Thursday, May 9, 2024
Homeଅନ୍ୟାନ୍ୟକେମିତି ବୁଦ୍ଧି ଦେଉଛନ୍ତି ଗଣେଶ? ପୂଜାରେ ହିଂସା

କେମିତି ବୁଦ୍ଧି ଦେଉଛନ୍ତି ଗଣେଶ? ପୂଜାରେ ହିଂସା

ଭୁବନେଶ୍ବର: ଭଗବାନ ଗଣେଶ ହେଉଛନ୍ତି ବିଦ୍ୟାଦାତା। ସେ ହେଉଛନ୍ତି ଆଦ୍ୟ ଠାକୁର। ଏହି କାରଣରୁ ପ୍ରତ୍ୟେକ ପୂଜାରେ ପ୍ରଥମେ ଗଣେଶଙ୍କ ନାମ ଉଚ୍ଚାରିତ ହୋଇଥାଏ। ବର୍ଷର ପାର୍ବଣ ଋତୁ ଗଣେଶ ପୂଜାରୁ ହିଁ ଆରମ୍ଭ ହୋଇଥାଏ। ବର୍ଷା ଋତୁ ଶେଷ ହେବାକୁ ଯାଉଥିବା ବେଳେ ଏବଂ ଶରତର ଆଗମନ ପୂର୍ବରୁ ଗଣେଶ ପୂଜା ପାଳନ ହୋଇଥାଏ। ଶିକ୍ଷାନୁଷ୍ଠାନ, ଯୁବକ ସଂଗଠନ, ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଗଣେଶ ପୂଜା ଅତି ଉତ୍ସାହର ସହିତ ଆୟୋଜନ ହୋଇଥାଏ। ସ୍କୁଲ ପିଲା ଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ମଧ୍ୟରେ ଗଣେଶ ପୂଜା ନେଇ ଖୁସିର ମାହୋଲ ଦେଖାଯାଇଥାଏ। ଗଣେଶ ପୂଜା ହେଉଛି ମହାରାଷ୍ଟ୍ରର ମୁଖ୍ୟ ପର୍ବ। କିନ୍ତୁ ଏହି ପୂଜା କିଛି ଦଶନ୍ଧି ହେଲା ମହୋତ୍ସବରେ ପରିଣତ ହୋଇଛି। ସାରା ଭାରତରେ ଉତ୍ସାହର ସହିତ ଗଣେଶ ପୂଜାର ଆୟୋଜନ ହେଉଛି। ଏହି କ୍ରମରେ ଓଡ଼ିଶାର ଦେବଗଡ଼, ତାଳଚେର ଓ ଜଟଣୀ ଗଣେଶ ପୂଜା ସୁଖ୍ୟାତି ଅର୍ଜନ କରିଛି। ଏହି ୩ଟି ସ୍ଥାନ ବ୍ୟତୀତ କଟକର କିଛି ଜାଗାରେ ମଧ୍ୟ ଗଣେଶ ପୂଜା ୧୦ ଦିନ ଯାଏଁ ପାଳନ କରାଯାଉଛି।

ଗାଁରୁ ସହର ଯାଏଁ ଗଣେଶ ପୂଜାକୁ ହର୍ଷୋଲ୍ଲାସର ସହିତ ଆୟାଜନ କରାଯାଉଛି। ଗଣେଶ ପୂଜାର ୧ ମାସ ପୂର୍ବରୁ ପ୍ରସ୍ତୁତି ହେଉଛି। ମୂର୍ତ୍ତି ଗଢ଼ିବା, ସାଜସଜ୍ଜା, ଅତିଥି ଆମନ୍ତ୍ରଣ, ପ୍ରସାଦ ସେବନକୁ ଆଡ଼ମ୍ବର କରାଯାଉଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ମୂର୍ତ୍ତି ବିସର୍ଜନ ସମୟରେ ହିଂସା ଅଥବା ବିଶୃଙ୍ଖଳା ଦେଖିବାକୁ ମିଳୁଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ମୂର୍ତ୍ତି ଚୋରି ହୋଇଯିବା ଏବଂ ମଦ୍ୟପାନ କରି ଗଣେଶ ମୂର୍ତ୍ତି ବିସର୍ଜନ କରିବା। ଚଳିତ ଗଣେଶ ପୂଜାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଛି।

ମୂର୍ତ୍ତି ବିସର୍ଜନ ବେଳେ ଗାଡ଼ି ଭାଙ୍ଗିଲେ
ଖୋର୍ଦ୍ଧା ଉପକଣ୍ଠ ନନ୍ଦପୁର ଗାଁରେ ଗତ ୨୭ ତାରିଖ ରାତିରେ ଶ୍ରୀଗଣେଶ ମୂର୍ତ୍ତି ଭଷାଣି ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଡିଜେ ବଜାଇ ଦାଣ୍ଡରେ ନାଚି ଭଷାଣି ଶୋଭାଯାତ୍ରା ନେଉଥିଲେ। ଏନେଇ କେତେକ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ହେବାରୁ ପୁଲିସକୁ ସୂଚିତ କରିଥିଲେ। ପୁଲିସ ଜିପ୍ ସେଠାରେ ପହଞ୍ଚି ଡିଜେକୁ ବନ୍ଦ କରିବାକୁ କହିଥିଲା। ଏଥିରେ ଶୋଭାଯାତ୍ରାରେ ଥିବା କେତେକ ନିଶାଶକ୍ତ ଯୁବକ ପ୍ରଥମେ ପୁଲିସ ସହ ଯୁକ୍ତିତର୍କ କରିଥିଲେ। ଏହାକୁ ନେଇ ପ୍ରଥମେ ଠେଲାପେଲା ହୋଇଥିଲା।  ଏଠାରେ ଡିଜେ ବଜାଇବାକୁ ବାରଣ କରି ଯୁବକମାନେ ଖୋର୍ଦ୍ଧା ସଦର ଥାନା ପୁଲିସକୁ ଆକ୍ରମଣ କରିଥିଲେ। ଉତ୍ତେଜିତ ଯୁବକମାନେ ଗାଡ଼ି ଭାଙ୍ଗିବା ଆରମ୍ଭ କରିଦେଇଥିଲେ। ଯୁବକମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି ଜଣାପଡ଼ିଥିଲା।

ଭସାଣି ବେଳେ ୪ମହିଳା ସମେତ ୮ ଆହତ
ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଓ ରମ୍ଭା ଥାନା ଅଧୀନ କୋମଣ୍ଡ ଗ୍ରାମରେ ଗତ ୨୪ ତାରି ରାତିରେ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ଓ ପଥରମାଡ଼ କରିବାରୁ ଏଥିରେ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାକୁ କେନ୍ଦ୍ର କରି କୋମଣ୍ଡ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏହି ଦୃଶ୍ୟ କେବଳ ଖୋର୍ଦ୍ଧା କି ଗଂଜାମରେ ନୁହେଁ। ବରଂ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟୁଛି। ମଦପିଇବା ଅଥବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୂର୍ତ୍ତି ଭସାଣି ସମୟରେ ହିଂସା ଘଟୁଛି।

ଗଣେଶ ମୂର୍ତ୍ତି ଚୋରି
ସବୁଠାରୁ ଆଶ୍ଚର୍ଯ୍ୟଜର ବିଷୟ ହେଲା ପୂଜା ମଣ୍ଡପରୁ ଗଣେଶ ମୂର୍ତ୍ତି ଚୋରି ହୋଇଯିବା ଘଟଣା। କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦା ଗାଁରେ ଗତ ୨୬ ତାରିଖ ରାତିରେ ପେଣ୍ଡାଲରୁ ଭଗବାନ ଗଣେଶଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଏହି ମୂର୍ତ୍ତି ଚୋରି ହେବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ପ୍ରଭୁ ବିଘ୍ନ ବିନାଶଙ୍କ ମୂର୍ତ୍ତିକୁ ଆଖପାଖରେ ଲୋକମାନେ ଖୋଜିଥିଲେ କିନ୍ତୁ ପାଇ ନଥିଲେ। ଏହି ଘଟଣା ପରେ ପୂଜା କମିଟି ଥାନାର ଦ୍ୱାରସ୍ଥ ହୋଇଥିଲେ। କମିଟି ସଦସ୍ୟ କହିଥିଲେ ସେମାନେ ପାଖରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। କିନ୍ତୁ ସେମାନେ ଫେରିବା ପରେ ତାଙ୍କର ଗଣେଶଙ୍କ ମୂର୍ତ୍ତି ପେଣ୍ଡାଲରେ ନଥିଲା।

ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ଗଣେଶ ମୂର୍ତ୍ତି ଲୁଟ୍
କେବଳ ପୂଜା ମଣ୍ଡପରୁ ଗଣେଶ ମୂର୍ତ୍ତି ଚୋରି ହୋଇଛି, ତାହା ନୁହେଁ। ବରଂ ମନ୍ଦିରରୁ ମଧ୍ୟ ଗଣେଶ ମୂର୍ତ୍ତି ଚୋରି ହୋଇଛି। ୨୦୨୨ ମାର୍ଚ୍ଚ ୨୧ ତାରିଖର ଘଟଣା। ଭୁବନେଶ୍ବର ଉପକଣ୍ଠ  ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର ଜାଗିରି ଗ୍ରାମର ରଶ୍ମିକାନ୍ତ ସାହୁଙ୍କ ଘର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପାଖାପାଖି ୨ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ। ୪/୫ ଜଣ ଘରେ ପଶି ଏଭଳି କାଣ୍ଡ କରିଥିବା ରଶ୍ମିକାନ୍ତଙ୍କ ଘରୁ ସାମଗ୍ରୀ ଏବଂ ମୂଲ୍ୟବାନ ଜିନିଷପତ୍ର ଚୋରି କରିଥିଲେ। ଏଥିରେ ସାମିଲ ଥିଲା ଦୁଇ କିଲ ଓଜନ ଓ ଏକ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କ ରୂପା ପ୍ରତିମୂର୍ତ୍ତି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ରଶ୍ମିକାନ୍ତ କହିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments