Monday, May 20, 2024
Homeତୈଳ ଦର ବୃଦ୍ଧି: ପରିବାର ଉପରେ ଅତିରିକ୍ତ ବୋଝ
Array

ତୈଳ ଦର ବୃଦ୍ଧି: ପରିବାର ଉପରେ ଅତିରିକ୍ତ ବୋଝ

ଭୁବନେଶ୍ୱର: ଉଭୟ ଗାଡ଼ି ଏବଂ ରୋଷେଇରେ ବ୍ୟବହାର ହେଉଥିବା ତେଲ ଦର ହୁହୁ ବଢ଼ିଚାଲିଛି । ଲୋକଙ୍କୁ ଏବେ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି । ଫଳରେ ଏହାର ପ୍ରଭାବ ପରିବାରର ଖର୍ଚ୍ଚ ଉପରେ ପଡୁଛି । କୋଭିଡ-୧୯ ସଂକଟ ସମୟରେ ତୈଳଦରର ଏଭଳି ବୃଦ୍ଧି ଯୋଗୁଁ ସାଧାରଣ ପରିବାର ଘର ଚଳାଇବା କଷ୍ଟ କରହୋଇଯାଉଛି । ମଧ୍ୟମ ବର୍ଗର ଲୋକେ ମଧ୍ୟରେ ଏଥିରୁ ବାଦ୍ ପଡ଼ିନାହାନ୍ତି । ବଡ଼ବଡ଼ିଆ ଲୋକଙ୍କର କଥା ଛାଡନ୍ତୁ । ବଡ଼ ଲୋକଙ୍କ ପାଇଁ ତେଲ ଦର ଯେତିକି ବଢ଼ିଲେ ବି କିଛି ଅସୁବିଧା ନାହିଁ । ହେଲେ ଗରିବ ଓ ମଧ୍ୟମ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଜୁଲାଇ ୯ ତାରିଖରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୩୬ ପଇସା, ଡିଜେଲ ଲିଟର ପିଛା ୯୭ଟଙ୍କା ୬୬ ପଇସା, ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୮୬୧ ଟଙ୍କା ଓ ଅଟୋମୋବାଇଲ ଗ୍ୟାସ୍ କିଲୋ ପିଛା ୩୫ଟଙ୍କା ୨୮ ପଇସାରେ ପହଂଚିଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୪୩ ପଇସା, ଡିଜେଲ ୧୦୨ଟଙ୍କା ୫୮ ପଇସା ଓ ଏଲପିଜି ସିଲିଣ୍ଡର ପିଛା ୮୬୩ଟଙ୍କା ୫୦ପଇସା ହୋଇଛି । ଖାଇବା ତେଲ ଲିଟର ପିଛା ୧୬୦ ଟଙ୍କାରୁ ୧୮୦ ଟଙ୍କାରେ ବିକ୍ରି ହେଉଛି ।

ପରିବାର ଉପରେ ଅତିରିକ୍ତ ବୋଝ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ମୁଣ୍ଡରେ ଅତିରିକ୍ତ ବୋଝ ପଡ଼ିଛି । ଆର୍ଥିକ ସଂକଟ ଦେଇ ପରିବାର ଚଳୁଥିବା ବେଳେ ଅତିରିକ୍ତ ଖର୍ଚ୍ଚ ଭାରି ବାଧୁଛି । ଖାଇବା ତେଲ ଦର ଜୁନ ମାସ ତୁଳନାରେ ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଖାଇବା ତେଲ ପାଇଁ ପ୍ରତ୍ୟେକ ପରିବାରକୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି, ଯାହା ଫଳରେ ଅନ୍ୟ ଜିନିଷ କିଣିବାରେ କାଟଛାଟ କରିବାକୁ ପଡୁଛି ।

ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ତୈଳ ଦର ବୃଦ୍ଧି ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟ ସାରା ଆନ୍ଦୋଳନ କରିଛି । ଦଳୀୟ ନେତାମାନେ ସରକାରଙ୍କ ବିରୋଧରେ ନାରାବାଜି ଓ ସ୍ଲୋଗାନ ଦେଇଛନ୍ତି । କଂଗ୍ରେସ ଅଭିଯୋଗ ଆଣିଛି ଯେ, ଦରଦାମ ବୃଦ୍ଧିରେ ସରକାର ଲଗାମ ଲଗାଇପାରୁ ନାହାନ୍ତି । ପତ୍ୟେକ ଜିନିଷର ଦରବୃଦ୍ଧିରେ ସାଧାରଣ ଜନତା ଅତିଷ୍ଠ ହୋଇଯାଇଛନ୍ତି । ସରକାର ଜିନିଷ ପତ୍ରର ମୂଲ୍ୟ କମ କରନ୍ତୁ, ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

୧୫ରେ ବନ୍ଦ ଡାକରା

ତୈଲ ଦର ସହ ଅତ୍ୟାବଶ୍ୟକ ଜିନିଷପତ୍ରର ଦର ଏଭଳି ଭାବେ ବଢ଼ିଛି ଯେ, ଲୋକେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ରାଜ୍ୟର ୪ଟି ପ୍ରମୁଖ ବାମ ଦଳ (ସିପିଆଇ, ସିପିଆଇ(ଏମ୍‌), ସିପିଆଇଏମ୍‌ଏଲ ଲିବରେସନ ଏବଂ ଫରୱାର୍ଡ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ସମର୍ଥନ ଜଣାଇବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଂଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣ ସହଯୋଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅପିଲ କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପେଟ୍ରୋଲ ଏବଂ ଡିଜେଲରେ ଟିକସ ବୃଦ୍ଧି ଯୋଗୁଁ ମାଲ ଓ ଯାତ୍ରୀ ପରିବହନ ଉପରେ ଏହାର ପ୍ରଭାବ ପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments