Monday, May 20, 2024
Homeପାଇଖାନାରେ ଅସାବଧାନତା ଲାଗି ୨ ବର୍ଷରେ ୮ ଜଣଙ୍କ ମୃତ୍ୟୁ
Array

ପାଇଖାନାରେ ଅସାବଧାନତା ଲାଗି ୨ ବର୍ଷରେ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଅସାବଧାନତା ଓ ଉପସ୍ଥିତ ବୁଦ୍ଧିର ଅଭାବରୁ ଦୁର୍ଘଟଣା ଘଟିଥାଏ । ତେବେ ସଡ଼କ ଉପରେ ଅସ୍ୱଭାବିକ କାରଣରୁ ଅଥବା ନଦୀରେ ଯିବାବେଳେ ଡଙ୍ଗାବୁଡ଼ି ଦୁର୍ଘଟଣାର ସମ୍ମୁଖୀନ ହେବା ଭିନ୍ନ କଥା । କିନ୍ତୁ ଘରେ କାମ କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବା, ନିଶ୍ଚିତ ଭାବେ ଏହାକୁ ମୁର୍ଖାମୀ କୁହାଯିବ । ମନୁଷ୍ୟ ଯାହା ବି କାମ କରୁ ନାଁ କାହିଁକି, ପ୍ରତ୍ୟେକ କ୍ଷେତ୍ରରେ ସଚେତନ ଓ ସତର୍କ ରହିବାର ଆବଶ୍ୟକତା ଅଛି । କାରଣ ସଚେତନତା ଏବଂ ସତର୍କତା ଯେକୌଣସି କାମକୁ ସହଜ ଓ ସୁନ୍ଦର କରିଥାଏ । ଅଥଚ ବିପତ୍ତି ଅଥବା ବିପରୀତ ପରିଣାମ ମିଳିଥାଏ ।

ରାଜ୍ୟରେ ପାଇଖାନାରେ ଶ୍ୱାସ ରୁଦ୍ଧ ହୋଇ ବିଗତ ୨ ବର୍ଷ ମଧ୍ୟରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ଗଂଜାମ ଜିଲ୍ଲାରେ ୩ ଜଣ ଲୋକ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହାରିଛନ୍ତି । ପୂର୍ବରୁ ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ଦେବଗଡ଼ ଜିଲ୍ଲାରୁ ଜଣେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଜୀବନ ହାରିଥିଲେ ।

ସୁରକ୍ଷାକୁ ପ୍ରଥମେ ଗୁରୁତ୍ୱ

ଜଣେ ବ୍ୟକ୍ତିଙ୍କର ଅସାବଧାନତା ଯୋଗୁଁ ଏକ ପରିବାର ଭୁଶୁଡ଼ିଯାଉଛି । ତେଣୁ ଆମେ ଯେଉଁ କାମ ବି କରୁଛେ, ସତର୍କତାର ସହିତ ପରିଚାଳନା କରିବା ଦରକାର । କାରଣ ପରିବାରର ମୁଖ୍ୟଙ୍କ ହାତରେ ଅନ୍ୟମାନଙ୍କର ଭବିଷ୍ୟତ ନିର୍ଭର କରୁଛି । ପରିବାରର ମୁଖ୍ୟ ସବୁବେଳେ ମନେ ରଖିବା ଉଚିତ ଯେ, ତାଙ୍କ ଦ୍ୱାରା କରାଯାଉଥିବା କାମରେ ଜୀବନ କେତେ ସୁରକ୍ଷିତ । କାରଣ ସେ ନିଜେ ସୁରକ୍ଷିତ ରହିଲେ ଯାଇ ପରିବାରର ଅନ୍ୟମାନଙ୍କ କଥା ଚିନ୍ତା କରିବେ । ନିଜେ ଅସୁବିଧାରେ ପଡ଼ିଲେ ପରିବାର ଲୋକେ ମଧ୍ୟ ବହୁତ ହଇରାଣ ହେବେ ।

ଗଂଜାମରେ ୩ ଜଣଙ୍କର ମୃତ୍ୟୁ

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚଳିତ ମାସ ୨୨ ତାରିଖରେ ଗଂଜାମ ଜିଲ୍ଲାରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଜଣେ ମିସ୍ତ୍ରୀ ଥିବା ବେଳେ ଅନ୍ୟ ଦୁଇଜଣ ପାଇଖାନା ମାଲିକଙ୍କର ପଡୋଶୀ । ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗାଁ ପମ୍ପହାଉସ ସାହିରେ ପାଇଖାନାର ସେପ୍‌ଟିକ ଟାଙ୍କି ଭିତରେ କାମ ଚାଲିଥିଲା । ଟି. ସିଦ୍ଧେଶ୍ୱରଙ୍କ ଘରେ ପାଇଖାନାର ସେପ୍‌ଟିକ୍ ଟାଙ୍କି ଭିତରେ ମିସ୍ତ୍ରୀ ଏମ୍‌.ସଦାନନ୍ଦମ ପ୍ରବେଶ କରିଥିଲେ । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ନଆସିବାରୁ ପଡୋଶୀ କ୍ରିଷ୍ଣା ରେଡ୍ଡୀ (୫୦) ଓ ପି ତରେନେୟା ମଧ୍ୟ ପାଇଖାନା ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ୩ ଜଣ ବ୍ୟକ୍ତି କେହି ଆଉ ବାହାରକୁ ଆସିନଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ ଜଣଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଫୁଲବାଣୀ-ଜଗତସିଂହପୁରରେ ଦୁର୍ଘଟଣା

ଗତ ମେ’ ମାସ ୩୧ ତାରିଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଥିଲା । ପାଇଖାନା ଟାଙ୍କି ସଫା କରୁଥିବା ବେଳେ ପିତାବାରି ଗାଁର ସଂଜୟ ପ୍ରଧାନ (୪୩) ଓ ଶ୍ରମିକ ସନ୍ତୋଷ କହଁର (୩୨) ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ହସ୍‌ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ୨୦୧୯ ଜୁଲାଇ ୩୦ ତାରିଖ ଦିନ ଜଗତସିଂହପୁର ଥାନା ଚପଦା ଗାଁରେ ମଧ୍ୟ ସମାନ ରୂପକ ଘଟଣା ଘଟିଥିଲା । ବଳରାମ ପତିଙ୍କ ଘରେ ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଫଲ୍‌ସ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକମାନେ ଥିଲେ ମରଚାପଦା ଗାଁର ବାବାଜୀ ଭୋଇ (୩୦) ଓ ପ୍ରକାଶ ବାରିକ (୩୬) । ଦେବଗଡ଼ ସହରରେ ୨୦୧୯ ଅଗଷ୍ଟ ୨୫ ତାରିଖରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଖସିପଡ଼ିବାରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା । ମୃତ ଶିଶୁକନ୍ୟା ବନେୟା ବେହେରା (୬) ଥିଲା । ପରିବାର ଲୋକଙ୍କର ଅବହେଳା ଯୋଗୁଁ ଶିଶୁକନ୍ୟା ଖେଳିବା ସମୟରେ ଅଜାଣତରେ ପାଇଖାନା ଟାଙ୍କି ଭିତରକୁ ଖସିପଡ଼ିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments