Monday, May 20, 2024
Homeଖବରଦମ୍ଭ ଦେଖାଇ ଦଳ ଛାଡ଼ିଲେ

ଦମ୍ଭ ଦେଖାଇ ଦଳ ଛାଡ଼ିଲେ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଉ ୭ ଦିନ ପରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। ଓଡ଼ିଶାରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ଏକ ମାସ ପରେ ହେବ। ଏଥି ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜନିଜ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅବଶିଷ୍ଟ କିଛି ସ୍ଥାନରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରି ନାହିଁ। ସେହିପରି ଯେଉଁସ୍ଥାନଗୁଡ଼ିକରେ ଦଳୀୟ ପ୍ରାର୍ଥୀ ସୁନିଶ୍ଚିତ ହୋଇସାରିଛି, ସେଥିରୁ କିଛି ସ୍ଥାନରେ ଏବେ ନିକେଟ୍‌ରୁ ବଞ୍ଚିତ ଆଶାୟୀମାନେ ବିଦ୍ରୋହୀମାନେ କଣ୍ଟା ସାଜିଛନ୍ତି। ବିଗତ ୭ ଦିନ ଭିତରେ ରାଜ୍ୟରେ ବିଦ୍ରେହର ନିଆଁ ଅଧିକ ଦେଖାଯାଇଛି। ରାଜନୈଦିକ ଦଳଗୁଡ଼ିକ ବିଦ୍ରୋହୀମାନଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ତାହା ସଫଳ ହେଉନାହାନ୍ତି।

୨୦୦୦ ମସିହା ଠାରୁ ଏପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ଶ୍ରେଷ୍ଠ ଦଳ ଭାବେ ପରିଚିତ ଶାସକ ବିଜେଡିରେ ସର୍ବାଧିକ ଅଧିକ ନେତାକର୍ମୀ  ଅସନ୍ତୁଷ୍ଟ ଦେଖାଯାଇଛନ୍ତି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗତମାସରେ କହିଥିଲେ ଯେ, ବିଜେଡି ଟିକେଟ୍‌ ପାଇଁ ୧୦,୦୦୦ ପ୍ରାର୍ଥୀ ଆବେଦନ କରିଛନ୍ତି। ଯଦି ପ୍ରକୃତରେ ଶ୍ରୀ ଦାସଙ୍କ କଥା ସତ ତା’‌ହେଲେ ଆଗାମୀ ନିର୍ବାଚନରେ ବିଜେଡିର ଫଳ ଉତ୍ସାହଜନକ ହେବ ନାହିଁ। ଏହାର କାରଣ ହେଲା ବିଜେଡି ୧୦,୦୦୦ରୁ ୧୬୮ ଜଣଙ୍କୁ ଦଳୀୟ ଟିକେଟ୍‌ ଦେଇପାରିବ। ବାକି ୯୮୩୨ ନେତା ଓ କର୍ମୀଙ୍କୁ ମନାଇବା ସହଜ ନୁହେଁ। ସବୁ ନେତା ଏତେ ଭକୁଆ ନାହାନ୍ତି, ପ୍ରତିଶ୍ରୁତିର ଫାସରେ ପଡ଼ିଯିବେ। ଯଦିଓ କିଛି ନେତା-କର୍ମୀ ବିଜେଡିକୁ ପ୍ରତିଶ୍ରୁତିରେ ହଁ ମାରିବେ, କିନ୍ତୁ ସମସ୍ତେ ସ୍ବୀକାର କହିବେ ତାହା ଭାବିବା ଭୁଲ ହେବ। ବିଜେପି ଓ କଂଗ୍ରେସରୁ ମଧ୍ୟ ଏହାରି ମଧ୍ୟରେ ଅନେକଗୁଡ଼ିଏ ନେତା ଓ କର୍ମୀ ଦଳ ଛାଡ଼ିସାରିଛନ୍ତି। ଦୀର୍ଘ ବର୍ଷ ଧରି ଦଳୀୟ କାମରେ ନିୟୋଜିତ ହେଲା ପରେ ଟିକେଟ ନପାଇ ଶେଷରେ ସଂପର୍କ ଶେଷ କରିଛନ୍ତି।  

ବିଜେଡି ପ୍ରଚାର କରିପାରିବିନି: ପ୍ରଭାସ ସିଂ

ଚଳିତ ନିର୍ବାଚନରେ ବିଜେଡିର ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ଦମ୍ଭ ଦେଖାଇଛନ୍ତି। ନବୀନ ନିବାସକୁ ‌କିଛି ଶ୍ରେଷ୍ଠ ସ୍ତରର ନେତାଙ୍କୁ ଯିବାକୁ ଅନୁମତି ମିଳିଥାଏ। ନବୀନଙ୍କ ସାମ୍ନାରେ ଏପର୍ଯ୍ୟନ୍ତ କୌଣସି ନେତା ଖୋଲା ଚ୍ୟାଲେଞ୍ଜ କରିନାହାନ୍ତି। କିନ୍ତୁ ଶ୍ରୀ ସିଂ ଟିକେଟ୍‌ ନମିଳିବା ପରେ ସେ ନବୀନନିବାସ ଆସି ନିଜର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ନବୀନ ନିବାସକୁ ଆସି ଇସ୍ତଫାପତ୍ର ଦେବାରେ ସେ ‌ହେଉଛନ୍ତି ପ୍ରଥମ ବ୍ୟକ୍ତି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଜେଡି ସାଂସଦ ପ୍ରଭାସ ସିଂ କହିଛନ୍ତି, ଦଳରେ ଆଉ ଗଣତନ୍ତ୍ର ନାହିଁ। ମୁଁ ଅନୁଭବ କଲି ବିଜେଡି ଯେଉଁଭଳି ଢଙ୍ଗରେ ଚାଲିଛି, ସେଥିରେ ଆଉ ମୋର ଆବଶ୍ୟକତା ନାହିଁ। ଏଠି ରହି ଆଉ ମୁଁ ଲୋକଙ୍କ ପାଇଁ କାମ କରିପାରିବି ନାହିଁ। ଜିଲ୍ଲା ସଭାପତି ଥାଇ ବି ଦଳ ମୋ ସହ ବିଚାରବିମର୍ଶ କରିଲା ନାହିଁ। ବିଜେଡି ଯେଉଁ ପରିଣୀତା ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଛି, ତାଙ୍କ ପାଇଁ ପ୍ରଚାର କରିପାରିବି ନାହିଁ।

ବିଜେଡିକୁ ମିଳିବ ଉଚିତ ଜବାବ: ନାରାୟଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦ୍ମନାଭ ବେହେରାଙ୍କୁ ବିଜେଡି ପୁଣି ଟିକେଟ୍‌ ଦେଇଛି। ଏଠାରେ ଆଶାୟୀ ଥିବା ସ୍ଥାନୀୟ ବିଧାୟକ ଟିକେଟ୍‌ ଆଶାୟୀ ତଥା ବ୍ଲକ ଉପାଧ୍ୟକ୍ଷ ଓ ବିଜେଡି ବ୍ଲକ ସଭାପତି ନାରାୟଣ ଲୁହାଙ୍କ ସହିତ ଶତାଧିକ କର୍ମୀ ଦଳ ଛାଡ଼ିଛନ୍ତି। ସେ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରୁ ସେ ଇସ୍ତଫା ଦେଇଥିବାବେଳେ ସରପଞ୍ଚ ଓ ସମିତିସଭ୍ୟା,ସଭ୍ୟ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ସାମ୍ବଦିକ ସମ୍ମିଳନୀରେ ଶ୍ରୀ ଲୁହା କହିଛନ୍ତି, ବିଧାୟକ ପାଇଁ ଟିକେଟ୍‌ ନଦେଇ ବିଜେଡି ଅନେକ ପ୍ରଲ୍ଲୋଭନ ଦେଖାଇଥିଲା। କିନ୍ତୁ ପ୍ରଲ୍ଲୋଭନରେ ପଡ଼ି ନାହିଁ। ବୀରମହାରାଜପୁରର ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ଜନସାଧାରଣ ଯାହା ନିଷ୍ପତ୍ତି ନେବେ ତାହା କରିବି। କିନ୍ତୁ ବିଜେଡ଼ିକୁ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ବିଜେପି ଛାଡ଼ିଲେ ସୋନାଲି, ଲେଖା

ଟିକେଟ୍‌ ଆଶାୟୀ ପ୍ରାର୍ଥୀ କେବଳ ବିଜେଡିରେ ନାହାନ୍ତି। ବରଂ ବିଜେପିରେ ମଧ୍ୟ ଅଛନ୍ତି। ବିଜେପି ନେତୃତ୍ବରେ ଅସନ୍ତୁଷ୍ଠ ହୋଇ ମହିଳା ନେତ୍ରୀ ସୋନାଲି ସାହୁ ଓ ଲେଖାଶ୍ରୀ ସାମନ୍ତସିଂହାର ଭାରତୀୟ ଜନତା ପାର୍ଟି (ବିଜେପି) ଛାଡ଼ିଛନ୍ତି। ଉଭୟ ନେତ୍ରୀ ବିଜେପି ଛାଡ଼ିଛନ୍ତି। ସୋନାଲି ସାହୁ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲେଖାଶ୍ରୀ ଧରିଛନ୍ତି ଶଙ୍ଖ। ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାମ କରିଛି। ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। ଏବେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଆ ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ସେହିପରି ଲେଖାଶ୍ରୀ କହିଛନ୍ତି, ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲି। ଦଳର ପ୍ରତିଟି କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିଛି। ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ।

କଂଗ୍ରେସ ଛାଡ଼ିଲେ, ପଦ୍ମ ଧିଲେ ଅଜୟନ୍ତି

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ କଂଗ୍ରେସ ଦଳ ଛାଡ଼ି ନିଜ ସମର୍ଥକଙ୍କ ସହ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ପ୍ରଦାନ କରିବା ପରେ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ କର୍ମୀ ଏବଂ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା।ପ୍ରାର୍ଥୀ ବଦଳେଇବା ନିମନ୍ତେ ଦାବି ଜୋର ଧରିଥିଲା। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ପୁରୁଖା କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଦଳ ଛାଡ଼ିଥିବା ଇସ୍ତଫାପତ୍ର‌ରେ ଉଲ୍ଲେଖ କରିଛନ୍ତି। ଶ୍ରୀ ସୁନ୍ୟାନୀ ଗତ ପ୍ରାୟ ୩୪ ବର୍ଷ ହେଲା କଂଗ୍ରେସ ସହ ଜଡ଼ିତ ଥିଲେ। ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ପିସିସି ଏସ୍‌ସି ସେଲ୍‌ ସଂଯୋଜକ, ପିସିସି ସମ୍ପାଦକ ପଦବିରେ ଥିଲେ। ଏହାସହ ସେ ୨୦୦୯ ସାଧାରଣ ନିର୍ବାଚନରେ ରଘୁନାଥପାଲି ଆସନରୁ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments