Thursday, May 9, 2024
Homeଖବର୬ ଆମଦାନୀ ନେତାଙ୍କୁ ବିଜେଡିର ଲୋକସଭା ଟିକେଟ୍‌

୬ ଆମଦାନୀ ନେତାଙ୍କୁ ବିଜେଡିର ଲୋକସଭା ଟିକେଟ୍‌

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ବିଜୁ ଜନତା ଦଳ (ବିଜେଡି)ର ଯେତେବେଳେ ମେଣ୍ଟ ଚର୍ଚ୍ଚା ହେଉଥିଲା, ସେହି ସମୟରେ ବିଜେଡି ସାଂଗଠନିକ ସଂପାଦକ ତଥା ସମ୍ବଲପରୁ ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଥିଲେ, ଆମ ପାଖକୁ ୧୦,୦୦୦ ଆବେଦନ ଆସିଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ପ୍ରାର୍ଥୀ ଦେବାର ଅସୁବିଧା ନାହିଁ। ତେବେ ପ୍ରଣବ ଦାସଙ୍କ ଏହି ଉକ୍ତି ଉପରେ ଏବେ ସନ୍ଦେହ ସୃଷ୍ଟି କରୁଛି। କାରଣ ଯଦି ବିଜେଡି ପାଖରେ ୧୦,୦୦୦ ପ୍ରାର୍ଥୀ ଥିଲେ, ସେମାନେ ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ଆଣୁଛନ୍ତି କାହିଁକି? ଯଦି ଅନ୍ୟ ଦଳର ନେତାଙ୍କୁ ସାମିଲ କରୁଛନ୍ତି, ନିଜର ନେତା ଓ କର୍ମୀଙ୍କୁ ଅବହେଳା କରିବା ପଛର କାରଣ କ’ଣ ହୋଇପାରେ। ଅନ୍ୟପଟରେ ଯେଉଁ ୧୦,୦୦୦ ଆବେଦନ ହୋଇଥିଲା, ସେଥିରେ ବିଜେପି ଓ କଂଗ୍ରେସ କର୍ମୀ ଥିଲେ କି?

ସବୁଠାରୁ ଆଶ୍ଚର୍ଯ୍ୟ ଓ କ୍ଷୋଭର ବିଷୟ ହେଲା ଯେ, ଶାସକ ବିଜେଡି ଦଳ ଦୀର୍ଘ ୨୫ ବର୍ଷ କ୍ଷମତାରେ ରହିଲା ପରେ ମଧ୍ୟ ୨୧ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିବାକୁ ୨୦ ଦିନ ସମୟ ଲାଗିବା ଓ ଏତିକି ସମୟ ମଧ୍ୟରେ ଦଳ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇ ନପାରିବା। ବ‌ିଜେଡି ୪ଟି ପର୍ଯ୍ୟାୟରେ ୧୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିଛି। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏଥର ଲଢ଼େଇ ଭିନ୍ନ ହେବ ବୋଲି ସର୍ଭେ କହୁଛି। ବିଜେଡି ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରେ ପୁରୁଣା ନେତା ଓ କର୍ମୀଙ୍କୁ ଅବହେଳା କରି ଆମଦାନୀ ନେତାଙ୍କୁ ପ୍ରାଥମିକତା ଦେଇଛି।

ପୂର୍ବରେ ଅଂଶୁମାନ

ଚଳିତ ନିର୍ବାଚନରେ ବିଜେଡିର ଲୋକସଭା ପ୍ରାର୍ଥୀ ସଂକଟ ଥିଲା ବୋଲି ପ୍ରମାଣିତ ହୋଇଛି। ସେଥି ପାଇଁ ବିଜେଡି ଅନ୍ୟ ଦଳରୁ ନେତା ଆମଦାନୀ କରିଛି। ପୂର୍ବରୁ ଆରମ୍ଭ କରିବା। କଂଗ୍ରେସରୁ ଇସ୍ତଫା ଦେଇଥିବା ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ଶ୍ରୀ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଏହି ଆସନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି।    

ପଶ୍ଚିମରେ ସୁରେନ୍ଦ୍ର, ପରିଣୀତା

ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ୩୮ ବର୍ଷ କାମ କରିଥିବା ଶ୍ରୀ ଭୋଇ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ। ଏବେ ସେ ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବିଜେପିର ସଂଗୀତା ସିଂହଦେଓଙ୍କୁ ସେ ମୁକାବିଲା କରୁଛନ୍ତି। କେବଳ ବଲାଙ୍ଗୀର ନୁହେଁ, ପଶ୍ଚିମ ଓଡ଼ିଶାର ବରଗଡ଼ ଲୋକସଭା ଆସନରେ ବିଜେପି ଛାଡ଼ିଥିବା ପରିଣୀତା ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଶ୍ରୀମତୀ ମିଶ୍ର ଜଣେ ସମାଜ ସେବୀ ଭାବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବରଗଡ଼ ଜିଲ୍ଲାରେ ପରିଚିତ। ବରଗଡ ଜିଲ୍ଲାରେ ତାଙ୍କ ବେଶ ପ୍ରଭାବ ରହିଛି।

୧୦ ବର୍ଷ ପରେ ବିଜେଡି ଫେରିଲେ

ଉତ୍ତର ଓଡ଼ିଶାର ଚର୍ଚ୍ଚିତ ଲୋକସଭା ଆସନ ବାଲେଶ୍ବରରେ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ସେ ୪ଦିନ ପୂର୍ବରୁ ବିଜେପି ଛାଡ଼ିଥିଲେ। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍‌ ଦେବା ଲାଗି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ଏଠାରେ ମହିଳାକାର୍ଡ ଖେଳିଛି। ଫଳରେ ଏହି ଆସନରେ ଏଥର ବଡ ଲଢେଇ ହୋଇପାରେ। ବିଶିଷ୍ଟ ସାହିତ୍ୟିକା ଶକୁନ୍ତଳା ବଳିୟାରସିଂଙ୍କ ଝିଅ ଲେଖାଶ୍ରୀଙ୍କ ଶାଶୂଘର ନୀଳଗିରି ବ୍ଲକ କାଂଶ ଗ୍ରାମରେ। ସ୍ବାମୀ ବିଜୟ ମହାନ୍ତି ଜଣେ ଆଲାଏଡ୍‌ ଅଫିସର। ରେଭେନ୍‌ସା ସମେତ ବିଭିନ୍ନ ମହାବିଦ୍ୟାଳୟରେ ସେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଥିଲେ। ୨୦୧୪ରେ ସେ ବିଜେଡିରୁ ନୀଳଗିରି ଆସନ ପାଇଁ ଲବି କରି ନିରାଶ ହେବା ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପିରୁ ବାଲେଶ୍ବର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲେ ମଧ୍ୟ ଦଳର ଉପସଭାପତି, ମୁଖପାତ୍ର ସମେତ ରାଷ୍ଟ୍ରାୟତ୍ତ କମ୍ପାନି ଗେଲ୍‌ ବା ଭାରତ ହେଭି ୱେଟ୍‌ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରେ ରଖିଥିଲା।

ଅସନ୍ତୁଷ୍ଟ ଭୃଗୁ ବିଜେଡି ପାଇଲେ ଟିକେଟ

ବିଜେପି ଛାଡିବା ପରେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଭୃଗୁ ବକ୍ସିପାତ୍ର ବିଜେଡିରୁ ଟିକେଟ ହାତେଇଛନ୍ତି। ସେ ଦର୍ଶାଇଥିଲେ ଯେ, ଅତ୍ୟନ୍ତ ଦୁଃଖର ସହିତ ଭାରତୀୟ ଜନତାପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ମୁଁ ଇସ୍ତଫା ଦେଉଛି। ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବରେ ରାଜ୍ୟ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାରେ ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି। ତେଣୁ ଆଗକୁ ବଢ଼ିବାକୁ ସ୍ଥିର କଲି। ଲୋକଙ୍କ ସେବା ଏବଂ ଓଡ଼ିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାଇ ରଖିବି। ୨୦୧୯ ନିର୍ବାଚନରେ ବିଜେପି ଟିକେଟ୍‌ରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ଭୃଗୁ ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ ପାଇଥିଲେ।ବିଜେଡିରୁ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍।  

ଭୁବନେଶ୍ବରରେ ଅବରାଜିତା ବନାମ୍‌ ମନ୍ମଥ

ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସ୍ଥିତି ଜାଣିଲା ପରେ ରାଜଧାନୀ ଭୁବନେଶ୍ବରକୁ ଫେରିବା। ଏଠାରେ ମଧ୍ୟ ଏଥର କଡ଼ା ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ବିଜେପିର ଟାଣୁଆ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ମନ୍ମଥ ରାଉତରାୟ ମୁକାବିଲା କରିବେ। ମନ୍ମଥ ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ, ଯିଏ କି ବାୟୁସେନାରେ କ୍ୟାପଟେନ ଥିଲେ। କିଛି ମାସ ତଳେ ପାଇଲଟ ଚାକିରିରୁ ସ୍ୱେଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା। ସେହି ସମୟରେ କଂଗ୍ରେସରୁ ଲଢିବେନି ବୋଲି ମନା କରିଥିଲେ ମନ୍ମଥ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments