Thursday, May 9, 2024
Homeଅନ୍ୟାନ୍ୟପ୍ରଭାବିତ ହେବେ ୨୪ ହଜାର ପରିବାର!

ପ୍ରଭାବିତ ହେବେ ୨୪ ହଜାର ପରିବାର!

ଭୁବନେଶ୍ବର: ସାଧାରଣ ଜନତାଙ୍କ ଗମନାଗମନକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆସନ୍ତା ୨ ତାରିଖରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ‘ଲକ୍ଷ୍ମୀ’ ଯୋଜନା ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନତା ସେମାନଙ୍କର ଜିଲ୍ଲା ମୁଖ୍ୟାଳୟକୁ ଘରୋଇ ଯାତ୍ରୀବାହୀ ବସ୍ ତୁଳନାରେ କମ୍ ମୂଲ୍ୟ ଏବଂ ସୁବିଧାରେ ପହଞ୍ଚି ପାରିବେ। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜନତାଙ୍କର ନିକଟତର ହେବାକୁ ଚାହୁଁଥିବା ବେଳେ ଘରୋଇ ପରିବହନ ବ୍ୟବସ୍ଥା ସହିତ ଜଡ଼ିତ ଥିବା ପ୍ରାୟ ୨୪ ହଜାର ପରିବାର ଆର୍ଥିକ ଅଭାବର ସାମ୍ନା କରିପାରନ୍ତି ବୋଲି ଏବେ ଠାରୁ ସନ୍ଦେହ ହେଉଛି। ଅନ୍ୟପଟରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା କେବେଯାଏଁ ତିଷ୍ଠି ରହିବ, ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାରଣ ରାଜ୍ୟ ସରକାରଙ୍କ ଅନେକଗୁଡ଼ିଏ ପରିବହନ ବ୍ୟବସ୍ଥା ପୂର୍ବରୁ ସଫଳ ହୋଇପାରି ନାହିଁ।

ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ ହେବା ପୂର୍ବରୁ ଅଲ ଓଡ଼ିଶା ବସ୍ ମାଲି ସଂଘ ଓ ପରିବହନ କମିସନରଙ୍କ ମଧ୍ୟରେ ଆଲୋଚନା ହୋଇଛି। ମାତ୍ର ବସ୍ ମାଲିକ ସଂଘ ଆସନ୍ତା ୧୦ ତାରିଖରେ ଓଡ଼ିଶା ବନ୍ଦ କରିବ। ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ। ଆସନ୍ତା ୨ ତାରିଖରେ ମାଲକାନଗିରିରେ ୨୪ ଘଂଟା ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ। ଏହାଛଡା ବାହାର ଜିଲ୍ଲାରୁ କୌଣସି ବସ କୋରାପୁଟ, ମାଲକାନଗିରି, ଜୟପୁର ନବରଙ୍ଗପୁରକୁ ଯିବ ନାହିଁ। ସଂଘ କହିଛି, ଲକ୍ଷ୍ମୀ ଓ ମୋ ବସ୍ ଯୋଜନାରେ ରାଜ୍ୟର ଘରୋଇ ବସ ପ୍ରଭାବିତ ହେବ। ଘରୋଇ ବସଗୁଡିକୁ ଲିଜରେ ନେଇ ଲକ୍ଷ୍ମୀ ବସ୍ ଅଧିନରେ ଚଳାଇବାକୁ ସଂଘ ଦାବି କରିଛି।  

ମୁଣ୍ଡ ନୁଆଇଁଲେ ସରକାର

ଅନ୍ୟପଟରେ ଘରୋଇ ବସ୍ ମାଲିକ ସଂଘର ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ବସ୍ର ପରିମିଟ୍ ତଥା ଚଳାଚଳ ସମୟ ସଂପର୍କରେ ନିୟମ ଅନୁଯାୟୀ ନିଷ୍ପତ୍ତି ନେବାକୁ ରାଜ୍ୟ ପରିବହନ ଆୟୁକ୍ତ (ଏସ୍ଟିଏ) ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଟିଏ ଜାରି କରିଥିବା ଚିଠି ଅନୁଯାୟୀ ଆରଟିଓ ବିଭିନ୍ନ ଅଞ୍ଚଳର ଘରୋଇ ବସ୍ ମାଲିକ ସଂଘ ସହିତ ଆଲୋଚନା କରିବେ। ଯେଉଁଠି ଘରୋଇ ବସ୍ ଚଳାଚଳ ସମୟ ସହିତ ଲକ୍ଷ୍ମୀ ଯୋଜନାର ବସ୍ ସମୟ ମେଳ ଖାଇ ଯାଉଥିବ ସେଭଳି ସ୍ଥିତିରେ ପ୍ରଚଳିତ ରୁଟ୍ ପରମିଟ୍ ଓ ସମୟ ନିୟମକୁ ଗୁରୁତ୍ବ ଦେଇ ନିଷ୍ପତ୍ତି ନିଆଯିବ।

ପ୍ରଭାବିତ ହେବେ ପରିବାର

ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ସମୟରେ ମୋ ବସ୍ ଓ ଘରୋଇ ବସ୍ ଏକ ରୁଟରେ ଚଳାଚଳ କରିବା ଦ୍ବାରା ଘରୋଇ ବସ୍ ମାଲିକଙ୍କ ବ୍ୟବସାୟ ପ୍ରଭାବିତ ହେବ। କେବଳ ବସ୍ ମାଲିକମାନେ ନୁହନ୍ତି। ବରଂ ଘରୋଇ ବସ୍ ପାଇଁ କାମ କରୁଥିବା କର୍ମଚାରୀ ଓ ତାଙ୍କ ପରିବାର ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବେ। ସରକାର ଏଭଳି ଯେଉଁ ଯୋଜନା କରୁଛନ୍ତି ସେଥିରେ କେବଳ ଘରୋଇ ବସ୍ ମାଲିକ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଘରୋଇ ବସ୍ ନେଇ ସରକାର ତାହାକୁ ଚଳାନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଥିଲା। ସରକାର ତାହାକୁ ଗ୍ରହଣ ନ କରି ଏବେ ଏଭଳି ରୁଟ୍ ପରମିଟ୍ କଥା କହିଛନ୍ତି।  

୩୦୦୦ କୋଟିର ପ୍ରକଳ୍ପ

ରାଜ୍ୟ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରତି ପଂଚାୟତରୁ ‘ଲକ୍ଷ୍ମୀ ଯୋଜନାରେ ମୋ ବସ୍ ଚଳାଚଳ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଯୋଜନାରେ ପ୍ରତି ପଂଚାୟତରୁ ବ୍ଲକ, ପ୍ରତି ବ୍ଲକରୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲା ସଦର ମହକୁମାରୁ ରାଜ୍ୟର ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସାଧାରଣ ଯାତ୍ରୀ ଯଦିଓ କେତେକ କାରଣରୁ ଉପକୃତ ହେବେ କିନ୍ତୁ ଘରୋଇ ବସ୍ ବ୍ୟବସାୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବ। ୮ ହଜାର ଘରୋଇ ବସ୍ ମାଲିକ ଓ ସେଥିରେ କାର୍ଯ୍ୟ କରୁଥିବା ୧୬ ହଜାରରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାରର ଜୀବନଜୀବିକା କ୍ଷତିଗ୍ରସ୍ତ ହେବ। ମୋ ବସ୍ ଚଳାଚଳ ଏବେ କେବଳ ସହରାଞ୍ଚଳରେ ସୀମିତ ରହିଥିବା ବେଳେ ଗ୍ରାମାଞ୍ଚଳକୁ ଏହି ସେବା ଲକ୍ଷ୍ମୀ ଯୋଜନାରେ ସଂପ୍ରସାରିତ ହେଲେ ଯଦି ଘରୋଇ ବସ୍ ଚଳାଚଳ ସମୟରେ ଏହି ବସ୍ ଚଳାଚଳ କରେ ତେବେ ବ୍ୟବସାୟ ପ୍ରଭାବିତ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments