Monday, May 20, 2024
Homeପୁଣି ଓଡ଼ିଆ ପ୍ରତିଭାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
Array

ପୁଣି ଓଡ଼ିଆ ପ୍ରତିଭାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାମାନେ ନିଜର ଦକ୍ଷତା ଦେଖାଇଛନ୍ତି। ଏଇଥି ଲାଗି ସମଗ୍ର ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଜଣେ ଓଡ଼ିଆ ପ୍ରତିଭାଙ୍କୁ ମନେ ପକାଇ ପ୍ରଶଂସା କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ‘ଅମୃତ ମହୋତ୍ସବରେ’ ଯୋଗ ଦେବା ଅବସରରେ ସହିଦ୍‌ ଚକରା ବିଷୋୟୀଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଗଂଜାମ ଜିଲ୍ଲା ଘୁମୁସର ମାଟିର ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଦେଶପ୍ରେମ ଓ ସ୍ୱାଧୀନତା ଦେଶ ପାଇଁ ସ୍ୱତନ୍ତ୍ର ଥିଲା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗତ ଫେବ୍ରୁଆରୀ ୨୮ରେ ଯୁବ ପ୍ରତିଭା ତଥା ସିଲୁ ନାୟକଙ୍କୁ ପ୍ରଶଂସା କରିଥିଲେ।

ଆସନ୍ତା ବର୍ଷ ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହାର ଅବ୍ୟବହିତ ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀ ଆରମ୍ଭ କରିଥିବା ଐତିହାସିକ ଦାଣ୍ଡିଯାତ୍ରା ପଥରେ ମାର୍ଚ୍ଚ ୧୨ ତାରଖ ଠାରୁ ଏକ ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ୨୪୧ ମାଇଲ୍‌ର ଏହି ପଦଯାତ୍ରା ୨୫ ଦିନ ପରେ ଅର୍ଥାତ ଏପ୍ରିଲ ୫ ତାରିଖରେ  ଶେଷ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଭାତର ସ୍ୱାଧୀନତା ଦିବସର ପ୍ଲାଟିନମ୍‌ ଜୁବୁଲି ଅବସରରେ ‘ଅମୃତ ମହୋତ୍ସବ’ରେ ଯୋଗ ଦେଇ ଚକରା ବିଷୋୟୀଙ୍କୁ ପ୍ରଶଂସା କରିଥିଲେ।  

ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ କହିଲେ- ସାର୍

ପ୍ରଧାନମନ୍ତ୍ରୀ ମୋଦୀ ଗତ ଥର(୨୦୨୧ ଫେବ୍ରୁଆରୀ ୨୮) ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ର ମହାଗୁରୁ ବାଟାଲଅନ୍‌ର ଯୁବକ ସିଲୁ ନାୟକଙ୍କୁ ପ୍ରଶଂସା କରିଥିଲେ। କାରଣ ଚାକିରି ଛାଡ଼ି ସେନାରେ ଭର୍ତ୍ତି ପାଇଁ ୨୮ ବର୍ଷୀୟ ଯୁବକ ସିଲୁ ଚାକିରି ଆଶାୟୀ ଯୁବକଙ୍କୁ ମାଗଣାରେ ତାଲିମ୍‌ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ  ସିଲୁଙ୍କୁ ସାର୍‌ ବୋଲି ସମ୍ବୋଧିତ କରିଥିଲେ। ଏଥି ସହିତ ସେ କହିଥିଲେ ସିଲୁ ଜଣେ ନିଃସ୍ୱାର୍ଥପର ମଣିଷ। ‘ନାୟକ ସାର୍‌ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’ ବୋଲି ମଧ୍ୟ ଶୁଭକାମନା ଜଣାଇଥିଲେ।

ବିନା ଟଙ୍କା ଖର୍ଚ୍ଚାରେ ଯବାନ୍‌ ଟ୍ରେନିଂ

ଶିକ୍ଷିତ ବେକାର ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଓ ପୁଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ସିଲୁ ପ୍ରତିଷ୍ଠା କରିଥିଲେ ‘ମହାବୀର ବାଟାଲି୍‌ଅନ୍‌’। ଏହି ପ୍ରତିଷ୍ଠାନରେ ଆଖପାଖ ଗ୍ରାମର ବେକାର ଶିକ୍ଷିତ ଯୁବକମାନେ ସେନାବାହିନୀର ଶାରୀରିକ ପରୀକ୍ଷାରେ ସାମିଲ ହେବା ପୂର୍ବରୁ ତାଲିମ୍‌ ନେଇଥାନ୍ତି। ଏଥି ପାଇଁ ସେ କୌଣସି ପ୍ରକାରର ଫି’ ନିଅନ୍ତି ନାହିଁ। ଏହି ପ୍ରତିଷ୍ଠାନ ଜରିଆରେ ସିଲୁ ପ୍ରାୟ ୭୦ ଜଣ ଯୁବକ-ଯୁବତୀ ସେନାବାହିନୀ ଓ ପୋଲିସ ବିଭାଗରେ ଭର୍ତ୍ତି ହୋଇସାରିଛନ୍ତି।  

ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ପ୍ରଶଂସା

ସେହିପରି ୨୦୧୮ ମେ’ ମାସ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ସହରର ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପ୍ରତି ଆବେଗଭରା ଉକ୍ତି କହିଥିଲେ। ମୋଦୀ କହିଥିଲେ ଯେ, ‘ରାଓ ସାହେବ୍‌! ଆପଣଙ୍କ ବିଷୟରେ ଅନେକ ଶୁଣିଛି। ପିଲାମାନଙ୍କ ବିଷୟରେ କହନ୍ତୁ। ଚା’ ବିକି ଏତେ କାମ କରୁଛନ୍ତି କିପରି? ଆପଣ ଅନ୍ୟମାନଙ୍କ ପାଇଁ ଉଦାହରଣ।’ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଡି.ପ୍ରକାଶ ରାଓଙ୍କ ନାମ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଉଚ୍ଚାରଣ କରିବା ସହିତ ତାଙ୍କୁ ପ୍ରଶଂସା କରିଥିଲେ।

୧୫ ଓଡ଼ିଆ ଛାତ୍ରଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ମୋଦୀ ୨୦୧୮ ମେ’ ମାସ ୨୬ ତାରିଖରେ କଟକ ଗସ୍ତରେ ଆସିଥିଲେ। ଏହି ଅବସରରେ କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଆୟୋଜିତ  ‘ଜନକଲ୍ୟାଣ ସମାବେଶ’ ପୂର୍ବରୁ ସମାଜସେବୀ ଡି.ପ୍ରକାଶ ରାଓଙ୍କ ସମେତ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆଶା ଓ ଆଶ୍ୱାସନା ବସ୍ତି ସ୍କୁଲ’ର ୧୫ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପାଖ ପ୍ରକୋଷ୍ଠରେ ଭେଟିଥିଲେ। ମୋଦୀ ଛାତ୍ରଛତ୍ରୀଙ୍କ ସହିତ ୧୮ମିନିଟ୍‌ ଧରି ମନଖୋଲା କଥା ହୋଇଥିଲେ ବିଭିନ୍ନ ଅଭିଜ୍ଞତା ବିଷୟରେ ଅବଗତ ହୋଇଥିଲେ।   ଡି. ପ୍ରକାଶ ରାଓଙ୍କୁ ନରେନ୍ଦ୍ର ମୋଦୀ ଭେଟିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବ ଦିନ ଟେଲିଫୋନ୍‌ ମାଧ୍ୟମରେ କଲ୍‌ ଆସିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments