Wednesday, May 1, 2024
Homeଖବରନିର୍ବାଚନ ବେଳେ ନଗଦ ଟଙ୍କା ଜବତ

ନିର୍ବାଚନ ବେଳେ ନଗଦ ଟଙ୍କା ଜବତ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନେତାଙ୍କର ଚିନ୍ତା ସେତିକି ବଢ଼ିଚାଲିଛି। କଳେ, ବଳେ ଓ କୌଶଳରେ ଭୋଟ ହାତେଇବାକୁ ଉଦ୍ୟମ କରିଛନ୍ତି। କ୍ଷମତାରେ ବହୁଦିନ ପର୍ଯ୍ୟନ୍ତ ରହିଥିବା ନେତାଙ୍କ ପାଖରେ ଟଙ୍କାର ଅଭାବ ନଥିବାରୁ ସେମାନେ ବିରୋଧୀ ଦଳ ଭିତରେ ବିଦ୍ରୋହ ସୃଷ୍ଟି କରାଇବାକୁ ମଧ୍ୟ ପଛାଉ ନାହାନ୍ତି। ସେହିପରି ନିର୍ବାଚନ ହାରିବା ଭୟରେ ଭିନ୍ନ ଦଳର ଦୁର୍ବଳ ପ୍ରାର୍ଥୀ ଛିଡ଼ା କରାଇବା ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି। ସବୁଠାରୁ କ୍ଷୋଭର କଥା ‌ହେଲା ଯେ, ଦଶନ୍ଧି ଦଶନ୍ଧି ଧରି ଜଣେ ବ୍ୟକ୍ତି ବିଧାୟକ ଓ ସାଂସଦ ହେଲା ପରେ ନିଜ ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କର ନିକଟତର ହୋଇ ନପାରିବା। ଆଉ ଲୋକଙ୍କର ନିକଟତର ହୋଇପାରି ନଥିବା ନେତାଙ୍କୁ ଚଳିତ ନିର୍ବାଚନରେ ବିଜୟୀ ହେବା ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମତଦାନ ଚଳିତ ମାସ ୧୯ ତାରିଖରେ ହେବ। ଅନ୍ୟ ୬ଟି ପର୍ଯ୍ୟାୟ ଆସନ୍ତା ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ନେତା ଓ କର୍ମୀମାନେ ମତଦାତାଙ୍କ ପାଖକୁ ଯାଉଛନ୍ତି। କିଛି ସ୍ଥାନରେ ମତଦାତା ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହୁଛନ୍ତି। ଯେଉଁଠି ଉପଯୁକ୍ତ ପ୍ରାର୍ଥୀଙ୍କ କଥା ଉଠିଛି, ସେଠାରେ ନେତାମାନେ ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ଭୋଟ ପାଇବାକୁ ଆଶା ରଖୁଛନ୍ତି। ଭୋଟରଙ୍କୁ ଉପହାର, ଅର୍ଥ ଯଚାଯିବା ଘଟଣା ଅତୀତରେ ସାମ୍ନାକୁ ଆସିଛି। ଚଳିତ ନିର୍ବାଚନରେ ମଧ୍ୟ ଏହାକୁ ‌ଏଡାଇ ଦିଆଯାଇ ନପାରେ। ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ନେତାମାନେ ଘରେ ବିସି କେବଳ ଗଣିତ କରୁଛନ୍ତି। ‌ଏହି ବୈତରଣୀ ପାରି ହେବା ପାଇଁ କେତେ ବାହୁ ଓ ଅର୍ଥ ବଳ ଦରକାର। ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବା ପୂର୍ବରୁ ୪,୬୫୦ କୋଟି ଜବତ କରାଯାଇଥିବା ନିର୍ବାଚନ କମିସନର ସୂଚନା ଦେଇଛନ୍ତି, ଯାହା ଭାରତ ଇତିହାସରେ ପ୍ରଥମ।

ଭୋଟ୍‌ ପୂର୍ବରୁ ୪୬୫୦ କୋଟି ଜବତ

ନିର୍ବାଚନରେ ଧନବଳର ପ୍ରଭାବ ରୋକିବା ପାଇଁ ଗତ ମାର୍ଚ୍ଚ ୧ ତାରିଖରୁ ଚଢ଼ଉ ଜାରି ରହିଛି। ଏଥି ପାଇଁ ପ୍ରବର୍ତ୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍‌ ସର୍ଭେଲାନ୍ସ ଟିମ୍‌ ପ୍ରତିଦିନ କାମ କରୁଛନ୍ତି। ଚେକ୍‌ ପୋଷ୍ଟଗୁଡ଼ିକରେ ଚେକିଂ ହେଉଛି। ଏପ୍ରିଲ ୧୫ ତାରିଖ ସୁଦ୍ଧା ୪,୬୫୦ କୋଟି ଜବତ ହୋଇ ସାରିଛି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ଜବତ ହୋଇଥିବା ଟଙ୍କା ଠାରୁ ଢ଼େର ଅଧିକ। ନିର୍ବାଚନ ବେଳେ ଯେପରି ଟଙ୍କା ବଣ୍ଟନ, ମଦ ଓ ମାଗଣାରେ ଜିନିଷ ବଣ୍ଟନ ଓ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ମଧ୍ୟ ପ୍ରାୟସ ଜାରି ରହିଛି। ଏଥିପ୍ରତି ଅଧିକାରୀମାନେ ନଜର ରଖିଛନ୍ତି ବୋଲି ନିର୍ବାଚନ କମିସନର କହିଛନ୍ତି। ଜବତ ହୋଇଥିବା ୪୬୫୦ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ରହିଛି।

ଓଡ଼ିଶାରୁ ୧୦୭ କୋଟି ଜବତ

ନିର୍ବାଚନ ସମୟରେ ବେଆଇନ୍‌ ନଗଦ ରାଶି ଚାଲାଣରେ ଓଡ଼ିଶା ମଧ୍ୟ କମ୍‌ ନୁହେଁ। ରାଜ୍ୟରେ ୪ଟି ପର୍ଯ୍ୟାୟ ଯଥା ମେ’ ୧୩, ୨୦, ୨୫ ଓ ଜୁନ୍‌ ୧ ତାରିଖଷର ଭୋଟଗ୍ରହଣ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇନି। ମାତ୍ର ନିର୍ବାଚନକୁ ପ୍ରଭାବିତ କରିବା ଓ ଭୋଟରଙ୍କୁ ତୁଷ୍ଟୀକରଣ ପାଇଁ ପ୍ରାର୍ଥୀମାନେ ନାନାଦି ପ୍ରୟାସ କରୁଛନ୍ତି। ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କାରେ ଗତ ଦେଢ଼ମାସ ମଧ୍ୟରେ ମୋଟ ୧୦୭. ୧୩କୋଟି ଟଙ୍କାର ସାମଗ୍ରୀ ରହିଛି। ଏଥିରେ ନଗଦ ୧.୪୭ କୋଟି ଟଙ୍କା ସାମିଲ ଅଛି। ନିର୍ବାଚନ କମିସନଙ୍କ ତାଗିଦ୍ ଯୋଗୁ ଗତ ମାର୍ଚ୍ଚ ୧ରୁ ଏପ୍ରିଲ ୧୩ତାରିଖ ମଧ୍ୟରେ କେବଳ ଓଡ଼ିଶାରେ ମୋଟ ୧୦୭.୧୩କୋଟି ଟଙ୍କାର ସାମଗ୍ରୀ ଜବତ ହୋଇପାରିଛି। ମାତ୍ର ଏହା ପୂର୍ବରୁ ଏତେ ପରିମାଣର ମଦ,ନିଶା ସାମଗ୍ରୀ ଓ ମାଗଣା ସାମଗ୍ରୀ ବଂଟନ କରାଯିବା ପରୋକ୍ଷରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ନେଇ ଆଶଙ୍କା ଦେଖାଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments