Monday, May 20, 2024
Homeସ୍ୱାସ୍ତ୍ୟରାଜ୍ୟରେ ନକଲି କରୋନା ଔଷଧ ବଢ଼ାଉଛି ଚିନ୍ତା

ରାଜ୍ୟରେ ନକଲି କରୋନା ଔଷଧ ବଢ଼ାଉଛି ଚିନ୍ତା

ଭୁବନେଶ୍ୱର: କରୋନା ଭାଇରସ ନେଇ ସମଗ୍ର ବିଶ୍ୱ ସମେତ ଓଡ଼ିଶାବାସୀଙ୍କର ଚିନ୍ତା ବଢ଼ିଛି । ସଂକ୍ରମଣର ମୁକାବିଲା ପାଇଁ ସରକାର, ପ୍ରଶାସନ, ବୈଜ୍ଞାନିକ, ଗବେଷକ ଓ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଅହରହ ଲାଗିଥିବା ବେଳେ କିଛି ମୁନାଫାଖୋର ଲୋକ କରୋନା ସଂକଟରେ ପୀଡିତ ଥିବା ଲୋକଙ୍କୁ ଶୋଷଣା କରିବାରେ ଲାଗିଛନ୍ତି । ଗତ ୧୨ ତାରିଖ ଦିନ କଟକ ସହରର କନିକାଛକ ନିକଟରେ ଏଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ହୋଲସେଲ ଗୋଦାମରେ ଚଢ଼ାଉ ସମୟରେ ନକିଲି କରୋନା ଔଷଧ ମିଳିବା ପରେ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଛି । ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ୍ସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା । ଏହି ନକଲି ଔଷଧ ହିମାଚଳ ପ୍ରଦେଶରେ ଉତ୍ପାଦିତ ହୋଇ ଉତ୍ତର ପ୍ରଦେଶର ଏକ କଂପାନୀ ମାଧ୍ୟମରେ କଟକ ଆସିଥିଲା ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କଟକ ଜିଲ୍ଲା ଡ୍ରଗ୍ସ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ ହୋଇଥିଲା । ଡ୍ରଗ୍ସ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ କହିଛନ୍ତି, ତଦନ୍ତରୁ ଜଣାଯାଇଛି ଯେ, ଏହି ଔଷଧ ଗୁଡ଼ିକ ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ ଏକ କଂପାନୀରୁ ଆସୁଥିଲା । କିନ୍ତୁ ଏହା ପ୍ରକୃତରେ ଉତ୍ତର ପ୍ରଦେଶରେ ଉତ୍ପାଦନ ହେଉଥିଲା, କି ଅନ୍ୟ କେଉଁଠି ଉତ୍ପାଦନ କରାଯାଇ ଏଭଳି ଲେଖାଯାଉଥିଲା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ ।

ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ

କଟକରେ ନକଲି କରୋନା ଔଷଧ ଖବର ଲୋକଲୋଚନକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ କରି ରିପୋର୍ଟ ଦେବେ । ଏହି ଔଷଧ କେଉଁଠାରୁ ଆସୁଥିଲା ଏବଂ କେଉଁଠିକୁ ଯାଉଥିଲା, ତା’ର ତଦନ୍ତ ହେବ । ଅନ୍ୟପଟରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟିକରଣ ଦେଇଛି ଯେ, ରାଜ୍ୟ ସରକାର ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଯୋଗାଉଛନ୍ତି । କୌଣସି ରୋଗୀ ଯେପରି ମାଗଣା ଔଷଧରୁ ବଂଚିତ ନହୁଅନ୍ତି, ସେଥିପାଇଁ ବ୍ୟବସ୍ଥା କରିଛନ୍ତି ।

୧୭ ହଜାର ଫାଭିପିରାଭିର ଜବତ

ଐତିହାସିକ ସହର ‘କଟକ’ରୁ କରୋନାର ଔଷଧ ‘ଫାଭିପିରାଭିର’ ଜବତ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ହେବା ପରେ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଯାଇଛି । ଏକ ନିର୍ଦ୍ଧିଷ୍ଟ ଦୋକାନରୁ ୧୭ ହଜାର ଫାଭିପିରାଭିର ବଟିକା ଜବତ ହୋଇଛି । କରୋନାର ଗୁରୁତର ରୋଗୀଙ୍କ ପାଇଁ ଫାଭିପିରାଭିର ବ୍ୟବହାର ହୋଇଥାଏ । ଏହି ଔଷଧ ଅନ୍ୟ ଔଷଧ ତୁଳନାରେ ଅଧିକ ଦାମ ଏବଂ ଗୁରୁତ୍ୱପୂର୍ଣ୍ଣ କୋଭିଡ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ଜଣେ କରୋନା ରୋଗୀଙ୍କୁ ଏହି ଔଷଧ ମାଗଣାରେ ଦେବା ପାଇଁ ସରକାରଙ୍କ ବିଶେଷଜ୍ଞ ଡାକ୍ତରମାନେ ଅନେକ ଚିନ୍ତା କରିଥାନ୍ତି । କାରଣ ଜଣେ ରୋଗୀଙ୍କୁ ପ୍ରାୟ ୪ ହଜାର ଟଙ୍କାର ଫାଭିପିରାଭିର ବଟିକା ଦେବାକୁ ପଡ଼ିଥାଏ ।

ରାଉରକେଲାରେ ବି ଚଢ଼ାଉ

କଟକରେ ନକଲି କରୋନା ଔଷଧ ଧରାପଡ଼ିବା ଘଟଣା ପରେ କରୋନା ରୋଗୀ, ରୋଗୀ ପରିବାର, ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି । ନକଲି କାରବାରର ରାକେଟ ରାଉରକେଲାରୁ ଲମ୍ବିଥିବା ସଂଦେହ ହେଉଛି । ଏ ନେଇ ଶନିବାର ରାଉରକେଲାର କିଛି ଔଷଧ ଦୋକାନରେ ମଧ୍ୟ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ମ୍ୟାକ୍ସ ରିଲିଫ କେୟାର ନାମକ ଏକ ଫୁରିଅସ କମ୍ପାନୀର ମେଡିସିନ ଜବତ ହୋଇଛି । ଏଗୁଡ଼ିକ ପରୀକ୍ଷା ପାଇଁ ପରୀକ୍ଷାଗର ଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ । କେବଳ ରାଉରକେଲା ନୁହେଁ, ରାଜ୍ୟର ଅନ୍ୟ ସହରରେ ମଧ୍ୟ ନକଲି ଔଷଧ କାରବାର ହେଉଥିବା ନେଇ ଏବେ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏଥି ପାଇଁ ଡ୍ରଗ୍ସ ବିଭାଗ ତଦନ୍ତ କରିବାର ଆବଶ୍ୟକତା ରହିଛି ।

ଗଜପତିରେ ନକଲି ଇଂଜେକ୍‌ସନ୍‌

ରାଜ୍ୟରେ କରୋନାର ନକଲି ଔଷଧ ଧରାପଡ଼ିବା ନୂଆ ଘଟଣା ନୁହେଁ । କାରଣ ଏହା ପୂର୍ବରୁ ଗତ ମାସ ଗଜପତି ଜିଲ୍ଲାରେ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ନକଲି ଇଂଜେକସନ୍ ଧରାପଡ଼ିଛି । ଓଡ଼ିଶାରେ କେବଳ ନୁହେଁ ନକଲି କରୋନା ଔଷଧ ନୂଆଦିଲ୍ଲୀ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ମଧ୍ୟ ଠାବ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments