Thursday, May 9, 2024
Homeଖବରବିଜେଡିରେ ବିଦ୍ରୋହ: ଟିକେଟ୍‌ ନେଇ ଅଶାନ୍ତି

ବିଜେଡିରେ ବିଦ୍ରୋହ: ଟିକେଟ୍‌ ନେଇ ଅଶାନ୍ତି

ଭୁବନେଶ୍ବର: ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନ ରୋଚକ ହୋଇଛି। ଏହି ନିର୍ବାଚନରେ ପରିବର୍ତ୍ତନର ଆଭାସ ମିଳୁଛି। ସରକାର କିଏ ଗଢ଼ିବ ତାହା ଭିନ୍ନ କଥା। ଶାସକ ବିଜୁ ଜନତା ଦଳ (ବିଜେଡି) ଉପରେ ନେତା ଓ କର୍ମୀଙ୍କ ଆସ୍ଥା ଆଉ ଆଗ ଭଳି ନାହିଁ। ବିଗତ ଦିନରେ ରାଜ୍ୟ ସରକାର ଓ ପ୍ରଶାସନିକ କାମରେ ଦେଖାଯାଇଥିବା ବାଦ-ବିବାଦକୁ ନେଇ କେବଳ ନେତା ଓ କର୍ମୀ ନୁହଁନ୍ତି, ବରଂ ସାଧାରଣ ଜନତା ମଧ୍ୟ ବୁଝିସାରିଲେଣି ଭବିଷ୍ୟତ କେଉଁ ଦିଗରେ ଗତି କରୁଛି। ୨୦୧୯ ନିର୍ବାଚନ ତୁଳନାରେ ବ‌ିଜେଡିର ଲୋକପ୍ରିୟତା ହ୍ରାସ ପାଇଛି। ବିଭିନ୍ନ ଜାତୀୟ ସଂସ୍ଥା ଦ୍ବାରା ସର୍ଭେ ରିପୋର୍ଟରେ ମଧ୍ୟ ନବୀନ ପୂର୍ବ ତୁଳନାରେ ନିଜର ଲୋକପ୍ରିୟତା ହରାଇସାରିଛନ୍ତି ବୋଲି କୁହାଯାଇଛି। ଏଥି ପାଇଁ ବିଭିନ୍ନ କାରଣ ରହିଛି। ଜଣେ ଅଣଓଡ଼ିଆଙ୍କ ନେତୃତ୍ବରେ ବିଜେଡି ଓ ସରକାର ପରିଚାଳିତ ହେଉଥିବା ରାଜ୍ୟବାସୀ ଭଲଭାବରେ ଜାଣିସାରିଲେଣି। ଅନ୍ୟପଟରେ ବୟସାଧିକ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ସବୁ କାମ ଉପରେ ନଜର ରଖିପାରୁ ନାହାନ୍ତି ବୋଲି ମଧ୍ୟ ବି‌ରୋଧୀମାନେ ଅଭିଯୋଗ କରି ଆସୁଛନ୍ତି।

ବିଜେଡିରେ ଦଳୀୟ କନ୍ଦଳ ଓ ବିଦ୍ରୋହ ଚାରିଆଡ଼େ ଦେଖାଯାଇଛି। ପୂର୍ବରୁ ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେଉଥିଲେ, ସମସ୍ତ‌ ନେତା ଓ କର୍ମୀ ମାନୁଥିଲେ। ଦଳୀୟ ଟିକେଟ୍‌ ଘୋଷଣା ହେଲା ପରେ ବିଜେଡି‌ର ବହୁ ସ୍ଥାନରେ ବିଦ୍ରୋହ ଓ ହିଂସା ଦେଖାଯାଇଛି। ଭୁବନେଶ୍ବର (ମଧ୍ୟ) ବିଧାନସଭା ଆସନଠାରୁ ଆରମ୍ଭ କରି ସମ୍ବଲପୁର, ନର୍ଲା, ବୀରମହାରାଜପୁର, ଅନୁଗୁଳ, ତାଳଚେର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବିଦ୍ରୋହର ନିଆଁ ଜଳିଛି।

ବିଜେଡିକୁ ହୋଇପାରେ ‌କ୍ଷତି

ଗତମାସ ବ‌ିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଟିକେଟ୍‌ ପାଇଁ ୧୦,୦୦୦ ଆଶାୟୀ ଆବେଦନ କରିଛନ୍ତି। ଯଦି ଶ୍ରୀ ଦାସଙ୍କ ଏହି ଅପିଲ ସତ, ତା’ହେଲେ ଆଗାମୀ ନିର୍ବାଚନରେ ବିଜେଡିକୁ ବଡ଼ କ୍ଷତି ହୋଇପାରେ। କାରଣ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ବିଜେଡି ୧୬୮ ଜଣଙ୍କୁ ପ୍ରାର୍ଥୀ କରିପାରିବ। ସେଥିରେ ପୁଣି ଆମଦାନୀ ନେତା ଅଛନ୍ତି। ବାକି ୯୮୩୨ ଜଣ ଆଶାୟୀଙ୍କୁ କେମିତି ମନାଇବ? ଓଡ଼ିଶାରେ ୨୦୧୯ ବିଧାନସଭା ନିର୍ବାଚନ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୮ ତାରିଖରେ ୫୪ ଜଣ ପ୍ରାାର୍ଥୀଙ୍କ ନାମ ଘୋଷଣା କରିଥିଲା। ସେହିପରି ୨୪ରେ ଦ୍ବିତୀୟ ତାଲିକା ଓ ୨୭ରେ ତୃତୀୟ ତାଲିକା ପ୍ରକାଶ କରିଥିଲା। ୧୦ ଦିନ ଭିତରେ ୧୦୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଥିଲା, ଯେଉଁଥିରେ ସମ୍ବଲପୁର, ରେଢ଼ାଖୋଲ, ଅନୁଗୁଳ, ତାଳଚେର ଓ କେନ୍ଦ୍ରାପଡ଼ା ମଧ୍ୟ ସାମିଲ ଥିଲା। କିନ୍ତୁ ଚଳିତ ଥର ସମ୍ବଲପୁର, ରେଢ଼ାଖୋଲ, ତାଳଚେର, ଅନୁଗୁଳ, କେନ୍ଦ୍ରାପଡ଼ା, ଚିଲିକା, ଭୁବନେଶ୍ବର (ମଧ୍ୟ) ଚିଲିକା, ଜଗତସିଂହପୁର, ଖଣ୍ଡପଡ଼ାରେ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ପ୍ରଥମ ପର୍ଯ୍ୟାୟ ପାଇଁ ‌ଆସନ୍ତା ମେ’ ୧୩ ତାରିଖରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧୀନ ୨୮ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ।   ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ନର୍ଲା, ଚିତ୍ରକୋଣ୍ଡା, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। କିନ୍ତୁ ଏଠାରେ ମଧ୍ୟ ବିଜେଡି ଏପ୍ରିଲ ୧୦ ତାରିଖ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

୨୦ ଦିନରେ ୧୦୮ ପ୍ରାର୍ଥୀ

ବିଜେଡି ପ୍ରଥମ ଦଫାରେ ଗତ ମାର୍ଚ୍ଚ ୨୨ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ତେବେ ଏପ୍ରିଲ ୧୦ ତାରିଖ ସୁଦ୍ଧା ୨୦ ଦିନ ଅତିକ୍ରମ କରିଥିଲେ ମଧ୍ୟ ବିଜେଡି ୧୦୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି ୧୦୮ଟି ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ବିଦ୍ରୋହୀ ଉଭା ହୋଇଛନ୍ତି। ଏବେ ଯେଉଁ ୩୯ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ, ସେଠାରେ ଅଧିକ ବିଦ୍ରୋହୀ ଉଭା ହୋଇଛନ୍ତି। ଭୁବନେଶ୍ବର ଏକାମ୍ର, ବୀରମହାରାଜପୁର, ଖଜୁରିପଡ଼ା, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ବିଦ୍ରୋହ ଦେଖାଯାଇଛି। ଏହାରି ମଧ୍ୟରେ ଅନେକ ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି ବିଜେଡି ଛାଡ଼ି ସାରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଉଭୟ କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିରୋଧ କରାଯାଇଛି। ଖଜୁରିପଡ଼ା ଓ ବୀରମହାରାଜପୁରରେ ଶ୍ରୀ ବେହେରାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ କେନ୍ଦ୍ରାପଡ଼ାରେ ଗଣେଶ୍ବର ବେହେରାଙ୍କ ବିରୋଧରେ କର୍ମୀମାନେ ବିରୋଧର ସ୍ଲୋଗାନ ଦେଇଛନ୍ତି।  

ରାଜନୈତିକ ଦଳ ହୋଇ ରହିନି ବିଜେଡି: ଭର୍ତ୍ତୃହରି

ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କଟକର ସାଂସଦ ଭର୍ତ୍ତୃହରି ମହତାବ କିଛିଦିନ ପୂର୍ବରୁ କହିଥିଲେ ଯେ, ବିଜେଡି ଆଉ ରାଜନୈତିକ ଦଳ ହୋଇ ରହିନାହିଁ। ବିଜେଡି ଦୁର୍ଗର ପତନ ସମୟ ଆସିଯାଇଛି। ଓଡ଼ିଶାରେ ପରିବର୍ତ୍ତନର ଆଭାସ ମିଳୁଛି। ଆସନ୍ତା ଜୁନ୍ ୪ରେ ଓଡ଼ିଶା ରାଜନୀତିରେ ବିରାଟ ପରିବର୍ତ୍ତନ ଆସିବ। ମୋଦୀ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହେବ। ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ପ୍ରଭାସ ସିଂ କହିଥିଲେ, ଦଳରେ ଆଉ ଗଣତନ୍ତ୍ର ନାହିଁ। ମୁଁ ଅନୁଭବ କଲି ବିଜେଡି ଯେଉଁଭଳି ଢଙ୍ଗରେ ଚାଲିଛି, ସେଥିରେ ଆଉ ମୋର ଆବଶ୍ୟକତା ନାହିଁ। ଏଠି ରହି ଆଉ ମୁଁ ଲୋକଙ୍କ ପାଇଁ କାମ କରିପାରିବି ନାହିଁ। ଜିଲ୍ଲା ସଭାପତି ଥାଇ ବି ଦଳ ମୋ ସହ ବିଚାରବିମର୍ଶ କରିଲା ନାହିଁ। ବିଜେଡି ଯାହାଙ୍କୁ ଲୋକସଭା ପ୍ରାର୍ଥୀ କଲେ, ତାଙ୍କ ପାଇଁ ପ୍ରଚାର କରିପାରିବି ନାହିଁ।

ନେତା ଦେଉଛନ୍ତି ନବୀନଙ୍କୁ ଜବାବ

ଏକଦା ବିଜେଡି ନେତାମାନେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିପାରୁ ନଥିଲେ। ଏବେ କିନ୍ତୁ ଆଉ କିଛି ଅସୁବିଧା ନାହିଁ। ଆଗାମୀ ଦିନରେ ମଧ୍ୟ ଲୋକେ ନବୀନଙ୍କୁ ଚ୍ୟାଲେଞ୍ଜ କରିବାକୁ ପଛାଇ ନପାରନ୍ତି। ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ନିକଟରେ ବିଜେପିରେ ଯୋଗଦେବା ଅବସରରେ କହିଥିଲେ, ବିଜେଡିରେ ଆଉ କ୍ରୀତଦାସ ଜୀବନ ନେଇ ବଞ୍ଚିବୁନି ବୋଲି ଓଡ଼ିଶାବାସୀ ପଣ ନେଇଛନ୍ତି। ଆଜି ଯେଉଁ ପରିବର୍ତ୍ତନର ସ୍ୱର ଦେଖାଯାଉଛି, ସେଥିରେ ଏବେ ପ୍ରତିଟି ଓଡ଼ିଆ ସାମିଲ ହେବେ। ସେହିପରି ଅଭିନେତାରୁ ବିଜେଡି ନେତା ହୋଇଥିବା ଅରିନ୍ଦମ ରାୟ କହିଥିଲେ, ବିଜୁବାବୁଙ୍କ ନାମରେ ଆରମ୍ଭ ହୋଇଥିଲା ବିଜେଡି। କିନ୍ତୁ ଏବେ ଆଉ କୌଣସି ପୋଷ୍ଟରରେ ବିଜୁ ବାବୁଙ୍କ ଚେହେରା ଦେଖିବାକୁ ମିଳୁନାହିଁ। ବିଜୁ ଏବେ ହୋଇଯାଇଛି ବାଜେ ଜନତା ଦଳ। କେହି ବିଜେଡିରେ ରହିବେ ନାହିଁ। ସ୍ଵାଭିମାନୀ ଓଡ଼ିଆ କେବେ ବିଜେଡିରେ ରହିପାରିବେ ନାହିଁ। ନେତାମାନେ ଖାଲି ଲୋଭ ଓ ଡରରେ ବିଜେଡିରେ ଅଛନ୍ତି। ଯେବେ ଡର ଛାଡିବ, ସେବେ ଦଳ ଛାଡ଼ିବେ ବିଜେଡି ନେତା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments