Monday, May 20, 2024
Homeଖବରଶିଶୁକନ୍ୟା ଆଜି ବି ଅବହେଳିତ

ଶିଶୁକନ୍ୟା ଆଜି ବି ଅବହେଳିତ

ଭୁବନେଶ୍ବର: ଦେଶର ପ୍ରଥମ ନାଗରିକ ଆସନରେ ଜଣେ ମହିଳା ବସିଛନ୍ତି। ସେ ପୁଣି ହେଉଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ। କେବଳ ସେତିକି ନୁହେଁ ଦେଶର ଶାସନ ବ୍ୟବସ୍ଥାରେ ମହିଳାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସୁଛି। ଦେଶର ଅର୍ଥମନ୍ତ୍ରୀ ହୁଅନ୍ତୁ ପ୍ରଶାସନିକ ଦୃଷ୍ଟି କୋଣରୁ ଅନ୍ୟ କୌଣସି ବିଭାଗର ସଚିବ ହୁଅନ୍ତୁ, ମହିଳାଙ୍କ ହାତରେ ବଡ଼ କ୍ଷମତା ରହୁଛି। କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିସାରିଛନ୍ତି। ବିଧାନସଭା ଓ ଲୋକସଭା ନିର୍ବାଚନରେ  ଆଗାମୀ ଦିନରେ ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କ ପାଇଁ ରହିବ। ଓଡ଼ିଶାରେ ମଧ୍ୟ ମହିଳାଙ୍କର ଭୂମିକା ରହୁଛି। କେ‌ବଳ ଏତିକି ନୁହେଁ ମହିଳାଙ୍କ ପାଇଁ ସରକାରୀ ସ୍ତରରେ ଆହୁରି ଅନେକ ବ୍ୟବସ୍ଥା ରହିଛି। 

ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାମରେ ମିଶନ ଶକ୍ତି ଗଠନ କରିଛନ୍ତି। ମହିଳାଙ୍କୁ ସଶକ୍ତୀକରଣ କରିବା ଏହି ମିଶନର ଲକ୍ଷ୍ୟ ରଖିଛନ୍ତି। ମିଶନ ଶକ୍ତି ହାତରେ ରାସନ ସାମଗ୍ରୀ ବିତରଣ କରାଯାଉଛି। ଛତୁଆ ଉତ୍ପାଦନ, ପୋଖରୀ ନବୀକରଣ, ମତ୍ସ୍ୟଚାଷ, କୃଷି କାର୍ଯ୍ୟ, ମିସନ କାଫେ, ବ୍ୟାଙ୍କ ମିତ୍ର ଆଦି ପଦବିରେ ସରକାର ମହିଳାମାନଙ୍କୁ ନିଯୁକ୍ତ କରୁଛନ୍ତି। ରାଜଧାନୀ ଭୁବନେଶ୍ବରରେ ପରିଚାଳିତ ସିଟି ବସ୍‌ରେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ମିଳିପାରୁଛି। ଆଜିର ମହିଳା ଆଉ ଘରର ଚାରିକାନ୍ଥ ଭିତରେ ସୀମତି ନଥିବା ବେଳେ ଆମ ସମାଜରେ କିନ୍ତୁ ଏବେବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଶିଶୁକନ୍ୟାକୁ ଅଲୋଡ଼ା ମନେ କରୁଛନ୍ତି।

ଜଙ୍ଗଲରୁ ୧୮ ଦିନର ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ବରସ୍ଥିତ ରାଜଧାନୀ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ମାତ୍ର ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ଟି ଅଭାବନନୀୟ ଘଟଣା ଦେଖିବାକୁ ମିଳିଥିଲା। ଗତ ୮ ତାରିଖରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଶିଶୁକନ୍ୟା ଉଦ୍ଧାର ହୋଇଥିଲା ବେଳେ ୯ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଶିଶୁକନ୍ୟାଟି ପ୍ରାୟ ମାସକର ହେବ ବୋଲି କୁହାଯାଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ସେମାନେ କାନ୍ଦ ଆସୁଥିବା ସ୍ଥାନ ଆଡ଼କୁ ଯାଇଥିଲେ। ସେମାନେ ଶିଶୁଟି ପାଖରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଶୁଟି ପାଖରେ କେହି ନଥିଲେ। ଶିଶୁଟିକୁ କେହି ଏକ ଲୁଗାରେ ଶୁଆଇ ଚାଲିଯାଇଥିଲେ। ଉକ୍ତ ମହିଳାମାନେ ସଙ୍ଗେ ସଙ୍ଗେ ଏନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆଙ୍କୁ ଖବର ଦେଇଥିଲେ। ସରପଞ୍ଚ ସ୍ଥାନୀୟ ଆଶାଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

କ’ଣ ଥିଲା କୁଚିଣ୍ଡା ଘଟଣା

ଅକ୍ଟୋବର ୮ ତାରିଖର ଘଟଣା। କୁଚିଣ୍ଡା ଥାନା ଖଣ୍ଡୋକଟା ଗାଁରୁ ଜଣଙ୍କ ଘର ପଛପଟୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ଶିଶୁକୁ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ରାତ୍ରିରେ କେହି ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଛାଡ଼ି ଦେଇଥିଲେ। ଶିଶୁଟି ଦେହରେ ପିମ୍ପୁଡ଼ି ଲାଗିଯାଇଥିଲେ। ସକାଳୁ ଗ୍ରାମବାସୀ ଶିଶୁକୁ ଦେଖି ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଶିଶୁ ସଂପୂର୍ଣ୍ଣ ସୁସ୍ଥ ରହିଥିଲା। ପୂର୍ଣ୍ଣ ବିକଶିତ ଶିଶୁ ବୋଲି ଉପଖଣ୍ଡ ଡାକ୍ତରଖାନାର ସିନିୟର ଡାକ୍ତର ମନୋଜ ପଟେଲ ପ୍ରକାଶ କରିଥିଲେ। ଗୋଟିଏ ଗ୍ରାମରେ ଅଙ୍ଗନବାଡି କର୍ମୀ ଆଶାକର୍ମୀ ଥାଇ କେହି ଗର୍ଭବତୀ ଥିବା ଜାଣିପାରି ନ ଥିଲେ କିପରି ବୋଲି ପ୍ରଶ୍ନ ଉଠିଛି।

ପରିତ୍ୟକ୍ତ ସ୍ଥାନରୁ ଶିଶୁକନ୍ୟା ଉଦ୍ଧାର

ଗତ ମେ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ିର ଏକ ଘରୋଇ ଡାକ୍ତରଖାନା ପରିସରରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଶିଶୁକନ୍ୟାକୁ ଭୁବନେଶ୍ୱର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କମିଟି ସୂଚନାନୁସାରେ, ଘଟଣା ଦିନ ରାତିରେ ସାଇ ସେବା ସଦନ ନାମକ ଏକ ଘରୋଇ ଡାକ୍ତରଖାନାର ଫାଟକ ସମ୍ମୁଖରେ ଏକ ଶିଶୁକନ୍ୟାଟି ପଡ଼ିଥିଲା। ଶିଶୁ କନ୍ୟାଟିକୁ ଦେଖି କୁକୁର ମାନେ ଭୋକିବା ପରେ ଶିଶୁଟି କାନ୍ଦିଥିଲା। ଏହାଶୁଣି ଡାକ୍ତରଖାନାର ସୁରକ୍ଷାକର୍ମୀ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାର କର୍ତୃପକ୍ଷଙ୍କୁ ଜଣାଇଥିଲେ। ଏନେଇ ଡାକ୍ତରଖାନା କର୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଜଣାଇବା ପରେ ଡାକବାଜି ଯନ୍ତ୍ର ସହାୟତାରେ ଆଖପାଖ ଅଞ୍ଚଳରେ ଶିଶୁଟି ସମ୍ପର୍କରେ ପ୍ରଚାର କରାଯାଇଥିଲା। ଦୁଇଦିନ ପରେ ମଧ୍ୟ କୌଣସି ବ୍ୟକ୍ତି ନଆସିବାରୁ ଡାକ୍ତରଖାନା ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଖୋର୍ଦ୍ଧା ଚାଇଲ୍ଡ ଲାଇନର ଏକ ଟିମ୍ ଯାଇ ଶିଶୁଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେହାଜର କରିଥିଲେ।

ଶିଶୁକନ୍ୟା ସହ ନଦୀକୁ ଡେଇଁଲେ ବାପା

ଗତ ଅଗଷ୍ଟ ୧୪ରେ ଘଟଣା। କନ୍ଦରପୁର ଷଣ୍ଢୁଆସିପଡ଼ାର ପ୍ରକାଶ ପ୍ରଧାନ ପତ୍ନୀ ଦୀପାଳିଙ୍କ ସହିତ କଳି କରି  ନିଜ ୧୦ମାସର ଶିଶୁକନ୍ୟାକୁ ନଦୀକୁ ଫିଙ୍ଗି ନିଜେ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ନିକଟରେ ଥିବା ମାଛଧରାଳି ଓ ଚାଷୀମାନେ ତୁରନ୍ତ ନଦୀ ଭିତରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା ବେଳେ ପ୍ରକାଶ ଗଭୀର ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ସେହିପରି ଗତ ସେପ୍ଟେମ୍ବର ୨୮ ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଆଖୁଆପଦାସ୍ଥିତ ବୈତରଣୀ ନଦୀ ପୋଲ ଉପରୁ ନିଜର ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଧରି ଡେଇଁ ଜଣେ ଯୁବକ ଜୀବନ ହାରିଥିଲେ। ବାଲିପୋଖରୀ ଗାଁର ଚନ୍ଦନ ସାହୁ ଏଭଳି ପଦକ୍ଷେପ ନେଇଥିଲେ।

ଶିଶୁକନ୍ୟାକୁ ବୁଦାମୂଳେ ଛାଡ଼ିଗଲେ  

ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅବନକେଲା ମୁକ୍ତିଢିପାରେ ଗତ ୧୦ ତାରିଖ ଦିନ ଦୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ପରେ ଲୋକେ ଶିଶୁକୁ ଉଦ୍ଧାର କରିଥିବା ବେଳେ ପୁଲିସ ମା’କୁ ଠାବ କରିଥିଲା। ଉଭୟ ମା’ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୁକ୍ତିଢିପାର ଚୁମନ ତାଣ୍ଡିଆଙ୍କ ଆବାସ ଗୃହ ଛାତ ଢଳେଇ କାମରେ ଭଷ୍ମା ଗାଁର କେତେକ ମହିଳା ଓ ପୁରୁଷ ଶ୍ରମିକ ନିୟୋଜିତ ଥିଲେ। ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଶୌଚ ପାଇଁ ଯାଉଛି କହି କାର୍ଯ୍ୟସ୍ଥଳରୁ ଦୂରକୁ ଚାଲି ଯାଇଥିଲେ। ଏକ ବୁଦାମୂଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାକୁ  ସେଠାରେ ଛାଡ଼ି ଦେଇ ଚାଲି ଆସିଥିଲେ। କିଛି ସମୟ ପରେ ଶ୍ରମିକମାନଙ୍କ ସହ ଗାଁକୁ ଫେରିଥିଲେ। ପରେ ପରେ ଏକ ନବଜାତର କୁଆଁକୁଆଁ ଡାକ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବୁଦାମୂଳେ ଶିଶୁକୁ ଉଦ୍ଧାର କରି ଭଷ୍ମା ଥାନାକୁ ସୂଚିତ କରିଥିଲେ।    

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments