Monday, May 20, 2024
Homeଶିକ୍ଷା ହେଉଛି ବାଟବଣା; ଜାଲ ସାର୍ଟିଫିକେଟ୍‌ରେ ଶିକ୍ଷକ ଚାକିରୀ
Array

ଶିକ୍ଷା ହେଉଛି ବାଟବଣା; ଜାଲ ସାର୍ଟିଫିକେଟ୍‌ରେ ଶିକ୍ଷକ ଚାକିରୀ

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ନଥାଇ କିଛି ଅସାମଜିକ ବ୍ୟକ୍ତି ଶିକ୍ଷକ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ବଳତା ହେଉ କି ବିଭାଗୀୟ କର୍ମଚାରୀଙ୍କ ବିଫଳତା ହେଉ ବିଗତ ଦିନରେ ଅନେକଗୁଡ଼ିଏ ଶିକ୍ଷକ ନକଲି ସାର୍ଟିଫିକେଟ ପ୍ରଦାନ କରି ଶିକ୍ଷକତା କରୁଥିବା ପ୍ରମାଣ ରହିଛି । ସରକାର ଚାକିରୀ ଦେବା ସମୟରେ ଓ ପରେ ନିଜର କର୍ମଚାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ନଥିବାରୁ ନକଲି ଶିକ୍ଷକମାନେ ବିଦ୍ୟାଳୟଗୁଡ଼ିକରେ ଭର୍ତ୍ତି ହୋଇପାରିଛନ୍ତି । ପାଠଶାଠ ପଢ଼ି ଶିକ୍ଷିତ ହେବା ପରେ ମଧ୍ୟ ରାଜ୍ୟରେ ରୋଜଗାର ପାଇଁ ଉତ୍ସ ନଥିବାରୁ ଯୁବପିଢ଼ିମାନେ ବିକଳ୍ପ ରାସ୍ତା ବାହାର କରିବାକୁ ଯାଇ ଜାଲ ସାର୍ଟିଫିକେଟ ମାଧ୍ୟମରେ ଭର୍ତ୍ତି ହୋଇଛନ୍ତି ।

ଅତୀତରେ ଯେଉଁ ବ୍ୟକ୍ତିମାନେ ଏହି ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରୀ କରିବାକୁ ଚାହିଁଛନ୍ତି, ପ୍ରକୃତପକ୍ଷେ ସେମାନେ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାଇ ମଣିଷ କରିବାର ଉଦ୍ଦେଶ୍ୟ ନୁହେଁ । ବରଂ କମ ପରିଶ୍ରମରେ ରୋଜଗାରକ୍ଷମ ହେବା । ଅନ୍ୟ ବିଭାଗଗୁଡ଼ିକରେ ମଧ୍ୟ ଯଦିଓ ଜାଲ ସାର୍ଟିଫିକେଟ ମାଧ୍ୟମରେ କାରବାର ହୋଇପାରୁଛି, ତଥାପି ଶିକ୍ଷା ବିଭାଗରେ ଟିକିଏ ଅଧିକ । କାରଣ ଶିକ୍ଷା ବିଭାଗରେ ବର୍ଷସାରା ଅଧିକ ଛୁଟି ମିଳିପାରୁଛି । ଅଧିକାଂଶ ଶିକ୍ଷକଙ୍କୁ ପିଲାମାନଙ୍କୁ ପାଠ ପଢ଼ାଇବା ପୂର୍ବରୁ ନିଜକୁ ପ୍ରସ୍ତୁତ ହେବାକୁ ପଡୁନାହିଁ । ଯଦିଓ ସ୍କୁଲ ଯିବା ପୂର୍ବରୁ ଶିକ୍ଷକମାନେ ନିଜକୁ ପ୍ରସ୍ତୁତ କରିବାର ସରକାରୀ ନିୟମ ରହିଛି, ଏହାକୁ ପାଳନ କରାଯାଉ ନଥିବା ଦୃଷ୍ଟିଗୋଚର ହେଉଛି ।

ବୌଦ୍ଧ ଜିଲ୍ଲାରେ ୪୦ ଶିକ୍ଷକ ବହିଷ୍କାର

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ବୌଦ୍ଧ ଜିଲ୍ଲାର ୪୦ ଜଣ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ବାହାର କରିଦେଇଛନ୍ତି । ବହିଷ୍କାର ହୋଇଥିବା ଶିକ୍ଷକମାନଙ୍କୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲେ ହେଁ, ସେମାନେ ଠିକ ସମୟରେ ଏହା ଦାଖଲ କରିପାରି ନଥିଲେ । ସରକାରୀ ପ୍ରକ୍ରିୟା ଅନୁସାରେ ବୌଦ୍ଧ ଜିଲ୍ଲାରେ ୯୪ ଜଣ ଗଣ ଶିକ୍ଷକଙ୍କ ଚାକିରୀ ନିୟମିତ ହେବାର ଥିଲା । ଏମାନେ ସମସ୍ତେ ଓଟିଇଟିରେ ପାସ କରିଥିବା ସାର୍ଟିଫିକେଟ ଦାଖଲ କରିଥିଲେ । କିନ୍ତୁ ବୋର୍ଡ କାର୍ଯ୍ୟାଳୟରେ ଯାଂଚ ପରେ ଜଣାପଡ଼ିଥିଲା ଯେ, ୪୦ ଜଣଙ୍କର ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା ।

ରାକେଟ କରୁଛି କାମ!

ଜାଲ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ନିଶ୍ଚିତ ଭାବରେ ଏକ ରାକେଟ କାମ କରୁଛି । କିଛି ଦଲାଲ ବାହାର ରାଜ୍ୟର ଠକ ସଂସ୍ଥାରେ ନାମ ଲେଖାଇ ପ୍ରାର୍ଥୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଜାଲ ସାର୍ଟିଫିକେଟ ଦେଉଛନ୍ତି । ଅତୀତରେ ପୁରୀ, ଗଂଜାମ, ମାଲକାନଗିରି, ନୂଆପଡ଼ା ଓ ନବରଂଗପୁର ଜିଲ୍ଲାରେ ମଧ୍ୟ ଜାଲ ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ ହୋଇଥିଲା । ଶିକ୍ଷା ସହାୟକ ଚାକିରୀ ପାଇଁ ରାଜ୍ୟରେ ବିଭିନ୍ନ ପ୍ରକାରର ଯୋଗ୍ୟତା ଅଛି । ଯାଂଚ ସମୟରେ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ଅନୁସାରେ ସାର୍ଟିଫିକେଟ ପ୍ରଦାନ କରିଥାନ୍ତି । ଅନେକ ସ୍ଥାନରେ ସାର୍ଟିଫିକେଟ ବୈଧ ନଥାଏ । ପ୍ରାର୍ଥୀମାନେ ଏସ୍‌ସିଟିଇ ଅନୁମତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ ଆଣି ଚାକିରୀ କରୁଛନ୍ତି । ସେହିଭଳି ବାହାର ରାଜ୍ୟର ଶିକ୍ଷାନୁଷ୍ଠାନରୁ ସିଟି, ବି.ଏଡ୍ ପାସ୍ ସାର୍ଟିଫିକେଟ ଆଣି ଓଡ଼ିଶାରେ ଚାକିରୀ କରୁଛନ୍ତି । ତେବେ ବାହାର ରାଜ୍ୟରୁ ଯେଉଁମାନେ ସାର୍ଟିଫିକେଟ ଆଣୁଛନ୍ତି, ତାହା ଅସଲି କି ନକଲି ଭର୍ତ୍ତି ସମୟରେ ସଠିକ ଯାଂଚ କରାଗଲେ ଜାଲ ସାର୍ଟିଫିକେଟ ଧରାପଡ଼ିଯାଆନ୍ତା ।

କୋଟି କୋଟି ରାଜସ୍ୱ ହରାଉଛନ୍ତି ସରକାର

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଦ୍ୱାରା ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଛି । ଅନେକ କ୍ଷେତ୍ରରେ କିଛି ନକଲି ଶିକ୍ଷକଙ୍କ ଚାକିରୀ ଶେଷ ହୋଇଯାଉଥିଲେ ମଧ୍ୟ ସେମାନେ ଧରାପଡୁନାହାନ୍ତି । ଅନ୍ୟପକ୍ଷରେ ଯେଉଁମାନେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ତେଣୁ ଚାକିରୀ ଦେବା ପୂର୍ବରୁ ସରକାର ପ୍ରାର୍ଥୀଙ୍କ ସାର୍ଟିଫିକେଟ ଓ ଦକ୍ଷତାକୁ ଗୁରୁତ୍ୱ ଦେଲେ ଶିକ୍ଷାରେ ସଂସ୍କାର ଆସିପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments