Monday, May 20, 2024
Homeଖବରନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି 

ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି 

ଭୁବନେଶ୍ବର: ପଡ଼ୋଶୀ ଛତିଶଗଡ଼ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଆସନ୍ତା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହେବ। ଡିସେମ୍ବର ୩ରେ ଭୋଟ୍ ଗଣତି ସହିତ ଫଳାଫଳ ବାହାରିବ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ବୋଲି ମଧ୍ୟ କିଛି ରାଜନୀତି ବିଶେଷଜ୍ଞ ମନେକରୁଛନ୍ତି। ଉଭୟ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି। ଆଗାମୀ ନିର୍ବାଚନରେ ମଧ୍ୟ କଂଗ୍ରେସ ପୁଣି ଥରେ କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ବାଢ଼ିଛି। ୨ଟି ରାଜ୍ୟରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରସ୍) ଓ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନ୍ଏସ୍) ଶାସନ କରୁଥିବା ବେଳେ ମଧ୍ୟପ୍ରଦେଶରେ କ୍ଷମତାରେ ଅଛି ବିଜେପି।  

୨୦୦୯ ଠାରୁ ଦେଶରେ ବିଜେପି ନେତୃତ୍ବରେ ଏନ୍ଡିଏ ସରକାର କ୍ଷମତାରେ ରହିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଆଗକୁ ଅଗ୍ରସର ହେଉଛି। ଭାରତକୁ ବିଦେଶରେ ପ୍ରଶଂସା କରାଯାଉଛି। ଆମେରିକା, ରୁଷିଆ, ଜାପାନ, ଅଷ୍ଟ୍ରେଲିଆ, ବ୍ରିଟେନ ସମେତ ଚୀନ ବ୍ୟତୀତ ଅନ୍ୟ ଏସୀୟ ରାଷ୍ଟ୍ରମାନେ ବହୁତ ସମ୍ମାନ ଦେଉଛନ୍ତି। କିନ୍ତୁ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ୫ଟି ରାଜ୍ୟ ପାଇଁ ପ୍ରଚାର କରୁଛି। ନିଜ ଘୋଷଣାପତ୍ରରେ ଅନେକ ଜନକଲ୍ୟାଣ ମୂଳକ ଯୋଜନା ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ମତଦାତାମାନେ କଂଗ୍ରେସର ଘୋଷଣା ପତ୍ରରେ ଆକର୍ଷିତ ହୋଇ ଭୋଟ ଦେବେ କି ନାହିଁ ତାହା ସମୟ କହିବ।

ନିର୍ବାଚନ ଜିତିଲେ କ’ଣ ଦେବ କଂଗ୍ରେସ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିଛି। ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ୧୦୧ ଗ୍ୟାରେଣ୍ଟି ବାବଦରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ କରେ, ତେବେ ମଧ୍ୟପ୍ରଦେଶ ପାଇଁ ଆମେ ଏକ ଅଲଗା ଆଇପିଏଲ ଦଳ ଗଠନ କରିବୁ। ରାଜ୍ୟରେ ୭୦% ରୁ ଅଧିକ ଲୋକ କୃଷି ସହ ଜଡିତ। ଚାଉଳ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା ଏବଂ ଗହମ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କାରେ କ୍ରୟ କରାଯିବ। ଏହା ବ୍ୟତୀତ ଗୋବର ମଧ୍ୟ କ୍ରୟ କରାଯିବ। ୨ ଲକ୍ଷ ନୂତନ ନିଯୁକ୍ତି ଦିଆଯିବ। ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ ପଛୁଆ ବର୍ଗ (ଓବିସି) ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ।

ଝିଅ ବାହାଘର ବେଳେ ମାଗଣାରେ ସୁନା
କେସିଆରଙ୍କ ନେତୃତ୍ବରେ ପରିଚାଳିତ ତେଲେଙ୍ଗାନାରେ ଟକ୍କର ଦେବା ପାଇଁ କଂଗ୍ରେସ ଅଣ୍ଟା ଭିଡିଛି। ଆଗାମୀ ବିଧାନସଭା ନିର୍ବାଚନରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ କଂଗ୍ରେସ ସ୍ବତନ୍ତ୍ର ଘୋଷଣାପତ୍ର ପ୍ରକାଶ କରିଛି, ଯେଉଁଥିରେ ବି ମତଦାତା ଆକର୍ଷିତ ହୋଇପାରିବେ। କଂଗ୍ରେସ ଏଥିରେ ଗରିବ ପରିବାରକୁ ଝିଅ ବିବାହ ସମୟରେ ୧୦ ଗ୍ରାମ ସୁନା ସହିତ ୧ ଲକ୍ଷ ଟଙ୍କା ସହାୟତା ଦେବ ବୋଲି କହିଛି। ସେହିଭଳି ହିମାଚଳ ଭଳି ତେଲେଙ୍ଗାନାରେ ମଧ୍ୟ ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ କରିବା, ହାଇଦ୍ରାବାଦ ମେଟ୍ରୋରେ ମହିଳା ଓ ଛାତ୍ରୀଙ୍କୁ ମାଗଣାରେ ଯାତ୍ରା ସେବା ଯୋଗାଇବା, ଛାତ୍ରଛାତ୍ରୀଙ୍କୁ ମାଗଣାରେ ଇଣ୍ଟରନେଟ ସୁବିଧା ଦେବା ସହିତ କିନ୍ନରଙ୍କ ପାଇଁ ସର୍ବସାଧାରଣ ଶୌଚାଳୟ, ବସ୍ରେ ସଂରକ୍ଷିତ ସିଟ ରଖିବ ବୋଲି କହିଛି।

ଛତିଶଗଡ଼ରେ ପ୍ରଚାର କରିବେ ୩ ଓଡ଼ିଆ
ନଭେମ୍ବର ୭ ଏବଂ  ୧୭ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଛତିଶଗଡ଼ରେ ନିର୍ବାଚନରେ ପ୍ରଚାର ପାଇଁ ୪୦ଜଣିଆ ଏଆଇସିସିର ତାରକା ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ତିନିଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା ତାଲିକାରେ ସାମିଲ ଅଛନ୍ତି। ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତି ଶାସକ ବିଜେଡି ଓ ବିରୋଧୀ ବିଜେପି ଭଳି ନଥିଲେ ବି ଏଆଇସିସି ଓଡ଼ିଆ କଂଗ୍ରେସ ନେତାକୁ ଛତିଶଗଡ଼ରେ ନିର୍ବାଚନ ପ୍ରଚାର ପାଇଁ ସାମିଲ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments