Thursday, May 9, 2024
Homeଅନ୍ୟାନ୍ୟଗୋବଂଶ ସୁରକ୍ଷା ଓ ଦୁଗ୍ଧଚାଷୀଙ୍କ ବିକାଶ

ଗୋବଂଶ ସୁରକ୍ଷା ଓ ଦୁଗ୍ଧଚାଷୀଙ୍କ ବିକାଶ

ଭୁବନେଶ୍ୱର: ବିଶ୍ୱରେ ଉତ୍ପାଦିତ ହେଉଥିବା କ୍ଷୀରୁ ଭାରତ ସର୍ବାଧିକ ୨୪ପ୍ରତିଶତ କରିଥାଏ । ବିଶ୍ୱସ୍ତରରେ ଦୁଗ୍ଧ ଉତ୍ପାଦନରେ ଭାରତର ସ୍ଥାନ ପ୍ରଥମ ବୋଲି ୨୦୨୧-୨୨ରେ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି । ବିଗତ ୮ ବର୍ଷ ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ ୫୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୪-୧୫ରେ ତୁଳନାରେ ୨୦୨୧-୨୨ରେ ଏହା ୨୨୧.୦୬ ମିଲିୟନ ଟନ୍ ଦୁଗ୍ଧ ଅଧିକ ଉତ୍ପାଦିତ ହୋଇଛି । ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶାରେ ସର୍ବାଧିକ ଦୁଗ୍ଧ ଉତ୍ପାଦିତ ହେଉଛି ।

ଭାରତ ଏକ ବୃହତ ଦେଶ ହୋଇଥିବାରୁ ଏଠାରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରହିଛି । ତେଣୁ ଅନ୍ୟ ଖାଦ୍ୟଶସ୍ୟ ଭଳି ଦୁଗ୍ଧର ଚାହିଦା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଗୋପାଳକ ତଥା ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଚାଷୀମାନଙ୍କୁ ସବ୍‌ସିଡି ଆଧାରରେ ଋଣ ଯୋଗାଇ ଦେଉଛନ୍ତି । ଗାଈ କିଣିବା ଠାରୁ ଆରମ୍ଭ କରି ଫାର୍ମ, ବୀମା, ଦାନା, ଔଷଧ ଆଦିକୁ ସୁଲଭ ମୂଲ୍ୟରେ ବିକ୍ରି କରୁଛନ୍ତି ।

ନନ୍ଦିନୀ କୃଷକ ସମୃଦ୍ଧି ଯୋଜନା

ଦେଶର ଗ୍ରାମାଞ୍ଚଳରେ ଲୋକେ ପଶୁପାଳନ କରି ଆୟକୁ ବଡ଼ ସ୍ରୋତ ଭାବୁଛନ୍ତି । ବହୁ ସଂଖ୍ୟାରେ ଚାଷୀମାନେ ଛୋଟ-ବଡ଼ ଡାଏରି ଖୋଲି ଭଲ ରୋଜଗାର କରୁଛନ୍ତି । ସରକାର ମଧ୍ୟ ଏଥି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏହିକ୍ରମରେ ଉତ୍ତର ପ୍ରଦେଶ ସରକାର ଗୋବଂଶ ସୁରକ୍ଷା ଓ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ନନ୍ଦବାବା ମିସନ ବଳରେ ନନ୍ଦିନୀ କୃଷକ ସମୃଦ୍ଧି ଯୋଜନା ପରିଚାଳନା କରୁଛନ୍ତି । ଏହି ଯୋଜନା ଅନୁସାରେ ସରକାର ଦୁଗ୍ଧ ଦେଉଥିବା ୨୫ଟି ଗାଈର ୩୫ଟି ଶାଖା ପ୍ରତିଷ୍ଠା କରିବା ପାଇଁ ଗାଈ କିଣା ଠାରୁ ଆରମ୍ଭ କରି ଏହାର ସଂରକ୍ଷଣ ଏବଂ ଭରଷପୋଷଣ ଲାଗି ସବ୍‌ସିଡି ଦେଉଛନ୍ତି । ଏହି ସବ୍‌ସିଡି ୩ଟି ପର୍ଯ୍ୟାୟରେ ଦିଆଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନା ଅଯୋଧ୍ୟା, ଗୋରଖପୁର, ବାରାଣସୀ, ପ୍ରୟାଗରା, ଲକ୍ଷ୍ନୌ, କାନପୁର, ଝାନ୍ସି, ମେରଠ, ଆଗ୍ରା ଓ ବରେଲୀରେ ଲାଗୁ କରୁଛନ୍ତି ।ଦୁଗ୍ଧଚାଷୀଙ୍କୁ ଯୋଗୀ ସରକାର ଦେବେ ୬୨ ଲକ୍ଷ

ଯୋଗୀ ସରକାରଙ୍କ ଯୋଜନା ବଳରେ ୨୫ଟି କ୍ଷୀର ଦେଉଥିବା ଫାର୍ମ ପ୍ରତିଷ୍ଠା କରିବା ପାଇଁ ୬୨,୫୦,୦୦୦ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଯୋଗୀ ସରକାର ହିତାଧିକାରୀଙ୍କୁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ଅନୁଦାନ ଅର୍ଥାତ ସର୍ବାଧିକ ୩୧,୨୫,୦୦୦ ଟଙ୍କା ଦେବେ । ଯୋଗୀ ସରକାର ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ୩ଟି ପର୍ଯ୍ୟାୟରେ ଟଙ୍କା ଦେବେ । ପ୍ରଥମ ପର୍ଯ୍ୟାୟରେ ଫାର୍ମ ନିର୍ମାଣରେ ଖର୍ଚ୍ଚ ହେଉଥିବା ଟଙ୍କାର ୨୫ ପ୍ରତିଶତ ଅନୁଦାନ ଦେବେ । ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ଗାଈ କିଣା ମୂଲ୍ୟ ଓ ଏହାର ୩ ବର୍ଷର ବୀମା ଏବଂ ଯାତାୟତ ଉପରେ ପ୍ରକଳ୍ପର ୧୨.୫ ପ୍ରତିଶତ ଅନୁଦାନ ଦେବେ । ଶେଷ ପର୍ଯ୍ୟାୟରେ ପ୍ରକଳ୍ପର ଶେଷ ୧୨.୫ ପ୍ରତିଶତ ଅନୁଦାନ ଦେବେ ।

ଓଡ଼ିଶାରେ ବଢ଼ିଛି ଦୁଗ୍ଧ ଉତ୍ପାଦନ

ଓଡ଼ିଶାରେ ପୂର୍ବାପେକ୍ଷା ଦୁଗ୍ଧ ଉତ୍ପାଦନ ବଢ଼ିଛି। କୋଡ଼ିଏ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ତିନି ଗୁଣ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇଥିଲେ ହେଁ ସର୍ବଭାରତୀୟ ଦୁଗ୍ଧ ଉତ୍ପାଦନ ହାର ଠାରୁ କମ୍ ରହିଛି। ଏପରିକି ମୁଣ୍ଡପିଛା ଦୁଗ୍ଧ ସଂଗ୍ରହରେ ବି ପଛରେ ପଡ଼ିଛି ରାଜ୍ୟ। ତେଣୁ ରାଜ୍ୟ ସରକାର ଗୁଜରାଟ୍ ଓ ମହାରାଷ୍ଟ୍ର ସମକ୍ଷକ ହେବା ପାଇଁ କିଛି ଜରୁରୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ ୨୦୦୦-୦୧ରେ ୮.୭୫ ଲକ୍ଷ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିଲା। ୨୦୧୨-୧୩ରେ ଦୁଗ୍ଧ ଉତ୍ପାଦନ ୧୭.୮୪ ଲକ୍ଷ ମେଟ୍ରଟନ୍ ଦୁଗ୍ଧ ଉତ୍ପାଦନ ହୋଇଛି। ମୁଣ୍ଡପିଛା ଦୁଗ୍ଧ ସଂଗ୍ରହ ପରିମାଣକୁ ଦେଖିଲେ ସର୍ବଭାରତୀୟ ସ୍ତରରେ ୨୦୦୦-୦୧ରେ ୨୧୭ ଗ୍ରାମ ଥିବାବେଳେ ୨୦୨୦-୨୧ରେ ତାହା ୪୪୫ ଗ୍ରାମ ରହିଛି । ହେଲେ ସେଇ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଦୁଗ୍ଧ ସଂଗ୍ରହ ପରିମାଣ ପ୍ରାୟ ୧୮୫ ଗ୍ରାମ ଭିତରେ ରହିଛି। ଏହାକୁ ବୃଦ୍ଧି କରିବାକୁ ହେବ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments