Monday, May 20, 2024
Homeପୁରୀରେ ବିମାନବନ୍ଦର: ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କେନ୍ଦ୍ରର ସବୁଜ ସଂକେତ
Array

ପୁରୀରେ ବିମାନବନ୍ଦର: ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କେନ୍ଦ୍ରର ସବୁଜ ସଂକେତ

ଭୁବନେଶ୍ୱର: ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ଚିଠି ଲେଖିବାର ପ୍ରାୟ ସାଢ଼େ ୬ ମାସ ପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ବୈଷୟିକ ଟିମ ଗୁରୁବାର ଠାରୁ ୨ ଦିନିଆ ସର୍ଭେ ଆରମ୍ଭ କରିଛନ୍ତି । ରାଜ୍ୟର କିଛି ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଟିମର ସର୍ଭେ ପରେ ପୁରୀ ସମେତ ରାଜ୍ୟବାସୀଙ୍କ ମନରେ ଏକ ନୂତନ ଆଶା ସଂଚାର ହୋଇଛି । କାରଣ ଏଠାରେ ବିମାନବନ୍ଦର ପ୍ରତିଷ୍ଠା ହେବା ପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ହୋଟେଲ, ଟ୍ୟାକ୍ସି ସେବାରେ ପରିବର୍ତ୍ତନ ହେବ । ପୁରୀର ବ୍ୟବସାୟୀଙ୍କ ଅଧିକ ଆର୍ଥିକ ଲାଭ ହେବ ।

ବିମାନବନ୍ଦର ପାଇଁ କେନ୍ଦ୍ରୀୟ ଟିମର ୪ ଜଣ ସଦସ୍ୟ ଓ ଭୁବନେଶ୍ୱରରୁ ୨ ଜଣ ଅଧିକାରୀ ଆଜି ସପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳ ବୁଲି ଦେଖିଥିଲେ । କେନ୍ଦ୍ରୀୟ ଟିମ ବାଲୁଖଣ୍ଡ ଅଂଚଳରେ ଆହୁରି ୨ଟି ସ୍ଥାନ ପରିଦର୍ଶନ କରିବେ । ସର୍ଭେ ସମୟରେ ବୈଷୟିକ ଟିମ ସହିତ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ମଧ୍ୟ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ କେନ୍ଦ୍ରୀୟ ଟିମ ଜମିର ମ୍ୟାପ ଓ କାଗଜପତ୍ର ଯାଂଚ କରିବେ ।

ମୁଖ୍ୟମନ୍ତ୍ରୀ ଲେଖିଥିଲେ ଚିଠି

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧ ତାରିଖରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ପୁରୀରେ ବିମାନବନ୍ଦର ପ୍ରତିଷ୍ଠା କରାଯାଉ ବୋଲି ଏକ ପ୍ରସ୍ତାବ ଦେଇଥିଲେ । ଏହାର ନାମ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ପସ୍ତାବ ରଖିଥିଲେ । ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଜଗନ୍ନାଥଧାମ ଅନ୍ୟତମ । ସମଗ୍ର ବିଶ୍ୱରୁ ହିନ୍ଦୁ ଧର୍ମର ଲୋକେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଆସିଥାନ୍ତି । ପୁରୀରେ ବିମାନବନ୍ଦର ନିର୍ମାଣ ହେଲେ ଭକ୍ତ ଓ ପର୍ଯ୍ୟଟକଙ୍କ ଲାଗି ବହୁତ ସୁବିଧା ହେବ ବୋଲି ମୋଦୀ ସରକାରଙ୍କୁ ନବୀନ ଚିଠିରେ ଉଲ୍ଲେଖ କରିଥିଲେ ।

ବଢ଼ିବ କୋଣାର୍କର ମହତ୍ୱ

ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ୟୁନେସ୍କୋ ମାନ୍ୟତାପ୍ରାପ୍ତ ବିଶ୍ୱ ଐତିହ୍ୟ ସ୍ଥଳୀ ‘କୋଣାର୍କ’ର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ଏଠାକାର ବ୍ୟବସାୟୀଙ୍କ ରୋଜଗାର ବଢ଼ିବ । ପୁରୀ ଠାରୁ କୋଣାର୍କ ୩୫ କିଲୋମିଟର ଦୂର ହୋଇଥିବାରୁ ବିଦେଶ ଯାତ୍ରୀ କମ ସମୟ ମଧ୍ୟରେ ଯାତାୟତ କରିପାରିବେ । ପୁରୀର କୋଣାର୍କ ଯିବା ବାଟରେ ଦେଶ-ବିଦେଶର ପର୍ଯ୍ୟଟକମାନେ ରାମଚଣ୍ଡୀ ଓ ଚନ୍ଦ୍ରଭାଗାରେ ବୁଲିବାର ସୁଯୋଗ ପାଇପାରିବେ । କେବଳ ସେତିକି ନୁହେଁ ଆଧ୍ୟାତ୍ମିକ, ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ହେବ ।

କଳା-ସଂସ୍କୃତିକୁ ମିଳିବ ପ୍ରୋତ୍ସାହନ

ପୁରୀକୁ ଅନ୍ତର୍ଜାତୀୟ ସ୍ତର ଭାବେ ଗଢ଼ିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏହାରି ମଧ୍ୟରେ ପୁରୀ ବେଳାଭୂମି ‘ବ୍ଲୁ ଫ୍ଲାଗ’ ମାନ୍ୟତା ପାଇସାରିଛି । ଶ୍ରୀମନ୍ଦିର ପାରିପାଶ୍ୱିର୍କ ଅଂଚଳର ସୌନ୍ଦର୍ଯ୍ୟୀକରଣ ଓ ଭିତ୍ତିଭୂମିକୁ ସଜାଚାଲିଛି । ମୋଟାମୋଟି ଭାବେ ପୁରୀ ସହରକୁ ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ିବା ପାଇଁ ଉଦ୍ୟମ ଜାରି ରହିଛି । ବେଳାଭୂମିରେ ବହୁତଳ ପାର୍କିଂ ବ୍ୟବସ୍ଥା, ଶାମୁକା ବେଳାଭୂମିର ବିକାଶ, ବେଳାଭୂମି ରାସ୍ତାର ସୌନ୍ଦର୍ଯ୍ୟୀକରଣ ପାଇଁ ଉଦ୍ୟମ ଜାରି ରହିଛି । ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର କଳା, ସ୍ଥାପତ୍ୟ, ସଂସ୍କୃତି, ଖାଦ୍ୟ, ବେଳାଭୂମି, ହ୍ରଦ, ହସ୍ତତନ୍ତ୍‌, ବାଳୁକା କଳା, ପରିବେଶ ପର୍ଯ୍ୟଟନସ୍ଥଳୀ ଆଦି ଅଧିକ ଲୋକପ୍ରିୟ ହୋଇପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments