Thursday, May 9, 2024
Homeଜୀବନଜୀବିକାଜୁଲାଇ ୧ ଯାଏଁ ଓଡ଼ିଶା ଆଂଶିକ ଲକ୍‌ଡାଉନ, ବସ୍ ମାଲିକ ପୁଣି ନିରାଶ

ଜୁଲାଇ ୧ ଯାଏଁ ଓଡ଼ିଶା ଆଂଶିକ ଲକ୍‌ଡାଉନ, ବସ୍ ମାଲିକ ପୁଣି ନିରାଶ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଓଡ଼ିଶା ଆଂଶିକ ଲକ୍‌ଡାଉନ୍ ରହିବ । ରାଜ୍ୟରେ ସଟ୍‌ଡାଉନ କଟକଣା ପୂର୍ବ ଭଳି ବଳବତ୍ତର ରହିବ । କରୋନା ସଂକ୍ରମଣ ହ୍ରାସ ପାଇବା ଯୋଗୁଁ ରାଜ୍ୟ ସରକାର ଲକ୍‌ଡାଉନ୍ କଟକଣା ପୂର୍ବ ତୁଳନାରେ କୋହଳ କରିଛନ୍ତି । ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ଅଧିକ ହ୍ରାସ ପାଇଛି । ସେଥି ପାଇଁ ସରକାର ୩୦ଟି ଜିଲ୍ଲାକୁ ୨ଟି ବର୍ଗରେ ଭାଗ କରିଛନ୍ତି । କମ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାର ଦୋକାନ ବଜାର ଗୁଡ଼ିକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ । ସେହିପରି ଉପକୂଳ ଓଡ଼ିଶାର ୧୩ଟି ଜିଲ୍ଲାରେ ଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ସକାଳ ୫ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଜୁଲାଇରେ ଗଡ଼ିବ ବସ!

ରାଜ୍ୟ ସରକାର ଆଜି ଆଂଶିକ ଲକ୍‌ଡାଉନ୍ ଘୋଷଣା କରିବା ପରେ ପୁଣି ଥରେ ଘରୋଇ ବସ୍ ମାଲିକମାନଙ୍କୁ ନିରାଶ ହେବାକୁ ପଡୁଛି । କାରଣ ସେମାନେ ଆଶା ରଖିଥିଲେ ଯେ, ଜୁନ୍ ୧୭ ଠାରୁ ଲକ୍‌ଡାଉନ୍ କଟକଣାରେ କୋହଳ ଆସିବ ଏବଂ ରାସ୍ତାରେ ପୁଣି ବସ୍ ଗଡ଼ିବ । କିନ୍ତୁ ତାହା ହେଲା ନାହିଁ । ଏବେ ସେମାନେ ଆଶା କରୁଛନ୍ତି ଜୁଲାଇ ୧ରେ ଆଂଶିକ କଟକଣାର ଅବଧି ପୂରିଲେ ବସ୍ ଚାଲିପାରେ । ଗତ ମେ’ ମାସ ୫ ତାରିଖରୁ ଓଡ଼ିଶା ଲକ୍‌ଡାଉନ୍ ହେବା ପରେ ରାଜ୍ୟର ପ୍ରାୟ ୧୭ ହଜାର ବସ୍ ବନ୍ଦ ରହିଛି । ତେଣୁ ବସ୍ ମାଲିକମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ହେଉଛି । ବସ ଡ୍ରାଇଭର, ହେଲପର, ବଡ଼ ବଡ଼ ଗ୍ୟାରେଜ ମାଲିକଙ୍କର ମଧ୍ୟ ସମାନ ଦଶା । କାରଣ ବସ୍ ଚାଲିଲେ, ଏମାନଙ୍କ ହାତକୁ ଦି’ ପଇସା ଆସିବ ଓ ପରିବାର ଚଳିବ ।

କ୍ଷତି ସହୁଛନ୍ତି ଟ୍ୟାକ୍ସି-ଅଟୋ ଚାଳକ

କେବଳ ଯାତ୍ରୀ ବସ ନୁହେଁ, ଟ୍ୟାକ୍ସି ଓ ଅଟୋ ଚାଳକଙ୍କ ମଧ୍ୟ କ୍ଷତି ସହୁଛନ୍ତି । ଦୀର୍ଘ ଦେଢ଼ ମାସ ହେବ ଅଟୋ ଓ ବ୍ୟକ୍ତିଗତ ଟ୍ୟାକ୍ସି ରାସ୍ତାକୁ ବାହାରିପାରୁ ନାହିଁ । ତେଣୁ ଏହାରି ମାଧ୍ୟମରେ ପରିବାର ପୋଷୁଥିବା ବ୍ୟକ୍ତିମାନଙ୍କୁ ଅନ୍ୟ କାମ କରିବାକୁ ପଡୁଛି । ଅନ୍ୟପଟରେ ସାଧାରଣ ପରିବହନ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ ଜରୁରୀ କାମ ପାଇଁ ଅନ୍ୟ ସ୍ଥାନକୁ ଯିବାକୁ ବହୁତ ହଇରାଣ ହେବାକୁ ପଡୁଛି ।

ଆଂଶିକ ଲକ୍‌ଡାଉନ: ୨ଟି କାଟାଗୋରୀ

ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଂଶିକ ଲକଡାଉନକୁ ୨ ଭାଗରେ ବିଭକ୍ତ କରିଛନ୍ତି । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣର୍ର୍ପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧକୁ କାଟାଗୋରୀ-‘ଏ’ରେ ରଖିଛନ୍ତି ।, ସେହିପରି କାଟାଗୋରୀ-‘ବି’ରେ ରହିଚି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ମୟୂରଭଂଜ ଜିଲ୍ଲା ।

ଅନେକ କଟକଣା ଜାରି ରହିବ

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ବ୍ୟାଙ୍କିଙ୍ଗ, କୃଷି କାର୍ଯ୍ୟ, ଶିଳ୍ପକାମ ଆଦି ଗତିବିଧି ଚାଲୁ ରହିବ । ନିର୍ମାଣ କାର୍ଯ୍ୟରେ କୌଣସି ବାଧା ନାହିଁ । ପୂର୍ବରୁ ମିଠା ଦୋକାନ ଗୁଡ଼ିକ ବନ୍ଦ ଥିବା ବେଳେ ଏବେ ସେଗୁଡ଼ିକ ଖୋଲିବ । ଜନସାଧାରଣ ଘର ବାହାରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମର୍ଣ୍ଣିଂ ୱାକ, ସାଇକେଲିଂ ଓ ଜଗିଂ କରିପାରିବେ । କିନ୍ତୁ ପାର୍କଗୁଡ଼ିକ ବନ୍ଦ ରହିବ । ବିବାହ, ବ୍ରତ ଘର ଓ ଅନ୍ୟ ଭୋଜି ପାଇଁ ପୂର୍ବରୁ ଯାହା କଟକଣା ଥିଲା, ତାହା ବଳବତ୍ତର ରହିବ । ସରକାରୀ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କ୍ଷମତାକୁ ନେଇ ପରିଚାଳିତ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments