Thursday, May 9, 2024
Homeଖବରଚୋରଙ୍କ ରାତି ଲଗାଣ ବର୍ଷା, ଅନ୍ଧାରରାତି

ଚୋରଙ୍କ ରାତି ଲଗାଣ ବର୍ଷା, ଅନ୍ଧାରରାତି

ଭୁବନେଶ୍ବର: ଚୋରମାନଙ୍କ ପାଇଁ ସବୁଠାରୁ ଭଲ ସମୟ ହେଲା ନିର୍ଜନ ସ୍ଥାନ, ଅନ୍ଧାରରାତି, ହାଡ଼ଭଙ୍ଗା ଶୀତରାତି ଓ ଅନ୍ଧାରରାତି। ଏହି ସବୁ ପରିସ୍ଥିତିରେ ଚୋରଙ୍କ ଲାଭ ହୋଇଥାଏ। ନିର୍ଜନ ସ୍ଥାନ, ଅନ୍ଧାରରାତି, ହାଡ଼ଭଙ୍ଗା ଶୀତରାତି ଓ ଅନ୍ଧାରରାତିରେ ଚୋରମାନେ ସାହସ ଜୁଟାଇ ପାରିଥାନ୍ତି। ଦୋକାନ-ବଜାର, ବ୍ୟାଙ୍କ, ଧନିଶ୍ରେଣୀର ଲୋକ ଓ ମନ୍ଦିରକୁ ଟାର୍ଗେଟ କରିପାରିଥାନ୍ତି। କମ୍ ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କାର ଚୋରି କରିପାରନ୍ତି। ମଙ୍ଗଳବାର-ବୁଧବାର ରାତିରେ ଲଗାଣ ବର୍ଷା ସାଙ୍ଗକୁ ଅନ୍ଧାର ରାତିର ସୁଯୋଗ ନେଇ ଚୋରମାନେ ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ଓ ରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି କରି ଫେରାର ହୋଇଯାଇଛନ୍ତି।

୨୦୨୪ ମାର୍ଚ୍ଚ ୧୯ ତାରିଖ ରାତିରେ ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଚୋରମାନେ ଗ୍ୟାସ କଟର ସହାୟତାରେ ହୁଣ୍ଡି ବାକ୍ସ କାଟିଛନ୍ତି। ବୁଧବାର ଦିନ ସକାଳୁ ପଞ୍ଚିଲିଙ୍ଗେଶ୍ବର ଟ୍ରଷ୍ଟର କିଛି ସଦସ୍ୟ ଏହି ଘଟଣା ସଂପର୍କରେ ଅବଗତ ହେଲା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ଗତ ୬ ମାସ ହେବ ହୁଣ୍ଡି ବାକ୍ସ ଖୋଲାଯାଇନଥିବାରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରି ହୁଣ୍ଡି ବାକ୍ସରେ ଦାନ କରିଥିବା ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଚର୍ଚ୍ଚା ହେଉଛି। ବିଳମ୍ବିତ ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତ ହୁଣ୍ଡିବାକ୍ସ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଟ୍ରଷ୍ଟର ମାନେଜର।

ରାମ ମନ୍ଦିରରୁ ଟଙ୍କା, ସୁନା ଚୋରି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଗତ ଜାନୁଆରି ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆୟୋଜିତ ହୋଇଥିଲା। ଏହି ଦିନରେ ନୟାଗଡ଼ ଜିଲ୍ଲା ଫତେଗଡ ପାହାଡ ଉପରେ ମଧ୍ୟ ନବ ନିର୍ମିତ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ତେବେ ମଙ୍ଗଳବାର-ବୁଧବାର ରାତିରେ ପ୍ରବଳବର୍ଷା ଓ ଅନ୍ଧାରରାତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା, ସୁନା ଓ ରୁପା ଲୁଟିନେଇଛନ୍ତି। ବୁଧବାର ଦିନ ସକାଳୁ ମନ୍ଦିର ପୂଜାରୀ  ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଓ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି

ପୁରୀ ଜିଲ୍ଲା ସତ୍ୟବାଦୀର ଐତିହ୍ୟ ପୀଠ ସାକ୍ଷୀଗୋପାଳ ମନ୍ଦିରରୁ ଗତବର୍ଷ ଡିସେମ୍ବର ୧୬ ତାରିଖ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିରର ଦକ୍ଷିଣ ଦ୍ବାର ନିକଟରେ ଥିବା ପାଚେରୀ ଡେଇଁ ପଶିଥିଲେ। ସାକ୍ଷୀଗୋପାଳ, ରାଧାରାଣୀଙ୍କ ବିଜେ ପ୍ରତିମାଙ୍କ ମନ୍ଦିର ତାଲା ଭାଙ୍ଗି ସମସ୍ତ ସୁନା ଅଳଙ୍କାର ଓ ହୁଣ୍ଡିବାକ୍ସରେ ଥିବା ସମସ୍ତ ଟଙ୍କାକୁ ଲୁଟି ନେଇ ଫେରାର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେହିମାସ ୧୩ ତାରିଖ  ବିଳମ୍ୱିତ ରାତିରେ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ପୋଇତରା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ସୁନା ରୁପା ଅଳଙ୍କାର ସହିତ ଦୁଇ ଗୋଟି ଦାନବାକ୍ସ ଚୋରି କରି ନେଇଥିଲେ।

ପୁରୀରେ ୩ ମନ୍ଦିରରୁ ଚୋରି

ଗତ ଫେବ୍ରୁଆରି ମାସରେ ପୁରୀ ସହରରର ତିନିଟି ମନ୍ଦିରରୁ ଚୋରି ହୋଇଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ୨୫ ତାରିଖରେ ପୁଣି ଗୁଣ୍ଡିଚା ମନ୍ଦିର ପଛପାର୍ଶ୍ବ ଗୁଣ୍ଡିଚା ବିହାରସ୍ଥିତ ଶ୍ରୀଚନ୍ଦ୍ରଶେଖର ମନ୍ଦିରରୁ ମୂର୍ତ୍ତି ଚୋରି ଉଦ୍ୟମ ହୋଇଥିଲା। ତେବେ ମୂର୍ତ୍ତି ନେବାରେ ବିଫଳ ହେବାପରେ ଠାକୁରଙ୍କ ବାସନ, ଆସବାବ ଓ କିଛି ଟଙ୍କା ଚୋରାଇ ନେଇଥିଲେ ଚୋର। ଏହା ପୂର୍ବରୁ ୧୩ ତାରିଖରେ ସର୍ବୋଦୟନଗରସ୍ଥିତ ମୁକ୍ତେଶ୍ବର ମନ୍ଦିରରୁ ୧୮ କେଜି ଓଜନର ୧୭ ଇଞ୍ଚ ବିଶିଷ୍ଟ ପିତଳ ଶିବପାର୍ବତୀ ମୂର୍ତ୍ତି ଚୋରି ହୋଇଥିଲା। ଏହାବ୍ୟତୀତ ୪ଟି ସୁନା ଲକେଟ୍, ରୁପା ମୁକୁଟ ଓ ଅନ୍ୟ ଅଳଙ୍କାର ଚୋରି ହୋଇଥିଲା। ତେବେ ଏସବୁ ମୂଲ୍ୟବାନ ମୂର୍ତ୍ତି ଓ ଅଳଙ୍କାରକୁ ଚୋର ମାତ୍ର ୪୭୦୦ ଟଙ୍କାରେ ବିକ୍ରି କରି ଦେଇଥିଲା। ୨୩ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣ-ପଶ୍ଚିମ କୋଣସ୍ଥିତ କପାଳମୋଚନ ମନ୍ଦିର ପରିସରରୁ ଲକ୍ଷ୍ମୀନୃସିଂହଙ୍କ ପ୍ରାୟ ୧ ଫୁଟର ଯୁଗଳ ମୂର୍ତ୍ତି ଚୋରି କରିନେଇଥିଲେ।

ଚୋରଙ୍କ ଟାର୍ଗେଟରେ ଅଷ୍ଟଧାତୁ ମୁର୍ତ୍ତି

ଶ୍ରୀକ୍ଷେତ୍ର ଐତିହ୍ୟ ସହର ହୋଇଥିବା ବେଳେ ବହୁ ଐତିହାସିକ ମନ୍ଦିରରେ ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ମୂର୍ତ୍ତି ଉପରେ ଚୋରମାନଙ୍କର ଲୋଲୁପ ଦୃଷ୍ଟି ରହିଛି। ବିଶେଷକରି ଅନ୍ତର୍ଜାତୀୟ ବଜାର ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ଆଦି ଦେଶରେ ଅଷ୍ଟଧାତୁ ମୂର୍ତ୍ତି ବହୁମୂଲ୍ୟରେ ବିକ୍ରି ହେଉଥିବା ନେଇ ପୁଲିସ ପୂର୍ବରୁ ଖୋଳତାଡ଼ କରିଛି। ଏପରିକି କ୍ରାଇମବ୍ରାଞ୍ଚର ମୂର୍ତ୍ତି ଚୋରି ନେଇ ସ୍ବତନ୍ତ୍ର ସେଲ୍ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେତିକି ମୂର୍ତ୍ତି ଚୋରି ହେଉଛି, ତା ମଧ୍ୟରୁ ଉଦ୍ଧାର ମୂର୍ତ୍ତି ସଂଖ୍ୟା ବହୁତ କମ୍। ଏନେଇ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ପୁରୀର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ଅନ୍ୟ ରାଜ୍ୟର ଚୋର ମାଧ୍ୟମରେ ବିଦେଶକୁ ଚଢ଼ା ଦରରେ ବିକ୍ରି କରାଯାଉଛି। ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments