Thursday, May 9, 2024
Homeଜୀବନଜୀବିକାରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା “ଖଦି ବଜାର” ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା “ଖଦି ବଜାର” ଉଦ୍‌ଘାଟିତ

ଖଦି ବ୍ୟବହାର କରି ବୁଣାକାରମାନଙ୍କ ଆର୍ଥିକ ଉନ୍ନତିରେ ଭାଗିଦାରୀ ହେବାକୁ ଆହ୍ୱାନ

ଭୁବନେଶ୍ୱର: ଜାତିର ପିତା ମହାତ୍ମାଗାନ୍ଧିଙ୍କ ବିଭିନ୍ନ ନୀତି ଓ ଆଦର୍ଶକୁ ଆମେ ଅନୁସରଣ କଲେ ଆମେ ତାଙ୍କୁ ଆମ ଭିତରେ ସର୍ବଦା ଜୀବିତ ରଖିପାରିବା । ସେଥି ମଧ୍ୟରୁ ଖଦିକୁ ଆପଣେଇବା ଗୋଟିଏ ପ୍ରମୁଖ ଆଦର୍ଶ । ଖଦି ବ୍ୟବହାର କରି ବୁଣାକାରମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହେବାକୁ ଆଜି ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଅତିଥିମାନେ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଖଦି ବୋର୍ଡ କାର୍ଯ୍ୟାଳୟ ପରିସରରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଏହି ପ୍ରଦର୍ଶନୀ ଓ ମେଳା ଆୟୋଜନ କରାଯାଇଥିବା ବେଳେ ଏହି ଉପଲକ୍ଷେ ଆୟୋଜିତ ସଭାକୁ ପ୍ରାରମ୍ଭରେ ଅତିଥିମାନେ ଫିତାକାଟି ଏବଂ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଲେ ଯେ, ଯେଉଁମାନେ ବୁଣାକାରମାନଙ୍କ ବୁଣିବା କୌଶଳ ଦେଖନ୍ତି, ଖଦି ବିଚାରଧାରାରେ ବିଶ୍ୱାସ କରନ୍ତି, ସେମାନେ ଦେଶ ପାଇଁ ଚିନ୍ତା କରୁଛନ୍ତି । ଖଦି ମାଧ୍ୟମରେ ଦେଶକୁ ଯୋଡି ରଖିବା ପାଇଁ ମହାତ୍ମାଗାନ୍ଧି ପ୍ରୟାସ କରିଥିଲେ । ବୁଣାକାରମାନଙ୍କର ଉନ୍ନତିକଳ୍ପେ ପ୍ରତ୍ୟେକ ବ୍ୟକ୍ତି ଖଦିକୁ ନିଜର ଜୀବନ ଶୈଳୀରେ ବ୍ୟବହାର କଲେ ବୁଣାକାର ପରିବାରର ଉନ୍ନତି ସାଧିତ ହେବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍ ମିଶ୍ର ପ୍ରକାଶ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ, ଗାନ୍ଧିଜୀ ତାଙ୍କର ଓଡିଶା ଆଗମନ ସମୟରେ ଓଡିଶାରେ ତଥା ତତ୍କାଳୀନ ଭାରତ ବର୍ଷର ଆର୍ଥିକ ଉନ୍ନତି ପାଇଁ ଖଦିକୁ ଉତ୍ସାହିତ କରୁଥିଲେ । ତେଣୁ ଗାନ୍ଧିଜୀଙ୍କ ବିଚାରଧାରାରେ ସାମିଲ ହୋଇ ଖଦୀ ଓ ଗ୍ରାମୀଣ ଉତ୍ପାଦକୁ ବହୁଳ ବ୍ୟବହାର ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ବୁଣାକାରମାନଙ୍କ ପରିଶ୍ରମର ବହୁ ମୂଲ୍ୟ ରହିଥିବା ଦର୍ଶାଇ ଖଦି ବ୍ୟବହାର ମାଧ୍ୟମରେ ଭାଇଚାରାକୁ ସୁଦୃଢ କରିବା ଓ ଆମ ବୁଣାକାରମାନଙ୍କ ଉତ୍ପାଦ ଆମେ ବ୍ୟବହାର କରି ସେମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ କରିବାକୁ କହିଥିଲେ । ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ତାଙ୍କର ସ୍ୱାଗତ ଅଭିଭାଷଣରେ ଖଦି କେବଳ ଏକ ବସ୍ତ୍ର ନୁହେଁ, ଏକ ବିଚାର ବୋଲି ପ୍ରକାଶ କରିବା ସହିତ ଦେଶ ତଥା ବିଭିନ୍ନ ପ୍ରାନ୍ତରର ଖଦିର ବିପୁଳ ସମ୍ଭାର ସହିତ ପ୍ରଧାନମନ୍ତ୍ରୀ ସୃଜନ ରୋଜଗାର ଯୋଜନାରେ ସହାୟତା ପ୍ରାପ୍ତ ଗ୍ରାମ୍ୟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଖଦି ବଜାରେ ଉପଲବ୍‌ଧ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ନବ ନିର୍ବାଚିତ ଖଦି ବୋର୍ଡର କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖଦି ବୋର୍ଡର ସଚିବ ଅବ୍‌ଦୁଲ ଅଲିମ୍ ଖାନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଆଗାମୀ ଫେବୃୟାରୀ ୨୮ ତାରିଖ ପର୍ଯନ୍ତ ଚାଲୁ ରହିବ । ଦର୍ଶକମାନଙ୍କ ପାଇଁ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ୍ ନିୟମର ଅନୁପାଳନ ସହ ଖଦି ବଜାରରେ ଉପଲବ୍‌ଧ ସମସ୍ତ ସୁଯୋଗର ସଦୁପଯୋଗ କରିବାକୁ ଖଦି ବୋର୍ଡର ଅଧ୍ୟକ୍ଷ ଶ୍ରୀ ପାଇକରାୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମକୁ ଇଂ, ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments