Thursday, May 9, 2024
Homeଅନ୍ୟାନ୍ୟଅନ୍ଧାରରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା

ଅନ୍ଧାରରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟ ରାଜଧାନୀ ତଥା ଐତିହାସିକ କଟକ ସହରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ଗୋଲ ହୋଇଯାଉଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବହୁ ଆଗକୁ ଯାଇଥିଲେ ମଧ୍ୟ ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କୁହାଯାଉଥିବା ଶୀରାମ ଚନ୍ଦ୍ର ଭଂଜ (ଏସ୍‌ସିବି) ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ବିକଳ୍ପ ବ୍ୟବସ୍ଥା ହୋଇପାରି ନାହିଁ। ଏଠାରେ ଅନେକ ବ୍ୟବସ୍ଥା ପୁରୁଣା ପରଂପରାରେ ଚାଲିଛି। ଅତ୍ୟାଧୁନିକ ଯୁଗର ସ୍ବାସ୍ଥ୍ୟ ସେବାରେ ବିଦ୍ୟୁତର ସର୍ବାଧିକ ଭୂମିକା ଥିବା ବେଳେ ଏସ୍ସିବିରେ ଲଗାତାର ୧୦ ଘଣ୍ଟା ଏହା ଗୋଲ ହୋଇଯାଉଛି। ଫଳରେ ରୋଗୀ ସେବା ଅନ୍ଧାରରେ ଚାଲୁଛି। ରୋଗୀଙ୍କ ମେଡିକାଲ ରିପୋର୍ଟ ଆଣିବା ପାଇଁ ଓ ଡାକ୍ତରଙ୍କୁ ଦେଖାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଶଯ୍ୟା ଅଭାବରୁ ରୋଗୀ ଓ ସଂପର୍କୀୟଙ୍କୁ ବାରଣ୍ଡରେ ଶୋଇବାକୁ ପଡୁଛି। ଏଥିରୁ ଆଉ କ୍ଷୋଭର ବିଷୟ କ’ଣ ହୋଇପାରିବ?

କଟକ ସହରରେ ଯଦି ବିଦ୍ୟୁତ୍ ୬ ଘଣ୍ଟା ଓ ୧୦ ଘଣ୍ଟା ଚାଲି ଯାଉଛି। ମାଲକାନଗିରି ହେଉ ବା ମୟୂରଭଂଜ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଲୋକେ କିଭଳି ଜୀବନ ବିତାଉଥିବେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ୨୦୨୩ ସେପ୍ଟେମ୍ବର ମାସର ଶେଷ ଦିନ ଓ ଅକ୍ଟୋବର ପହିଲାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ରୋଗୀ ସେବାରେ ବହୁତ ଅସୁବିଧା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିକୁ ବିଶ୍ୱସ୍ତରୀୟ ରୂପ ଦିଆଯିବ ବୋଲି ସ୍ବପ୍ନ ଦେଖୁଛନ୍ତି। ସେହିପରି ଏମ୍ସ ତୁଳନାରେ ଏସ୍ସିବିରେ ସର୍ବାଧିକ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ଜୀବନରେ କେବେହେଲେ ଏମ୍ସକୁ ଯାଇ ନାହାନ୍ତି। ଏମ୍ସରେ ସ୍ବାସ୍ଥ୍ୟ ସେବା କିଭଳି ଚାଲିଛି ଓ ସେହିଭଳି ଏସ୍ସିବିରେ ଚାଲିବାକୁ ଆହୁରି କେତେ ବର୍ଷ ଲାଗିବ ସେନେଇ ସମୀକ୍ଷା କରିବାର ଆବଶ୍ୟକତା ରହିଛି।

ଅନ୍ତର୍ଜାତୀୟ ହସ୍ପିଟାଲ କେମିତି ହୁଏ?

ଏସ୍‌ସିବିରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସେବା ମିଳିବା ସ୍ବପ୍ନ ଭଳି ଲାଗୁଛି। କେହି ଜଣେ ବ୍ୟକ୍ତି ତୃଣମୂଳସ୍ତରକୁ ଗଲେ ଭଲଭାବରେ ଏହା ଅନୁମାନ କରିପାରିବେ। କେଉଁ ଆଧାରରେ ଏହା ଅନ୍ତର୍ଜାତୀୟ ସ୍ତରୀୟ ହୋଇପାରିବ? ସେ କଥା ସରକାର ଓ ପ୍ରଶାସନ ଚିନ୍ତା କରିବା ଦରକାର। ଖାଲି ବଡ଼ବଡ଼ କୋଠା ନିର୍ମାଣ କରିଦେଲେ ତାହା ଅନ୍ତର୍ଜାତୀୟ ହୋଇପାରିବ ନାହିଁ। ବରଂ ଏଠାରେ ଥିବା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ଦରକାର। ପ୍ରଥମ କଥା ଏସ୍ସିବିରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଡ୍ୟୁଟିକୁ ଆସୁଛନ୍ତି କି? ମେଡିକାଲ କର୍ମଚାରୀମାନେ ରୋଗୀ ଓ ସଂପର୍କୀୟଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ଭାବେଚ ଆଲୋଚନା କରୁଛନ୍ତି। ରୋଗୀଙ୍କ ପାଇଁ ଦରକାର ପଡୁଥିବା ସେବା ଡାକ୍ତରଖାନା କର୍ତ୍ତୃପକ୍ଷ ତରଫରୁ ବିନା ହଇରାଣରେ ଯୋଗାଇ ଦେଉଛନ୍ତି କି? ବେସରକାରୀ କ୍ଲିନିକ ଓ ଡାକ୍ତରଖାନାକୁ ରୋଗୀଙ୍କୁ ନନେଇ ସରକାରୀ ବ୍ୟବସ୍ଥାରେ ଚିକିତ୍ସା କରିବାକୁ କୁହାଯାଉଛି କି?

ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ

କଟକ ବଡ଼ମେଡିକାଲ ଲଗାତାର ୨ୟ ଦିନରେ ବଡ଼ଧରଣର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅକ୍ଟୋବର ୧ ତାରିଖଷର ପୁଣି ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଛି। ନିଦାନ ବିଭାଗରେ ପ୍ରାୟ ୬ଘଣ୍ଟା ବିଦ୍ୟୁତ ନଥିଲା। ଫଳରେ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଥିଲା। ଏହା ପୂର୍ବରୁ ଶନିବାର ଦିନ ମଧ୍ୟ ଏସବିରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ପ୍ରାୟ ୧୦ଘଣ୍ଟା ଧରି ବିଜୁଳି କଟିଯିବାରୁ ଏକାଧିକ ବିଭାଗ ଅନ୍ଧାରରେ ରହିଥିଲା। ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ ଓ ମେଡିସିନ୍ ବିଭାଗର କିଛି ଅଂଶରେ ଲାଇନ କଟିଯାଇଥିଲା। ଏମିତି କି ପମ୍ପ ହାଉସରେ ଲାଇନ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇ ପାରିନଥିଲା। ଫଳରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଏପରିକି ମେଡିସିନ୍ ବିଭାଗରେ ରୋଗୀଙ୍କୁ ମୋବାଇଲ୍ ଲାଇଟ୍ରେ ଇଞ୍ଜେକ୍ସନ୍ ଦିଆଯାଉଥିବାର ଦୃଶ୍ୟ ସାମନାକୁ ଆସିଥିଲା।

କର୍କଟ ହସ୍ପିଟାଲରେ ବି ଅବ୍ୟବସ୍ଥା

କେବଳ ଏସିବି ନୁହେଁ, ବରଂ ଏଠାକୁ ଲାଗିକରି ଥିବା ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ମଧ୍ୟ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥାଏ। ଏପରିକି ଜରୁରୀକାଳୀନ ୱାର୍ଡରେ ରୋଗୀ ସଂପର୍କୀୟଙ୍କୁ ଡାକ୍ତରଙ୍କ ଆଗମନକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ସମସ୍ୟା ଏତିକିରେ ସରିନାହିଁ। ରୋଗୀ ସଂପର୍କୀୟମାନେ ନିଜର ଲୋକଙ୍କୁ ଡାକ୍ତର ପରାମର୍ଶ କରାଇବା ପାଇଁ ରାତି ୨ଟାରେ ଲାଇନ୍ରେ ରୁହନ୍ତି। ସକାଳ ୮ଟାରେ ସେମାନେ ନମ୍ବର କରନ୍ତି। କିନ୍ତୁ ଡାକ୍ତର ଆସନ୍ତି ଦିନ ୧୧ଟା ପରେ। ଅନ୍ୟପଟରେ ଡାକ୍ତରଙ୍କ କ୍ୟାବିନରେ ପରାମର୍ଶ ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ବୋଲି ଉଲ୍ଲେଖ ରହିଛି। ଡାକ୍ତରମାନେ ରୋଗୀମାନଙ୍କୁ ଘରୋଇ କ୍ଲିନିକରେ ଦେଖିବାରେ ବ୍ୟସ୍ତ ରହୁଥିବାରୁ, ଏସ୍ସିବିରେ ପହଞ୍ଚିବାରେ ବିଳମ୍ବ କରନ୍ତି। ସାଧାରଣଜନତା ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ ବିରୋଧ କରିପାରୁ ନାହାନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments