Monday, May 20, 2024
Homeଖବରଘରୋଇ ବସ୍ ଧର୍ମଘଟର ବଡ଼ ପ୍ରଭାବ

ଘରୋଇ ବସ୍ ଧର୍ମଘଟର ବଡ଼ ପ୍ରଭାବ

ଭୁବନେଶ୍ବର: ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ଗମନାଗମନ ଓ ଆର୍ଥିକ ଅବସ୍ଥାକୁ ସହଜ କରିବା ପାଇଁ ସରକାର ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରିଛନ୍ତି। ୨୦୨୩ ଅକ୍ଟୋବର ୧୨ରୁ ମାଲକାନଗିରିରୁ ଆରମ୍ଭ ହୋଇଥିବା ଏହି ଯୋଜନା ଏପର୍ଯ୍ୟନ୍ତ ଗଜପତିରେ ପହଞ୍ଚି ସାରିଛି। ଆଗାମୀ ଦିନରେ ଏହା ପୂରା ରାଜ୍ୟକୁ ବ୍ୟାପିବ। ଗାଁରୁ ବ୍ଲକ ଓ ବ୍ଲକ ମୁଖ୍ୟାଳୟ ଠାରୁ ଜିଲ୍ଲାକୁ ୧୬୦୦ ବସ୍ ଗଡ଼ିବ। ଏହା ଦ୍ବାରା ସାଧାରଣ ଯାତ୍ରୀମାନେ କମ୍ ଖର୍ଚ୍ଚରେ ଗମନାଗମନ ସୁବିଧା ପାଇପାରିବେ। ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ୫ଟଙ୍କାରେ ନିଜର ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଦ୍ବାରା ଜନସାଧାରଣଙ୍କୁ ସୁବିଧା ହେବାକୁ ଥିବା ବେଳେ ଯୋଜନା ଏପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ପହଞ୍ଚି ପାରି ନାହିଁ। କିନ୍ତୁ ଏହା ପୂର୍ବରୁ ଅକ୍ଟୋବର ୨୦ରେ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ କାରଣରୁ ସାଧାରଣ ଯାତ୍ରୀମାନେ ହଇରାଣ ହୋଇଛନ୍ତି।

ଘରୋଇ ଯାତ୍ରୀବାହୀ ବସ୍ ମାଲିକ ସଂଘ ଅକ୍ଟୋବର ୨୦ ତାରିଖ ଦିନ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବା କାରଣରୁ ବସ୍ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ରାଜ୍ୟର ସବୁଠାରୁ ବଡ଼ ବସ୍‌ଷ୍ଟାଣ୍ଡ କଟକର ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରିନାହିଁ। କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରିଛି। ବସ୍ ଧର୍ମଘଟ ହେତୁ ବହୁ ଲୋକ ନିଜ ସୁବିଧାରେ ଯାତାୟତ କରିଛନ୍ତି। ଏଣେ ବାଲେଶ୍ବରରେ ଏକ ଘରୋଇ ବସ୍ ମାଲିକ ସଂଘ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଥିଲେ। କିନ୍ତୁ ଅନ୍ୟ ଜିଲ୍ଲାରେ ଯାତ୍ରୀମାନେ ନାହିଁ ନଥିବା ହଇରାଣର ସାମ୍ନା କରିଛନ୍ତି।

ରାଜ୍ୟବାସୀ ପ୍ରାୟ ୧୪,୦୦୦ ଘରୋଇ ବସ୍ ଉପରେ ଲୋକେ ଭରସା କରୁଥିବାରୁ ଏବଂ ଅଚାନକ ଏହାର ଚଳାଚଳ ବନ୍ଦ ହୋଇଯିବାରୁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି। ଲୋକେ ବ୍ୟକ୍ତିଗତ ଟ୍ୟାକ୍ସିରେ ଯିବା ଆସିବା କରୁଛନ୍ତି, ଯାହା ଦ୍ବାରାକୁ ପକେଟରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଘରୋଇ ବସ୍ ଚଳାଚଳ ବନ୍ଦ ରହିବା କାରଣରୁ ଟ୍ରେନ୍‌ଗୁଡ଼ିକରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକର ସଂରକ୍ଷିତ ବଗିଗୁଡ଼ିକରେ ମଧ୍ୟ ଭିଡ଼ ଲାଗିଥିଲା। ସାଧାରଣ ବଗି ଭିତରକୁ ପ୍ରବେଶ କରିବା ସହଜ ହୋଇପାରି ନାହିଁ। ରେଳ ଷ୍ଟେସନକୁ ଯିବା ପାଇଁ ଓ ରେଳଷ୍ଟେସନରୁ ଅନ୍ୟତ୍ର ଯିବା ପାଇଁ ଟ୍ୟାକ୍ସି ଭଡ଼ା ପୂର୍ବ ତୁଳନାରେ ଅଧିକ ଦେବାକୁ ପଡ଼ିଥିଲା।

କ’ଣ କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମାଲକାନଗିରି ପରେ ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଗଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୩୬ଟି ବସ୍ ଯୋଗାଇଛନ୍ତି। ଗଜପତି ଜିଲ୍ଲାର ସାତଟି ବ୍ଲକର ଉପାନ୍ତ ପଞ୍ଚାୟତଗୁଡ଼ିକରୁ ବ୍ଲକ୍ ସଦର ମହକୁମାକୁ ‘ଲକ୍ଷ୍ମୀ’ ବସ୍ ଚଳାଚଳ ଆରମ୍ଭ ହୋଇଛି। ଆଜି (୨୦୨୩ ଅକ୍ଟୋବର ୨୦) ଗଜପତି ଲାଗି ଗୌରବର ଦିନ। କିଛି ଦିନ ପୂର୍ବରୁ ‘ଲକ୍ଷ୍ମୀ’ ବସ୍ ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଜନଗଣଙ୍କର ଯୋଜନା। ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡ଼ିହେବ। ଯୋଗାଯୋଗ ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡ଼ିବ।  

ପରିବହନ ମନ୍ତ୍ରୀଙ୍କ ଉତ୍ତର ରଖିଲା ସଂଘ

ଘରୋଇ ମାଲିକ ସଂଘ ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଆରମ୍ଭ କରି ଥିବା ବେଳେ ଏହାକୁ ପ୍ରତ୍ୟାହାର ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅପିଲ କରିଥିଲେ। ସେ ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ କରିବା ସହିତ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପୂଜା ସମୟ ଥିବାରୁ ଘରୋଇ ଯାତ୍ରୀବାହୀ ବସ୍ ମାଲିକମାନେ ସହଯୋଗ କରନ୍ତୁ। ଲୋକେ କିପରି ହଇରାଣ ନ ହେବେ ଏଥି ପାଇଁ ଦୃଷ୍ଟି ଦିଅନ୍ତୁ। ଆସନ୍ତା ୨୬ ତାରିଖରେ ବସ୍ ମାଲିକ ସଂଘ ସହ ଆଲୋଚନା ହେବ। ଲକ୍ଷ୍ମୀ ଯୋଜନା ଲୋକାଭିମୁଖୀ କାମ। ଏହି ଯୋଜନା ମାଧ୍ୟମରେ ଗମନାଗମନ ବ୍ୟବସ୍ଥା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ ୩୧ ତାରିଖ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା।  

ଅହଂକାରୀ ଶାସନ ଚାଲିଛି: ବିଜେପି

ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଯୋଗୁଁ ବଡ଼ ପ୍ରଭାବ ପଡ଼ିଛି। ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଦଶହରା ପର୍ବ ପୂର୍ବରୁ ବସ୍ ବନ୍ଦକୁ ନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଉଁଠି ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି, ତ ଆଉ କେଉଁଠି ରୋଗୀ ଘରକୁ ଫେରିବା ପାଇଁ ଗାଡି ଭଡା କରି ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ବସ୍ ଷ୍ଟାଣ୍ଡରେ ବ୍ୟାଗ୍ ଧରି ବସ୍ ଚଳାଚଳ ସ୍ୱାଭାବିକ୍ ହେବାକୁ ଅପେକ୍ଷା କରି ରହିଛନ୍ତି ଯାତ୍ରୀ। ରାସ୍ତା ଉପରେ ବି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି। ଧର୍ମଘଟ ନେଇ ବିଜେପି କହିଛି, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଥିଲେ ବସ୍ ବନ୍ଦ ହୋଇ ନଥାନ୍ତା। ରାଜ୍ୟରେ ଗୋଟେ ଅହଂକାରୀ ଶାସନ ଚାଲିଛି। ବିଜେଡି ସରକାର କେବଳ ମିଥ୍ୟା କାଗଜ ପ୍ରଚାରରେ ବିଶ୍ୱାସ କରନ୍ତି। ଓଡିଶାବାସୀ କ’ଣ ଚାହାଁନ୍ତି ଏବଂ ଓଡିଶାର ଗମନାଗମନ ସ୍ଥିତି କ’ଣ ରାଜ୍ୟ ସରକାରଙ୍କୁ ଜଣାନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments