Wednesday, May 1, 2024
Homeଖବରଚିନ୍ତାରେ ସୁନା ବୃବସାୟୀ, ଗ୍ରାହକ

ଚିନ୍ତାରେ ସୁନା ବୃବସାୟୀ, ଗ୍ରାହକ

ଭୁବନେଶ୍ବର: ବିଳାସମୟ ଜୀବନଯାପନ କରିବା ପ୍ରତ୍ୟେକ ମଣିଷର ସ୍ବପ୍ନ ଥାଏ। ଅଧିକ ଟଙ୍କା ରୋଜଗାର କରିବା କାହାକୁ ବା ମନ ନଥାଏ। କୌଣସି ବିପରୀତ ପରିସ୍ଥିତିରେ ଆର୍ଥିକ ସମସ୍ୟା ଯେପରି ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏଥି ପାଇଁ ଲୋକେ ଜୀବନକୁ ବାଜି ଲଗାଇ ପରିଶ୍ରମ କରିଥାନ୍ତି। କିନ୍ତୁ ସମସ୍ତଙ୍କର ସ୍ବପ୍ନ ପୂରା ହୋଇପାରେ ନାହିଁ। ପୁଣିଥରେ ଖରାପ ସମୟ ଦେଇ ଜୀବନ ବିତାଇବାକୁ ପଡ଼ିଥାଏ। କିନ୍ତୁ ଘରେ ଯଦି ସୁନା ଓ ରୁପା ଭଳି ମୂଲ୍ୟବାନ ଜିନିଷ ଥିବ, ତା’ହେଲେ ଅସୁବିଧା ସମୟରେ ଏହା କାମକୁ ଆସିଥାଏ।

ପ୍ରସିଦ୍ଧ ଲେଖକ ରୋବର୍ଟ ଟି କିଓସାକି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କୁ ପୁଞ୍ଜି ନିବେଶ ପାଇଁ ପରାମର୍ଶ ଦେଇଥାନ୍ତି। ସେ ସୁନା ଓ ରୁପା କ୍ଷେତ୍ରରେ ନିବେଶ କରିବାକୁ ଉପଦେଶ ଦିଅନ୍ତି। ଏଥର ସେ ନିଜ ଆଧିକାରୀକ ଟ୍ବିଟ୍‌ରେ ଲେଖିଛନ୍ତି, ସବୁକିଛି ବୁଲବୁଲା। ଷ୍ଟକ୍‌, ବଣ୍ଡ, ରିୟଲ ଇଷ୍ଟେଟ୍‌ କ୍ରାସ୍‌ ହୋଇଯାଇପାରେ। କିନ୍ତୁ ସୁନା ଓ ରୁପାରେ ନିବେଶ କଲେ ଭବିଷ୍ୟତରେ ଭଲ ଲାଭ ମିଳିପାରିବ। ନିଜ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଆମେରିକା ଉପରେ କ୍ରମାଗତ ଭାବେ ଋଣ ଭାର ବଢ଼ିଚାଲିଛି। ପ୍ରତି ୯୦ ଦିନରେ ଆମେରିକାର ଋଣ ୧ ଟିଲିୟନ ଡଲାର ହୋଇଛି। ଅର୍ଥାତ ଆମେରିକା ଦେବାଳିଆ ପରିସ୍ଥିତି ଆଡ଼କୁ ଅଗ୍ରସର ହେଉଛି। ତେଣୁ ନିଜେ ନିଜକୁ ବଞ୍ଚାନ୍ତୁ। ତେଣୁ ସୁନା, ରୁପା ଓ ବିଟ୍‌କଏନ୍‌ କିଣନ୍ତୁ।

ବିଶ୍ବବ୍ୟାପୀ ଦର ଅନିୟନ୍ତ୍ରିତ

ଦେଶ-ବିଦେଶରେ ସୁଦା ଦର ଅନିୟନ୍ତ୍ରିତ ହୋଇ ବଢ଼ିଚାଲିଛି। ‌ସୁନାର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇଛି। ୧୦ ଗ୍ରାମ୍‌ ସୁନାର ଦର ୭୨,୮୦୦ ଟଙ୍କାରେ ପହଞ୍ଚି ସାରିଛି। ବିଗତ ୨ ମାସ ମଧ୍ୟରେ ୧୧ ହଜାରରୁ ଅଧିକ ବଢ଼ି ସାରିଛି। ସୁନା ଦର ବଢ଼ିବା ପଛରେ କାରଣ କ’ଣ ଓ ସୁନା କ୍ଷେତ୍ରରେ ନିବେଶ କରିବା ପାଇଁ ଏହା ଉପଯୁକ୍ତ ସମୟ କି? ବିବାହ ଋତୁରେ ସୁନା ଦର ବଢ଼ିଥିବାରୁ ଗରିବ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଚଳିତ ବର୍ଷ ଫେବ୍ରୁଆରି ୧୪ରେ ସୁନା ଦର ୧୦ ଗ୍ରାମ ପିଛା ୬୧,୨୦୦ ଟଙ୍କା ଥିଲା। ମାର୍ଚ୍ଚ ୨୧ ବେଳକୁ ଏହା ୬୬,୧୦୦ ଟଙ୍କା ଥିଲା। ସୁନା ଦର ବଢ଼ିବା କାରଣରୁ ଗ୍ରାହକମାନେ ମନ ଦୁଃଖ କରିଛନ୍ତି। କିନ୍ତୁ ସେମାନେ ସୁନା କ୍ଷେତ୍ରରେ ନିବେଶ କରିବା ସୁରକ୍ଷିତ ଭାବୁଛନ୍ତି। ଏଥି ପାଇଁ ମଧ୍ୟ କିଣୁଛନ୍ତି। ବିବାହ ଋତୁ ଜାରି ଥିବା ବେଳେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଏହି ଋତୁ ରହିବ। ବ୍ୟବସାୟୀଙ୍କ କହିବା ଅନୁସାରେ ଆଗାମୀ ଦିନରେ ସୁନା ଦର ଆହୁରି ବଢ଼ିପାରେ। ଯଦି ଏବେ ନିବେଶ କରିଥିବେ, ତାହା ଆଗାମୀ ଦିନରେ ଭଲ ଲାଭ ଦେବ।

ସୁନା ଦର ୭୫,୦୦୦ ହୋଇପାରେ

ସୁନା ଦର ଦ୍ରୁତଗତିରେ ବଢ଼ିବା କେବଳ ଭାରତର ସମସ୍ୟା ନୁହେଁ। ଏଥି ପାଇଁ ବିଶ୍ବର ଜନତା ଚିନ୍ତାରେ ପଡ଼ିଯାଇଛନ୍ତି। ସୁନା ଦର ବଢ଼ିବା ପଛରେ କାରଣକୁ ବିଶ୍ବବାସୀ ଖୋଜୁଛନ୍ତି। ବିଶେଷଜ୍ଞମାନଙ୍କ କହିବା କଥା ହେଲା ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜର ସୁନା ଭଣ୍ଡାର ବଢ଼ାଉଛନ୍ତି। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସାମିଲ ରହିଛି। ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚୀନ୍‌ କ୍ରମାଗତ ୧୭ ମାସ ହେଲା ସୁନା କିଣୁଛି। ଏହା ବ୍ୟତୀତ ଆମେରିକାରେ ଆଗାମୀ ଦିନରେ ସୁଧଦର ହ୍ରାସ ପାଇବାର ଆଶଙ୍କା ରହିଛି। ତେଣୁ ଆଗାମୀ ଦିନରେ ସୁନାଦର ଆହୁରି ବଢ଼ିପାରେ। ଅର୍ଥାତ ଏହି ଦର ୧୦ ଗ୍ରାମ୍‌ ପିଛା ୭୫ ହଜାର ପର୍ଯ୍ୟନ୍ତ ଛୁଇଁପାରେ।

ସାଧାରଣ ଗ୍ରାହକଙ୍କ ମୁଣ୍ଡବିନ୍ଧୁଛି

ଭାରତ ସମେତ ପୂରା ବିଶ୍ବରେ ସୁନା ଓ ରୁପା ଦର ଯେମିତି ବଢ଼ିଛି, ଭୁବନଶ୍ବେର ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଦର ଏତେମାତ୍ରାରେ ବଢ଼ୁଛି ଯେ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚକିତ କରିଛି। ଭୁବନେଶ୍ବର ବଜାରରେ ଶନିବାର ଦିନ ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ପାଖାପାଖି ୧୦୦୦ ଟଙ୍କା ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୯୦ ଟଙ୍କା ବଢ଼ି ୭୩,୩୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି ଘଟି ୬୭,୨୦୦ ଟଙ୍କାରେ ପହଞ୍ଚିଛି।  ତେଣୁ ବିବାହ, ବ୍ରତ ଭଳି ଆବଶ୍ୟକତା ପୂରଣ ପାଇଁ ସୁନା ଓ ରୁପା କିଣିବାକୁ ଯାଉଥିବା ସାଧାରଣ ଗ୍ରାହକଙ୍କ ପାଇଁ ଏହି ଆକାଶଛୁଆଁ ମୂଲ୍ୟବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଲୋକମାନେ ପୁଅଝିଅଙ୍କ ବାହାଘର ଆବଶ୍ୟକତା ପୂରଣ ପାଇଁ ସୁନା ଓ ରୁପା ଆଦି ଗହଣା ବାବଦରେ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ପୂର୍ବରୁ ଯୋଜନା କରିଥିଲେ ମୂଲ୍ୟବୃଦ୍ଧି ତାହାକୁ ଗଭୀର ଭାବେ ପ୍ରଭାବିତ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments