Monday, May 20, 2024
Homeଖବରଦଳ କରୁଛି ପ୍ରାର୍ଥୀ ଚୟନ: ଆଶାୟୀ ସାଜୁଛନ୍ତି ବିଦ୍ରୋହୀ

ଦଳ କରୁଛି ପ୍ରାର୍ଥୀ ଚୟନ: ଆଶାୟୀ ସାଜୁଛନ୍ତି ବିଦ୍ରୋହୀ

ଭୁବନେଶ୍ବର: ଲୋକସଭା ଓ ଓଡ଼ିଶା ସମେତ ୪ ରାଜ୍ୟର ବିଧାନସଭା ପାଇଁ ମତଦାନ ପର୍ବ ଜୋର ଧରିଥିବା ବେଳେ ରାଜନେତା ଓ କର୍ମୀଙ୍କ ନିଦ ହଜିଯାଇଛି। ପ୍ରଶଂସକ ଓ ସମର୍ଥକମାନେ ମଧ୍ୟ ଏଥିରେ ସାମିଲ ରହୁଛନ୍ତି। ଆସନ୍ତା ଏପ୍ରିଲ ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଗଣତନ୍ତ୍ରର ମହାପର୍ବ ଭୋଟ୍‌ ଜୁନ୍‌ ୧ ତାରିଖରେ ଶେଷ ହୋଇ ଏହାର ଫଳାଫଳ ଜୁନ୍‌ ୪ତାରିଖରେ ପ୍ରକାଶ ପାଇବ। ବିଜୟର ସହିତ ସରକାର ଗଢ଼ିବା ପାଇଁ ରାଜ‌ନୈତିକ ଦଳଗୁଡ଼ିକ ଅଣ୍ଟା ଭିଡିଥିବା ବେଳେ ଦଳୀୟ ପ୍ରାର୍ଥୀ ଚୟନ ନେଇ ସଂକଟ ଦେଖାଯାଉଛି। ଆଶାୟୀ ପ୍ରାର୍ଥୀମାନେ ଟିକେଟ୍‌ ନମିଳିବା ପରେ ବିଦ୍ରୋହୀ ସାଜୁଛନ୍ତି। ଅସନ୍ତୁଷ୍ଟ କର୍ମୀମାନେ ସିଧାସଳକ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରଦର୍ଶନ କରୁଛନ୍ତି।

ଟିକେଟ୍‌ ଘୋଷଣା ପରେ ଓଡ଼ିଶାର ଚାରିଆଡ଼େ ବିଦ୍ରୋହର ସ୍ବର ଦେଖିବାକୁ ମିଳୁଛି। ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ରାଉରକେଲା ସମତେ ସୁନ୍ଦରଗଡ଼, ମାଲକାନଗିରି, ଭୁବନେଶ୍ବରରେ ନେତା, କର୍ମୀ ଓ ସମର୍ଥକମାନେ ଅସନ୍ତୋଷ ଦେଖାଯାଇଛନ୍ତି। ସୋର, ଧର୍ମଶାଳା, ବିଞ୍ଝାରପୁର, ମହାକାଳପଡ଼ା, ନିମାପଡ଼ା, ଜୟଦେବ, ଜଟଣୀ, ରଣପୁର, ଦିଗପହଣ୍ଡି, ହିଞ୍ଜିଳି, ପଟ୍ଟାଙ୍ଗୀ, ବରଗଡ଼ରେ ବିଜେପି ପ୍ରାର୍ଥୀ ଚୟନକୁ ନେଇ ବିଦ୍ରୋହ ଦେଖାଦେଇଛି। ବିଗତବର୍ଷଗୁଡ଼ିକ ତୁଳନାରେ ଏବର୍ଷ ଅଧିକ ବିଦ୍ରୋହ ଓ ଇସ୍ତଫା ଦିଆଯାଉଥିବା ଦୃଷ୍ଟି‌ଗୋଚର ହେଉଛି। ଅସନ୍ତୁଷ୍ଟମାନେ ଏତେ ପ୍ରତିକ୍ରିୟା‌ଶୀଳ ହେଉଛନ୍ତି ଯେ ଦଳର ଶୀର୍ଷ ନେତୃତ୍ବଙ୍କ ରକ୍ତଚାପ ବଢ଼ିଗଲାଣି। ତେଣୁ ସେମାନଙ୍କୁ ବୁଝାସୁଝା କରି ଦଳୀୟ ପ୍ରାର୍ଥୀଙ୍କୁ ଶକ୍ତିଶାଳୀ କରିବାକୁ ଦୁଇ ଦଳର ଶୀର୍ଷ ନେତୃତ୍ବ ଲାଗିପଡ଼ିଛନ୍ତି। ଆଶାୟୀମାନେ ଜିଦ୍‌ରେ ଅଟଳ ରହୁଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଟିକେଟ ଘୋଷଣାରେ ମଧ୍ୟ ଏହା ବାଧକ ସାଜିଛି।

୨୪ ଘଣ୍ଟାରେ ୬ ଜଣ ଛାଡ଼ିଲେ ବିଜେଡି

ବିଧାନସଭା ପାଇଁ ଗତ ବୁଧବାର ସନ୍ଧ୍ୟାରେ ବିଜେଡି ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡି ଛାଡ଼ିଛନ୍ତି। ବିଜେପି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କଲା ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିଥିଲେ। ସେହିପରି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କଲା ପରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ, ଚିରଂଜୀବ ବିଶ୍ବାଳ, ବାପି ସର୍ଖେଲ ପ୍ରମୁଖ।

ଠକି ଦେଲା ବିଜେଡି

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ନିଜର ଇସ୍ତଫା ପତ୍ରକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ କହିଛନ୍ତି ଯେ, ୨୦୧୯ରେ ବିଜେଡିରୁ ଟିକେଟ୍ ଦିଆଯିବା ପରେ ମୁଁ ନିର୍ବାଚନରେ ଜିତିଥିଲି। ରେକର୍ଡ ୪୭ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲି। ବିଗତ ୫ ବର୍ଷ ହେଲା ବିଜେଡିରେ କାମ କରି ଖୁସି ଅନୁଭବ କରିଛି। ଏଥିରୁ ମତେ ବହୁତ ଶିକ୍ଷା ମଧ୍ୟ ମିଳିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ମୁଁ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ଭାବୁଛି। ତେଣୁ ବିଜେଡିରୁ ମୋର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଉଛି। ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ଜଣେ ଦୃଢ ସଙ୍ଗଠକ ଭାବରେ ୨୦୧୯ରେ ବିଜେଡିରୁ ଟିକଟ ପାଇଁ ଦାବିବାର ଥିଲେ। କିନ୍ତୁ ଦଳ ଟିକେଟ୍‌ ଦେଇ ନଥିଲା। ଶେଷ ମୁହୂର୍ତ୍ତରେ ଅମରେନ୍ଦ୍ରଙ୍କୁ ବିଜେଡି ମନାଇବାରେ ସଫଳ ହୋଇଥିଲା। ତେବେ ୨୦୨୪ରେ ଟିକଟ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଦଳ ଏଥର ବି ଧୋକା ଦେଲା। ସେହିପରି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା  ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ଦଳ ନୀତି ଆଦର୍ଶ ଭୁଲି ଯାଇଛି। ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଉଛି। ୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି।

ବିଜେପି ପ୍ରାର୍ଥୀଙ୍କୁ ଦଳରେ ବିଦ୍ରୋହୀ

ଟିକେଟ ବଣ୍ଟନକୁ ନେଇ ଏଥର ବିଜେଡି, ବିଜେପି ଓ କଂଗ୍ରେସରେ ତୀବ୍ର ଅସନ୍ତୋଷ ଦେଖାଯାଉଛି। ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ନେତା ଓ କର୍ମୀମାନେ ପ୍ରଦର୍ଶନ କରିଛନ୍ତି। ହିଞ୍ଜିଳି, ବାଙ୍କୀ ଓ ଜୟଦେବ ନିର୍ବାଚନମଣ୍ଡଳୀରେ କର୍ମୀ ଭୁବନେଶ୍ୱର ଆସି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ପ୍ରାର୍ଥୀ ପରିବର୍ତନ କରିବାକୁ ଦାବି କରିଛନ୍ତି। ହିଞ୍ଜିଳିରେ ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ଦଳୀୟ କର୍ମୀଙ୍କ ବିରୋଧ କରିଛନ୍ତି। ଦିଗପହଣ୍ଡିରେ ମଧ୍ୟ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିରୋଧ କରାଯାଇଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କୁ ବିରୋଧ ‌ହୋଇଛି। ଭୁବନେଶ୍ୱର ଜୟଦେବରେ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କ ବିରୋଧରେ ମଧ୍ୟ ରଣହୁଂକାର ଦେଇଛନ୍ତି ନେତା ଓ କର୍ମୀ । ବାଙ୍କୀରେ ବି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ୱର ଉଠିଛି । ସ୍ଥାନୀୟ ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଶହ ଶହ ସମର୍ଥକ ବିରୋଧ କରିଛନ୍ତି। ଟିକେଟ ଘୋଷଣା ପରେ ଧର୍ମଶାଳାରେ ବି ଅସନ୍ତୋଷ ପ୍ରକାଶ ପାଇଥିଲା। ଦଳର ନେତା ରାଜ୍ୟ ବିଜେପି ଅଫିସକୁ ଆସି ପ୍ରତିବାଦ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments