Wednesday, May 1, 2024
Homeଖବରନବୀନ ନିବାସରେ ଓଡ଼ିଆ ଫିଲ୍ମ କଳାକାର 

ନବୀନ ନିବାସରେ ଓଡ଼ିଆ ଫିଲ୍ମ କଳାକାର 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାମ କରୁଥିବା କିଛି କଳାକାରମାନଙ୍କୁ ନବୀନ ନିବାସ ଡାକିଛନ୍ତି। ତାଙ୍କ ଡାକରା ପାଇଁ କଳାକାରମାନେ ଗତ ଶୁକ୍ରବାର ଦିନ ନବୀନ ନିବାସ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥର ନିର୍ବାଚନରେ କିଛି ଟଙ୍କା ମିଳିବ ବୋଲି କଳାକାରମାନଙ୍କର ଖୁସି କହିଲେ ନସରେ। କିନ୍ତୁ ଯେଉଁ କଳାକାରମାନେ ଭାରତୀୟ ଜନତା ପାର୍ଟି ସହିତ ସଂପର୍କ ରଖିଛନ୍ତି, ସେମାନଙ୍କୁ ନବୀନ ମନେ ପକାଇ ନଥିଲେ ବୋଲି ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପକ୍ଷପାତିତାକୁ ବିଜେପିରେ ଯୋଗଦେଇଥିବା କଳାକାରମାନେ ନାପସନ୍ଦ କରୁଛନ୍ତି।

ନିର୍ବାଚନ ପାଇଁ ପ୍ରକ୍ରିୟା ଜୋର ଧରିଥିବା ବେଳେ ବ‌ିଜେପି ସହିତ ସଂପର୍କ ରଖି ନଥିବା କିଛି ଓଡ଼ିଆ ଫିଲ୍ମ କଳାକାରଙ୍କୁ ନବୀନ ପଟ୍ଟନାୟକ ଡାକିବା ଆଶ୍ଚର୍ଯ୍ୟ ଲାଗୁଛି। ସେ ଓଡ଼ିଆ ଫିଲ୍ମ କଳାକାରଙ୍କୁ ଭଲ ପାଆନ୍ତି ଅଥବା ବିଜେଡିକୁ ସମର୍ଥନ କରୁଥିବା କଳାକାରଙ୍କୁ ପସନ୍ଦ କରନ୍ତି? ତାହା ଜଣାପଡୁନାହିଁ। ବିଗତ ୨୪ ବର୍ଷ ଧରି ଯିଏ କେବେ କଳାକାରଙ୍କୁ ଡାକି ନଥିଲେ, ନିର୍ବାଚନ ସମୟରେ ଡାକିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ବିଜେପି କଲଚରାଲା ସେଲ୍ ସଦସ୍ୟ ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି।

ପୁରୀରେ ନାହିଁ ସିନେମା ହଲ୍‌

ପିଙ୍କି ପ୍ରଧାନ କହିଛନ୍ତି, ଆମେ ଗତ ଶୁକ୍ରବାର ଦିନ ଏକ ବିରଳ ଦୃଶ୍ୟ ଦେଖିଲୁ। ୨୪ ବର୍ଷ ଧରି ଆମେ ନବୀନ ବାବୁଙ୍କୁ କେବେ କଳାକାରମାନଙ୍କୁ ମନେକରିବା, ପ୍ରତକ୍ଷ୍ୟ ଭାବେ ଏକତ୍ର କରି କଳା ବିଷୟରେ କଥା ହେବା ଓ କଳାଜଗତ ବାବଦରେ ଆଲୋଚନା କରିବା ଜାଣି ନଥିଲୁ।  ବୁଡ଼ି ଯାଉଥିବା ଲୋକର କୁଟାଖିଅକୁ ସାହାରା। ବିଜେଡି ଆଜି ଷ୍ଟାର ପ୍ରଚାରକମାନଙ୍କୁ ଖୋଜୁଛି। ବିଜେଡି ନେତାମାନେ କୁହନ୍ତି ଯେ, ବିଜେଡିରେ ଜଣେ ମାତ୍ର ଷ୍ଟାର ପ୍ରଚାରକ ଅଛନ୍ତି। ତାଙ୍କ ବ୍ୟତୀତ ଆଉ କାହାରି କାର୍ତ୍ତି ନାହିଁ। ସେ ହେଉଛନ୍ତି ନବୀନ ପଟ୍ଟନାୟକ। କିନ୍ତୁ ଆଜି କ’ଣ ହୋଇଛି ଯେ, ସେ ଏତେମାତ୍ରାରେ ହଠାତ୍ ଓଲିଉଡର କଳାକାରମାନଙ୍କୁ ଡାକରା ପଡ଼ିଲା। ବିଜୁ ଜନତା କେବଳ ବ୍ୟବହାର କରି ଜାଣିଛି। କାମ ସରିଲେ ଫୋପାଡ଼ି ଦିଏ। ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡି ୨ ଥର ସାଂସଦ କଲା। କିନ୍ତୁ କାମ ହାସଲ ପରେ ଛାଡ଼ି ଦେଲା। ଆମେ ସମସ୍ତେ ଜାଣିଛେ ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଫିଲ୍ମ ‘ସୀତାବିବାହ’ ମୁକ୍ତିଲାଭ କରିଥିଲା ପୁରୀରେ। କିନ୍ତୁ ଦୁଃଖର କଥା ହେଲା ଯେ, ଆଜି ପୁରୀରେ ସିନେମା ହଲ ନାହିଁ। ଭୁବନେଶ୍ବରର କଳ୍ପନା ଟକିଜ ମାଟିରେ ମିଶି ସାରିଛି। ରବି ଟକିଜରେ ବିବାହ କାର୍ଯ୍ୟକ୍ରମ ହେଉଛି। ସମ୍ବଲପୁର ଭଳି ସହରରେ ଫିଲ୍ମ ହଲ ନାହିଁ। ନବୀନ ନିବାସକୁ ଯାଇଥିବା ଜଣେ କଳାକାର କହୁଛନ୍ତି, ଟଙ୍କା ପାଇଁ ଆମେ ସେଠାକୁ ଯାଇଥିଲୁ। କ’ଣ ଜଣେ କଳାକାର ଟଙ୍କା ରୋଜଗାର କରିବା ପାଇଁ ୫ ବର୍ଷକୁ ଅପେକ୍ଷା କରିଥିବ। ଏହି ପ୍ରଶ୍ନ ପଚାରିବାର ଅଧିକାର ଆମର ଅଛି ନା ନାହିଁ। ସରକାର ଯଦି ଓଡ଼ିଆ ଫିଲ୍ମ ସଂପର୍କରେ ଆଲୋଚନା ଓ ବିକାଶ କରିବାର ଅଛି, ବିଜେପିରେ ଯୋଗଦେଇଥିବା କଳାକାରମାନଙ୍କୁ କାହିଁକି ଡାକି ନଥିଲେ।

କଳାକାରଙ୍କୁ ମୋଦୀ ଦିଅନ୍ତି ୪୫୦୦, ନବୀନ ୨୦୦୦

ବିଜେଡି ଓଡ଼ିଆ ଫିଲ୍ମର ବିକାଶ ପାଇଁ କ’ଣ କରିଛି? ତାହାର ଉତ୍ତର ରଖନ୍ତୁ। ବିଜେଡି ଆଜି ଲୋକପ୍ରିୟତା ହରାଉଛି। ନବୀନଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି। ଏହା ସର୍ଭେ ରିପୋର୍ଟ କହୁଛି। ଆଜି ଜିରୋମାନଙ୍କୁ ନେଇ ବସାଉଛନ୍ତି।  ସେମାନଙ୍କୁ ବିଜେଡିର ଆବଶ୍ୟକତା ପଡ଼ିଛି। ୨୪ ବର୍ଷ ମଧ୍ୟରେ ଓଡ଼ିଶାର କଳାକାରମାନେ ଅଧିକ ଅବହେଳାର ଶିକାର ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କଳାକାରମାନଙ୍କୁ ୪୫୦୦ ଟଙ୍କା ଲୋକକଳାକାରମାନଙ୍କୁ ଦେଉଛନ୍ତି। ଏଠାରେ ନବୀନ ପଟ୍ଟନାୟକ ୨୦୦୦ ଟଙ୍କା ଦେଉଛନ୍ତି। ଯଦି କଳାକାରମାନଙ୍କୁ ଏତେ ଭଲ ପାଉଛନ୍ତି, ଅଧିକ ଟଙ୍କା ସହାୟତା ପ୍ରଦାନ କରନ୍ତୁ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ କଳାକାରମାନଙ୍କୁ ବୀମା, ଆବାସ ମିଳୁଛି। ସ୍ବତନ୍ତ୍ର କଲୋନି ନିର୍ମାଣ କରାଯାଉଛି। ଓଡ଼ିଶାର କଳାକାରମାନଙ୍କ ଭାଗ୍ୟରେ ତାହା ଅଛି କି? କରୋନା ସମୟରେ ଓଡ଼ିଆ ଫିଲ୍ମ ଶିଳ୍ପ ବନ୍ଦ ହୋଇଯାଇଥିଲା, ସେହି ସମୟରେ ନବୀନ ବାବୁ ସହାୟତା ଦେଇ ନଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଟୀକା, ଚାଉଳ ଓ ୧୫୦୦ ଟଙ୍କା ଲେଖାଏଁ ଦେଇଥିଲେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।

କଳାକାର କେବେ ହେବେ ସ୍ବାବଳମ୍ବୀ

ବିଜେପି କଲଚରାଲା ସେଲ୍ ସଦସ୍ୟ ହରିହର ମହାପାତ୍ର କହିଛନ୍ତି, ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକକଳାକାରମାନଙ୍କୁ ପାଇଁ ସ୍ବାବଳମ୍ବୀ କରିପାରି ନାହାନ୍ତି। କଳାକାର ଭତ୍ତା ଆଗରୁ ୧୨୦୦ ଟଙ୍କା ଥିଲା। ନିର୍ବାଚନ ପୂର୍ବରୁ ୨୦୦୦ ଟଙ୍କା କରିଛନ୍ତି। ମୋଦୀ ସରକାର ଆଗରୁ ୨୦୦୦ ଟଙ୍କା ଦେଉଥିଲେ, ଏବେ ମୋଦୀ ସରକାର ୪୫୦୦ ଟଙ୍କା ଦେଉଛନ୍ତି। କାଲି ଯେଉଁ କଳାକାରମାନେ ନବୀନ ନିବାସ ଯାଇଥିଲେ ଟଙ୍କା ପାଇଁ ଯାଇଥିଲେ। ଆବେଗ ପାଇଁ ଯାଇ ନଥିଲେ। ମୁଖ୍ୟମନ୍ତ୍ରୀ ନବୀନ କହୁଛନ୍ତି ଓଡ଼ିଶା ଏକ ନମ୍ବର ରାଜ୍ୟ। କିନ୍ତୁ ଓଡ଼ିଶା କେତେ ଗରିବ ତାହା ଲୋକେ ଜାଣିଛନ୍ତି। ସିନେମା ହଲଗୁଡ଼ିକ ବନ୍ଦ ହୋଇ ବିବାହ ମଣ୍ଡପ ଓ ମାର୍କେଟ ପରିସର ହେଉଛି। କଳିଙ୍ଗ ଷ୍ଟୁଡିଓରେ ବଡ଼ବଡ଼ିଆମାନଙ୍କର ବିବାହ ହେବ। ସିନେମା ଉନ୍ନତି ପାଇଁ ଉଦ୍ଦିଷ୍ଟ ନୁହେଁ। ଷ୍ଟୁଡିଓରେ ଯେଉଁ ସେଟ୍ ଲାଗିବା କଥା, ତାହା ହୋଇ ନାହିଁ। ଏଠାରେ କଳାକାର ସୃଷ୍ଟି ହେବେ ନାହିଁ। ଅତୀତରେ ଏଠାକୁ ଆସାମ ଓ କୋଲକାତାର ଫିଲ୍ମ ସୁଟିଂ ହେଉଥିଲା। ଏଥର ମୋଦୀ ଜୀ ଓଡ଼ିଶାରେ ଖେଳ ନ କଲେ କାନ କାଟିଦେବି।

କରୋନା ସମୟରେ କ’ଣ କରୁଥିଲେ ନବୀନ

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ମେଲୋଡି ଓ ଯାତ୍ରାକଳାକାରମାନେ କାନ୍ଦୁଥିଲେ, ନବୀନ ପଟ୍ଟନାୟକ କ’ଣ କରୁଥିଲେ। ଯଦି ଆପଣ କ’ଣ କହିବେ ବିଜେପି କ’ଣ କରିଛି? ମୁଁ କହୁଛି ଓଡ଼ିଶାରେ ପ୍ରଥମେ ବିଜେପି ଆସୁ, ତା’ପରେ ଆମେ କହିବୁ। ଉତ୍ତରପ୍ରଦେଶରେ ଯୋଗୀ ସରକାର ଯେଉଁ ଫିଲ୍ମ ସିଟି କରିଛନ୍ତି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମୋଦୀ ଗରିବ କଳାକାରଙ୍କ କାମ କରିଛନ୍ତି। ପଶ୍ଚିମବଙ୍ଗରେ କଳାକାରଙ୍କ ପାଇଁ ବୀମା ଦେଉଛନ୍ତି। ଉତ୍ତରପ୍ରଦେଶ ସରକାର ଗରିବ ଲୋକକଳାକାର ବାଦ୍ୟ କିଣିବେ ବୋଲି ୨୦୦୦୦ ଟଙ୍କା ଦେଉଛନ୍ତି। ୨୪ ବର୍ଷ ମଧ୍ୟରେ କଳାକାରମାନେ ଅଧିକ ଅବହେଳିତ ହୋଇଛନ୍ତି। ଯଦି ଆମେ ବଞ୍ଚିଛୁ, ନିଜ ବାହୁବଳରେ ବଞ୍ଚିଛୁ। ସରକାର ଆମ ପାଇଁ କିଛି କରିନାହିଁ। ତେଣୁ ସାଧାରଣ ନିର୍ବାଚନରେ ଜବାବ ଦିଆଯିବ।

ବିଜେଡି ଛାଡ଼ିଲେଣି ଷ୍ଟାର କଳାକାର

ଓଲିଉଡ୍‌ର ଚାରି ବଡ଼ ଚେହେରା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଉଗାରିବା ପରେ ସେମାନଙ୍କୁ କାଉଣ୍ଟର୍ କରିବାକୁ ବିଜେଡି ବଡ଼ ଯୋଜନା ପ୍ରସ୍ତୁତ କରିଛି। ଆଗରୁ ଅନୁ ଚୌଧୁରୀ, ଶ୍ରୀତମ୍ ଦାସ, ମହାଶ୍ବେତା, ଅପରାଜିତା ଓ ବିଦୁସ୍ମିତା ପ୍ରମୁଖ ବି ବିଜେପିରେ ସାମିଲ ହୋଇଥିଲେ। ନବୀନ ନିବାସରେ ଶୁକ୍ରବାର ହଠାତ ବହୁ ଓଲିଉଡ୍ କଳାକାରଙ୍କ ଆବିର୍ଭାବ ଏହି ସଙ୍କେତ ଦେଇଛି। ଗତକାଲି ବାବୁସାନ୍, ପପୁ ପମ୍ପମ୍, ଦେବାଶିଷ, ଅମ୍ଳାନ୍, ସମ୍ବିତ, ଲିପ୍ସା, ଭୂମିକାଙ୍କ ସମେତ ଆଉ କିଛି କଳାକାର ନବୀନ ନିବାସ ଯାଇଥିଲେ। ସେମାନେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ଙ୍କୁ ସାକ୍ଷାତ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments