Monday, May 20, 2024
Homeଖବରବ୍ୟାପକ ପରିମାଣରେ ଟଙ୍କା ଜବତ

ବ୍ୟାପକ ପରିମାଣରେ ଟଙ୍କା ଜବତ

ଭୁବନେଶ୍ବର: ଭାରତୀୟ ଗଣତନ୍ତ୍ରର ମହାପର୍ବ ’ସାଧାରଣ ନିର୍ବାଚନ-୨୦୨୪’ ଜାରି ଥିବା ବେଳେ ବେଆଇନ୍‌ ଭାବେ ଟଙ୍କା ପରିବହନକୁ ରୋକିବା ପାଇଁ ନିର୍ବାଚନ କମିସନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଜଣେ ବ୍ୟକ୍ତି ବା ଗୋଷ୍ଠୀ ଯଦି ନଗଦ ୫୦ ହଜାର ଟଙ୍କାରୁ ଅଧିକ ନେଇକୁ ଯାଉଥିବେ, ଏହାର ବିଧିବଦ୍ଧ ପ୍ରମାଣ ସାଥୀରେ ରଖିବାକୁ ମଧ୍ୟ କୁହାଯାଇଛି। ଅଥଚ ନିୟମ ବିରୋଧରେ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ମଧ୍ୟ ନିର୍ବାଚନ ଆୟୋଗ କହିଛନ୍ତି। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍‌ରେ ଉଲ୍ଲଘଂନ ହେଉଥିବାର ନଜିର ଆସିଛି।

କର୍ଣ୍ଣାଟକ ପୁଲିସ ବେଲାରି ସହରରୁ ଏକ ଗହଣା ବ୍ୟବସାୟୀଙ୍କ ଘରୁ ନଗଦ ୫ କୋଟି ୬୦ ଲକ୍ଷ ଟଙ୍କା, ୩କିଲୋ ସୁନା, ୧୦୩ କିଲୋ ରୁପା, ୬୮ ଖଣ୍ଡ ରୁପା ଇଟା ଜବତ କରିଛି। ସମୁଦାୟ ଜିନିଷର ମୂଲ୍ୟ ୭ କୋଟି ୬୦ ଲକ୍ଷ ଟଙ୍କା ହେବ। ପୁଲିସ କହିଛି, ଗହଣା ଦୋକାନୀ ନରେଶ ଏତେ ପରିମାଣର ଟଙ୍କା କେଉଁଠୁ ପାଇଲେ, କେଉଁ ଉଦ୍ଦେଶ୍ୟରେ ସେ ବିପୁଳ ପରିମାଣର ଟଙ୍କା ଏକତ୍ର କରିଥିଲେ, ‌ସେନେଇ ତଦନ୍ତ ଜାରି ରହିଛି। ହାୱାଲ ଲିଙ୍କ ସହିତ ଏହି ଟଙ୍କାର ସଂପର୍କ ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ଚେନ୍ନାଇରେ ୪ କୋଟି ଜବତ

ସେହିପରି ଇଲେକ୍ସନ ଫ୍ଲାଇଂ ସ୍କାର୍ଡ ଚେନ୍ନାଇ-ତିରୁନେଲଭେଲି ନେଲ୍ଲାଇ ଏକ୍ସପ୍ରେସ୍‌ରୁ ୪ କୋଟି ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଆଗରାମ ନିବାସୀ ଏସ୍‌ ସତୀଶ (୩୩), ତାଙ୍କର ଭାଇ ଏସ୍‌ ନବୀନ (୩୧) ଓ ଥୋଟୁକୁଡିର ଏସ୍‌ ପେରୁମଲ (୨୬)। ଏମାନଙ୍କ ମଧ୍ୟରୁ ଜଣେ ବିଜେପି କର୍ମୀ ଭାବେ ଚିହ୍ନଟ ହୋଇଛନ୍ତି। ଇଲେକ୍ସନ ଫ୍ଲାଇଂ ଟିମ୍‌କୁ ସୂଚନା ମିଳିଥିଲା ଯେ, ୩ ଜଣ ଯୁବକ ଚେନ୍ନାଇର ଏଗମୋର ଷ୍ଟେସନରୁ ଟ୍ରେନ୍‌ରେ ଚଢ଼ିଥିଲେ। ସେମାନେ ସାଥୀରେ ୮ଟି ବ୍ୟାଗରେ ଟଙ୍କା ନେଉଥିଲେ। ପୁଲିସ ରାତି ୯ଟାରେ ତମ୍ବାରମ ଷ୍ଟେସନରେ ପହଞ୍ଚି ଏସି-୨ ଟାୟର ବଗିରେ ଅତର୍କିତ ଚଢ଼ଉ କରି ସଂପୃକ୍ତ ବ୍ୟକ୍ତିମାନଙ୍କୁ କାବୁ କରିବାରେ ସଫଳ‌ ହୋଇଥିଲା। ସେମାନଙ୍କ ଠାରୁ ୩ ‌କୋଟି ୯୯ ଲକ୍ଷ ଟଙ୍କା ମିଳିଥିଲା।

ବିନିକାରେ ୫୫ ଲକ୍ଷ ଜବତ

ଗତ ଶୁକ୍ରବାର-ଶନିବାର ରାତିରେ ରାସ୍ତା ଶୂନଶାନ ଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ଡୁଙ୍ଗୁରିପାଲି ରାସ୍ତା ଦେଇ ବିପୁଳ ପରିମାଣରେ ଟଙ୍କା ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ବିନିକା କଲେଜ ଛକରେ ଏକ କାର୍‌ ଉପରେ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଆନ୍ଧ୍ରପ୍ରଦେଶର ଇନୋଭା କାର୍‌ (ଏପି ୦୫ ଟିସି ୮୧୮୧)ରୁ  ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। ପୁଲିସ ଏହି ମାମଲାରେ ସଂପୃକ୍ତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏତେ ପରିମାଣର ନଗଦ ଟଙ୍କା କାର୍‌ରେ ନିଆଯାଉଥିବାରୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଏହି ଟଙ୍କା କେଉଁଠୁ ଆସୁଥିଲା, କାହା ପାଖକୁ ଯାଉଥିଲା ସେସଂପର୍କରେ କେହି ମୁହଁ ଖୋଲୁନାହାନ୍ତି। ଅଟକ ଥିବା ବ୍ୟକ୍ତିମାନେ ଏବିଷୟରେ କଣ କହିଛନ୍ତି, ତାହା ମଧ୍ୟ ପ୍ରକାଶ କରାଯାଇ ନାହିଁ।

କଂଗ୍ରେସ ସାଂସଦଙ୍କ ଠାରୁ ୩୫୧ କୋଟି ଜବତ

ବିପୁଳ ପରିମାଣର ଟଙ୍କା ଜବତ କଥା ଯେତେବେଳେ ମନକୁ ଆସୁଛି, କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ମଧ୍ୟ ପ୍ରସଙ୍ଗକୁ ଆସିବାର ଅଛି। ଗତ ଡିସେମ୍ବର ମାସରେ ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡସ୍ଥିତ ବ୍ୟବସାୟିକ ଅନୁଷ୍ଠାନରୁ ନଗଦ ୩୫୧ କୋଟି ଟଙ୍କା ଜବତ ହୋଇଥିଲା। ଆୟକର ବିଭାଗର ଇତିହାସରେ ଗୋଟିଏ ଅପରେସନରେ ଏହା ଥିଲା ସର୍ବାଧିକ ନଗଦ ଟଙ୍କା ଜବତ ଘଟଣା। ଡିସେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ‌ଚଢ଼ଉ ସମୟରେ ୧୭୬ଟି ବ୍ୟାଗରେ ଟଙ୍କା ଭର୍ତ୍ତି ଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments