Monday, May 20, 2024
Homeପଞ୍ଚାୟତ ନିର୍ବାଚନ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼
Array

ପଞ୍ଚାୟତ ନିର୍ବାଚନ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼

ଭୁବନେଶ୍ୱର: ଓଡ଼ିଶାରେ ଜାରି ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାର ମାତ୍ରା ସୀମା ଟପିଛି। ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଭଦ୍ରକର ତିହିଡ଼ି, ରାୟଗଡ଼ାର କଲ୍ୟାଣସିଂହପୁର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକରେ ମତଦାନ ବିଭ୍ରାଟ ଦେଖାଯାଇଛି। ଭୋଟ ବାକ୍ସ ଛଡେଇ ନେବା, ଗୁଳିମାଡ଼ କରିବା, ମତଦାନରେ ନିୟୋଜିତ କର୍ମଚାରୀଙ୍କୁ ମାଡ଼ମାରିବା ପରେ ଏବେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି। ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଛୋଳ ପଞ୍ଚାୟତର ୨ ନଂ ବୁଥରେ ଖପର ସଂଗ୍ରହ ପାଇଁ ଯାଇଥିବା ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ଦୁର୍ବୃତ୍ତଙ୍କ ତୁଳନାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ସାମ୍ବାଦିକଙ୍କୁ ଲହୁୁଲୁହାଣ ହେବାକୁ ପଡ଼ିଛି।  

ସାମ୍ବାଦିକଙ୍କୁ ମାଡ଼ ମରାଯିବା ଘଟଣା ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ଆଇନ୍‌କାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଅଗ୍ରସର ହେଉଛି। ଦୁର୍ବୃତ୍ତ ଓ ନେତାମାନେ ନିଜକୁ ଆଇନ୍‌ ସମ୍ମାନ ଦେଉନାହାନ୍ତି। ସେମାନେ ଅନ୍ୟାୟ କରୁଥିବା ବେଳେ ଅନ୍ୟମାନେ ତାକୁ ମଥାପାତି ସହିଗଲେ ଭଲ। ନିସ୍ତୁକ ମାଡ଼ ଖାଇଥିବା ସାମ୍ବାଦିକ ମାନେ ଆଜି ଏକ ନିଦ୍ଧିିଷ୍ଟ ରାଜନୈତିକ ଦଳର ଘଟଣା ଯେତେବେଳେ ପ୍ରଘଟ କରିବାକୁ ଯାଉଥିଲେ, ସେହି ସମୟରେ ଦୁର୍ବୃତ୍ତମାନେ ଉତ୍ତେଜିତ ହୋଇଛନ୍ତି। ମାଡ଼ ମାରିବା ସହିତ ସେମାନଙ୍କର ମୋବାଇଲ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଆଇନ୍‌ ବ୍ୟବସ୍ଥା ମୁକୁଳା ହୋଇଥିବାରୁ ନିର୍ବାଚନ ସମୟରେ ବାରମ୍ବାର ହିଂସା ଦେଖିବାକୁ ମିଳୁଛି।

ରାଜନୀତିରେ ହିଂସାର ସ୍ଥାନ ନାହିଁ

ସାମ୍ବାଦିକଙ୍କୁ ଆକ୍ରମଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଶାସନର ଦାୟିତ୍ୱ ହେଲା ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା। ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସା ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଗୁରୁତ୍ୱର ସହ ନେଇ କଠୋର ପଦକ୍ଷେପ ନିଅନ୍ତୁ। ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ନିର୍ବାଚନୀ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ, ଯାହା ଦୁଃଖ ଓ ପରିତାପର ବିଷୟ। ରାଜନୀତିରେ ବାଦବିବାଦ ରୁହେ କିନ୍ତୁ ହିଂସାର ସ୍ଥାନ ନାହିଁ।

ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ବିଜେଡି

ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ରବିବାର ମତଦାନ ସମୟରେ ୩ ଜଣ ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତୀବ୍ର ନିନ୍ଦା କରିଛନ୍ତି। ଏଥି ସହିତ ଶ୍ରୀ ଦାସ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ନିର୍ବାଚନ କମିଶନଙ୍କ ଦୃଢ଼ ନିନ୍ଦା

ଯାଜପୁର ଜିଲ୍ଳା ବିଞ୍ଝାରପୁର ବ୍ଲକରେ ଫେବ୍ରୁଆରୀ ୨୦ ତାରିଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଦୃଢ଼ ନିିନ୍ଦା କରୁଛନ୍ତି। ରାଜ୍ୟ ନିର୍ବାଚନ କମିସନ ଆଦିଦ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ଘଟଣା ସଂପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଯାଜପୁର ଜିଲ୍ଲା ପ୍ରଶସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କୁହାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments