Monday, May 20, 2024
Homeଖବରଅଧ୍ୟାପନାରେ ନୁହେଁ, ମଦନିଶାରେ ମାତାଲ ଶିକ୍ଷକ

ଅଧ୍ୟାପନାରେ ନୁହେଁ, ମଦନିଶାରେ ମାତାଲ ଶିକ୍ଷକ

ଭୁବନେଶ୍ବର: ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ ବା ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍(ସିସିଏ ରୁଲ୍ସ) ୧୯୬୨ର ରୁଲ୍-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ବ ଦିଆଯାଉଛି ବୋଲି ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ୨୦୧୯ ମସିହା ଡିସେମ୍ବର ୫ ତାରିଖରେ କହିଥିଲେ। କିନ୍ତୁ ବିଦ୍ୟାଳୟ ରୂପୀ ମନ୍ଦିରରେ ପୂଜକର ଅବତାର ନେଇ ଛାତ୍ରଛାତ୍ରୀଙ୍କୁ ଦେବତା ଭାବି ଜୀବନ ଗଢ଼ୁଥିବା କିଛି ଶିକ୍ଷକ  ମାତାଲ ହୋଇଥିବା ଦୃଷ୍ଟିଗୋଚର ହେଉଛି। ବିଗତ ଦିନରେ ଅନେକ ଶିକ୍ଷକ କାର୍ଯ୍ୟରୁ ବହିଷ୍କାର ଓ ନିଲମ୍ବିତ ହୋଇସାରିଛନ୍ତି। ତଥାପି ଅନ୍ୟମାନେ ସୁଧୁରୁ ନାହାନ୍ତି।

କ୍ଲାସରୁମରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡି˚ରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ବ ଦେବା, କ୍ୟାମ୍ପସ୍ର ଶହେ ମିଟର ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରାଯାଇପାରିବ। କ୍ୟାମ୍ପସ୍ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ସ୍କୁଲ କର୍ତୃପକ୍ଷ ପଦକ୍ଷେପ ନିଆଯାଇପାରିବ। ଏଥିସହ କ୍ୟାମ୍ପସ୍ର ପ୍ରମୁଖ ସ୍ଥାନରେ ନିଶାଦ୍ରବ୍ୟ ସେବନ ବାରଣ ନେଇ ସଚେତନତା ପୋଷ୍ଟର ଲଗାଇବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ନିୟମିତ ଭାବେ କ୍ୟାମ୍ପସକୁ ଗସ୍ତ କରି ପିଲାଙ୍କ ସାଙ୍ଗରେ ଶିକ୍ଷକଙ୍କ ବିଷୟରେ ଆଲୋଚନା କରିବେ। ହେଲପ୍ ଡେକ୍ସ ଖୋଲିବା, ଟୋଲ ଫି’ ନମ୍ବର, କିଶୋର ମଞ୍ଚ, ବାଲସଭା ପରି କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବା ନଜରକୁ ଆସିଲେ ଆଇପିସିର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜନଜାତି ଆଇନ, ମୌଳିକ ଅଧିକାର ଆଇନ ଓ ଶିଶୁଙ୍କ ଯୌନଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।  

ଭିଡିଓ ଭାଇରାଲ, ମଦ୍ୟପ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ପାମରା ଜୁନାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡମ୍ବରୁଧର ଠାକୁରଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଛି। ଶ୍ରୀ ଠାକୁର ମଦ ନିଶାରେ ମାତାଲ ହୋଇ ସ୍କୁଲ ରୋଷେଇ ଘରେ ପଡ଼ିଥିବା ଓ ତାଙ୍କୁ ଉଠାଇ ଗାଁ ଲୋକେ ତାଗିଦ୍ କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଗତ ବୁଧବାର ଦିନ ୧୧ଟାରେ ଶ୍ରୀ ଠାକୁର ମଦ ପିଇ ରୋଷେଇ ଘରେ ପଡ଼ିଥିଲେ। ଖବର ପାଇ ଗାଁ ସ୍କୁଲ କମିଟି ସମେତ  କିଛି ଅଭିଭାବକ  ସ୍କୁଲକୁ ଯାଇ ତାଙ୍କୁ ଉଠାଇ ବାହାରକୁ ଆଣି ତାଗିଦ୍ କରିବା ସହ ଶ୍ରେଣୀକକ୍ଷରେ ବସାଇଥିଲେ। ଶିକ୍ଷକ ଜଣକ ନିୟମିତ ମଦ ପାଇ ସ୍କୁଲ ଆସୁଥିବା ଓ ଏପରି ଶୋଇ ରହୁଥିବା ଅଭିଭାବକମାନେ ଅଭିଯୋଗ କରୁଥିବା ଭିଡିଓରେ ଦେଖାଯାଇଥିଲା।

ସୁଧୁରୁଲେନି ପ୍ରଧାନଶିକ୍ଷକ

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ  ଗାର୍ଡିଙ୍ଗିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନଶିକ୍ଷକ  ଅଶ୍ବିନୀ କୁମାର ନାୟକ ନିଲମ୍ବିତ ହୋଇଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ନିଲମ୍ବିତ ଆଦେଶ ଦେଇଛନ୍ତି। ସେ ପୂର୍ବରୁ ବୁର୍ବିନାଜୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଅଶ୍ବିନୀଙ୍କୁ ଗତ ୪ ମାସ ହେବ ନୂତନ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେ ନିୟମିତ ମଦ ପିଇ ମାତାଲ ହୋଇ ବିଦ୍ୟାଳୟକୁ ଯାଉଥିବା ନେଇ ଅଭିଯୋଗ ହୋଇଥିଲା।  ଅଭିଯୋଗର ତଦନ୍ତ ପରେ ଏନେଇ ସତ୍ୟତା ଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ମଦ ପିଇ ୨ ପ୍ରଧାନଶିକ୍ଷକ ନିଲମ୍ବିତ

ଏହା ପୂର୍ବରୁ ମଦ୍ୟପାନ କରି ବିଦ୍ୟାଳୟ ପରିସରରେ ଆସର ଜମାଇବା ଦୁଇ ଜଣ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଥିଲେ। ବଲାଙ୍ଗୀର ଜିଲ୍ଲା ମାଟୁପାଲି ସ୍କୁଲର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ସ୍କୁଲର ପ୍ରଧାନଶିକ୍ଷକ ସଂଜିତ ଦୋରା ନିଲମ୍ବିତ ହୋଇଥିଲେ। ଏହା ଥିଲା ଗତବର୍ଷ ଅକ୍ଟୋବର ମାସର ଘଟଣା। ଉଭୟ ଶ୍ରୀ ବିଶି ଓ ଶ୍ରୀ ଦୋରାଙ୍କୁ ଦେଓଗାଁ ବିଇଓ ନିଲମ୍ବନ କରିଥିଲେ। ଦୁଇ ଜଣ ପ୍ରଧାନଶିକ୍ଷକ ମିଶି ବିଦ୍ୟାଳୟର କୋଠରି ଭିତରେ ନିଶା ସେବନ କରୁଥିଲେ। ଏହି ସମୟର ଦୃଶ୍ୟକୁ ଗାଁ ଲୋକେ କୌଶଳ କ୍ରମେ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଦୁଇ ପ୍ରଧାନଶିକ୍ଷକଙ୍କ କାରନାମା ପଦାରେ ପଡ଼ିଥିଲା। ଏହା ପରେ ସେମାନେ ପ୍ରଶାସନ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments