Thursday, May 9, 2024
Homeଅତିଥି ସ୍ତମ୍ଭଛତୁଆ ଯୋଗାଣରେ ବାଟମାରଣା! 

ଛତୁଆ ଯୋଗାଣରେ ବାଟମାରଣା! 

ବାରିପଦା: ରାଜ୍ୟର ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ସରକାର ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପ୍ରଦାନ କରାଯାଉଥିବା ଏହି ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିଭାଗ ପକ୍ଷରୁ ମଧ୍ୟ ଏ ବାବବରେ କିଛି ଅନୁଧ୍ୟାନ କରାଯାଉନାହିଁ। ଫଳରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଆଳରେ ନିମ୍ନମାନର ଛତୁଆ ବଣ୍ଟନ ଚାଲିଥିବା ଅନେକ ଥର ଅଭିଯୋଗ ଆସୁଛି। ନିର୍ଦ୍ଦିଷ୍ଟ ଛତୁଆ ପ୍ରସ୍ତୁତକାରୀ ସଂସ୍ଥାକୁ ବର୍ଷବର୍ଷ ଧରି ଦାୟିତ୍ବ ଦିଆଯାଉଛି। ଅବଧି ଶେଷ ପରେ ତୁରନ୍ତ ଚୁକ୍ତି ନବୀକରଣ କରାଯାଉଛି ପଛେ, ନୂଆ ସଂସ୍ଥାଙ୍କୁ ସୁଯୋଗ ଦିଆଯାଉନି। ପରସ୍ପର ସଲାସୁତରାରେ ନିମ୍ନମାନର ଛତୁଆ ଯୋଗାଣ କରି ଲକ୍ଷଲକ୍ଷ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି।

ରିପୋର୍ଟ ଅନୁସାରେ, ରାଜ୍ୟରେ ୬ରୁ ୨୩ ମାସର ମାତ୍ର ୨୦.୪ ପ୍ରତିଶତ ଶିଶୁହିଁ ଯଥେଷ୍ଟ ଖାଦ୍ୟ ପାଆନ୍ତି। ଏଠାରେ ୫ ବର୍ଷରୁ କମ ଶିଶୁ ମୃତ୍ୟୁ ହାର ୪୧.୧ ପ୍ରତିଶତ। ଏନଏଫଏଚଏସ-୫ ଅନୁଯାୟୀ, ରାଜ୍ୟର ୨୭ ପ୍ରତିଶତ ଶିଶୁ ଜୀବନର ୨୮ ଦିନ ମଧ୍ୟ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି। ଅର୍ଥାତ ଗର୍ଭାବସ୍ଥାରେ ମା ଏବଂ ଗର୍ଭସ୍ଥ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟର ଅଭାବ ରହୁଛି। ସମୟ ପୂର୍ବରୁ କିମ୍ବା ଗୁରୁତର ସ୍ଥିତି ପ୍ରସବ ହେଉଥିବାରୁ ନବଜାତଙ୍କ ମୃତ୍ୟୁ ହେଉଛି। ଶିଶୁ ମୃତ୍ୟୁ ହାର ୩୬.୩ ପ୍ରତିଶତ ରହିଛି। ୬ରୁ ୫୯ ମାସର ୬୪.୨ ପ୍ରତିଶତ ଶିଶୁ, ୧୫ରୁ ୪୯ ବର୍ଷିୟା ୬୪.୩ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ଅଛନ୍ତି।

ମୟୂରଭଂଜରେ ବ୍ୟାପକ ଅନିୟମିତା

ଛତୁଆର ଗଣାତ୍ମକ ମାନ ଠିକ୍ ରହୁନାହିଁ। ଓଜନ ମାପରେ ବି ସେମାନେ ଘୋଟାଲା ହେଉଛି। ପ୍ରଶାସନ ପାଖରେ ଏକାଧିକ ଅଭିଯୋଗ ପହଞ୍ଚିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ମୟୂରଭଂଜ ଜିଲ୍ଲାରେ ମାସକୁ ୩୭ ଲକ୍ଷରୁ ଅଧିକ ଟଙ୍କା ବାଟମାରଣା କରାଯାଉଥିବା ବେଳେ ନିମ୍ନମାନର ଖାଦ୍ୟ ଦେଇ ପରୋକ୍ଷରେ ଶିଶୁ ଓ ମହିଳାମାନଙ୍କ ଜୀବନ ସହ ଖେଳାଯାଉଛି ବୋଲି କିଛି ଦିନ ତଲେ ଗଣମାଧ୍ୟମରେ ଖବର ପ୍ରକାଶ ଥିଲା। ଯଦି ମୟୂରଭଂଜରେ ଏଭଳି ହୋଇପାରିଛି, ତାହେଲେ ରାଜ୍ୟର ଅନ୍ୟସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ହେଉଥିବ ବୋଲି ସନ୍ଦେହ ହେଉଛି। ଅତୀତରେ ଛତୁଆ ଦୁର୍ନୀତି ମାମଲା ମଧ୍ୟ ଦେଖିବାକୁ ମିଳିଛି। ଅନେକ ସମୟରେ ଦୁର୍ନୀତି ନେଇ ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ ମାମଲା ଚାପି ଦିଆଯାଉଛି।  

ଛତୁଆରେ ପୋକ!

ଗତମାସ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ କରଡ଼ାପଡ଼ା ପଞ୍ଚାୟତ ଗୁଣ୍ତୁରୀବାରୀ ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ଓ ସୁଜି-ହାଲୁଆ ପ୍ୟାକେଟ୍ରେ ପୋକ ସାଲୁବାଲୁ ହୋଇଥିବାରୁ ସ୍ଥାନୀୟ ଅଭିଭାବକ ଅଙ୍ଗନବାଡ଼ି କେନ୍ଦ୍ରରେ ଅଭିଯୋଗ କରିଥିଲେ। ଏଠାରେ ହାଲୁଆ ପ୍ୟାକେଟକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ନେଇ ତାତି ଉଠିଛନ୍ତି ଅଭିଭାବକ ଗୁଣ୍ତୁରୀବାରୀ ଅଙ୍ଗନବାଡ଼ି କେନ୍ଦ୍ରରେ ୯ ଜଣ କୋମଳମତି ଶିଶୁ ପାଠ ପଢ଼ୁଛନ୍ତି। ଏହି କେନ୍ଦ୍ର ଚାରିପଟେ ବର୍ଷା ଦିନ ଆସିଲେ ପାଣି ଜମି ରହିବା ଦ୍ବାରା ପିଲାମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବର୍ଷାଦିନେ ପାଣିରେ ଯିବାଆସିବା କରିବା ଦ୍ବାରା ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

୨୫ ଲକ୍ଷ ଶିଶୁ ଓ ମହିଳାଙ୍କୁ ଛତୁଆ

ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରତିଦିନ ରାଜ୍ୟର ୨୫ ଲକ୍ଷ ଶିଶୁ ଓ ମହିଳାଙ୍କୁ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଛତୁଆ ଦିଆଯାଇଥାଏ। ଏଥିରେ ୧୮ ଲକ୍ଷ ଶିଶୁ, ୩.୮ ଲକ୍ଷ ସ୍ତନପାନ କରାଉଥିବା ମା, ୩.୭ ଲକ୍ଷ ଗର୍ଭବତୀ ମହିଳା ସାମିଲ ଅଛନ୍ତି। ଅପପୁଷ୍ଟି ନେଇ ଶିଶୁଙ୍କ ସ୍ବାସ୍ଥ୍ୟଗତ ସ୍ଥିତି ଅନୁଯାୟୀ ସେମାନଙ୍କୁ ଗୋଟିଏ ମାସରେ ଗୋଟିଏ କିମ୍ବା ଦୁଇଟି ପ୍ୟାକେଟର ଛତୁଆ ଦେବାର ବ୍ୟବସ୍ଥା କରାଯାଇଛି। ୫୬୮ଏସଏଚ୍ଜିର ୭ ହଜାର ମହିଳା ଛତୁଆ ପ୍ରସ୍ତୁତ କରି ଯୋଗାଣ କରିଥାଆନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଗହମ ସହିତ ଅନ୍ୟାନ୍ୟ କଞ୍ଚାମାଲ ଦିଆଯାଏ। ରାଜ୍ୟରେ ଛୋଟପିଲା ଓ ଗର୍ଭବତୀ ତଥା ସ୍ତନ୍ୟପାନ ମହିଳାମାନଙ୍କୁ ଦିଆଯାଉଥିବା ଛତୁଆ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଥାନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments