୍ଗାକୁ ଯାଇ ଭୋଟ୍‌ ଦେଇଥିଲେ। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଦେଇ କହିଥିଲେ, ବହୁତ ଉତ୍ସାହିତ। ଗଣତନ୍ତ୍ରର ମହାନ ପର୍ବରେ ସମସ୍ତେ ସାମିଲ ହୁଅନ୍ତୁ। ମତଦାନ ଦେଶକୁ ସଶକ୍ତ କରିବ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଭୋଟ ଦେଇଛନ୍ତି। ସେହପରି ବୟସ୍କ, ଦିବ୍ୟାଙ୍ଗ ଓ କିନ୍ନରମାନେ ମଧ୍ୟ ଉତ୍ସାହର ସହିତ ଭୋଟ୍‌ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟରେ ମତଦାନ ପୂର୍ବରୁ ଜନତାଙ୍କ ନିକଟରେ ଅପିଲ କରିଥିଲେ। ସେ କହିଥିଲେ ଗଣତନ୍ତ୍ରର ମହାନ ପର୍ବ ଆଜିଠାରୁ ଆରମ୍ଭ ହେଉଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ଭୋଟ୍‌ ଦିଆଯାଉଛି। ଏହି ସବୁ ଆସନରେ ମତଦାତାଙ୍କୁ ଅନୁରୋଧ କରୁଛି ଯେ ନିଜର ମତାଧିକାର ବ୍ୟବହାର କରନ୍ତୁ। ଭୋଟିଂର ନୂଆ ରେକର୍ଡ କରନ୍ତୁ। ପ୍ରଥମ ଥର ଭୋଟ ଦେଉଥିବା ଯୁବ ମତଦାତା ମଧ୍ୟ ଉତ୍ସାହର ସହିତ ଭୋଟ୍‌ ଦିଅନ୍ତୁ। ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ୍‌ର ମୂଲ୍ୟ ରହିଛି। ପ୍ରତ୍ୟେକ ସ୍ବରର ଗୁରୁତ୍ବ ରହିଛି।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା

ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି। ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ଏନ୍‌କାଉଣ୍ଟର କରିଥିଲେ, ଯେଉଁଥିରେ କି ୨୯ ଜଣ ମାଓବାଦୀ ନିପାତ ହୋଇଥିଲେ। ଏହି ନିର୍ବାଚନରେ ନକ୍ସଲମାନେ ବିଭ୍ରାସ ସୃଷ୍ଟି କରିଥିବା ‌ବେଳେ ପ୍ରଭାବିତ ଅଞ୍ଚଳର ଜନତା ସରକାରଙ୍କୁ ସମର୍ଥନ ଜଣାଇ ଭୋଟ ଦେବା ପାଇଁ ଆଗେଇ ଆସିଥିଲେ।‌ ସେମାନେ ନକ୍ସଲଙ୍କୁ ଡରି ଡରି ନଯାଇ ‌ଭୋଟ୍‌ ଦେଇଥିଲେ। ମତଦାନକୁ ଦୃଷ୍ଟିର ରଖି ଛତିଶଗଡ଼ି, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପୁଲିସ, ବିଏସଏଫ ଓ ସିଆରପିଏଫର ସମସ୍ତ ସୁରକ୍ଷାକର୍ମୀ ଆଲର୍ଟ ହୋଇୟାଇଛନ୍ତି। ନକ୍ସଲଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଛି। କୌଣସି ଅଘଟଣକୁ ଏଡାଇବାକୁ ଗୁଇନ୍ଦା ବିଭାଗକୁ ସତର୍କ କରିଦିଆଯାଇଛି। ପୁଲିସ ସହଯୋଗରେ ସୁରକ୍ଷାବାହିନୀର  ଅପରେସନକୁ ଜୋରଦାର କରାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments