Monday, May 20, 2024
Homeଖବରମାଲକାନଗିରିରୁ କାହିଁକି ଲକ୍ଷ୍ମୀ ବସ୍?

ମାଲକାନଗିରିରୁ କାହିଁକି ଲକ୍ଷ୍ମୀ ବସ୍?

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ଚାଲି ଆସୁଧିବା ରାଜ୍ୟ ସରକାରଙ୍କ ପରିବହନ ନିଗମ ଦ୍ବାରା ପରିଚାଳିତ ସରକାରୀ ବସ୍ ଲୋକପ୍ରିୟ ହୋଇପାରି ନାହିଁ। ଓଏସ୍ଆରଟିସି ବସ୍ ସବୁ ପଞ୍ଚାୟତକୁ ଯୋଡ଼ି ହୋଇପାରି ନଥିବା ବେଳେ ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାକୁ ନୂଆ ରୂପ ଦେବାକୁ ଉଦ୍ୟମ କରିଛନ୍ତି। ଗ୍ରାମାଞ୍ଚଳକୁ ଅତି ସହଜରେ ସହର ସହିତ ଯୋଡ଼ିବା ପାଇଁ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କରିଛନ୍ତି। ବହୁ ବାଦବିବାଦ ପରେ ରାଜ୍ୟ ସରକାର ମାଲକାନଗିରିରୁ ’ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ପ୍ରଥମ ଦଫାରେ ୩୬ଟି ବସ୍କୁ ଆରମ୍ଭ କରିଛନ୍ତି, ଯାହାକି ଜିଲ୍ଲାର ୧୧୧ଟି ଗ୍ରାମପଞ୍ଚାତକୁ ଯୋଡ଼ିବ। ପ୍ରଥମ ଦଫାରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା (ମାଲକାନଗିରି ସହ ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ)ରେ ଏହି ସେବା ଆରମ୍ଭ ହୋଇଛି। ତେବେ ଏହି ସେବା କେତେଦିନ ଯାଏଁ ତିଷ୍ଠି ରହିବ, ତାହା ଦେଖିବାକୁ ରହିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି। ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା  ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି”। ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା। ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ  ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡ଼ିବ। ଘର ପାଖକୁ ଆସିବ ବସ୍। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡ଼ିବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ରୋଗୀକୁ ହସ୍ପିଟାଲ ନେବ। ମା’ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ।  

ମାଲକାନଗିରି ଓ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ଅବସରରେ କହିଥିଲେ ଯେ, ମାଲକାନଗିରି ମୋର ଅତି ପ୍ରିୟ। ଏହି କାରଣରୁ ସେ ବୋଧେ ଯୋଜନାକୁ ଏଠାରୁ ଆରମ୍ଭ କରିବାକୁ ଚାହିଁଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଟଙ୍କିକିଆ ଚାଉଳ ଯୋଜନା ୨୦୧୩ ଫେବ୍ରୁଆରି ୨ ତାରିଖରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରୁ ଶୁଭାରମ୍ଭ କରିଥିଲେ। ବିପିଏଲ୍, ଅନୁସୂଚିତ ଜାତି, ଜନଜାତି, ଦିବ୍ୟାଙ୍ଗ ଓ ଅର୍ନ୍ତୋଦୟ ଯୋଜନାର ହିତାଧିକାରୀଙ୍କୁ ସରକାର ୧ ଟଙ୍କାରେ ଚାଉଳ ଯୋଗାଉଛନ୍ତି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ୨୦୧୮ରେ ମାଲକାନଗିରିରୁ ଶୁଭାରମ୍ଭ କରିଥିଲେ।

ଚାଲି ପାରିଲାନି ବିଜୁ ଗାଁ ଗାଡ଼ି

ରାଜ୍ୟର ୧୯ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ଗମାନଗମନ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ୨୦୧୪ରେ ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ। ସରକାରଙ୍କ ସହାୟତାରେ ପ୍ରାଇଭେଟ୍ ମାଲିକ ଏହି ଗାଡ଼ି ଚଳାଉଥିଲେ। କେବଳ କୋରାପୁଟ ଜିଲ୍ଲାରେ ୧୨୭ଟି ଗାଡ଼ି ଚାଲିଥିଲା। ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ସମେତ ଅନ୍ୟ ସ୍ଥାନରୁ ବିଜୁ ଗାଁ ଗାଡ଼ି ପୁରା ଅଦୃଶ୍ୟ ହୋଇଗଲା। ସରକାରଙ୍କ ଯୋଜନା ସିନା ମାଳମାଳ ହେଲେ କାର୍ଯ୍ୟ କିନ୍ତୁ ଦୁର୍ବଳ ବୋଲି ଲୋକେ କହୁଛନ୍ତି। ବିଜୁ ଗାଁ ଗାଡ଼ି ଯୋଜନା କିଛି ବର୍ଷ ଠିକଠାକ ଚାଲିଲା। ହେଲେ ଲୋକେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଲା ବେଳକୁ ଗାଡ଼ି ସବୁ ଅଦୃଶ୍ୟ ହୋଇ ଚାଲିଲା। ତେଣୁ ପ୍ରଶ୍ନ ଉଠିଲା କାହିଁକି ବାଟବଣା ହେଲା ବିଜୁ ଗାଁ ଗାଡ଼ି? କାହିଁକି ରାସ୍ତାକଡ଼ରେ ପଡ଼ି ଖତ ଖାଉଛି? କଣ ଗାଡ଼ିରେ ଯାଆସ ପାଇଁ ଲୋକ ହେଉନାହାନ୍ତି ନା ସରକାର ଠିକ୍ରେ ସହାୟତା ଦେଲେନି? ଏସବୁ ଯାବତୀୟ ପ୍ରଶ୍ନ ଜନତାଙ୍କ ମନରେ ଉଙ୍କି ମାରୁଥିବାବେଳେ ପରିବହନମନ୍ତ୍ରୀ ସିଧା ଏଥିପାଇଁ କୋ କୋଭିଡ୍ କଟକଣା ସାଙ୍ଗକୁ ଲକଡାଉନ୍ ଓ ସଟଡାଉନ୍କୁ ଦାୟୀ କରିଥିଲେ। ତାସହ ରକ୍ଷଣାବେକ୍ଷଣ ଅଭାବକୁ ବି ଅନ୍ୟ କାରଣ ଭାବେ ଦର୍ଶାଇଥିଲେ।

ଚାଲିପାରିଲାନି ସିଟି ବସ୍, ମୋ ବସ୍‌କୁ ଟେକିଦେଲେ

ରାଉରକେଲା ସ୍ମାର୍ଟସିଟିରେ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯାତାୟତ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ସୁନ୍ଦରଗଡ଼ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ(ସୁଟ୍) ଜରିଆରେ ସିଟି ବସ୍ ସେବା ଆରମ୍ଭ ହୋଇଥିଲା। ସୁଟ୍ ଏହି ବସ୍ ପରିଚାଳନା କରି ନପାରିବାରୁ ଶେଷରେ ଅନ୍ୟ ଏକ ସଂସ୍ଥାକୁ ଟେକି ଦେଲା। ସହରବାସୀ ଭାବିଥିଲେ ଘରୋଇ ସଂସ୍ଥା ଜିଲ୍ଲା ପ୍ରଶାସନ ତଦାରଖରେ ସବୁ ଯାତ୍ରୀଙ୍କୁ ସଠିକ୍ ଯାତାୟତ ସେବା ଯୋଗାଇ ଦେବ। ହେଲେ ସହରବାସୀ ସବୁ ଆଶା ଓ ଭରସା ଭାଙ୍ଗିଗଲା। ରକ୍ଷଣାବେକ୍ଷଣ ଅଭାବରୁ ବସ୍ଗୁଡ଼ିକ ଦୀର୍ଘ ଦିନ ଧରି ଖତ ଖାଇଲା ରାଉରକେଲା ସିଟି ବସ୍। ଅଧାରୁ ଅଧିକ ବସ୍ ଗଡ଼ି ପାରିଲା ନାହିଁ। କାହାର ଚକା ବାହାରିଗଲା ତ ଅନ୍ୟ କାହାର ଇଞ୍ଜିନ୍ ବାହାରେ ପଡ଼ିଥିଲା। ବାହାର ଠାରୁ ବସ୍ ଭିତର ସ୍ଥିତି ଆହୁରି ସାଙ୍ଗାତିକ ହୋଇଯାଇଥିଲା। ସିଟ୍ ଉପରେ ବହଳମୋଟର ଧୂଳି ଜମିବା ସହ ଚିରି ନଷ୍ଟ ହୋଇଗଲା। ଦରବାଜା, ଝରକା କାଚ ଭାଙ୍ଗି ଚୋରି ହୋଇଗଲା। ମାସ ମାସ ଧରି ଗୋଟିଏ କି ଦୁଇଟି ବସ୍ ନୁହେଁ, ପ୍ରାୟ ୧୦ରୁ ଅଧିକ ବସ୍ ସେମିତି ଖରାବର୍ଷାରେ ପଡି ରହିଲା ପରେ ଏଗୁଡ଼ିକୁ ମୋ ବସ୍ ସଂସ୍ଥା ନେଇଗଲା।

ବିରୋଧୀଙ୍କ ଟାର୍ଗେଟରେ ଲକ୍ଷ୍ମୀ

ଲକ୍ଷ୍ମୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମାଲୋଚନା କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳୀୟ ସରକାର ଓଡ଼ିଶାରେ କାମ କରୁଛି।  ଦଳ ଓ ସରକାର ଗୋଟିଏ ହୋଇଯାଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ପିଅନଠୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଦଳ ପାଇଁ କାମ କରୁଛନ୍ତି।

କୁଆଡେ ଗଲା ବିଜୁ ଗାଁ ଗାଡ଼ି: କଂଗ୍ରେସ

ଲକ୍ଷ୍ମୀ ବସ୍ ସଂପର୍କରେ କଂଗ୍ରେସ କହିଛି, ସରକାର ଆଗରୁ ଚାଲୁଥିବା ସରକାରୀ ବସ୍କୁ ଠିକ୍ ଭାବେ ଚଲାଇପାରୁ ନାହାନ୍ତି। ଏହି କାରଣରୁ ସରକାରୀ ବସ୍ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରାଜ୍ୟ ସରକାର ଯେଉଁ ନୂଆ ବସ୍ ଚଲାଉଛନ୍ତି, ଏହା ନିମ୍ନମାନର। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ଏହି ବସ୍ ଚଲାଉଛନ୍ତି। ଏହି ବସ୍ଗୁଡ଼ିକ ୨ ବର୍ଷ ପରେ ଖରାପ ହୋଇଯିବାର ଆଶଙ୍କା ଦେଖାଯାଉଛି। କଂଗ୍ରେସ କହିଛି ଯେ, ଜିଲ୍ଲାରେ ରାସ୍ତାଘାଟର ଘୋର ଅଭାବ। ଲକ୍ଷ୍ମୀ ବସ୍ କ’ଣ ବଣ୍ଡା ଘାଟିରୁ ଚାଲିପାରିବ କି ବୋଲି ପ୍ରଶ୍ନ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସରକାର ପୂର୍ବରୁ ବିଜୁ ଗାଁ ଗାଡ଼ି ଚଳାଇଥିଲେ। ଆଜିକାଲି ତାହା ଆଉ ଦେଖାଯାଉ ନାହିଁ। ତାହା କେଉଁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments