Friday, May 10, 2024
Homeଅନ୍ୟାନ୍ୟସହର ଭିତରେ ହାତୀ ଉତ୍ପାତ

ସହର ଭିତରେ ହାତୀ ଉତ୍ପାତ

ଭୁବନେଶ୍ବର: ସହର ଭିତରେ ବୁଲୁଛି ଗଜରାଜ। ପୋଷା ନୁହେଁ। ବରଂ ଜଂଗଲୀ ହାତୀ। ସହରର ଆଲୋକ, ଲୋକଙ୍କର ଭିଡ଼, ଶବ୍ଦକୁ ମଧ୍ୟ ଜଂଗଲୀ ହାତୀ ଖାତିର କରୁନାହିଁ। ବରଂ ଛାତି ଫୁଲାଇ ଏକ ଅଭିନବ ଶୈଳୀରେ ଆଗକୁ ବଢୁଛି। ସହରିଆ ଲୋକେ ଦୋକାନ-ବଜାର ସାମ୍ନାରେ ହାତୀ ଦେଖି ଭୟଭୀତ ହୋଇଯାଉଥିବା ବେଳେ ଆହୁରି ଅନେକ ଲୋକ ପୋଷା ହାତୀ ଭାବି ନିର୍ଭୟରେ ରାସ୍ତାକଡ଼ରେ ଛିଡ଼ା ହୋଇ ଦେଖୁଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। ଜଙ୍ଗଲ ଅବକ୍ଷୟ ହେଉ ଅଥବା ସେଠାରେ ରହିଲା ଭଳି ପରିବେଶ ନଥିବା କାରଣରୁ ହାତୀମାନେ ସହାରାଭିମୁଖୀ ହେଉଛନ୍ତି।

ପୂର୍ବରୁ ହାତୀମାନେ ଜଙ୍ଗଲ ସନ୍ମିକଟ ଗାଁରେ ଥିବା ଫସଲ ଖାଇବା ପାଇଁ ଆସୁଥିଲେ। ହାତୀମାନେ ରାତିରେ ଆସୁଥିଲେ। ରାତି ପାହିଲା ବେଳକୁ ଅର୍ଥାତ ସୂର୍ଯ୍ୟୋଦୟ ପୂବରୁ ପୁଣି ଘଂଚ ଜଙ୍ଗଲ ଭିତରକୁ ପଳାଇ ଯାଉଥିଲେ। କିନ୍ତୁ ବଣଜଙ୍ଗଲର ଆକାର ପରିବର୍ତ୍ତନ ହୋଇଥିବାରୁ କିଛି ବର୍ଷ ହେଲା ହାତୀମାନେ ସହରରେ ମଧ୍ୟ ଉପଦ୍ରବ ସୃଷ୍ଟି କରୁଛନ୍ତି। ହାତୀ ସହିତ ଅନ୍ୟ ଜୀବଜନ୍ତୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଯାହା ଉଦ୍ୟମ କଲେ ବି ଏଥିରେ ସଫଳ ହୋଇପାରୁ ନାହାନ୍ତି। ଫଳ ସ୍ବରୂପ ହାତୀମାନେ ସହର ଭିତରେ ଦେଖାଯିବା ଅନ୍ୟ ଏକ କାରଣ ହୋଇପାରେ ବୋଲି ବନ୍ୟପ୍ରାଣୀବିତ୍ମାନେ ମତ ଦିଅନ୍ତି।

ସଂନ୍ଧ୍ୟା ବେଳେ ସହରରେ ହାତୀ

ବରଗଡ ଜିଲ୍ଲା ପାଇକମାଳ ସହରର ମୁଖ୍ୟ ରାସ୍ତାରେ ଗତ ୨୮ ତାରିଖ ଦିନ ଏକ ଦନ୍ତା ହାତୀ ବୁଲୁଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ପାଇକମାଳରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳିଥିଲା। ସଂଧ୍ୟା ସମୟରେ ଦନ୍ତା ହାତୀଟି ଆତଙ୍କ ଖେଳାଇଥିଲା। ଦୀର୍ଘ ସମୟ ଧରି ଗଜରାଜ ବୁଲୁଥିବାରୁ ଆକ୍ରମଣ ଭୟରେ ରାସ୍ତାଘାଟ ଶୁନଶାନ୍‌ ହୋଇଯାଇଥିଲା। ଲୋକମାନେ ହାତୀ ଭୟରେ ଘରୁ ବାହାରୁ ନଥିଲେ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସହର ଭିତରେ ଗୋଠ ଛଡ଼ା ଦନ୍ତାହାତୀ ଆତଙ୍କ ଖେଳାଇଛି। ବିଳମ୍ବିତ ରାତିରେ ସହରରେ ରାଜ କରୁଛି। ହାତୀ ନିର୍ଭିକ ଭାବେ ବୁଲାବୁଲି କରୁଥିବା ବେଳେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ସେହିପରି ହାତୀପଲ ଗୁରୁବାର ସଂଧ୍ୟାରେ ୧୪୩ ନମ୍ବର ଜାତୀୟ ରାଜପଥକୁ ନିଜ କବଜା କରିଥିଲେ। ବଣାଇଁ ବନାଂଚଳ ବାବୁ ନୂଆଗାଁ ନିକଟରେ ରାଜପଥ କଡରେ ଫସଲ ନଷ୍ଟ କରିବା ପରେ ରାସ୍ତା ଉପରକୁ ଆସି ଗାଡି ଚଳାଚଳ ଠପ୍ କରିଦିଇଥିଲେ। ୨ ମାସ ହେଲା ୨ଟି ହାତୀ ବଣାଇଁ ଉପଖଣ୍ଡର ଲହୁଣୀପଡ଼ା, କୁଳିପୋଷ ଅଂଚଳରେ ବୁଲାବୁଲି କରୁଛନ୍ତି । ୩୦ରୁ ଅଧିକ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।

ଜାତୀୟ ରାଜପଥରେ ବୁଲିଲା ହାତୀ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ ମଧ୍ୟ ଜଙ୍ଗଲୀ ଦନ୍ତାହାତୀର ଦୌରାତ୍ମ୍ୟ ଦେଖିବାକୁ ମିଳିଥିଲା। ସେପ୍ଟେମ୍ବର ୨୯ ତାରିଖ ଭୋର ପ୍ରାୟ ତିନିଟା ସମୟରେ ଏକ ଗୋଠଛଡା ଜଙ୍ଗଲୀ ଦନ୍ତା ପଶିଯାଇଥିଲା। ଦନ୍ତାକୁ ଦେଖି କଲୋନିବାସୀ ଭୟଭୀତ ହୋଇପଡି ଜୋର ପାଟିତୁଣ୍ଡ କରିବା ସହ ବୀରମିତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇଁ ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇ ସ୍ୱତନ୍ତ୍ର ହାତୀ ଘଉଡ଼ାଇବା ଦଳ ସହ ସେଠାରେ ପହଞ୍ଚି ଦନ୍ତାକୁ ସେଠାରୁ ଘଉଡ଼େଇ ଥିଲେ।

ହାତୀ ଆକ୍ରମଣରେ ୨୫୯ରୁ ଊର୍ଦ୍ଧ୍ବ ମୃତ

କେବଳ ପାଇକମାଳ, ବୀରମିତ୍ରପୁର କି ବଣାଇ ନୁହେଁ। ବରଂ ରାଜ୍ୟର ଅନ୍ୟ ସହରକୁ ମଧ୍ୟ ହାତୀ ଭୟ ହୋଇଛି। ଏପରିକି ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ମଧ୍ୟ ଅତୀତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଦିନକୁ ଦିନ ଜଙ୍ଗଲକ୍ଷୟ ହେଉଥିବା ବେଳେ ଜଙ୍ଗଲି ଜନ୍ତୁ ଏବେ ବାଧ୍ୟ ହୋଇ ଜନବସତି ମୁହାଁ ହେଉଛନ୍ତି। ଚାଷବାସ ନଷ୍ଟ କରୁଥିବା ହାତୀ ଏବେ ସହରରେ ବୁଲୁଛନ୍ତି। କଂକ୍ରିଟ ସହର ସାଙ୍ଗକୁ ଜଙ୍ଗଲକ୍ଷୟର ପ୍ରଭାର ଧୀରେ ଧୀରେ ମାନବ ସମାଜ ଉପରେ ପଡ଼ିଛି। ଲୋକେ ଜଙ୍ଗଲ କାଟି କୋଠା ତିଆରି କରୁଥିବା ବେଳେ ଜଙ୍ଗଲ ଛାଡି ଜନବସତିକୁ ପଶି ଆସୁଛନ୍ତି ହାତୀପଲ। ତେବେ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨୫୯ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ବିଧାନସଭାରେ ଲିଖିତ ଉତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। କିନ୍ତୁ ବାସ୍ତବ ପକ୍ଷେ ହାତୀ ଆକ୍ରମଣଜନିତ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟ ଠାରୁ ଢେର ଅଧିକ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments