Thursday, May 9, 2024
Homeଜୀବନଜୀବିକାସେପ୍ଟେମ୍ବର ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ଦିଆଯିବ ୧୬ ଶହ କୋଟି ଋଣ

ସେପ୍ଟେମ୍ବର ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ଦିଆଯିବ ୧୬ ଶହ କୋଟି ଋଣ

ଭୁବନେଶ୍ୱର, ଜୁନ୍‌ ୧୧, ୨୦୨୧: ଆସନ୍ତା ସେପ୍ଟେମ୍ବରମାସ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ୧୬ ଶହ କୋଟି ଟଙ୍କା ଋଣ ପ୍ରଦାନ କରାଯିବ । ସମସ୍ତ ଜିଲ୍ଲା ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକମାନଙ୍କ ସମୀକ୍ଷା ବୈଠକରେ ଏହା ପ୍ରକାଶ କରାଯାଇଛି । ପ୍ରାରମ୍ଭରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ର ମୋହନପୁରଠାରେ ଗଢ଼ିଉଠିଥିବା ଉଦ୍ୟୋଗ ମୋହନପୁର ମ୍ୟାଜିକ୍‌ ମିଲେଟ୍‌ ୟୁନିଟ୍‌ ଏବଂ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ କାର୍ଯ୍ୟ କରୁଥିବା ଫିରିଙ୍ଗିଆ ହଳଦୀ କ୍ଲଷ୍ଟରର କାର୍ଯ୍ୟ ସଂପର୍କରେ ଅବଗତ ହେବା ପରେ ଏହାର ପ୍ରଶଂସା କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀକୁ ମୂଲ୍ୟଯୁକ୍ତ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । କୋଭିଡ୍‌ ମୁକାବିଲା ସକାଶେ ଆବଶ୍ୟକୀୟ ଅମ୍ଳଜାନ ଯୋଗାଣ କରି ଓଡ଼ିଶା ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛି ଏପରିକି ସାମୁଦି୍ରକ ବାତ୍ୟା ‘ୟାସ୍‌’ର ସ୍ଥଳଭାଗ ସ୍ପର୍ଶ ସମୟରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଦେଶର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ଯୋଗାଇବା ଅବ୍ୟାହତ ରଖିବା ଏକ ଉଦାହରଣ ବୋଲି କହିବା ସହ ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପରିଚାଳକମାନେ ଯେଉଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ତାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।


ଏମ୍‌ଏସ୍‌ଏମ୍‌ଇ ବିଭାଗ କେତେକ ଆଖିଦୃଶିଆ କାମ କରୁଥିଲେ ହେଁ ତାହା ଲୋକଲୋଚନକୁ ଆସିପାରୁ ନଥିବା ଉପରେ ଅସନ୍ତୋଷ ପ୍ରକାଶ କରି ଏଣିକି ବିଭାଗ ଏ ଦିଗରେ ଯନିବାନ ହେବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ । ସଂପ୍ରତି ବିଜୁ ଏକ୍ସପ୍ରେସ୍‌ୱେ ର ଚାରିଥାକିଆ ରାସ୍ତା ପଶ୍ଚିମ ଓଡ଼ିଶାର ଜୀବନରେଖା ହେବାକୁ ଯାଉଛି । ସେ ଦୃଷ୍ଟିରୁ ଏସବୁ ଜିଲ୍ଲାରେ ରାସ୍ତାର ଉଭୟ ପାଶ୍ୱର୍ରେ ଶିଳ୍ପପୁଞ୍ଜ ନିମନ୍ତେ ପ୍ରକୃଷ୍ଟ ସୁଯୋଗ ରହିଛି । ଏଥିପାଇଁ ଏହି ଅଞ୍ଚଳରେ ଆବଶ୍ୟକୀୟ ବିଦ୍ୟୁତ ଯୋଗାଣ କରିବାକୁ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲାରେ ଏବେ ପ୍ରଗତି ଦୃଶ୍ୟମାନ, ଯାହା ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ କରିଛି । ଆର୍ଥିକ ବିକାଶ ଯୋଗୁଁ ଲୋକେ ଉପକୃତ ହୋଇପାରିଛନ୍ତି । କଳାହାଣ୍ଡି ଏବେ ଭାତହାଣ୍ଡି ପାଲଟିଛି । ଏଠାରେ ଉତ୍ପାଦିତ କପା ପଡ଼ୋଶୀ ବାଂଲାଦେଶକୁ ରତ୍ପାନୀ ହେଉଛି । ସର୍ବୋପରି ରାଜ୍ୟ ସରକାରଙ୍କ ୫-‘ଟି’ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ହୋଇପାରିଛି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କଳାହାଣ୍ଡି ଜିଲ୍ଲାରେ ରାଇସ୍‌-ବ୍ରାନ୍‌ ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଏଥି ସହିତ ତାଳଗୁଡ଼ ସଂସ୍ଥାର ଉତ୍ପାଦିତ ସାମଗ୍ରୀ ପାଇଁ କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଜାର ସୃଷ୍ଟି ହୋଇପାରିବ ସେ ଦିଗରେ କାମ କରିବା ଏବଂ କେବିକେ ଜିଲ୍ଲାକୁ ଦୃଷ୍ଟି ନିକ୍ଷେପ କରିବାକୁ ବହୁଲୋକେ ସରକାରୀ ତନ୍ତ୍ର ପାଖକୁ ଆସିବା ପରିବର୍ତ୍ତେ ସରକାରୀ ତନ୍ତ୍ର ଲୋକଙ୍କ ପାଖକୁ ଯିବା ଭଳି ସୁଯୋଗ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ । ଯୁବବର୍ଗଙ୍କୁ ପ୍ରକୃତ ରୂପେ ଦିଗ୍‌ଦର୍ଶନ ଦେବା, ଶିଳ୍ପୀ, କାରିଗରମାନଙ୍କୁ ଚିହ୍ନଟ କରି ସେମାନଙ୍କ କୌଶଳକୁ ବୃଦ୍ଧି କରିବା ଦିଗରେ ବିଭାଗ କାର୍ଯ୍ୟ କରିବା ସମୟର ଆହ୍ୱାନ ବୋଲି ସେ କହିଥିଲେ ।


ଏଣିକି ଆତିଥେୟତା ଓ ରେସ୍ତୋଁରା ଶିଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ଆସୁଥିବା ଉଦ୍ୟୋଗୀମାନଙ୍କୁ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ । ବିଭାଗ ଚାରୋଟି ଆଇନକୁ କାର୍ଯ୍ୟକାରୀ କରୁଛି । ସେଗୁଡ଼ିକ ହେଲା ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍‌-ଓଡ଼ିଶା ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି, ଓଡ଼ିଶା ଶିଳ୍ପ ନୀତି । ଆମେ ପିଏମ୍‌ଇଜିପିରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରମୁଖ ଶାସନ ସଚିବ ଦର୍ଶାଇଥିଲେ । ତା’ଛଡ଼ା ପ୍ରତି ଶନିବାର ଷ୍ଟାର୍ଟଅପ୍‌-କନେକଫ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍‌ଗୁଡିକର କାର୍ଯ୍ୟଧାରାର ସମୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକୀୟ ସୁବିଧାସୁଯୋଗ ଯୋଗାଇଦେବାକୁ ପଦକ୍ଷେପ ନିଆଯାଉଥିବା କହିଥିଲେ । ଏହି ଭର୍ଚୁଆଲ ବୈଠକରେ ଅଗ୍ରଣୀ ଉଦ୍ୟୋଗୀ ରମଣ ଥାପର, ହେମନ୍ତ ସୁଆର ଓ ପରାମର୍ଶଦାତା ବରୁଣ କାଶ୍ୟପ ଏବଂ ସୁଚିସ୍ମିତା ଏଫ୍‌ଏମ୍‌ସି ପ୍ରମୁଖ ଯୋଗଦେଇ ସେମାନଙ୍କ ଉଦ୍ୟୋଗ ପ୍ରତିଷ୍ଠାର ପ୍ରଗତି ବିବରଣୀ ପ୍ରଦାନ କରିଥିଲେ । ସେହିପରି କୋଭିଡ୍‌ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଉପକ୍ରମଗୁଡ଼ିକ ଉପରେ ଶିଳ୍ପ ନିର୍ଦ୍ଦେଶକ ପି.କେ. ଗୁପ୍ତା ଆଲୋକପାତ କରିଥିଲେ ।


ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲମ୍‌ ବିଭାଗର ସମସ୍ତ ଯୋଜନାଗୁଡ଼ିକୁ କ୍ରମାନ୍ୱୟରେ ସମୀକ୍ଷା କରିଥିଲେ । ଓଡ଼ିଶା ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଯୋଜନାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୧୦୪୭ଟି ଉଦ୍ୟୋଗ ସୃଷ୍ଟି ହୋଇଛି । ପିଏମ୍‌ଇଜିପିରେ ବିଭିନ୍ନ ଉଦ୍ୟୋଗଗୁଡ଼ିକୁ ପ୍ରଦାନ କରାଯାଇଥିବା ରିହାତିର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଦେଶାଳୟକୁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଇସିଏଲ୍‌ଜିଏସ୍‌ ଯୋଜନାରେ ରାଜ୍ୟର ୩୦ଟି ଜିଲ୍ଲାର ସମୁଦାୟ ୩୧୨୧ କୋଟି ଟଙ୍କା ୧ ଲକ୍ଷ ୭୧ ହଜାର ଜଣ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି । ‘ସ୍ପୁର୍ତ୍ତି’ ଯୋଜନାରେ ବିଭିନ୍ନ ଜିଲ୍ଲାର ପ୍ରମୁଖ ଉତ୍ପାଦିତ ଦ୍ରବ୍ୟକୁ ନେଇ ଶିଳ୍ପପୁଞ୍ଜ ଗଠନ ନିମନ୍ତେ କାର୍ଯ୍ୟ ଚାଲୁରହିଛି । ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ୍‌ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୭୨ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେହିପରି ଜିଆଇପି ଲକ୍ଷ୍ୟପୂରଣ ଦିଗରେ ସମସ୍ତ ଶିଳ୍ପକେନ୍ଦ୍ର ମହାପ୍ରବନ୍ଧକମାନେ ତତ୍ପର ହେବାକୁ ନିର୍ଦ୍ଦେଶକ ମହମ୍ମଦ ଆଲାମ୍‌ ନିର୍ଦ୍ଦେଶ ଦେଇଥିଲେ ।


ଏହି ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ଅତିରିକ୍ତ ସଚିବ ଶ୍ରୀ ଉଦୟନାରାୟଣ ଦାସ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ପ୍ରମୁଖ ଅଧିକାରୀ ଶ୍ରୀ ଲିଙ୍ଗରାଜ ନାୟକ, ସମସ୍ତ ଜିଲ୍ଲା ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ଶିଳ୍ପ ନିର୍ଦ୍ଦେଶାଳୟର ସମସ୍ତ ଅଧିକାରୀ ଅନ୍‌ଲାଇନ୍‌ ଜରିଆରେ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments