Monday, May 20, 2024
Homeଚାଷୀ ଆନ୍ଦୋଳନ ହେବ ହାଇଟେକ୍
Array

ଚାଷୀ ଆନ୍ଦୋଳନ ହେବ ହାଇଟେକ୍

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ଧୀରେ ଧୀରେ ଶୀତ କମିବାରେ ଲାଗିଛି । ଜାନୁଆରୀ ମାସ ଭଳି ଆଉ ଥଣ୍ଡା ଲାଗୁନାହିଁ । ଉତ୍ତର ଭାରତରେ ମଧ୍ୟ ପୂର୍ବଭଳି ଆଉ ଶୀତଲହରୀ ଅନୁଭୂତ ହେଉନାହିଁ । ହେଲେ ତିନି କୃଷି ଆଇନକୁ ବିରୋଧରେ ଦିଲ୍ଲୀ ସୀମାରେ ପୂର୍ବ ଭଳି ଚାଷୀନେତାମାନଙ୍କ ଆନ୍ଦୋଳନ ଜାରି ରହିଛି । ଗ୍ରୀଷ୍ମ ଋତୁରେ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ । ପୂର୍ବରୁ ଚାଷୀ ନେତାମାନେ ଘୋଷଣା କରିଛନ୍ତି ଯେ, ଆନ୍ଦୋଳନକୁ ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଶେଷ କରାଯିବାର ଆଶଙ୍କା କମ । ସେହି ଆଧାରରେ ଚାଷୀମାନେ ନିଜକୁ ପ୍ରସ୍ତୁତ କରିଛନ୍ତି ।

ଶୀତ କମିଥିବାରୁ ଏବେ ଚାଷୀମାନେ ଗ୍ରୀଷ୍ମ ଋତୁରେ ଆନ୍ଦୋଳନକୁ କିଭଳି ଜାରି ରଖିବେ ସେ ନେଇ ପ୍ରସ୍ତୁତ ହେଉଛନ୍ତି । ଖରାଦିନ ଆସିଲେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପହଂଚିପାରେ । ତେଣୁ ଚାଷୀନେତାମାନେ ଏଥିପାଇଁ ବିକଳ୍ପ ରାସ୍ତା ଖୋଜିଛନ୍ତି । ପ୍ରବଳ ଖରା ଓ ଗରମରେ ସେମାନେ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ଭିତରେ ବିଶ୍ରାମ ନେବାକୁ ଯୋଜନା କରୁଛନ୍ତି । ଖରା କମିଗଲେ ଆନ୍ଦୋଳନ ପାଇଁ ବାହାରକୁ ଆସିବେ । ଯେତେ ଖରା ହେଲେ ବି ଚାଷୀମାନେ ନିଜ ଅଧିକାର ପାଇବାକୁ ଦିଲ୍ଲୀ ସୀମାରେ ଗର୍ଜିବେ ।

ଖରାଦିନେ ଅଟକିବନି ଆନ୍ଦୋଳନ: ଟିକାୟତ

ଭାରତୀୟ କିଷାନ ୟୁନିୟନ (ବିକେୟୁ)ର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ ଶନିବାର କହିଛନ୍ତି ଯେ, ଚାଷୀ ଆନ୍ଦୋଳନର ଆଗାମୀ ଦିନ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି । ଖରା ହେଉ ଅଥବା ବର୍ଷା । ଚାଷୀ ଆନ୍ଦୋଳନକୁ କେହି ଅଟକାଇପାରିବେ ନାହିଁ । ଗ୍ରୀଷ୍ମ ଋତୁ ଆସିଲେ ଆନ୍ଦୋଳନସ୍ଥଳରେ ଥିବା ଟେଣ୍ଟରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବ । ଏସି ବ୍ୟବସ୍ଥା କରିବା ପାଇଁ ବିଦ୍ୟୁତ ସଂଯୋଗର ଆବଶ୍ୟକତା ରହିଛି । କିନ୍ତୁ ଏହି ସୁବିଧା ହୋଇ ନପାରିଲେ ଏସି ପାଇଁ ଜେନେରେଟର ଲଗାଯିବ । ବର୍ଷା ଦିନରେ ଆନ୍ଦୋଳନ ଜାରି ରଖିବାକୁ କୌଣସି ପ୍ରକାରର ଅସୁବିଧା ନାହିଁ ।

ଲାଗିବ ଜେନେରେଟର, ଚାଲିବ ଏସି

ଶନିବାର ଧାରଣାସ୍ଥଳରେ ଥିବା ମଂଚ ଉପରେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ, ଆନ୍ଦୋଳନ ପାଇଁ ଗାଁର ଲୋକେ ପାଣି ଦେଉଛନ୍ତି । ରାସନ ସାମଗ୍ରୀ ଓ ଅନ୍ୟ ପ୍ରକାରର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । ସରକାର ଆନ୍ଦୋଳନସ୍ଥଳକୁ ବିଦ୍ୟୁତ ସଂଯୋଗ ଦିଅନ୍ତୁ । ଅଥତ ଏସି ଓ କୁଲର ଲଗାଇବା ପାଇଁ ଜେନେରେଟର ବ୍ୟବସ୍ଥା କରାଯିବ । ଜେନେରେଟର ଲଗାଇବା ପାଇଁ ଡିଜେଲ ଆସିବ ବୋଲି ଟିକାୟତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୮୧ ଦିନରେ ଚାଷୀ ଆନ୍ଦୋଳନ

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୪ ତାରିଖରେ ଚାଷୀ ଆନ୍ଦୋଳନ ୮୧ ଦିନରେ ପହଂଚିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଓ ଚାଷୀନେତାମାନଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବିଭିନ୍ନ ସମୟରେ ମନ୍ତ୍ରୀମାନେ ଚାଷୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଚାଷୀ ନେତାମାନଙ୍କର ଗୋଟିଏ ଜିଦ ନୂଆ କୃଷି ଆଇନକୁ ବାତିଲ କରାଯାଉ । କୃଷି ଆଇନକୁ ବିରୋଧ କରି ଗତବର୍ଷ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ପାଳନ ହୋଇଥିଲା । ଏହି ଆନ୍ଦୋଳନରେ କଂଗ୍ରେସ, ଏନସିପି, ସିପିଆଇ, ଆରଜେଡି, ଶିବସେନା ସମେତ ଅନ୍ୟ ବିରୋଧୀ ଦଳ ଓ ଶ୍ରମିକ ସଂଗଠନ ସମର୍ଥନ ଜଣାଇଥିଲେ । ସେହିପରି ଗତ ୬ ତାରିଖ ଦିନ ୩ ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments