Monday, May 20, 2024
Homeଚାଷ ଜମି କରିଛି ଆଁ, ଖୋଜୁଛି ବଡ଼ ବର୍ଷା
Array

ଚାଷ ଜମି କରିଛି ଆଁ, ଖୋଜୁଛି ବଡ଼ ବର୍ଷା

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହୋଇଛି। ଲଘୁଚାପ ଘନୀଭୂତ ହେବା ଦ୍ବାରା ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ପୁରୀ, ଖୋର୍ଦ୍ଧା, କଟକ ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ଶନିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବାରୁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।

ରାଜ୍ୟର ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ବର୍ଷାର ଘୋର ଅଭାବ ଦେଖାଯାଇଛି। ଗଂଜାମ, ନବରଂଗପୁର, କଳାହାଣ୍ଡି, ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ଅଭାବ କାରଣରୁ ଚାଷ ଜମି ଆଁ କରିଛି। ବର୍ଷାର ଅଭାବ କାରଣରୁ ଧାନ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି। ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀ ହତାଶ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି। ଶହ ଶହ ଏକର ଜମିରେ ପାଣି ନାହିଁ। ମାଟି ଫାଟି ଯାଇଛି। ସତେ ଅବା ବର୍ଷା ଜଳକୁ ଅପେକ୍ଷା କରିଛି। କେବଳ ଧାନ ଚାଷ ନୁହେଁ, ବରଂ କପା ଓ ଅନ୍ୟ ଚାଷ ପାଇଁ ମଧ୍ୟ ବର୍ଷାର ଆବଶ୍ୟକତା ରହିଛି।

ପୁରୀରେ ପ୍ରବଳ ବର୍ଷା

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶନିବାର ଲଗାଣ ବର୍ଷା ହୋଇଛି। ପୁରୀ ସହରରେ ଚଳିତ ବର୍ଷ ପ୍ରଥମ ଥର ବଡ଼ ବର୍ଷା ହୋଇଛି। ବଡ଼ଦାଣ୍ଡ ଜଳାର୍ଣ୍ଣବ ହୋଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯାତାୟତରେ ଅସୁବିଧା ହୋଇଛି। ବାହାରୁ ଆସିଥିବା ଲୋକେ ବଡ଼ ହଇରାଣର ସାମ୍ନା କରିଛନ୍ତି। ଜିଲ୍ଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରର ବେଢା ଜଳମଗ୍ନ ହୋଇଛି। ସକାଳ ୯ଟାରୁ ମଧ୍ୟାହ୍ନ ଗୋଟାଏ ଯାଏଁ ହୋଇଥିବା ପ୍ରବଳ ବର୍ଷାରେ ଅଲାରନାଥ ମନ୍ଦିର ପରିସର ବର୍ଷା ପାଣିରେ ବୁଡି ରହିଥିବା ଯୋଗୁଁ ଦିଅଁ ଦର୍ଶନରେ ବାଧା ଉପୁଜିଛି। ନିମାପଡ଼ା ଶାଖା କେନାଲର ଗିରିଙ୍ଗି ହରିଜନ ସାହି ମଙ୍ଗଳା ମନ୍ଦିର ନିକଟରେ ୧୫ ଫୁଟର ଘାଇ ସୃଷ୍ଟି ହୋଇ ଗାଁରେ ପାଣି ପଶିଛି।  ଗାଁରେ କେନାଲ ପାଣି ପଶି କୃତିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଗାଁର ୧୦ଟି ପରିବାର ପାଣି ଘେରରେ ରହିଛନ୍ତି। ଘର ଭିତରେ ଲହଡ଼ି ମାରୁଛି କେନାଲ ପାଣି।

ଭୁବନେଶ୍ବର ରାସ୍ତା ଜଳାର୍ଣ୍ଣବ

ରାଜଧାନୀ ଭୁବନେଶ୍ବରରେ ଶନିବାର ସକାଳ ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଏହା ପରଠାରୁ ଦିନତମାମ ତୁହାକୁ ତୁହା ବର୍ଷା ହୋଇଥିଲା। ଇସ୍କନ ମନ୍ଦିର ଓ  ବମିଖାଲରେ ରାସ୍ତାରେ ପାଣି ଭର୍ତ୍ତି ହୋଇଯିବାର ଯାତାୟତ ଘୋର ପ୍ରଭାବିତ ହୋଇଥିଲା। ରାସ୍ତା ଉପରେ ୨ରୁ ୩ ଫୁଟ ପାଣି ଭର୍ତ୍ତି ହୋଇଥିଲା। ଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହୋଇଥିଲେ। ଭୁବନେଶ୍ବର ଉପକଣ୍ଠ ଜଟଣୀରେ ସ୍ଥିତି ଆହୁରି ଉଦ୍ବେଗ ପରିସ୍ଥିତି ଦେଖାଯାଇଥିଲା। ଖୋର୍ଦ୍ଧାରୁ ଜଟଣୀ ଓ ସୁନ୍ଦରପଦା ଦେଇ ଯାଉଥିବା ବେଳେ ଜଟଣୀ ରେଳ ଓଭରବ୍ରିଜ୍ ତଳେ ‘ମୋ ବସ୍’ ବର୍ଷା ପାଣିରେ ଫସି ରହିଥିଲା । ସେହି ସମୟରେ ବସ୍ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ। ବସ୍ଟି ପାଣିରେ ବୁଡ଼ିଯିବା ଫଳରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।  

ଚାଷୀ ମୁହଁରେ ହସ ଫୁଟିବ!

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରୁ ରାଜ୍ୟରେ ଗତ କିଛି ଦିନ ହେଲା ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବା ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ କୋରାପୁଟ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments