Monday, May 20, 2024
Homeବାଣପୁରରେ ଲଖିମପୁରଖେରି ଭଳି ଘଟଣା
Array

ବାଣପୁରରେ ଲଖିମପୁରଖେରି ଭଳି ଘଟଣା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ନାଁ ପ୍ରଶାନ୍ତ। ଦେଖିବାକୁ ଶାନ୍ତ ଦେଖାଯାଉଥିଲେ ମଧ୍ୟ ତାଙ୍କର ପ୍ରକୃତି କିନ୍ତୁ ଅଶାନ୍ତ। ବିଜୁ ଜନତା ଦଳ ଲୋକଙ୍କର ସେବା କରିବା ପାଇଁ ତାଙ୍କୁ ଟିକେଟ୍‌ ଦେଇଥିଲା, ଯେଉଁଥି ପାଇଁ ସେ ବିଧାୟକ ହୋଇପାରିଥିଲେ। କ୍ଷୋଭର ବିଷୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କର ସେବା କ’ଣ କରିବେ, ବରଂ ଲୋକଙ୍କୁ ଭୟଭୀତ କରି ଚିଲିକା ଅଞ୍ଚଳରେ ନିଜର ପତିଆରା ବିସ୍ତାର କରୁଛନ୍ତି। କେବଳ ରାଜନୈତିକ ନେତାଙ୍କୁ ସେ ଟାର୍ଗେଟ କରୁନାହାନ୍ତି, ବରଂ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଛାଡୁ ନାହାନ୍ତି। ସାଧାରଣ ଲୋକଙ୍କର କଥା ଅବା କିଏ ପଚାରେ। ପ୍ରଶାନ୍ତଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରୁ ନଥିବାରୁ ସେ ନୀରିହ ଜନତାଙ୍କୁ ମଣିଷ ଭଳି ଦେଖୁନାହାନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଆଜି ସକାଳୁ ନେତାମନେ ଭିଡ଼ ଲଗାଇଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ରେଂଜ ରୋଭର ଡିସକଭରି (ଓଡି୦୨ ଏୱାଇ ୫୭୭୫) ଗାଡ଼ିରେ ଲୌହ ଦାନବ ଭଳି ମାଡ଼ି ଆସିଥିଲେ। ପ୍ରବଳ ଭିଡ଼ ଭିତରେ କାର୍‌ଟି ଆଗକୁ ମାଡ଼ି ଚାଲିଥିଲା। କିଛି ମାସ ପୂର୍ବରୁ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଯେଭଳି ମନ୍ତ୍ରୀଙ୍କ କାର ନିରୀହ ଲୋକଙ୍କ ଉପରେ ମାଡ଼ି ଯାଇଥିଲା, ଅନୁରୂପ ଘଟଣା ଓଡ଼ିଶା ଦେଖିଲା। ଅଳ୍ପ କେଇ ମିନିଟ ମଧ୍ୟରେ ପରିସ୍ଥିତି ଓଲଟପାଲଟ ହୋଇଗଲା। ଦିନ ତମାମ ବାଣପୁରରେ ଉତ୍ତେଜନା ଲାଗି ରହିବାକୁ ସ୍ଥାନୀୟ ପ୍ରଶାସନ ଅନିଶ୍ଚିତ କାଳ ପାଇଁ ୧୪୪ ଧାରା ଲାଗୁ କରିଛନ୍ତି।  କାରଟି ପୂରା ମାଫିଆ ଢାଂଚାରେ ଭିତରକୁ ମାଡ଼ିଆସିଲା ଯ ମାତ୍ର କିଛି ମିନିଟ ମଧ୍ୟରେ ପରିବେଶ ସଂପୂର୍ଣ୍ଣ ବଦଳିଯାଇଥିଲା

ବିଜେପିର ବିଜୟକୁ ସହିପାରୁ ନଥିଲେ
ବାଣପୁର ବ୍ଲକ ୧୭ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ବିଜେଡି ସମର୍ଥିତ ୫ ଜଣ ସମିତି ସଭ୍ୟ ବିଜୟୀ ହୋଇଥିଲା ବେଳେ ୧୨ଜଣ ବିଜେପି ସମର୍ଥନରେ ପଞ୍ଚାୟତ ନିର୍ବାଚନ ଜିତିଥିଲେ। ବ୍ଲକ ଅଧ୍ୟକ୍ଷ ବିଜେପି ସମର୍ଥନରେ ଜିତିବା ପ୍ରାୟତଃ ନିଶ୍ଚିତ ଥିବାରୁ ପ୍ରଶାନ୍ତ ଜଗଦ୍ଦେବ ଏହାକୁ ସହ୍ୟ କରିପାରୁ ନଥିଲେ। ହୁଏତ ଏହା ଶାସକ ଦଳର ଇଙ୍ଗିତ ଥାଇପାରେ। କିନ୍ତୁ ପ୍ରଶାନ୍ତ ବିଗତ ଦିନରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। କିନ୍ତୁ ସେ ବିଜେପି ସହିତ ସଂପର୍କ ରଖିଥିବା ମଧ୍ୟ ବିରୋଧୀମାନେ ଅଭିଯୋଗ କରନ୍ତି।  ସେ ଯାହା ହେଉ, କ୍ଷମତା ପାଇଁ ଜନସାଧାରଣଙ୍କ ଉପରେ କାର ଚଳାଇବାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ପୋଲିସ କର୍ମଚାରୀଙ୍କୁ ମାନିଲେନି
ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଶହ ଶହ ଲୋକ ଛିଡ଼ା ହୋଇଥିଲେ। ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ ଥିଲେ। ସମେସ୍ତ ସେହି ପ୍ରତିକ୍ଷାର ସମୟକୁ ଅପେକ୍ଷା କରିଥିଲେ। ଦିନ ପ୍ରାୟ ୧୧ଟା ହେବ। ବିଧାୟକ ଶ୍ରୀ ଜଗଦ୍ଦେବ ନିଜେ କାର ଚଳାଇ ସେଠାରେ ପହଂଚିଥିଲେ। ପ୍ରବଳ ଜନଗହଳିକୁ ଜଗଦ୍ଦେବ ଖାତିର କରି ନଥିଲେ। କାର ଆଗକୁ ବଢ଼ି ଚାଲିଲା। କାର୍‌ ଚକ ତଳେ ପଡ଼ି ଯାଇଥିଲେ ସ୍ଥାନୀୟ  ଆଇଆଇସିଙ୍କ ସମେତ ୪ଜଣ ପୁଲିସ କର୍ମଚାରୀ, ୩ଜଣ ବିଜେପି ସମର୍ଥକ ମହିଳା ଓ ଜଣେ ପୁରୁଷ। ଆଖି ଆଗରେ ବିଧାୟକଙ୍କ କାଣ୍ଡ ଦେଖି ଲୋକେ ସହିପାରି ନଥିଲେ।। ଗାଡ଼ି  ଭିତରୁ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ। କାର୍‌କୁ ଭାଙ୍ଗି ଦେଇଥିଲେ।    
ରାଜନୈତିକ ଦଳର ନିନ୍ଦା
ବିଧାୟକ ପ୍ରଶାନ୍ତଙ୍କୁ ଚାରିଆଡୁ ନିନ୍ଦା କରାଯାଉଛି। ଗାଡ଼ି ଚଢ଼ାଇବା ଘଟଣାକୁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ତୀବ୍ର ନିନ୍ଦା କରିଛି। ବିଜେଡିର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ ବର୍ବରୋଚିତ। ଏହି କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ। ବିଜେଡି ଏହି କାମକୁ ତୀବ୍ର ନିନ୍ଦା କରୁଛି। ଏହି ଘଟଣା ଥିଲା ଅତ୍ୟନ୍ତ ଲୋମହର୍ଷଣକାରୀ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ଯେଉଁଥି ପାଇଁ ଦଳ ତାଙ୍କ ନିଲମ୍ବନ କରିଛି। ଏବେ ଚିଲିକାବାସୀ ନିଜକୁ ନିନ୍ଦା କରୁଥିବେ। କାରଣ ଏଭଳି ଜଣେ ଲୋକକୁ ବିଜୟୀ କରି ବିଧାନସଭା ଭଳି ପବିତ୍ର ଗୃହକୁ ପଠାଇଛନ୍ତି ବୋଲି କଂଗ୍ରେସ କହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି ଯେ ବାଣପୁରରେ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି ହୋଇଛି। ଅମାନବୀୟ କାର୍ଯ୍ୟ ପାଇଁ କହିବାକୁ ଭାଷା ନାହିଁ। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୁଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡ଼ି ଚଲାଇ ଗାଡ଼ି ଚଢ଼ାଇବା ସମ୍ଭବତଃ ଓଡ଼ିଶାରେ ପ୍ରଥମ ଘଟଣା। ଏହି ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍‌ ହେବ। ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। 
ଗୁଣ୍ଡାଗର୍ଦ୍ଦିରେ ଅଛି ରେକର୍ଡ  
ପ୍ରଶାନ୍ତଙ୍କ ପାଇଁ ଆଜିର ଭଳି ଘଟଣା ନୂଆ ନୁହେଁ। କାରଣ ଏହା ପୂର୍ବରୁ ମଧ୍ୟ ସେ ଏକାଧିକ ହିଂସା ସହିତ ଜଡ଼ିତ ଅଛନ୍ତି। ୨୦୨୧ ସେପ୍ଟେଟର ମାସରେ ବାଲୁଗାଁ ଏନଏସି ଅଫିସ ଆଗରେ ବିଜେପି ମଣ୍ଡଳ ସଭାପତି ଓ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରି ଆତଙ୍କ ସୃଷ୍ଟି କରିଥିଲେ। ଏହି ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରି ଦଳର ଭାବମୂର୍ତ୍ତି ରକ୍ଷା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ପରେ ସେ ଗିରଫ ହୋଇଥିଲେ ଓ ପରେ ଜାମିନରେ ଆସିଥିଲେ। କେବଳ ସେତିକି ନୁହେଁ, ବୋଲଗଡ଼ରେ ମହିଳା ତହସିଲଦାରଙ୍କୁ ମାଡ଼ ମାରିବା, ପୁରୀ ଏସ୍ପିଙ୍କୁ ଧକ୍କା ମାରିବା, ବୌଦ୍ଧ ମନମୁଣ୍ଡାରେ କଳାପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ମାଡ଼ ମାରିବା ଭଳି ଅଭିଯୋଗ ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments