Monday, May 20, 2024
Homeଖବରଦୁର୍ଘଟଣା: ଦିନକୁ ୪୨୨ ମୃତ୍ୟୁ

ଦୁର୍ଘଟଣା: ଦିନକୁ ୪୨୨ ମୃତ୍ୟୁ

ଭୁବନେଶ୍ବର: ଭାରତ ସମେତ ପୂରା ବିଶ୍ବରେ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଛି। ଭାରତରେ ଦୈନିକ ୧୧୩୦ ଦୁର୍ଘଟଣା ଘଟୁଛି। ଏଥିରେ ପ୍ରାୟ ୪୨୨ ଜଣଙ୍କର ମୃତ୍ୟୁ ହେଉଛି। ସେହିପରି ପ୍ରତି ଘଣ୍ଟାରେ ୪୭ ଦୁର୍ଘଟଣା ଓ ୧୮ ଜଣଙ୍କର ମୃତ୍ୟୁ ହେଉଛି। ସଡ଼କ ସୁରକ୍ଷା ନେଇ ସବୁଠି ଚିନ୍ତା। ଏହା କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ। ବରଂ ସମଗ୍ର ବିଶ୍ବପାଇଁ ଚିନ୍ତାର କାରଣ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ ବିଶ୍ବରେ ଦୁର୍ଘଟଣାର ପ୍ରତି ୧୦ ଜଣଙ୍କ ମୃତ୍ୟୁ ମଧ୍ୟରୁ ଭାରତର ଜଣେ ରହୁଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁ କେବଳ ବ୍ୟକ୍ତି ବା ତାଙ୍କ ପରିବାରକୁ କ୍ଷତି ପହଞ୍ଚାଉ ନାହଁ। ବରଂ ଏହା ଅର୍ଥନୀତି ଉପରେ ଘୋର ପ୍ରଭାବ ପକାଉଛି। ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୨୧ ମସିହାରେ ଦେଶରେ ୪,୧୨,୪୩୨ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୧,୫୩,୯୭୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିବର୍ଷ ଦୁର୍ଘଟଣାରେ ୩,୮୪,୪୪୮ ଜଣ ଆହତ ଓ ଗୁରୁତର ହୋଇଥିଲେ। ୧୮ରୁ ୪୫ ବର୍ଷ ବୟସ ବର୍ଗର ଲୋକେ ଅଧିକାଂଶ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ଶିକାର ହେଉଥିବା ମୋଟ ଲୋକଙ୍କର ମଧ୍ୟରୁ ୬୭ ପ୍ରତିଶତ।  

ସଡ଼କ ଦୁର୍ଘଟଣା ନେଇ ସରକାରୀ ଓ ଘରୋଇ ସଂସ୍ଥା ଦ୍ବାରା ପ୍ରତିବର୍ଷ ବ୍ୟାପକ ସଚେତନତାମୂଳକ ଅଭିଯାନର ଆୟୋଜନ ହେଉଛି। ସଡ଼କ ଓ ପରିବହନ ବିଭାଗ ଓ ଟ୍ରାଫିକ୍ ପୁଲିସ ଦ୍ବାରା ଧରପଗଡ଼ ହେଉଛି। ବିଦ୍ୟାଳୟ ସ୍ତରରୁ ଶିକ୍ଷାଦାନ ଦିଆଯାଉଛି। ତଥାପି ସଡ଼କ ଦୁର୍ଘଟଣା ହ୍ରାସ ପାଉନାହିଁ। ସରକାର, ଘରୋଇ ସଂସ୍ଥା ଓ ପୁଲିସ ଦ୍ବାରା ଯେତେ ଯାହା ସଚେତନାମୂଳକ ଅଭିଯାନ ଚଳାଇଲେ ମଧ୍ୟ ଏହା ହ୍ରାସ ପାଇପାରିବ ନାହିଁ। ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ହେଲେ ଗାଡ଼ି ଚାଳକଙ୍କୁ ବ୍ୟକ୍ତିଗତ ଭାବେ ସତର୍କ ହେବାକୁ ପଡ଼ିବ। ରାସ୍ତାରେ ଯିବା ସମୟରେ ନିଜର ସୁରକ୍ଷା ସହିତ ଅନ୍ୟମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଏହା ଦ୍ବାରା ଦୁର୍ଘଟଣା ହ୍ରାସ ପାଇପାରିବ।

କାର-ଟ୍ରକ୍ ଦୁର୍ଘଟଣ: ୮ ମୃତ

ତାମିଲନାଡୁରେ ରବିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ କି ୮ ଜଣ ଲୋକଙ୍କର ଜୀବନ ଯାଇଛି। ତିରୁଭନ୍ନାମଲାଇ-ବେଙ୍ଗାଲୁରୁ ରାଜପଥର ଚେଙ୍ଗମ ସହରରେ ହୋଇଥିବା କାର ସହିତ ଟ୍ରକ୍ ଦୁର୍ଘଟଣା କାରଣଣୁ ଘଟଣାସ୍ଥଳରେ ହିଁ ୮ ଲୋକଙ୍କର ଶୋଚୀନୟ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ପୁଲିସ କହିଛି ଯେ, ରବିବାର ଏକ କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଶିଶୁ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି। ପୁଲିସ ଜାଣିବାକୁ ପାଇଛି ଯେ, କାର ଯାତ୍ରୀମାନେ ତାମିଲନାଡୁର ଏକ ମନ୍ଦିର ଦର୍ଶନ ସାରି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଫେରୁଥିଲେ।

ଟ୍ରକ୍କୁ ଧକ୍କା ଦେଇ ୧୨ ମୃତ

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲା (ଔରଙ୍ଗାବାଦ) ଅନ୍ତର୍ଗତ ସମୃଦ୍ଧି ଏକ୍ସ୍ପ୍ରେସ୍ୱେରେ ଶନିବାର ରାତି ଏକ କଣ୍ଟେନର୍ ଟ୍ରକ୍ ସହିତ ଗୋଟାଏ ଦ୍ରୁତଗାମୀ ମିନି-ବସ୍ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୨୩ଜଣ ଆହତ ହୋଇଛନ୍ତି। ମୁମ୍ବାଇଠାରୁ ପ୍ରାୟ ୩୫୦ କିଲୋମିଟର୍ ଦୂରରେ ବୈଜପୁର ଅଞ୍ଚଳରେ ଥିବା ଉକ୍ତ ଏକ୍ସପ୍ରେସ୍ୱେରେ ରାତି ପ୍ରାୟ ୧୨.୩୦ରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ୩୫ ଜଣ ଯାତୀ ଥିଲେ। ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ମିନି-ବସ୍ କଣ୍ଟେନର୍ ଟ୍ରକ୍ ପଛରେ ଧକ୍କା ଖାଇଥିଲା। ଆହତ ହୋଇଥିବା ଆଉ ୨୩ଜଣ ଯାତ୍ରୀ ସମ୍ପ୍ରତି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

୩ ଛାତ୍ରଙ୍କ ଉପରେ ଚଢ଼ିଗଲା ପିକ୍ଅପ୍


ଗତ ୧୪ ତାରିଖ ଦିନ କଟକ-ବାଙ୍କୀ ମୁଖ୍ୟ ରାସ୍ତାର ରଣଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବାଙ୍କୀ ହରିରାଜପୁର ଗ୍ରାମର ସୋହାନ ନାୟକ, ଅମ୍ୟାଂଶୁ ପିରୋଇ ଓ ଅବିନାଶ ନାୟକ ନାମକ ୩ ଦଶମ ଶ୍ରେଣୀର ଛାତ୍ର ଚକୁଳେଶ୍ବର କୋଚିଂ ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେମାନେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ପିକଅପ୍ ଭ୍ୟାନ୍ ବାଇକକୁ ପିଟଥିଲା। ଏହାଫଳରେ ଘଟଣାସ୍ଥଳରେ ସୋହାନ ନାୟକ ଓ ଅମ୍ୟାଂଶୁ ପିରୋଇଙ୍କ ପ୍ରାଣହାନି ଘଟିଥିଲା। ଅବିନାଶ ନାୟକ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅବିନାଶଙ୍କର ମୃତ୍ୟୁ ଘଟିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments