Monday, May 20, 2024
Homeଜେଲ ଭିତରେ ଇଟା ଭାଟି, କଏଦୀ ପାଇବେ ରୋଜଗାର
Array

ଜେଲ ଭିତରେ ଇଟା ଭାଟି, କଏଦୀ ପାଇବେ ରୋଜଗାର

ଭୁବନେଶ୍ୱର: ରାଜ୍ୟ ସରକାର ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଏକ ଇଟାଭାଟି (ଫ୍ଲାଏଆସ୍‌) ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସବୁକିଛି ସୁରୁଖୁରରେ ଚାଲିଲେ ସରକାରଙ୍କ ଏହି ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ ହୋଇଯିବ । ଗତବର୍ଷ ଏହ ପ୍ରକଳ୍ପ ପାଇଁ ପ୍ରଥମେ ଚିନ୍ତା କରାଯାଇଥିଲା । ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମ୍‌ସିଏଲ) ପ୍ରାୟୋଜିତ ଏବଂ ଗଂଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ଜରିଆରେ ଏହି ଇଟାଭାଟି ପ୍ରକଳ୍ପ ପାଇଁ ଯୋଜନା ହୋଇଇଥିଲା । ଏମ୍‌ସିଏଲ୍‌ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଅନ୍ତର୍ଗତ ଏହି ଇଟାଭାଟି ସ୍ଥାପନ ହେବ । କିନ୍ତୁ ଜେଲ୍ ପରିସରରେ ଇଟାଭାଟି ପାଇଁ ଆବଶ୍ୟକ ପାଣିର ଭିତ୍ତିଭୂମି ମହଜୁଦ କରାଯାଇ ପାରି ନଥିବାରୁ ପ୍ରକଳ୍ପ ଆଗକୁ ବଢ଼ିପାରୁ ନାହିଁ ।

ଜେଲରେ କଏଦୀମାନେ ଇଟା ଗଢ଼ିବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଗୋଟିଏ ପଟେ କଏଦୀଙ୍କୁ ଅଧିକ କାମରେ ନିୟୋଜିତ କରାଯାଇପାରିବ ଏବଂ ଅନ୍ୟଦୃଷ୍ଟିରୁ ଦେଖିବାକୁ ଗଲେ ଜେଲରୁ ଇଟା ବିକ୍ରି କରି ରାଜସ୍ୱ ଆଦାୟ ବଢ଼ାଯାଇପାରିବ । ବ୍ରହ୍ମପୁର ସହରରେ ନିର୍ମାଣ ହେବାକୁ ଥିବା କୋଠାବାଡ଼ି ପାଇଁ ଇଟା ଯୋଗାଯାଇପାରିବ । ବ୍ୟକ୍ତିଗତ ହେଉ ଅବା ସରକାରୀ କୋଠାବାଡ଼ି ପାଇଁ ଜେଲରୁ ଇଟା ବିକ୍ରି କରାଯାଇପାରିବ । ଜେଲ ପରିସରରେ ଯେଉଁ କଏଦୀମାନେ ଇଟା ଗଢ଼ା କାମରେ ନିଯୁକ୍ତ ହେବେ, ସେମାନେ ମଧ୍ୟ ଭଲ ରୋଜଗାର କରିପାରିବେ ।

ଜେଲ ଭିତରେ କୁଟୀର ଶିଳ୍ପ ତାଲିମ

ବର୍ତ୍ତମାନ ସ୍ଥିତିରେ କେବଳ ବ୍ରହ୍ମପୁର ଜେଲ ପରିସରରେ ସରକାର ଇଟାଭାଟି ଗଢ଼ିବାକୁ ଚିନ୍ତା କରିଛନ୍ତି । ଯଦି ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, ନବରଂଗପୁର ଓ ବରଗଡ଼ ଜିଲ୍ଲାର ଜେଲ ଗୁଡ଼ିକୁ ସଂପ୍ରସାରଣ କରାଯାଇ ପାରନ୍ତା, ତା’ହେଲେ ଅଧିକ ଭଲ ହୋଇପାରନ୍ତା । କାରଣ ଏହି ସବୁ ଜିଲ୍ଲା ଗୁଡ଼ିକରେ ଥିବା ଜେଲରେ ଅନେକ କଏଦୀ ଅଛନ୍ତି, ଯେଉଁମାନେ କି ଇଟା ଗଢ଼ିବାର ଅଭିଜ୍ଞତା ରହିଛି । ଏତଦ୍ ବ୍ୟତୀତ ଏସବୁ ଅଂଚଳରେ ଇଟା ଗଢ଼ି ଜାଣିଥିବା ଅଭିଜ୍ଞତା ସଂପନ୍ନ ଲୋକଙ୍କର ଅଭାବ ନାହିଁ । ଜେଲ ପରିସରରେ ଇଟାଭାଟି ବ୍ୟତୀତ ଆହୁରି ଅନେକ କୁଟରୀ ଶିଳ୍ପ ଭିତ୍ତିକ ତାଲିମ ଦିଆଯାଇପାରିବ ।

ଜେଲରେ ତାଲିମ ନେଇ ରୋଜଗାର

ରାଜ୍ୟ ସରକାର ଜେଲ ଗୁଡ଼ିକରେ କଏଦୀମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । କଏଦୀମାନଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରିବାକୁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଜଣେ କଏଦୀ ନିଜର ବନ୍ଦୀ ଜୀବନ ଶେଷ ହେବା ପରେ ଘରକୁ ଫେରିଲେ ଏଠାରୁ ଶିଖିଥିବା ଜ୍ଞାନ କୌଶଳକୁ ବ୍ୟବହାର କରି ଅର୍ଥ ରୋଜଗାର କରିପାରିବ । ରାଜ୍ୟର ଜେଲ ଗୁଡ଼ିକରେ ବୃକ୍ଷରୋପଣ ଏବଂ ଏହାର ଯତ୍ନୀ, ପନିପରିବା ଚାଷ, ଆଚାର-ପାମ୍ପଡ଼, ମସଲା ଜାତୀୟ ସାମଗ୍ରୀ ପ୍ରସ୍ତୁତି ଆଦି କାମ କରାଯାଉଛି । ସେହିପରି ଜେଲ ପରିସରରେ ହସ୍ତତନ୍ତ ଶିଳ୍ପ କାର୍ଯ୍ୟକାରୀ କରୁଛି । ଏହି ଶିଳ୍ପ ଜରିଆରେ ଅନ୍ତେବାସୀମାନେ ହାତବୁଣା ଦରି, ଗାମୁଛା, ସାର୍ଟ କପଡ଼ା ଆଦି ତିଆରି କରୁଛନ୍ତି । ସରକାର ବଜାରରୁ କଂଚାମାଲ ଯୋଗାଇଉଛନ୍ତି । ଏବଂ ଜିନିଷ ତିଆରି ହୋଇସାରିବା ପରେ ପୁଣି ଏହାକୁ ବଜାରରେ ବିକ୍ରି କରୁଛନ୍ତି । ଏସବୁ କାମରେ ନିୟୋଜି କଏଦୀମାନଙ୍କୁ ପାରିଶ୍ରମିକ ଦିଆଯାଉଛି ।

କଏଦୀଙ୍କ ଅକାଉଣ୍ଟକୁ ଯିବ ଟଙ୍କା

ଜେଲ ପରିସରରେ ଭିତରେ କଏଦୀମାନଙ୍କ ମାଧ୍ୟମରେ ହେଉଥିବା ରାଜସ୍ୱ ଆଦାୟରୁ କିଛି ପରିମାଣର ରାଶି ଜେଲର ବିକାଶମୂଳକ କାର୍ଯ୍ୟରେ ଲାଗିଥାଏ । କଏଦୀମାନଙ୍କୁ ସରକାର ମାସକୁ ନିର୍ଦ୍ଧିିଷ୍ଟ କିଛି ଦିନ ପାଇଁ କାମ ଦେଇଥାନ୍ତି । ଏଥି ପାଇଁ ସେମାନଙ୍କୁ ପାରିଶ୍ରମିକ ଦିଆଯାଇଥାଏ । ସେହିପରି କିଛି ପରିମାଣର ରାଶି ବନ୍ଦୀ କଲ୍ୟାଣ ପାଣ୍ଠିରେ ରହିଥାଏ । ଜେଲ ଅନ୍ତେବାସୀଙ୍କୁ ସେମାନଙ୍କର ପାରିଶ୍ରମିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯାଉଛି । କିଛି ସ୍ଥାନରେ ପ୍ରକିୟା ସରିଥିବା ବେଳେ ଅନ୍ୟସ୍ଥାନଗୁଡ଼ିକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments